Categories: ଖେଳ

ଅକ୍ଟୋବର ୨୨ରେ ବିସିସିଆଇ ନିର୍ବାଚନ

ନୂଆଦିଲ୍ଲୀ, ୨୧ା୫ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବହୁ ପ୍ରତିକ୍ଷୀତ କର୍ମକର୍ତ୍ତା ନିର୍ବାଚନ ଅକ୍ଟୋବର ୨୨ରେ ହେବ। ପ୍ରଶାସକ କମିଟି (ସିଓଏ) ମଙ୍ଗଳବାର ଏହା ଘୋଷଣା କରିଛି। ଲୋଧା ପ୍ୟାନେଲର ସଂସ୍କାରମୂଳକ ପ୍ରସ୍ତାବଗୁଡ଼ିକର କିପରି ସୂଚାରୁରୂପେ କାର୍ଯ୍ୟକାରୀ ହେବ ତାହା ତଦାରଖ କରିବା ଲାଗି ସୁପ୍ରିମକୋର୍ଟ ୨୦୧୭ରେ ପ୍ରଶାସକ କମିଟି ଗଠନ କରିଥିଲେ। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ପି.ଏସ୍‌. ନରସିହ୍ମାଙ୍କ ସହିତ ଆଲୋଚନା ପରେ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ବିଭିନ୍ନ ରାଜ୍ୟ ଆସୋସିଏଶନଗୁଡ଼ିକ ପକ୍ଷରୁ ୮୦ ଅନ୍ତରୀଣ ଅପିଲର ବିଚାର ପାଇଁ ସୁପ୍ରିମକୋର୍ଟ ଗତ ମାର୍ଚ୍ଚରେ ନରସିହ୍ମାଙ୍କୁ ନିଯୁକ୍ତି ଦେଇଥିଲେ। ମଙ୍ଗଳବାର ଅନୁଷ୍ଠିତ ବୈଠକରେ ସିଓଏର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସେମାନେ ହେଲେ ସିଓଏ ମୁଖ୍ୟ ବିନୋଦ ରାୟ, ଡାଏନ ଇଡୁଲ୍‌ଜୀ ଏବଂ ରବି ଥୋଗ୍‌ଡେ। ରାଜ୍ୟ ଆସୋସିଏଶନଗୁଡ଼ିକ ଲାଗି ନିର୍ବାଚନ ସମୟସୀମା ସେପ୍ଟେମ୍ବର ୧୪ ରଖାଯାଇଛି। ରାୟ କହିଛନ୍ତି, ବିସିସିଆଇ ନିର୍ବାଚନ ତାରିଖ ଘୋଷଣା ହେବାଦ୍ୱାରା ମୁଁ ଖୁବ୍‌ ଖୁସୀ। କାରଣ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଦୁଇ ବର୍ଷରୁ ଅଧିକ ସମୟ ଧରି ପ୍ରଶାସନିକ ସଂକଟ ଦେଇ ଗତି କରୁଛି। ମାନ୍ୟବର ସୁପ୍ରିମକୋର୍ଟ ଯେତେବେଳେ ମୋତେ ନିଯୁକ୍ତି ଦେଲେ ସେତେବେଳେ ମୁଁ କହିଥିଲି ମୋର ଭୂମିକା ନାଇଟ୍‌ ଓ୍ବାଚ୍‌ମ୍ୟାନ ଭଳି ହେବ। ମାତ୍ର ନାଇଟ୍‌ ଓ୍ବାଚ୍‌ମ୍ୟାନ ଦାୟିତ୍ୱ ଅଧିକ ଦିନ ଧରି ତୁଲାଇବାକୁ ପଡ଼ିଲା ବୋଲି ସେ କହିଛନ୍ତି। ରାଜ୍ୟ ଆସୋସିଏଶନ ଗୁଡ଼ିକର ସମସ୍ୟା ସମାଧନା କ୍ଷେତ୍ରରେ ନରସିଂହ୍ମାଙ୍କ ଭୂମିକାଙ୍କୁ ରାୟ ଉଚ୍ଚ ପ୍ରଶଂସା କରିଥିଲେ। ଏଥିପାଇଁ ଆମିକସ୍‌ କ୍ୟୁରି ପ୍ରାୟ ୧୫୦ ଘଣ୍ଟା ସମୟ ନେଇଥିଲେ। ରାଜ୍ୟ ୟୁନିଟ୍‌ଗୁଡ଼ିକ ପାଇଁ ଆପେକ୍ସ କାଉନ୍‌ସିଲର କଳେବର ବୃଦ୍ଧି କରାଯିବ। ମାତ୍ର ପ୍ରସ୍ତାବ ଅନୁସାରେ ବିସିସିଆଇର ସଦସ୍ୟ ସଂଖ୍ୟା ୯ରେ ସୀମିତ ରଖାଯିବ ବୋଲି ରାୟ କହିଛନ୍ତି। ଆମିକସ୍‌ ସୁପ୍ରିମକୋର୍ଟଙ୍କ ନିକଟକୁ ପଠାଇଥିବା ତାଙ୍କ ରିପୋର୍ଟରେ ମୁଖ୍ୟ ସମ୍ବିଧାନରେ ଏକ ମାତ୍ର ରିହାତି ପାଇଁ ସୁପାରିସ କରିଥିଲେ। ତାହା ହେଲା ଆପେକ୍ସ କାଉନ୍‌ସିଲର ସଦସ୍ୟ ସଂଖ୍ୟା ବୃଦ୍ଧି କରିବା। ଏଥିରେ ୧୯ଜଣ ସଦସ୍ୟ ରହିବେ। ୧୬ ଜଣ ନିର୍ବାଚିତ ହେବାକୁଥିବା ବେଳେ ଅନ୍ୟ ୩ଜଣ ମନୋତୀତ ହେବେ। ସୂଚନାଯୋଗ୍ୟ,ସୁପ୍ରିମକୋର୍ଟ ୨୦୧୭ ଜାନୁୟାରୀରେ ବିସିସିଆଇ ସଭାପତି ଅନୁରାଗ ଠାକୁର ଏବଂ ସଂପାଦକ ଅଜୟ ଶିର୍‌କେଙ୍କୁ ବହିଷ୍କୃତ କରିଥିଲେ। ଏହାଛଡ଼ା କୋର୍ଟଙ୍କ ଦ୍ୱାରା ଧାର୍ଯ୍ୟ ଯୋଗ୍ୟତା ମାନଦଣ୍ଡ ନ ଥିବା ବୋର୍ଡର ଅନ୍ୟ କର୍ମକର୍ତ୍ତାଙ୍କୁ ପଦତ୍ୟାଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Share