Categories: ଖେଳ

ଅଧିନାୟକଭାବେ କୋହଲିଙ୍କ ଦ୍ରୁତ ୧୦,୦୦୦ ରନ

ପୋର୍ଟ-ଅଫ୍‌-ସ୍ପେନ, ୧୭।୮-
ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ବର୍ଷା ବାଧାପ୍ରାପ୍ତ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ଡକ୍‌ଓ୍ବର୍ଥ ଲିଓ୍ବିସ ନିୟମରେ ୬ ଉଇକେଟରେ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ୩୫ ଓଭରରେ ୭ ଉଇକେଟ ହରାଇ ୨୪୦ ରନ କରିଥିବାବେଳେ ଡକ୍‌ଓ୍ବର୍ଥ ଲିଓ୍ବିସ ନିୟମରେ ଭାରତ ସମ୍ମୁଖରେ ୨୫୫ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଭାରତ ୩୨.୩ ଓଭରରେ ୪ ଉଇକେଟ ହରାଇ ୨୫୬ କରିବା ସହ ସିରିଜ ବିଜୟୀ ହୋଇଥିଲା। କ୍ୟାରିୟରର ୪୩ତମ ଦିନିକିଆ ଶତକ ହାସଲ କରିଥିବା କୋହଲି ୯୯ ବଲ୍‌ରୁ ୧୪ ଚୌକା ସହାୟତାରେ ୧୧୪ ରନରେ ଅପରାଜିତ ରହି ଭାରତ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତେଣୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପ୍ରଦାନ କରାଯାଇଥିଲା। ମିଡଲ ଅର୍ଡରରେ ଶ୍ରେୟାସ ଆୟାର ୪୧ ବଲ୍‌ରୁ ୬୫(୩ ଚୌକା, ୫ ଛକା) ରନ ସଂଗ୍ରହ କରି କୋହଲିଙ୍କୁ ଉପଯୁକ୍ତ ସହଯୋଗ କରିଥିଲେ। ପ୍ରଥମ ଦିନିକିଆ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିବାବେଳେ ଦ୍ୱିତୀୟ ଓ ତୃତୀୟ ଦିନିକିଆ ସହ ଭାରତ ସିରିଜକୁ ୨-୦ରେ ଜିତିଥିଲା। ନିଜ ଶତକୀୟ ଇନିଂସ ଅବସରରେ କୋହଲି ଅଧିନାୟକଭାବେ ଦ୍ରୁତ ୧୦,୦୦୦ ରନ ସ୍କୋର କରିଥିଲେ। ସେ ୧୭୬ ଇନିଂସରେ ଏହି ମାଇଲଖୁଣ୍ଟ ସ୍ପର୍ଶ କରି ଅଷ୍ଟ୍ରେଲିଆର ରିକି ପଣ୍ଟିଂ(୨୨୫ ଇନିଂସ)ଙ୍କ ନାମରେ ଥିବା ରେକର୍ଡକୁ ଭାଙ୍ଗିଥିଲେ। ବିରାଟ (୪୩ ଶତକ) ଏବେ ମାଷ୍ଟର ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ବିଶ୍ୱରେକର୍ଡଠାରୁ ୬ ଶତକ ଦୂରରେ ରହିଛନ୍ତି। କେବଳ ସେତିକି ନୁହେଁ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ଦଶନ୍ଧିରେ ୨୦,୦୦୦ ରନ ପୂରଣ କରିବାରେ ପ୍ରଥମ ଖେଳାଳି ହୋଇଛନ୍ତି। ୨୦୧୦ରୁ ଏପର୍ଯ୍ୟନ୍ତ ସେ କ୍ରିକେଟର ତିନୋଟି ଫର୍ମାଟରେ ୨୦,୦୧୮ ରନ ସ୍କୋର କରିଛନ୍ତି। ଓଭରଅଲ ସେ ୨୦,୫୦୨ ରନ ସ୍କୋର କରିଛନ୍ତି। କୋହଲି ୨୦୧୦ରେ ଟି୨୦ ଓ ଟେଷ୍ଟ ପଦାର୍ପଣ କରିଥିଲେ। ୨୦୦୮ରେ ସେ ଏକଦିବସୀୟ କ୍ରିକେଟରେ ପଦାର୍ପଣ କରିଥିବାବେଳେ ଚଳିତ ଦଶନ୍ଧି ପୂର୍ବରୁ ସେ ଏହି ଫର୍ମାଟରେ ୪୮୪ ରନ ସ୍କୋର କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ଦଶନ୍ଧୀରେ ସର୍ବାଧିକ ରନ କରିବା ରେକର୍ଡ ପୂର୍ବରୁ ରିକି ପଣ୍ଟିଂଙ୍କ ନାମରେ ରହିଥିଲା। ସେ ୧୮,୯୬୨ ରନ ସ୍କୋର କରିଥିଲେ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜ୍ୟାକ୍ସ କାଲିସ ୧୬,୭୭୭ ରନ ସଂଗ୍ରହ ସହ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
ଅନ୍ତର୍ଜାତୀୟ କ୍ରିକେଟରେ ବିଦେଶ ମାଟିରେ ୩୮ଟି ଶତକ ହାସଲ କରି କୋହଲି ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଚତ୍ଛନ୍ତି। ଏହି ତାଲିକାରେ ସଚିନ ୫୮ ଶତକ ସହ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ କୋହଲି ଏକଦିବସୀୟ କ୍ରିକେଟରେ ୯ଟି ଶତକ ହାସଲ କରିଛନ୍ତି। ଏଥିସହ ସେ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି। ସଚିନ ଅଷ୍ଟ୍ରେଲିଆ ବିପକ୍ଷରେ ଏକଦିବସୀୟରେ ୯ଟି ଶତକ ହାସଲ କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ କୋହଲି ଦିନିକିଆରେ ୧୯ ଥର ୫୦ରୁ ଊର୍ଦ୍ଧ୍ୱ ରନ ସ୍କୋର କରିଛନ୍ତି। ପୂର୍ବରୁ ସେ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଏହି ରେକର୍ଡ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ୩୨ ବର୍ଷୀୟ କୋହଲି ୬୮ ଶତକ ହାସଲ କରି ସାରିଛନ୍ତି। ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ରେକର୍ଡଠାରୁ ସେ ଆଉ ୩୨ ଶତକ ଦୂରରେ ରହିଛନ୍ତି।

Share