Categories: ଖେଳ

ଅକ୍ଟୋବର ୨୦ରୁ ଇଣ୍ଡିଆନ ବକ୍ସିଂ ଲିଗ୍‌

ନୂଆଦିଲ୍ଲୀ,୨୭।୭(ପି.ଟି.)- ପ୍ରଥମଥର ପାଇଁ ଇଣ୍ଡିଆନ ବକ୍ସିଂ ଲିଗ୍‌ ଆୟୋଜନ ହେବାକୁ ଯାଉଛି। ଅକ୍ଟୋବର ୨୦ରୁ ଆରମ୍ଭ ହୋଇ ଏହି ଲିଗ୍‌ ନଭେମ୍ବର ୯ ତାରିଖରେ ଶେଷ ହେବ। ମହିଳା ତାରକା ବକ୍ସର ତଥା ଅଲିମ୍ପିକ୍ସ ପଦକ ବିଜୟିନୀ ମେରୀକମ୍‌ ଓ ଏସିଆନ ଗେମ୍ସ ସ୍ବର୍ଣ୍ଣପଦକ ବିଜେତା ଅମିତ ପଙ୍ଘାଲ ଏହି ଲିଗ୍‌ରେ ସାମିଲ ହେବେ। ଏହି ଲିଗ୍‌ର ରାଇଟ୍‌ ହୋଲ୍ଡର ଓ ଆୟୋଜକ ‘ସ୍ପୋଟର୍‌ସ ଜେଡ୍‌ଲାଇଭ’ ଡିଜିଟାଲ ଷ୍ଟ୍ରମିଙ୍ଗ୍‌ ପ୍ରସାରଣ ଅଧିକାର ଦେବା ପାଇଁ ନିଲାମ ଡାକିବ। ଆଗାମୀ ୩ଟି ସେସନର ପ୍ରସାରଣ ଅଧିକାର ପାଇଁ ଅଲଗା ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯିବ।
ଲିଗ୍‌ରେ ମୋଟ ଉପରେ ୩ ରାଉଣ୍ଡ ବିଶିଷ୍ଟ ୯୦ଟି ବାଉଟ୍‌ ଖେଳାଯିବ। ୩ଟି ଭେନ୍ୟୁରେ ୧୮ ଦିନଧରି ଏହି ଲିଗ୍‌ ଆୟୋଜନ ହେବ। ପ୍ରତ୍ୟେକ ଦିନ ବିଭିନ୍ନ ବର୍ଗରେ ଦୁଇ ଦଳ ମଧ୍ୟରେ ୫ଟି ବାଉଟ୍‌ ଖେଳାଯିବ ବୋଲି ବକ୍ସିଂ ଫେଡେରେଶନ ଅଫ ଇଣ୍ଡିଆ (ବିଏଫ୍‌ଆଇ) ସୂଚନା ଦେଇଛି। ମେରୀକମ, ଅମିତଙ୍କୁ ବାଦ୍‌ ଦେଲେ ଗୌରବ ବିଧୁରି, ସୋନିଆ ଲାଥର ଓ ୫୦ ଅନ୍ତର୍ଜାତୀୟ ସ୍ତରର ବକ୍ସର ଏହି ଲିଗ୍‌ରେ ଅଂଶଗ୍ରହଣ କରିବେ। ବକ୍ସିଂକୁ ଦେଶରେ ସର୍ବାଧିକ ଲୋକପ୍ରିୟ କ୍ରୀଡ଼ା ଭାବେ ସ୍ଥାପନ କରିବାକୁ ଏହି ଲିଗ୍‌ ଆୟୋଜନ କରାଯାଉଛି ବୋଲି ବିଏଫ୍‌ଆଇ ତରଫରୁ କୁହାଯାଇଛି।
ନିଲାମରେ ଉଭୟ ଭାରତ ଓ ସାରା ବିଶ୍ୱର ପ୍ରସାରଣ ଅଧିକାର ପ୍ରଦାନ କରାଯିବ। ସେସନ ପିଛା ଭାରତୀୟ ଅଧିକାର ପାଇଁ ୪ କୋଟି ଓ ଗ୍ଲୋବାଲ ରାଇଟ ପାଇଁ ୪.୫ କୋଟି ବେସ୍‌ ପ୍ରାଇସ୍‌ ରଖାଯାଇଛି। ଏହି ଲିଗ୍‌ ବକ୍ସିଂକୁ ଏକ ନୂଆ ସ୍ତରରେ ପହଞ୍ଚାଇବ ବୋଲି ବିଏଫ୍‌ଆଇ ଅଧ୍ୟକ୍ଷ ଅଜୟ ସିଂ କହିଛନ୍ତି। ସ୍ପୋଟର୍‌ସ ଜେଡଲାଇଭ୍‌ ମ୍ୟାନେଜିଂ ଡାଇରେକ୍ଟର ଅତୁଲ ପାଣ୍ଡେ ମଧ୍ୟ ସମାନ କଥା କହିଛନ୍ତି। ଉଲ୍ଲେଖଥାଉ କି, ସ୍ପୋଟର୍‌ସ ଜେଡଲାଇଭ ଦୀର୍ଘଦିନ ଧରି ପ୍ରିମିୟର ବ୍ୟାଡମିଣ୍ଟନ ଲିଗ୍‌ ରାଇଟ ହୋଲ୍ଡର ରହିଆସିଛି।

Share