ଅଜଗରର ସ୍ନେହ

ଡ. ପଦାରବିନ୍ଦ ରଥ
ଥରେ ଜଣେ ଆମେରିକୀୟ ପଶୁପ୍ରେମୀ ମହିଳା ଗୋଟିଏ ଶିଶୁ ଅଜଗରକୁ ପାଳିବାର ନିଷ୍ପତ୍ତି ନେଲେ। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ଥିରୀକୃତ ନିୟମ ଅନୁଯାୟୀ ସମସ୍ତ ଔପଚାରିକତା ପରେ ଅଜଗର ଛୁଆଟିକୁ ଘରକୁ ଆଣି ଆସିଲେ। ପଶୁ ହେଉ ବା ମଣିଷ, ଶିଶୁମାନଙ୍କ ଭିତରେ ଏକ ଅଦ୍ଭୁତ ଆକର୍ଷଣ ରହିଥାଏ। ତାଙ୍କର ଶିଶୁସୁଲଭ କାର୍ଯ୍ୟକଳାପ ଦେଖି ସାଧାରଣ ଲୋକେ ବି ବିମୋହିତ ହୁଅନ୍ତି। ମହିଳା ତ ସହଜେ ପଶୁପ୍ରେମୀ ଥିଲେ। ତେଣୁ ତାଙ୍କର ଶିଶୁ ଅଜଗରଟିର ଦିନଚର୍ଯ୍ୟାସବୁ ଦେଖି ବିହ୍ବଳିତ ହେବା କିଛି ନୂଆ ନ ଥିଲା। ତାଙ୍କର ଦିନର ଅଧିକାଂଶ ସମୟ ଅଜଗରଟି ସହିତ ବିତୁଥିଲା। ଅଜଗରଟି ମହିଳାଙ୍କୁ ଏତେ ଭଲ ପାଉଥିଲା ଯେ ପାଖଛାଡି ବେଶି ଦୂରକୁ ଯାଉ ନ ଥିଲା। ମହିଳା ଜଣକ କୁହନ୍ତି, ନିଃସର୍ତ୍ତ ସ୍ବାର୍ଥବିହୀନ ସ୍ନେହ ମଣିଷ କେବଳ ପଶୁମାନଙ୍କଠାରୁ ହିଁ ପାଇପାରିବ। ଅଜଗରଟି ଯେତିକି ବଡ ହେଉଥିଲା ମହିଳା ଜଣକ ସେତିକି ତା’ ପ୍ରତି ସ୍ନେହର ବନ୍ଧନରେ ବାନ୍ଧି ହୋଇ ଯାଉଥିଲେ।
ଅଜଗରଟି ଧୀରେ ଧୀରେ ବଡ ହେବାକୁ ଲାଗିଲା। ମହିଳା ଜଣକ ତାକୁ ଆଉ ପୂର୍ବପରି ହାତରେ ଧରି ଗୋଟେ ଜାଗାରୁ ଅନ୍ୟ ଜାଗାକୁ ନେଇପାରୁ ନ ଥିଲେ। ହାତରେ ଉଠାଇ ପ୍ରଥମେ କାନ୍ଧରେ ରଖୁଥିଲେ, ତା’ପରେ ଯାଇ ଯୁଆଡେ ଯାଉଥିଲେ। ବେଳେବେଳେ ଅଧିକ ବାଟ ଚାଲିବାକୁ ହେଲେ କାନ୍ଧ କାଟୁଥିଲା, ଥକି ଯାଉଥିଲେ। ହେଲେ ଅଜଗରର ସ୍ନେହରେ ସେ ଏତେ ବାନ୍ଧିହୋଇ ପଡିଥିଲେ ଯେ, ସେ ତାକୁ ଛାଡି କୁଆଡେ ଯାଇ ବି ପାରୁ ନ ଥିଲେ। ଏମିତି କି, ତା’ ବିନା ସେ ନିଜ ଭବିଷ୍ୟତ ଜୀବନ କଳ୍ପନା ବି କରିପାରୁ ନ ଥିଲେ। କିଛିଦିନ ପରେ ମହିଳା ଜଣକ ଲକ୍ଷ୍ୟ କଲେ, ଅଜଗରଟି ଆଉ ଆଗଭଳି ଖାଉନାହିଁ। ଦେହ ଖରାପ ଥିବ ବୋଲି ଭାବି ଡାକ୍ତରଙ୍କ ପାଖକୁ ନେଇ ଦେଖାଇଲେ। ଡାକ୍ତର ପରୀକ୍ଷା ନିରୀକ୍ଷା କରି କହିଲେ ସବୁ ଠିକ ଥିଲାଭଳି ଲାଗୁଛି। ଖାଦ୍ୟ କମିବାର କାରଣ ବୁଝି ହେଉନି। ତେବେ ଆଉ ଦିନେ ଦୁଇଦିନ ଅପେକ୍ଷା କରାଯାଉ। ହୁଏତ ଆଉ କିଛି ସଂକେତ ମିଳିବ। ଆଉ ଦୁଇଦିନ ପରେ ମହିଳା ଜଣକ ପୁଣି ଥରେ ଡାକ୍ତରଙ୍କ ପାଖକୁ ଅଜଗରଟିକୁ ନେଇକରି ଗଲେ। ଏଥର ବି ସବୁ ପରୀକ୍ଷାର ରିପୋର୍ଟ ଠିକ୍‌ ବାହାରିଲା। ଏଣେ ଅଜଗରଟିର ଖାଦ୍ୟ କମିବାରେ ଲାଗିଛି। ଡାକ୍ତର ପଚାରିଲେ, ଏଇ କିଛିଦିନ ଭିତରେ ତା’ର କିଛି ନୂଆ ଗତିବିଧି ଲକ୍ଷ୍ୟ କରିଛନ୍ତି କି? ମହିଳା ଜଣକ କହିଲେ, ହଁ, ସେ ମୋତେ ଆଗଠୁ ଆହୁରି ଅଧିକ ଭଲ ପାଇଲା ଭଳି ଲାଗୁଛି। ମଝିରେ ମଝିରେ ମୋ ପାଖକୁ ଆସି ଦେହଠୁ ମୁଣ୍ଡ ପର୍ଯ୍ୟନ୍ତ ଖାଲି ଗୁଡେଇ ହେଉଛି। ଡାକ୍ତର ଜଣକ ତଟସ୍ଥ ହୋଇ ମହିଳା ଜଣକୁ ଚାହିଁ ରହିଲେ। କହିଲେ ଏତେ ବଡ କଥା ଆପଣ ମୋତେ ଏତେ ବେଳ ଯାଏ କହି ନ ଥିଲେ କେମିତି? ଆପଣ ଭାବୁଛନ୍ତି ସେ ସ୍ନେହରେ ଆପଣଙ୍କ ଦେହରେ ଗୁଡେଇ ହେଉଛି। ହେଲେ ବାସ୍ତବରେ ସେ ଆଉ ଆପଣଙ୍କୁ ଭଲ ପାଉନି। ସେ ଆପଣଙ୍କ ଦେହରେ ଗୁଡେଇ ହୋଇ ଆପଣଙ୍କ ଦେହର ମାପ ନେଉଛି ଏବଂ ଭୋକରେ ରହି ଆପଣଙ୍କୁ ସହଜରେ ଗିଳିପାରିବାର ଯୋଜନା କରୁଛି। ଏବେ ବି ଡେରି ହୋଇନାହିଁ। ତାକୁ ନେଇ ଅଭୟାରଣ୍ୟରେ ଛାଡି ଦିଅନ୍ତୁ। ମହିଳା ଜଣକ ଡାକ୍ତରଙ୍କ କଥାକୁ ବିଶ୍ୱାସ କରିପାରୁ ନ ଥିଲେ, ସେ ଯାହାକୁ ନିଃସର୍ତ୍ତ ସ୍ବାର୍ଥବିହୀନ ସ୍ନେହ ବୋଲି ଭାବୁଥିଲେ ତା’ ପଛରେ ଯେ ଏତେବଡ ସ୍ବାର୍ଥ, ଏତେବଡ ଷଡ଼ଯନ୍ତ୍ର ଲୁଚି ରହିଛି ଏକଥାକୁ ସେ ଗ୍ରହଣ କରିପାରୁ ନ ଥିଲେ।
ତା’ପରେ ମହିଳା ଜଣକ କି ନିଷ୍ପତ୍ତି ନେଲେ ସେ ବିଷୟରେ ଲେଖକ ଅଜ୍ଞ। ହେଲେ ଘଟଣାଟିର ଗୋଟିଏ ବଳିଷ୍ଠ ସମ୍ପର୍କ ରହିଛି ଆମର ବର୍ତ୍ତମାନର ଦୈନନ୍ଦିନ ଜୀବନ ସହିତ। ଆମେ ସମସ୍ତେ ସେମିତି ଗୋଟିଏ ଗୋଟିଏ ଛୁଆ ଅଜଗରକୁ ପାଳି ଆସୁଛେ ଯିଏ ଆମକୁ ଆଜି ଗିଳିବାକୁ ବସିଛି। ଆଉ ଆମେ ଭାବୁଛେ ସେ ଆମକୁ ବହୁତ ସ୍ନେହ କରୁଛି ବୋଲି। ତାକୁ ଆମେ ସବୁବେଳେ ହାତରେ ଧରି ବୁଲୁଛେ। ଶାରୀରିକ ଭାବରେ ହାତରେ ଧରିଥିଲେ ବି ସବୁବେଳେ ଆମ ମୁଣ୍ଡଉପରେ ବସି ଆମେ ଯୁଆଡେ ଯାଉଛୁ ସେ ବି ଯାଉଛି। ମହିଳା ଜଣକ ଭଳି ଅଧିକ ସମୟ ତା’ ସାଙ୍ଗରେ ରହିଲେ ଆମ ମୁଣ୍ଡ ଭାରି ଲାଗୁଛି, ବିନ୍ଧୁଛି, ଆମେ ଚିଡଚିଡା ହେଉଛେ। ତଥାପି ଆମେ ତା’ ସ୍ନେହର ବନ୍ଧନରେ ଏମିତି ବାନ୍ଧି ହୋଇ ପଡିଛେ ଯେ ତା’ ବିନା ଆମେ ଆମ ଜୀବନର ପରିକଳ୍ପନା ବି କରି ପାରୁନେ। ହଁ, ସେ ହେଉଛି ଆମ ହାତରେ, ପକେଟରେ ବା ବ୍ୟାଗରେ ଥିବା ମୋବାଇଲ ଫୋନ୍‌। ବେଳେବେଳେ ମନରେ ପ୍ରଶ୍ନ ଉଠେ, ଆମେ ମୋବାଇଲ ବ୍ୟବହାର କରୁଛେ କି ମୋବାଇଲ ଆମକୁ ବ୍ୟବହାର କରୁଛି?
ଦିନ ଥିଲା ଯେତେବେଳେ ଆମେ ମୋବାଇଲକୁ ବ୍ୟବହାର କରି ଜ୍ଞାତି ପରିଜନଙ୍କ ସହିତ କଥା ହେଉଥିଲେ। ଗୋଟିଏ ମିନିଟ କଥା ହେବାପାଇଁ କୋଡିଏ ଟଙ୍କା ଲାଗୁଥିଲେ ମଧ୍ୟ ପ୍ରତି ସପ୍ତାହରେ ଅନ୍ତତଃ ଥରେ ମା-ବାପାଙ୍କ ସହିତ କଥା ହେଉଥିଲେ। ଆଜି କଥାବାର୍ତ୍ତା ହେବାପାଇଁ ପଇସା ପଡୁନି ହେଲେ ଆମ ପାଖରେ ସେଇ ଗୋଟେ ମିନିଟ ସମୟ ବି ନାହିଁ ନିଜ ଲୋକମାନଙ୍କ ସହିତ କଥା ପଦେ ହେବାପାଇଁ। ସମୟ ଥିଲାବେଳେ ବି ଆମେ ବ୍ୟସ୍ତ ରହୁଛେ ଆମେ ପାଳିଥିବା ସେଇ ଛୋଟ ଅଜଗର ଛୁଆଟି ସହିତ। ରାସ୍ତାରେ ଚାଲିଗଲା ବେଳକୁ କାହା ସହିତ ପିଟି ହୋଇଗଲେଣି ତ କେଉଁଠି ପଥର ଅଛି ଦେଖି ନ ପାରି ଝୁଣ୍ଟି ପଡିଲେଣି। ପୁଣି କେଉଁଠି ପାହାଚ ସରିଗଲାଣି ଜାଣି ନ ପାରି ତଳେ ପଡିଗଲେଣି ତ ଆଉ କେବେ ଗାଡି ଚଳାଉ ଚଳାଉ ନିଜ ଘର ଟପି ଅନେକ ଆଗକୁ ଚାଲି ଗଲେଣି। ଏପରି କି ଅନେକ ଥର ଖବରକାଗଜରେ ପଢିଲେଣି ମୋବାଇଲରେ କଥା ହୋଇ ଗାଡ଼ି ଚଳାଇବା ବା ରାସ୍ତା ପାରି ହେବା ଯୋଗୁ ଦୁର୍ଘଟଣାରେ କେତେ ଲୋକଙ୍କ ଜୀବନ ଗଲାଣି। ତଥାପି ଆମେ ଭାବୁ ମୋବାଇଲରୂପୀ ଅଜଗର ଛୁଆଟି, ଯିଏ ଆମକୁ ଏତେ ଭଲପାଏ, କେମିତି ତାକୁ ଆମେ ଅନାଥ କରିଦେବୁ?
ଫେସ୍‌ବୁକ୍‌ ବା ହ୍ବାଟ୍‌ସ୍‌ଆପ୍‌ରେ ଖାଲିଗୋଟେ ନୀତିବାଣୀ ଶେୟାର କରିଦେଇ ଆମେ ଆମତ୍ସନ୍ତୋଷ ଲାଭକରିବା ଅପେକ୍ଷା କେଉଁ ଗୋଟିଏ ନୀତିବାଣୀ ଉପରେ ନିଜେ କାମକରି ସମାଜ ଆଗରେ ଦୃଷ୍ଟାନ୍ତ ହେବା ଅଧିକ ଭଲ। ନିଜର ସମୟକୁ ଅଧିକରୁ ଅଧିକ ରଚନାମତ୍କ କାର୍ଯ୍ୟରେ ବ୍ୟସ୍ତ ରଖିପାରିଲେ ଅଜଗର ତା’ ସ୍ନେହର ମୁଖାପିନ୍ଧି ଆମଦେହର ମାପ ନେଇପାରିବନି କି ଆମକୁ ଗିଳିପକାଇବାର ଯୋଜନା କରିପାରିବନି।
ଉପନିର୍ଦ୍ଦେଶକ, ଭାରତର ମହାରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ, ନୂଆଦିଲ୍ଲୀ, ମୋ – ୮୮୦୦୬୩୬୫୭୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri