Categories: ଖେଳ

ଅଖ୍‌ତରଙ୍କ ପ୍ରସ୍ତାବକୁ କପିଳଦେବଙ୍କ ସମାଲୋଚନା

ନୂଆଦିଲ୍ଲୀ,୧୦।୪ (ପି.ଟି.)-କୋଭିଡ୍‌-୧୯ ମହାମାରୀକୁ ରୋକିବା ପାଇଁ ଅର୍ଥ ଆବଶ୍ୟକ ହେଉଥିବା ବେଳେ ପାକିସ୍ତାନ ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖ୍‌ତର ଯେଉଁ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଆୟୋଜନ ପ୍ରସ୍ତାବ ଦେଇଛନ୍ତି କିମ୍ବଦନ୍ତୀ କପିଳଦେବ ତାହାର ସମାଲୋଚନା କରିଛନ୍ତି। ଭାରତର ଅର୍ଥ ଆବଶ୍ୟକ ନାହିଁ, ଏବେକାର ପରିସ୍ଥିତିରେ କ୍ରିକେଟରଙ୍କ ଜୀବନକୁ ବିପଦରେ ପକାଇ କ୍ରିକେଟ ଖେଳାଯିବା ସମ୍ଭବ ନୁହଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ନିଜ ମତ ରଖିବାରେ ଅଖ୍‌ତରଙ୍କ ଅଧିକାର ରହିଛି। ତେବେ ଏବେ କ୍ରିକେଟ ଖେଳିବା ସମ୍ପବ ନୁହଁ। କୋଭିଡ୍‌-୧୯ ବିପତ୍ତିକୁ କିଭଳି ସାମ୍ନା କରାଯିବ ସେ ନେଇ ସମସ୍ତେ ଲଢେଇ ଜାରି ରହିଛି। ଆମର ଟଙ୍କା ଦରକାର ନାହିଁ ଓ ଏବେ ଯଥେଷ୍ଟ ପରିମାଣର ଟଙ୍କା ଆମ ପାଖରେ ଅଛି। ପୁଣି ରାଜନେତା ମାନେ କୋଭିଡ୍‌-୧୯ ପରିସ୍ଥିତି ନେଇ ପରସ୍ପରକୁ ଦୋଷାରୋପ କରୁଛନ୍ତି ବୋଲି ସେ କହିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ଏଥିପାଇଁ ୫୧ କୋଟି ଟଙ୍କା ଦାନ କରିଛି। ଯଦି ଆବଶ୍ୟକ ପଡେ ଆହୁରି ସାହାଯ୍ୟ କରିବାକୁ ବିସିସିଆଇ ଆଗଭର ହେବ। ତେଣୁ ଅଧିକ ପାଣ୍ଠି ସଂଗ୍ରହର ଆବଶ୍ୟକତା ଏବେ ନାହିଁ। ପୁଣି ଏବେ କ୍ରିକେଟ ମ୍ୟାଚ୍‌ ଆୟୋଜନ କରିବା ନିଶ୍ଚିତ ଭାବେ ବିପଜ୍ଜନକ। ଅତିକମ୍‌ରେ ଆଗାମୀ ୬ ମାସ ମଧ୍ୟରେ କ୍ରିକେଟ ମ୍ୟାଚ୍‌ ଆୟୋଜନ ନେଇ ଚିନ୍ତା କରିବା ମଧ୍ୟ ଠକ୍‌ ନୁହଁ। ଏବେ କିଭଳି ଜୀବନ ବଞ୍ଚାଇହେବ ଓ ଲକ୍‌-ଡାଉନ ପରିସ୍ଥିତିରେ ଗରିବ ଲୋକଙ୍କୁ ସାହାଯ୍ୟ କରିହେବ ସେ ନେଇ ଚିନ୍ତା କରିବାର ଆବଶ୍ୟକତା ରହିଛି। ଯେତେବେଳେ ସ୍ଥିତି ସ୍ବାଭାବିକ ହେବ ସେତେବେଳେ କ୍ରିକେଟ ଖେଳାଯିବା ନେଇ ଚିନ୍ତା କରାଯିବ। ଦେଶ ଓ ଲୋକଙ୍କ ଜୀବନଠାରୁ କ୍ରିକେଟ ବଡ଼ ନୁହଁ। ଏଭଳି ପରିସ୍ଥିତିରେ ଭାରତ ଆମେରିକା ସମେତ ଅନ୍ୟ ରାଷ୍ଟ୍ରଗୁଡିକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ପ୍ରଦାନ କରି ସହାୟତା କରୁଛି ଓ ଜଣେ ଭାରତୀୟ ହିସାବରେ ଗର୍ବ ଅନୁଭବ କରୁଛି ବୋଲି କପିଳ କହିଛନ୍ତି।
କପିଳ ଏବେ ଘରେ ରହି ସାମାଜିକ ଦୂରତା ବଜାୟ ରଖୁଛନ୍ତି। ନେଲ୍‌ସନ ମଣ୍ଡେଲା ଏକ ଛୋଟିଆ ସେଲ୍‌ରେ ୨୭ ବର୍ଷ ରହିଥିଲେ। ଏ ଦୃଷ୍ଟିକୋଣରୁ ବିଚାର କଲେ ଆମେ ଭଲରେ ଅଛୁ ଓ ଦେଶ ପାଇଁ ଘରେ ରହିବାରେ କୌଣସି ସମସ୍ୟା ନାହିଁ। ଦେଶ ଓ ଜୀବନଠାରୁ କୌଣସି ଜିନିଷ ବଡ଼ ନୁହଁ ବୋଲି କପିଳ କହିଛନ୍ତି।

Share