ଅଖିଳ ଭାରତ ଡାକ ଭାରୋତ୍ତୋଳନ; ଯୁବକମାନେ ସକାରାତ୍ମକ ବିଶ୍ୱାସ ଜାଗ୍ରତ କରନ୍ତୁ : ରାଜ୍ୟପାଳ

ବ୍ରହ୍ମପୁର ଅଫିସ,୩୦ା୯-ସକାରାତ୍ମକ ଆତ୍ମବିଶ୍ୱାସ ଅସଫଳ କାର୍ଯ୍ୟକୁ ମଧ୍ୟ ସଫଳତାରେ ପରିଣତ କରିଥାଏ ା ନିଜ ଭିତରେ ଥିବା ସକାରାତ୍ମକ ବିଶ୍ୱାସ ଜାଗ୍ରତ କରିବା ଆବଶ୍ୟକ। ଯୁବକଙ୍କ ଦକ୍ଷତାର କୌଣସି ନିର୍ଦ୍ଦିଷ୍ଟ ପରିଧି ନାହିଁ। ତେଣୁ ଯୁବବର୍ଗ ନିଜ ପରିଚୟ ପରିବର୍ତ୍ତେ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ା ଡାକ ବିଭାଗର ୩୫ତମ ସର୍ବଭାରତୀୟ ଭାରୋତ୍ତୋଳନ, ଶକ୍ତି ଉତ୍ତୋଳନ ଏବଂ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ ରବିବାର ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହା କହିଛନ୍ତି।
ହିଲ୍‌ପାଟଣାସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ୪ ଦିନ ଧରି ଚାଲିଥିବା ଡାକ ବିଭାଗର ୩୫ତମ ସର୍ବଭାରତୀୟ ଭାରୋତ୍ତୋଳନ, ଶକ୍ତି ଉତ୍ତୋଳନ ଏବଂ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ରବିବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି ା ଉଦ୍‌ଯାପନୀ ଉତ୍ସବରେ ରାଜ୍ୟପାଳ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ା ବ୍ରହ୍ମପୁର ଏମ୍‌ପି ଚନ୍ଦ୍ର ଶେଖର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରୋତ୍ତୋଳନ ଓ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ସହ ଯୋଡି ହୋଇ ରହିଥିବା ବ୍ରହ୍ମପୁରର ଐତିହ୍ୟ ଉପରେ ଆଲୋକପାତ କରିଥିଲେ ା ସମ୍ବଲପୁର ଜିଲା ଡାକପାଳ ଲଳିିତେନ୍ଦୁ ପ୍ରଧାନ, ମୁଖ୍ୟ ଡାକପାଳ ଡ. ସନ୍ତୋଷ କୁମାର କାମିଲା, ବ୍ରହ୍ମପୁର ମଣ୍ଡଳ ମହାଡାକପାଳ କଲୋନେଲ ଜଳେଶ୍ୱର କହଁର ପ୍ରମୁଖ ମଞ୍ଚାସୀନ ଥିଲେ ା ଏହି ଅବସରରେ ୧୯୨୧ରେ ଗାନ୍ଧିଜୀଙ୍କ ପ୍ରଥମ ବ୍ରହ୍ମପୁର ଗସ୍ତ ସ୍ମୃତି ଉପଲକ୍ଷେ ସେ ରହିଥିବା ମଧୁମନ୍ଦିର ପ୍ରତିଛବିର ଏକ ଲଫାପାକୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ ା ତେବେ ଏହି ପ୍ରତିଯୋଗିତାରେ ଭାରୋତ୍ତଳନରେ ରାଜସ୍ଥାନ ସର୍କଲ ଚାମ୍ପିୟନ ହୋଇଥିବା ବେଳେ ଶ୍ରେଷ୍ଠ ଭାରୋତ୍ତୋଳନକାରୀ ଭାବେ ରାଜସ୍ଥାନର କପିଲଦେବ ରାଠୋର ପୁରସ୍କୃତ ହୋଇଥିଲେ। ଶକ୍ତି ଉତ୍ତୋଳନରେ ତାମିଲନାଡୁ ସର୍କଲ ଚାମ୍ପିୟନ ହୋଇଥିବା ବେଳେ ଶ୍ରେଷ୍ଠ ଶକ୍ତି ଉତ୍ତୋଳନକାରୀ ଭାବେ ମଧ୍ୟପ୍ରଦେଶର ଶୈଳେନ୍ଦ୍ର ସେବାତିଆ ପୁରସ୍କୃତ ହୋଇଥିଲେ ା ସେହିପରି ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଓଡିଶା ପୋଷ୍ଟାଲ ସର୍କଲ ରନର୍ସଅପ ହୋଇଥିବା ବେଳେ ଓଡିଶା ସର୍କଲର ବିଶ୍ୱଜିତ ପ୍ରତିହାରୀ ଶ୍ରେଷ୍ଠ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗୀ ଭାବେ ପୁରସ୍କୃତ ହୋଇଛନ୍ତି ା