Categories: ଖେଳ

ଅନ୍ୟ ରାଜ୍ୟରୁ ଖେଳିବେ ଦିଣ୍ଡା

କୋଲକାତା, ୨୨ା୬ (ପି.ଟି.): ଭେଟେରାନ ପେସ୍‌ ବୋଲର ଅଶୋକ ଦିଣ୍ଡା କହିଛନ୍ତି, ସେ ରାଜନୀତିର ଶିକାର ହୋଇଛନ୍ତି। ଏହି କାରଣରୁ ଗତବର୍ଷ ରଣଜୀ ଟ୍ରଫିର ମଧ୍ୟଭାଗରେ ଶୃଙ୍ଖଳାଗତ କାରଣରୁ ବେଙ୍ଗଲ ଦଳରୁ ସେ ବାଦ୍‌ ପଡ଼ିଥିଲେ। ଆସନ୍ତା ସିଜନରେ କିନ୍ତୁ ସେ ଏକ ନୂଆ ଟିମ୍‌ରେ ଯୋଗଦାନ ସହ ସଫଳ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟ ରଖିଛନ୍ତି। ଉତ୍ପଳ ଚାଟାର୍ଜୀଙ୍କ ପରେ ଦିଣ୍ଡା ହେଉଛନ୍ତି ବେଙ୍ଗଲର ଦ୍ୱିତୀୟ ସର୍ବାଧିକ ଉଇକେଟ ହାସଲକାରୀ ବୋଲର। ବୋଲିଂ କୋଚ୍‌ ରଣଦେବ ବୋଷଙ୍କ ସହିତ ବଚସା ଯୋଗୁ ସେ ବିବାଦୀୟ ହୋଇପଡ଼ିଥିଲେ। ତାଙ୍କୁ ଦଳର ବିଦା ହେବାକୁ ପଡ଼ିଥିଲା। ବେଙ୍ଗଲ ଗତବର୍ଷ ୧୩ ବର୍ଷରେ ପ୍ରଥମ ଥର ରଣଜୀ ଟ୍ରଫିରେ ରନର୍ସଅପ୍‌ ହୋଇଥିଲା। ଦିଣ୍ଡା ଏକ ସାକ୍ଷାତ୍‌କାର ବେଳେ କହିଛନ୍ତି, ସେ ଇତିମଧ୍ୟରେ କେତୋଟି ଦଳ ସହିତ କଥାବାର୍ତ୍ତା କରି ସାରିଛନ୍ତି। ସେ ଖୁବ୍‌ଶୀଘ୍ର ବେଙ୍ଗଲ କ୍ରିକେଟ ଆସୋସିଏଶନ (ସିଏବି)ଠାରୁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ (ଏନ୍‌ଓସି) ପାଇଁ ଆବେଦନ କରିବେ। ଦିଣ୍ଡା ୧୧୬ଟି ପ୍ରଥମଶ୍ରେଣୀ କ୍ରିକେଟ ଖେଳି ସେଥିରେ ୪୨୦ ଉଇକେଟ ଅକ୍ତିଆର କରିଛନ୍ତି। ସେ କହିଛନ୍ତି ଆଜିକାଲି ସବୁଠାରେ ପକ୍ଷପାତିତା ଓ ରାଜନୀତି ଚାଲିଛି। ନିକଟରେ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏହାର ଶିକାର ହୋଇ ପରଲୋକଗମନ କରିଛନ୍ତି। ହେଲେ ମୁଁ ମାନସିକ ସ୍ତରରେ ସୁଦୃଢ। ମୋ ମନୋବଳକୁ କେହି ଭାଙ୍ଗି ପାରିବେ ନାହିଁ। ଅନ୍ୟ କେତେକ ରାଜ୍ୟରୁ ଖେଳିବା ଲାଗି ମୋତେ ଅଫର ଆସିଛି। ସେମାନଙ୍କ ସହିତ ମୁଁ ଆଲୋଚନା ମଧ୍ୟ କରିଛି। ହେଲେ ଆସନ୍ତା ସିଜନରେ ମୁଁ କେଉଁ ରାଜ୍ୟରୁ ପ୍ରତିନିଧିତ୍ୱ କରିବି ତାହା ଚୂଡ଼ାନ୍ତ କରି ନାହିଁ ବୋଲି ଭାରତ ତରଫରୁ ୧୩ ଅନ୍ତର୍ଜାତୀୟ ଦିନିକିଆ ଓ ୯ ଅନ୍ତର୍ଜାତୀୟ ଟି୨୦ ଖେଳିଥିବା ଦିଣ୍ଡା କହିଛନ୍ତି। ୯୧ଟି ମ୍ୟାଚରେ ୩୧୭ ପ୍ରଥମଶ୍ରେଣୀ ଉଇକେଟ ଅକ୍ତିଆର କରିଥିବା କୋଚ୍‌ ବୋଷ୍‌ଙ୍କୁ ଦିଣ୍ଡା ସର୍ବସାଧାରଣରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏହି ଆଚରଣ ପାଇଁ ଦିଣ୍ଡା କ୍ଷମାପ୍ରାର୍ଥନା ପାଇଁ ମନା କରିଦେଇଥିଲେ ବରଂ ବୋଷ୍‌ ଟିମ୍‌ରେ ବିଭାଜନ ସୃଷ୍ଟିି କରିବାକୁ ଚେଷ୍ଟା କରୁଛନ୍ତି ବୋଲି ପାଲଟା ଅଭିଯୋଗ କରିଥିଲେ।

Share