ଅନ୍‌ଲାଇନ୍‌ ଠକେଇ: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ଆକାଉଣ୍ଟରୁ ୧୫ ହଜାର ଗାଏବ

କଟକ ଅଫିସ,୧୬।୨: ଅନ୍‌ଲାଇନ ଠକେଇର ଶିକାର ହୋଇଛନ୍ତି ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଆଇଏସ୍‌ଟି ବିଭାଗ ସ୍ନାତକ ତୃତୀୟ ବର୍ଷର ଛାତ୍ର କୈଳାସ ବେହେରା। ତାଙ୍କ ଆକାଉଣ୍ଟରୁ କେହି ଦୁର୍ବୃତ୍ତ ୧୫ ହଜାର ଟଙ୍କା ଠକି ନେଇଥିବା ଜଣାପଡିଛି। ମିଳିଥିବା ସୂଚନାନୁଯାୟୀ, କୈଳାସଙ୍କ ବାପା ଗାଡ଼ି ଭଡାରେ ପଠାନ୍ତି। ସେ ମଧ୍ୟ ବାପାଙ୍କୁ ବ୍ୟବସାୟରେ ସହଯୋଗ କରନ୍ତି। ୩ ଦିନ ପୂର୍ବେ ତାଙ୍କ ପାଖକୁ ଗୋଟିଏ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ଜଣକ କଟକରୁ କିଛି ଜିନିଷ ଟ୍ରକ୍‌ରେ ପୁଣେ ପଠାଯିବ ବୋଲି କହିଥିଲେ। କୈଳାସଙ୍କ ସହ ପରିବହନ ଭଡା ବାବଦରେ କଥା ହୋଇଥିଲେ। ଭଡା ଦର ସ୍ଥିର ହୋଇଥିବାବେଳେ କିଛି ଟଙ୍କା ଆଗୁଆ ପଠାଇବାକୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ କୈଳାସ କହିଥିଲେ। ବ୍ୟକ୍ତି ଜଣକ ନିଜକୁ ଆର୍ମି ଅଫିସର ବୋଲି ପରିଚୟ ଦେଇଥିଲେ। ସେ ଅନ୍‌ଲାଇନ୍‌ରେ ଭଡ଼ା ଟଙ୍କା ଦେବାକୁ ଚାହୁଁଛନ୍ତି। କିନ୍ତୁ ତାଙ୍କ ଆକାଉଣ୍ଟରୁ ଟଙ୍କା ଅନ୍‌ଲାଇନ୍‌ରେ ଟ୍ରାନ୍ସଫର୍‌ ହେବାକୁ ହେଲେ ଟଙ୍କା ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ଆକାଉଣ୍ଟରେ ବାଲାନ୍ସ ସର୍ବନିମ୍ନ ୧୫ ହଜାର ଟଙ୍କା ରହିବା ଆବଶ୍ୟକ। ଏଣୁ କୈଳାସ ନିଜ ଆକାଉଣ୍ଟରେ ୧୫ ହଜାର ଟଙ୍କା ଜମା କରିଥିଲେ। ଏହାପରେ ତାଙ୍କୁ ଭଡ଼ା ଟଙ୍କା ଗୁଗୁଲ୍‌ ପେ’ ଆପ୍‌ରୁ ପଠାଇବାକୁ କହିଥିଲେ। କିଛି ସମୟ ପରେ କୈଳାସଙ୍କ ଫୋନ୍‌କୁ ଏକ କ୍ୟୁ-ଆର୍‌ କୋଡ୍‌ ଆସିଥିଲା। ସେ କୋଡ୍‌କୁ ସ୍କାନ୍‌ କରିବା ପରେ ତାଙ୍କ ଆକାଉଣ୍ଟରୁ ୧୫ ହଜାର ଟଙ୍କା ଗାଏବ ହୋଇଯାଇଥିଲା। ପରେ ଉକ୍ତ ବ୍ୟକ୍ତିଙ୍କୁ କୈଳାସ ବାରମ୍ବାର ଫୋନ୍‌ କରିଥିଲେ ମଧ୍ୟ ସେ ଉଠାଇ ନ ଥିଲେ। ତେବେ ଏ ନେଇ ପୋଲିସରେ ଅଭିଯୋଗ କଲେ ମଧ୍ୟ ଟଙ୍କା ଫେରିବାର ଆଶା ନ ଥିବାରୁ ସେ ଅଭିଯୋଗ କରି ନ ଥିବା କହିଛନ୍ତି।