ଅବୈଧ ଗର୍ଭପାତ

ଡା. ଶୁଭଶ୍ରୀ ମିଶ୍ର
ସୃଷ୍ଟି ସର୍ଜନାରେ ଜଣେ ପୁରୁଷ ସହିତ ନାରୀର ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସମ୍ପ୍ରତି ଲିଭ୍‌-ଇନ୍‌-ରିଲେସନ୍‌ଶିପ୍‌ ହେଉ ବା ଅନ୍ୟ କିଛି ବାହାନାରେ କେତେକ କ୍ଷେତ୍ରରେ ମହିଳା ଓ ପୁରୁଷଙ୍କ ଅବାଧ ମିଳାମିଶାର କୁପରିଣତିର ଶିକାର ମହିଳାଟି ହୋଇଥାଏ। କେତେକ କ୍ଷେତ୍ରରେ ବୋହୂ, କୁମାରୀ କନ୍ୟା ଅବାଞ୍ଛିତ ସନ୍ତାନର ଜନନୀ ହୋଇଥାନ୍ତି ତ କେହି କେହି ଅବୈଧ ଗର୍ଭପାତ କରି ସାମାଜିକ ଅପବାଦରୁ ମୁକ୍ତ ହେବା ପାଇଁ ଚେଷ୍ଟା କରିଥାନ୍ତି। କେବଳ ବିବାହିତା ନୁହନ୍ତି ଅନେକ କ୍ଷେତ୍ରରେ ଅବିବାହିତାମାନେ ଗର୍ଭପାତ କରୁଛନ୍ତି। ଭ୍ରୂଣହତ୍ୟା ମହାପାପ ବୋଲି ବିଚାର ରହିଥିଲା। ଏବେ କିନ୍ତୁ ସେ ଭାବନା ଆଉ ନାହିଁ। ୧୯୭୧ ମସିହାରେ ପ୍ରଥମକରି ଟର୍ମିନେଶନ୍‌ ଅଫ୍‌ ପ୍ରେଗ୍‌ନାନ୍ସି ଆକ୍ଟ ବଳରେ ଗର୍ଭପାତକୁ ବୈଧ କରାଗଲା, ଯାହାର ମୂଳଲକ୍ଷ୍ୟ ଥିଲା ଜନସଂଖ୍ୟା ନିୟନ୍ତ୍ରଣ। ସେହିପରି ସନ୍ତାନ ଜନ୍ମ ମାଆର ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିଲେ ମଧ୍ୟ ଗର୍ଭପାତ କରାଯାଉଥିଲା।
ଏହା ବ୍ୟତୀତ ବଳାତ୍କାରର ଶିକାର ହୋଇଥିବା ମହିଳାମାନେ ଅବାଞ୍ଛିତ ଗର୍ଭଧାରଣ କରିଥିବାରୁ ଆଇନ ବଳରେ ଗର୍ଭପାତ କରାଯାଇ ପାରୁଥିଲା। ତେବେ ପରବର୍ତ୍ତୀ ସମୟରେ ଏହି ଗର୍ଭପାତ ବ୍ୟାପକ ଭାବରେ ବଢ଼ି ଚାଲିବାରୁ କେବଳ ଚିକିତ୍ସା ମହଲ ନୁହେଁ, ସରକାରୀ ଓ ବେସରକାରୀ ମହଲରୁ ଉଦ୍‌ବେଗ ପ୍ରକାଶ ପାଇଲା। ତେବେ ପ୍ରଥମ କଥା ହେଉଛି ଅବୈଧ ଗର୍ଭପାତ କ’ଣ ପାଇଁ ଘଟିଥାଏ? କୁମାରୀ ମାତୃତ୍ୱ ହେଉ ବା ଗର୍ଭସ୍ଥ ସନ୍ତାନର ଲିଙ୍ଗ ନିରୂପଣ ଓ କନ୍ୟାଭ୍ରୂଣ ହତ୍ୟା- ଏହି ଦୁଇଟି ପ୍ରସଙ୍ଗ ଆଜିର ସମାଜ ପାଇଁ ଏକ ଉଦ୍‌ବେଗଜନକ ପ୍ରସଙ୍ଗ। କେତେକ ଯୁବତୀଯୁବକ ଲୁଚାଚୋରା ଭାବେ ଯେଉଁ ଅମଡ଼ା ବାଟରେ ଚାଲିଥାନ୍ତି ତାହା ପରବର୍ତ୍ତୀ ସମୟରେ ସେମାନଙ୍କ ପାଇଁ ଦୁଃଖଦ ହୋଇଥାଏ। ଏପରିକି ଖୁବ୍‌ କମ୍‌ ବୟସରେ ଗର୍ଭବତୀ ହୋଇଥିବାରୁ କୁମାରୀ ମାତୃତ୍ୱ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।
କେତେକ ସ୍ଥଳରେ ସ୍ବାସ୍ଥ୍ୟଗତ କ୍ଷେତ୍ରରେ ଏହା କୁପ୍ରଭାବ ପକାଉଥିବାରୁ ପରବର୍ତ୍ତୀ ସମୟରେ ଏହି କୁମାରୀ ମା’ମାନେ ଚିର ଦିନ ପାଇଁ ମା’ହେବାର ସୌଭାଗ୍ୟ ହରାଇଥାନ୍ତି। ବିଶେଷକରି ଗ୍ରାମାଞ୍ଚଳରେ ସ୍ତ୍ରୀ ଓ ପ୍ରସୂତୀ ଚିକିତ୍ସକଙ୍କ ସଂଖ୍ୟା କମ୍‌ ରହୁଥିବାରୁ ସେଠାରେ ସେମାନେ ଚିକିତ୍ସା ସୁଯୋଗ ନ ପାଇ ଅନେକ ଯନ୍ତ୍ରଣାର ଶିକାର ହୋଇଥାନ୍ତି। କେବଳ ଗ୍ରାମାଞ୍ଚଳ ନୁହେଁ, ଆଜି ବି ଅନେକ ଆଦିବାସୀ ମୁଲକରେ ଗୁଣିଟୁଣି ଓ ଜଡ଼ିବୁଟିର ସହଯୋଗ ନିଆଯାଉଥିବାରୁ କୁମାରୀ ମାଆର ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହୋଇ ବହୁ ବିଳମ୍ବରେ ସରକାରୀ ଡାକ୍ତରଖାନାକୁ ଆସିବା ବେଳକୁ ନେଡିଗୁଡ଼ କହୁଣିକୁ ବୋହିଯାଇଥାଏ। ଏ କ୍ଷେତ୍ରରେ ମାଆର ଜୀବନ ରକ୍ଷାକରିବା କାଠିକର ପାଠ ହୋଇଥାଏ। କୁମାରୀ ମାତୃତ୍ୱ ପାଇଁ ମୂଲ୍ୟବୋଧର ଅବକ୍ଷୟ ବା ବିଶୃଙ୍ଖଳା, ଭ୍ରଷ୍ଟାଚାର ବା ନୈତିକତାର ଅଧଃପତନ ପରି କାରଣ ସବୁ ଦାୟୀ।
ସମାଜରେ ଲିଙ୍ଗ ଅନୁପାତର ଅସମାନତା ପାଇଁ ଅବୈଧ ଗର୍ଭପାତ ଦାୟୀ। ଗର୍ଭରେ ଥିବା ପିଲାଟିର ଲିଙ୍ଗ ଜାଣିବା ପାଇଁ ଆଜିକା ସମୟରେ ଅନେକେ ସଚେତନ ହୋଇଥିଲେ ବି ଅନେକଙ୍କ କ୍ଷେତ୍ରରେ ଯେଉଁ ଉତ୍ସୁକତା ରହିଥାଏ ତାହା ଏକ ଦୁଃଖଦ ପ୍ରସଙ୍ଗ। ଏକ ପରିସଂଖ୍ୟାନର ତଥ୍ୟ ଅନୁଯାୟୀ ୟୁରୋପରେ କନ୍ୟାଭ୍ରୂଣ ହତ୍ୟା କରୁଥିବା ଦମ୍ପତିଙ୍କ ସଂଖ୍ୟା ପ୍ରତି ହଜାରରେ ୯୦ ଥିଲାବେଳେ ରୁଷରେ ୬୮ ଓ ଅଷ୍ଟ୍ରେଲିଆରେ ୨୨ କିନ୍ତୁ ଭାରତରେ ଏ ସଂଖ୍ୟା ଯଥେଷ୍ଟ ଅଧିକ। ପ୍ରତିବର୍ଷ ଭାରତରେ ୫୦ଲକ୍ଷରୁ ଊର୍ଦ୍ଧ୍ୱ କନ୍ୟାଭ୍ରୂଣ ହତ୍ୟା ହେଉଛି। କେବଳ ଗ୍ରାମାଞ୍ଚଳ ନୁହେଁ ଅଧିକ ପାଠୁଆ ଓ ବଡ଼ ପରିବାର କୁହାଯାଉଥିବା ସହରାଞ୍ଚଳରେ ଏ ସଂଖ୍ୟା ବେଶି। ୨୦୦୩ରୁ ଭାରତରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ଓ ତଜ୍ଜନିତ ବିଜ୍ଞାପନକୁ ବେଆଇନ ଘୋଷଣା କରିବା ସହ ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ଯେଉଁ ଚିକିତ୍ସକମାନେ ଲିଙ୍ଗ ନିରୂପଣ ଓ କନ୍ୟାଭ୍ରୂଣ ନଷ୍ଟରେ ସାହାଯ୍ୟ କରିଥାନ୍ତି ସେମାନଙ୍କୁ ଭାରତୀୟ ପିଙ୍ଗଳ କୋଡର ୩୧୨, ୩୧୩, ୩୧୬ ଓ ୩୧୮ ଧାରା ଅନୁଯାୟୀ ଦଣ୍ଡ ପ୍ରଦାନ କରାଯାଇଥାଏ। ଭ୍ରୂଣର ଲିଙ୍ଗ ନିରୂପଣ ପରୀକ୍ଷାକୁ ବନ୍ଦ କରିବା ପାଇଁ ସରକାରୀ ସ୍ତରରେ ରହିଥିବା ପ୍ରି-ନାଟାଲ ଡାଇଗ୍ନୋଷ୍ଟିକ ଟେକ୍‌ନିକ୍‌ ଆଇନ ଆଜିପର୍ଯ୍ୟନ୍ତ ଠିକ୍‌ଭାବେ କାର୍ଯ୍ୟ କରିପାରୁନାହିଁ। ଏ କ୍ଷେତ୍ରରେ ଜନ ଅସଚେତନତା ଦାୟୀ।
ଭାରତରେ ଅନ୍ଧବିଶ୍ୱାସ, ଆର୍ଥିକ ଦୁଃସ୍ଥିତି, କେତେକ ସାମାଜିକ ବିଡ଼ମ୍ବିତ ବିଧି ବ୍ୟବସ୍ଥା, ମହିଳାମାନଙ୍କ ପ୍ରତି ପ୍ରତିକୂଳ ଚିନ୍ତନ ପରି କାରଣ କନ୍ୟା ଭ୍ରୂଣହତ୍ୟାକୁ ପ୍ରୋତ୍ସାହିତ କରୁଛି। ସରକାରୀ ସ୍ତରରେ ସ୍ତ୍ରୀ ଓ ପ୍ରସୂତି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇ ବିଭିନ୍ନ ସଚେତନତାଧର୍ମୀ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଆଶାକର୍ମୀ ଓ ସ୍ବାସ୍ଥ୍ୟକର୍ମୀଙ୍କ ଦ୍ୱାରା ଅଗମ୍ୟ ଆଦିବାସୀ ଅଞ୍ଚଳ ଓ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ ପ୍ରଦାନ କରାଯାଉଛି। ତେବେ ମହିଳାମାନଙ୍କ ପ୍ରଗତି ବା ସୁରକ୍ଷା ଲାଗି ସରକାରୀ ଯୋଜନାକୁ ସେମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଆହୁରି ସଂଗ୍ରାମ ଲୋଡ଼ା। ଏ କ୍ଷେତ୍ରରେ ଦାୟିତ୍ୱ ସମସ୍ତଙ୍କର।
ସହକାରୀ ପ୍ରଫେସର, ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ, ମୋ- ୯୮୬୧୪୬୩୪୦୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri