ଅବପାତରେ ପରିଣତ ହେଲା ଲଘୁଚାପ: ୧୧ଟି ଜିଲାରେ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୭।୮: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବର୍ତ୍ତମାନ ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଯୋଗୁ ଦକ୍ଷିଣ ଆଭ୍ୟନ୍ତରୀଣ ଓ ୧୧ଟି ଜିଲାରେ ପ୍ରବଳ ବର୍ଷା ହେବା ସହ ରେଡ୍‌ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ ଓ ସୋନପୁରରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଏଥିସହ ଅନ୍ୟ ୧୦ଟି ଜିଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, ବରଗଡ଼, ସମ୍ବଲପୁର ଓ କଟକ, ଢେଙ୍କାନାଳ, ଅନୁଗୋଳ, ଯାଜପୁର ଓ କେନ୍ଦ୍ରାପଡ଼ାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି।