ଅବସ୍ଥାର ବ୍ୟବସ୍ଥା ନାହିଁ

ଭାରତ ଅର୍ଥନୈତିକ ମାନ୍ଦାବସ୍ଥା ଦେଇ ଗତି କରୁଛି। କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ଧିମା ପଡ଼ିଯାଇଛିି। ନିଯୁକ୍ତି କମିଆସିଛି। ଲୋକଙ୍କ ହାତରେ କ୍ରୟ କରିବାର ଶକ୍ତି ହ୍ରାସ ପାଇଛି। ବିଭିନ୍ନ କ୍ଷେତ୍ରରେ ବିଦେଶୀ ପୁଞ୍ଜି ବିନିଯୋଗ ପରିମାଣ ଯଥେଷ୍ଟ କମିଯାଇଛି। ‘ବେଡ଼ି ଉପରେ କୋରଡ଼ା ମାଡ଼’ ସଦୃଶ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ବଢ଼ିବାରେ ଲାଗିିଛି। ଏଭଳି ଏକ ସ୍ଥିତି ଦେଇ ଭାରତୀୟ ଅର୍ଥନୀତି ଚାଲୁଥିବା ବେଳେ ଆଶା କରାଯାଉଥିଲା ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଉପସ୍ଥାପନ କରିଥିବା ବଜେଟ ଦେଶବାସୀଙ୍କୁ ଏକ ନୂଆ ଦିଗ୍‌ଦର୍ଶନ ଦେଇପାରିବ। କିନ୍ତୁ ସ୍ବାଧୀନ ଭାରତ ଇତିହାସରେ ଦିଆଯାଇଥିବା ସବୁଠାରୁ ଦୀର୍ଘତମ ବଜେଟ ଭାଷଣରେ କୌଣସି ନୂଆ ଚିନ୍ତାଧାରା ଦେଖିବାକୁ ମିଳିଲା ନାହିଁ। ତାହାର ପ୍ରାରମ୍ଭିକ ଆଭାସ ସେନ୍‌ସେକ୍ସ ଗୋଟିଏ ଦିନରେ ୯୮୮ ପଏଣ୍ଟ କମିବାରୁ ବୁଝାପଡ଼ିଯାଇଛି। କୁହାଯାଉଛି ବ୍ୟକ୍ତିଗତ ଆୟକର କ୍ଷେତ୍ରରେ ସରକାର ନୂଆ ପରୀକ୍ଷଣ କରିଛନ୍ତି। ଦେଖିବାକୁ ଗଲେ ଆୟକର ଦାଖଲ ପ୍ରକ୍ରିୟା ସରଳ ହୋଇଥିଲେ ହେଁ କରଦାତାଙ୍କୁ ବୁଝିବା ପାଇଁ ବିଶେଷଜ୍ଞଙ୍କ ସାହାରା ନେବାକୁ ପଡ଼ିବ। କାରଣ ସେମାନେ ପୁରୁଣା ପଦ୍ଧତି ଆପଣାଇବେ ନା ନୂଆ ପ୍ରଣାଳୀ ଦେଇ ରିଟର୍ନ ଫାଇଲ୍‌ କରିବେ ତାହା ଏବେ ଚିନ୍ତାର ବିଷୟ ହୋଇଛି। ଏହି ସମୟରେ ଉଭୟ ବ୍ୟବସ୍ଥା ଜୀବିତ ରହିଛି। ବ୍ୟକ୍ତିଗତ ଆୟ ସ୍ଲାବରେ ପରିବର୍ତ୍ତନ ଆଣି କରଦାତାଙ୍କୁ କମ୍‌ ଟିକସ ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ବିଭିନ୍ନ ପ୍ରକାର ରିହାତିକୁ ଉକ୍ତ ନୂଆ ଗଣନାରୁ ବାଦ୍‌ ଦିଆଯାଇଥିବାରୁ ଟିକସ ଢାଞ୍ଚା ଏକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ଭାରତରେ ସାଧାରଣତଃ ମଧ୍ୟବିତ୍ତ ବର୍ଗଙ୍କ ବାର୍ଷିକ ଆୟ ୧୫ ଲକ୍ଷ ଟଙ୍କାରୁ କମ୍‌। ସେଭଳି ବ୍ୟକ୍ତିଙ୍କ ସକାଶେ ନୂଆ ବ୍ୟବସ୍ଥାରେ କୌଣସି ରିହାତି ମିଳିନାହିଁ। ଅପରପକ୍ଷରେ ୧୫ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥିବା ବର୍ଗକୁ ନୂଆ ଢାଞ୍ଚାରେ ଯଥେଷ୍ଟ ସୁବିଧା ମିଳିପାରିବ। ଏଥିରୁ ବୁଝିବାକୁ ହେବ ଯେ ମଧ୍ୟବିତ୍ତ ନୁହେଁ, କେବଳ ଧନୀ ଓ ଅତି ଧନୀ ନାଗରିକଙ୍କୁ ୨୦୨୦-୨୧ ବଜେଟରେ ଲାଭ ମିଳିପାରିବ। କିନ୍ତୁ କୁହାଯାଉଛି ଯେ, ସବୁ ବ୍ୟକ୍ତିଗତ କରଦାତାଙ୍କୁ ବଜେଟରେ ସୁବିଧା ଦିଆଗଲା। ଗୋଟିଏ ଅସତ୍ୟକୁ ବାରମ୍ବାର କୁହାଗଲେ ତାହା ସତ୍ୟ ଭାବେ ଶୁଣାଯାଇପାରେ।
ବଜେଟରେ ରେଳପଥ ଓ ସ୍ବାସ୍ଥ୍ୟକୁ ଘରୋଇ କ୍ଷେତ୍ର ପାଇଁ ଅଧିକ ଖୋଲି ଦିଆଯାଇଛି। ସେହିପରି ଦେଶର ବୃହତ୍‌ ବୀମା ସଂସ୍ଥା ଏଲ୍‌ଆଇସିରୁ ଅଂଶଧନ ବିକ୍ରି କରିବା ଲାଗି ପ୍ରସ୍ତାବ ଦିଆଯାଇଛି। କରଦାତାଙ୍କ ଅର୍ଥରୁ ସୃଷ୍ଟ ଏଲ୍‌ଆଇସି ଓ କିଛି ଦିନ ପୂର୍ବରୁ ଏୟାର ଇଣ୍ଡିଆକୁ ବିକି ନିଜର ଆର୍ଥିକ ପରିସ୍ଥିତି ସମ୍ଭାଳିବା ପାଇଁ ସରକାର ଚେଷ୍ଟା କରୁଛନ୍ତି। ଝିଅ ବାହା ଦେବା ପୂର୍ବରୁ ବାପା ବାଧ୍ୟହୋଇ ଜମି ବିକିଥାଆନ୍ତି। ବଡ଼ ଆଡ଼ମ୍ବରରେ ବିବାହ କରେଇବା ସତ୍ତ୍ୱେ ବାପଘର ପରବର୍ତ୍ତୀ ସମୟରେ ଦରିଦ୍ର ହୋଇଯାଏ। ସେହିପରି ଦକ୍ଷତାର ସହିତ ଉପରଲିଖିତ ରାଷ୍ଟ୍ରାୟତ୍ତ ସମ୍ପତ୍ତିକୁ ବିକିଦେଲେ କ୍ଷଣକ ପାଇଁ ସରକାରଙ୍କ ହାତକୁ ଅର୍ଥ ଆସିବ। ମାତ୍ର ତାହା ଜାତୀୟ ଅର୍ଥନୀତିକୁ ସୁଦୃଢ଼ କରିବା ପରିବର୍ତ୍ତେ ଅଧିକ କ୍ଷତି ପହଞ୍ଚାଇବ। ଏଠାରେ ମନେପଡ଼େ କିଛି ମାସ ପୂର୍ବେ ଆର୍‌ବିଆଇଠାରୁ ୧,୭୬,୦୫୧ କୋଟି ଟଙ୍କା କେନ୍ଦ୍ର ସରକାର ନେଇ ଆସିଥିଲେ। ଆଜି ସେହି ବିପୁଳ ଅର୍ଥର ବିନିଯୋଗ କେଉଁଠି ହେଲା ତାହାର ହିସାବ ନାହିଁ। ତେଣୁ ଏଲ୍‌ଆଇସି ପୁଞ୍ଜି ପ୍ରତ୍ୟାହାରରୁ ମିଳିବାକୁ ଥିବା ଅର୍ଥ କେଉଁଆଡ଼େ ଯିବ ତାହା ଦେଶବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରିବା ଉଚିତ। ତେବେ ବ୍ୟାଙ୍କରେ ଜମା ହୋଇଥିବା ରାଶି ଲାଗି ବୀମା ପରିମାଣ ୧ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଯିବା ବଜେଟରେ ଏକମାତ୍ର ଆଶ୍ୱାସନା ପାଲଟିଛି। ବଥ ହେଲେ ଛାଇ ହୋଇଛି ବୋଲି କହିବା ଭଳି ବୁଡ଼ିଯାଉଥିବା ବ୍ୟାଙ୍କରୁ ଜମାକାରୀଙ୍କୁ ୧ ଲକ୍ଷ ପରିବର୍ତ୍ତେ ୫ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବା ଅନୁରୂପ କଥା ବୋଲି କହିହେବ।
ବଜେଟ ୨୦୨୦-୨୧ରେ ଥିବା ପ୍ରାୟ କୌଣସି ଉପାଦାନ ଅର୍ଥନୀତିକୁ ତ୍ୱରାନ୍ବିତ କଲାଭଳି ସଙ୍କେତ ଦେଇ ନାହିଁ। ଏଭଳିସ୍ଥଳେ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅମିତାଭ କାନ୍ତ କହିଛନ୍ତି ଯେ, ବଜେଟ ପରେ ପୁଞ୍ଜିବଜାର ନକାରାତ୍ମକ ସଙ୍କେତ ଦେବା ଆଶ୍ଚର୍ଯ୍ୟ ଲାଗୁଛି। ବଜେଟରେ କୌଣସି ଭୁଲ ନିଷ୍ପତ୍ତି ନିଆଯାଇ ନାହିଁ। ଅନ୍ୟପକ୍ଷରେ ସେ କହିଛନ୍ତି ଯେ, ସରକାର ଏକାକୀ ଅଭିବୃଦ୍ଧି ଆଣିପାରିବେ ନାହିଁ। ତଥାପି ଆଗାମୀ ଦିନରେ ଆହୁରି ଅଧିକ କଠୋର ପଦକ୍ଷେପ ନେବାକୁ ପଡ଼ିବ। ସରକାରୀ ବ୍ୟବସ୍ଥାରେ ଥିବା ଜଣେ ବରିଷ୍ଠ ପଦାଧିକାରୀଙ୍କ ଏଭଳି କଥାରୁ ସାଧାରଣ ଲୋକ ବୁଝିପାରୁଛନ୍ତି ଯେ, କ୍ଷମତାରେ ଥିବା ବ୍ୟକ୍ତିଙ୍କ ବାସ୍ତବ ପରିସ୍ଥିତି ସହ କୌଣସି ସମ୍ପର୍କ ନାହିଁ। ଗୋଟିଏ ପଟେ ସେ କହୁଛନ୍ତି, ଭାରତୀୟ ଅର୍ଥନୀତିରେ ସୁଧାର ଆଣିବା ଦାୟିତ୍ୱ ସମସ୍ତଙ୍କର। ଅନ୍ୟପଟେ ଅର୍ଥନୀତିକୁ ବ୍ୟବସ୍ଥିତ କରିବା ସକାଶେ ଆଗକୁ ଆହୁରି କଠୋର ନିଷ୍ପତ୍ତି ନିଆଯିବ ବୋଲି ସେ ଆଶାବାଦୀ। ଯେତେବେଳେ ଅର୍ଥନୀତି ଆଇସିୟୁକୁ ଗଲା ସ୍ଥିତିରେ ଉପନୀତ ସେତେବେଳେ ସୁଧାର ଆଣିବା ସକାଶେ ଆଉ କିଭଳି ବିଷମ ସମୟକୁ ଅପେକ୍ଷା ରହିଛି ସମସ୍ତଙ୍କ ପାଇଁ ଏହା ଅନୁମେୟ।
୨୦୨୦-୨୧ ବଜେଟରେ ସୀତାରାମନ ବହୁ ଚତୁରତା ପ୍ରଦର୍ଶନ କରି ଏହାକୁ ଏକ ଆଳଙ୍କାରିକ ନଥିରେ ପରିଣତ କରିଦେଇଛନ୍ତି। ବଜେଟର ଫୋକସକୁ ତିନିଟି ବିନ୍ଦୁ ଯଥା ଆକାଂକ୍ଷୀ ଭାରତ, ଅର୍ଥନୈତିକ ବିକାଶ ଓ ପ୍ରଯତ୍ନଶୀଳ ସମାଜ ଉପରେ କେନ୍ଦ୍ରିତ କରିଛନ୍ତି। ଏସବୁ ଶବ୍ଦ ଶୁଣିବାକୁ ଭଲ ଲାଗୁଥିଲେ ମଧ୍ୟ କାର୍ଯ୍ୟକାରିତା ଘର ଶୂନ। କଥା ପଛରେ ଟଙ୍କା ନାହିଁ। କାବି୍ୟକ ବ୍ୟାଖ୍ୟା ଓ ଦେଶହିତୈଷୀ ଅନୁରାଗ ରଖିଲା ଭଳି ଶବ୍ଦ ପ୍ରୟୋଗ କରାଗଲେ ତାହା ଅର୍ଥନୀତିକୁ ସୁଧାରିପାରିବ ନାହିଁ। ଅର୍ଥନୀତି ବାସ୍ତବତା ଉପରେ ନିର୍ଭର କରେ। ଦେଶର ଅସଂଖ୍ୟ ଯୁବତୀଯୁବକ ବେକାର ହୋଇ ବୁଲୁଥିବା ବେଳେ ଯୁବତୀଙ୍କ ବିବାହ ବୟସ ସ୍ଥିର କରିବା ଲାଗି ଟାସ୍କଫୋର୍ସ ଗଠନ ସକାଶେ ବଜେଟରେ ସୁପାରିସ କରାଯାଉଛି। ଏଭଳି ଅବାଞ୍ଛିତ ଚିନ୍ତା କଦାପି ଏକ ସୁସ୍ଥ ଅର୍ଥନୈତିକ ବ୍ୟବସ୍ଥା ସୃଷ୍ଟି କରିପାରି ନ ଥାଏ। ବଜେଟରେ ବାରମ୍ବାର ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ’ କଥା କୁହାଯାଉଥିବା ଶୁଣିବାକୁ ମିଳିଥିଲା। ବାସ୍ତବ ଦୃଷ୍ଟିକୋଣରୁ ଦେଖିଲେ ଅର୍ଥନୈତିକ ମାନ୍ଦାବସ୍ଥା ସୁଧାରିବା ଲାଗି ନିଷ୍ପତ୍ତିମୂଳକ କାର୍ଯ୍ୟାନ୍ବୟନ ଯୋଜନାର ଆବଶ୍ୟକତା ଥିଲା। ଏହି ଜଟିଳ ଅବସ୍ଥାକୁ ମୁକାବିଲା କରିବା ପାଇଁ ବଜେଟ ୨୦୨୦-୨୧ରେ କୌଣସି ବ୍ୟବସ୍ଥା ନାହିଁ। ହୁଏତ ଆଗାମୀ ଦିନଗୁଡ଼ିକରେ ଅନେକ ବିନ୍ଦୁ ଉପରେ ପୁନର୍ବିଚାର କରାଯାଇ ସେଥିରୁ କେତେକ ଫେରସ୍ତ ନିଆଯାଇପାରେ କିମ୍ବା ବଞ୍ଚିଥିଲେ ମଧ୍ୟ ମଲାପରି ପଡ଼ି ରହିବ। ବିଗତବର୍ଷ ତା’ର ସଙ୍କେତ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri