ବାତ୍ୟା ଅମ୍ଫନ କ୍ଷୟକ୍ଷତି ପାଇଁ ଓଡିଶାକୁ ୫୦୦ କୋଟି: ମୋଦି

ଭୁବନେଶ୍ୱର,୨୨।୫(ବ୍ୟୁରୋ)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ସାମୁଦ୍ରିକ ବାତ୍ୟା ଅମ୍ଫନ କ୍ଷୟକ୍ଷତି ପାଇଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୫୦୦ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ବାତ୍ୟାର ମୁକାବିଲା ଦିଗରେ ରାଜ୍ୟବାସୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ ରାଜ୍ୟର ବାତ୍ୟାଞ୍ଚଳ ଭାରତୀୟ ବାୟୁସେନା ହେଲିକପ୍ଟର ଯୋଗେ ବୁଲି ଦେଖିଥିଲେ। ପରେ ଭୁବନେଶ୍ୱର ବିମାନ ବନ୍ଦରର କନଫରେନ୍ସ ହଲରେ ପ୍ରଧାନମନ୍ତ୍ରୀ ମୋଦି ଏକ ଉଚ୍ଚସ୍ତରୀୟ ବୈଠକରେ ଅମ୍ଫନ କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ, ୫-ଟି ସଚିବ ଭିକେ ପାଣ୍ଡିଆନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ପୋଲିସ ଡିଜି ଅଭୟ, ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।