ସାମାଜିକ ଗଣମାଧ୍ୟମର ଚିତ୍ର ଓ ଚରିତ୍ର

ଡ. ପ୍ରଫୁଲ୍ଲ କୁମାର ସାହୁ

ମଣିଷ ମାତ୍ରେ ହିଁ ଖବର-ଭୋକୀ। ତା’ର ଏ ଭୋକକୁ ଏବେ ଅଧିକ ଉଚ୍ଚକିତ କରିଛି ସୋସିଆଲ ମିଡିଆର ହଟଚମଟ ଖେଳ। ସେଥିପାଇଁ ସକାଳୁ ଉଠିବା ମାତ୍ରେ ତା’ର ଦରକାର ହେଉଛି ଖବର। ଏହି ଖବର ଜାଣିବା ପାଇଁ ସେ ପୂର୍ବରୁ ନିର୍ଭର କରୁଥିଲା ଖବରକାଗଜ ଓ ଟେଲିଭିଜନ ଆଦି ପାରମ୍ପରିକ ଗଣମାଧ୍ୟମ ଉପରେ। ମାତ୍ର ଏବେ ସୂଚନା ଓ ମତାମତ ଆଦାନ ପ୍ରଦାନ କ୍ଷେତ୍ରରେ ଏକ ବଳିଷ୍ଠ ମାଧ୍ୟମ ହୋଇ ଉଭା ହୋଇଛି ସାମାଜିକ ଗଣମାଧ୍ୟମ। ପାରମ୍ପରିକ ଗଣମାଧ୍ୟମ ଗଣଚେତନାର ନିୟାମକ ହେଲେ ବି ପ୍ରାୟତଃ ଏହା ପରିଚାଳିତ ହୁଏ ଜଣର ଇଚ୍ଛାରେ ବା ମାଲିକର ମର୍ଜିରେ। ପରିବେଶ ଓ ପରିସ୍ଥିତିକୁ ଲକ୍ଷ୍ୟକରି ଏହା କେତେବେଳେ ସରକାରଙ୍କୁ ସମର୍ଥନ କରେ ତ କେତେବେଳେ ଥାଏ ବିରୋଧୀ ପକ୍ଷରେ। ଏହାର ନୀତିଗତ ଦ୍ୱନ୍ଦ୍ୱ ଓ ଲାଭକ୍ଷତିର ହିସାବ ନିକାଶ ଭିତରେ ନିରପେକ୍ଷ ତଥ୍ୟ ପାଇବାରୁ ବଞ୍ଚତ୍ତ ହେଉଥିଲା ବୃହତ୍ତର ପାଠକ ସମାଜ। ମାତ୍ର ସାମାଜିକ ଗଣମାଧ୍ୟମର ଆବିର୍ଭାବ ଓ ପ୍ରସାର ପରେ ବଦଳି ଯାଇଛି ସୂଚନା ପ୍ରସାରଣର ଢାଞ୍ଚା। ଲୋକେ କ’ଣ ଜାଣିବେ- ସେ କଥା ଦିନେ ନିର୍ଦ୍ଧାରଣ କରୁଥିଲେ ପ୍ରତିଷ୍ଠିତ ଖବରକାଗଜ ବା ସରକାର। ଏବେ କିନ୍ତୁ ଲୋକେ ମିଳିମିଶି ତିଆରି କରୁଛନ୍ତି ଖବର। ପାରମ୍ପରିକ ଗଣମାଧ୍ୟମ ଜରିଆରେ ଲୋକେ ନିଜର ମତବ୍ୟକ୍ତ କରିପାରୁ ନ ଥିଲେ କି ଜାହିର କରି ପାରୁ ନ ଥିଲେ ନିଜର ଅସନ୍ତୋଷ । ପୂର୍ବରୁ ଟେଲିଭିଜନ ମଞ୍ଚରେ ଦର୍ଶକ କେବଳ ଚୁପ୍‌ ଚାପ୍‌୍‌ ଦେଖୁଥିଲା ଉପସ୍ଥାପକଙ୍କ ବକ୍ତବ୍ୟ। ଏବେ ସେହି ଉପସ୍ଥାପକଙ୍କ ସମ୍ମୁଖରେ ପ୍ରତିକ୍ରିୟା ରଖିବା ପାଇଁ ଉପଭୋକ୍ତାକୁ ସୁଯୋଗ ଆଣିଦେଇଛି ସାମାଜିକ ଗଣମାଧ୍ୟମ। ଲେଖକଟିଏ ହେବା ପାଇଁ ଆଉ ଆଗଭଳି ଆବଶ୍ୟକ ହେଉନି ସଂପାଦକ ଓ ପ୍ରକାଶକମାନଙ୍କ ସ୍ବୀକୃତି। ଏବେ ପ୍ରତ୍ୟେକ ପାଠକ ନିଜେ ଜଣେ ଜଣେ ଲେଖକ। ସେଥିପାଇଁ ସୋସିଆଲ ମେଡ଼ିଆରେ ପ୍ରତିଦିନ ଘୂରି ବୁଲୁଛି ନୂଆ ନୂଆ ଲେଖକଙ୍କ ଅସୁମାରି ଗଳ୍ପ ଓ କବିତା। ରାଜନୈତିକ କ୍ଷେତ୍ରରେ ମଧ୍ୟ ସମାନ କଥା। ଅର୍ଥାତ୍‌ ରାଜନୈତିକ ଦଳରେ ସାମିଲ ନ ହୋଇ ମଧ୍ୟ ଲୋକେ ସୋସିଆଲ ମିଡ଼ିଆରେ ରଖିପାରୁଛନ୍ତି ନିଜର ମତ ଓ ମନ୍ତବ୍ୟ। ବିଶେଷ କରି ନିର୍ବାଚନ ପ୍ରଚାର କ୍ଷେତ୍ରରେ ଏକ ଶକ୍ତିଶାଳୀ ଆୟୁଧ ହୋଇ ଉଭା ହୋଇଛି ସାମାଜିକ ଗଣମାଧ୍ୟମ। ଭୌଗୋଳିକ ବିସ୍ତୃତି ଓ ଭାଷାଗତ ତଥା ସାଂସ୍କୃତିକ ବିବିଧତା ଯୋଗୁ ଦିନେ ଖୁବ୍‌ କଷ୍ଟସାଧ୍ୟ ମନେ ହେଉଥିବା ନିର୍ବାଚନ ପ୍ରଚାର ଏବେ ଖୁବ୍‌ ସହଜରେ ହୋଇପାରୁଛି ଫେସବୁକ୍‌ ଓ ହ୍ବାଟସ୍‌ଆପ ଜରିଆରେ। ଆଖି ପିଛୁଳାକେ ଲକ୍ଷ ଲକ୍ଷ ଭୋଟରଙ୍କ ପାଖରେ ପହଞ୍ଚାଇ ପାରୁଛି ପ୍ରାର୍ଥୀଙ୍କ ବାର୍ତ୍ତା। ଖୁବ୍‌ କମ୍‌ ସମୟ ମଧ୍ୟରେ, କମ୍‌ ଖର୍ଚ୍ଚରେ ଏକ ବିଶାଳ ଜନସଂଖ୍ୟା ସହିତ ବ୍ୟକ୍ତିଗତ ଭାବ ଆଦାନ ପ୍ରଦାନ କରାଯାଇପାରୁଛି ହ୍ବାଟ୍‌ସଆପ୍‌ ଜରିଆରେ। ତେଣୁ ସାମାଜିକ ଗଣମାଧ୍ୟମ ଯୋଗୁ ଆମ ଗଣତାନ୍ତ୍ରିକ ଅଧିକାରର ମାନ ବୃଦ୍ଧି ପାଇଛି ଏବଂ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ କ୍ଷେତ୍ରରେ ସୃଷ୍ଟି ହୋଇଛି ଏକ ନୂଆ ସମୀକରଣ।
ଇଣ୍ଟରନେଟ୍‌ ବ୍ୟବହାର ଆମ ଦେଶର ଲୋକଙ୍କ ପାଇଁ ଏକ ନୂଆ ଅଭିଜ୍ଞତା। ଦ୍ୱିତୀୟତଃ ହ୍ବାଟ୍‌ସଆପ୍‌ ଭଳି ମେସେଜର ଆପ୍ଲିକେସନ ବ୍ୟବହାରରେ ପ୍ରେରକ ଓ ପ୍ରାପକଙ୍କ ଭିନ୍ନ ତୃତୀୟ ପକ୍ଷର ଅନୁପ୍ରବେଶ ନ ଥିବାରୁ ଯୋଗାଯୋଗକୁ ଶକ୍ତିଶାଳୀ କରୁଛି ବ୍ୟକ୍ତିଗତ ଗୋପନୀୟତା। ଏହି କାରଣରୁ ଇଣ୍ଟରନେଟ୍‌ ଦୁନିଆ ଦିନକୁ ଦିନ ଜନାକୀର୍ଣ୍ଣ ହେଉଛି ଏବଂ ଘଣ୍ଟା ଘଣ୍ଟା ଧରି ମୋବାଇଲ, ଟାବଲେଟ୍‌ ଓ ଲାପଟପରେ ଉପସ୍ଥିତ ରହୁଛନ୍ତି ଇଣ୍ଟରନେଟ୍‌ ଉପଭୋକ୍ତା। ୨୦୧୯ରେ ପ୍ରକାଶିତ ଏକ ସର୍ବେକ୍ଷଣ ତଥ୍ୟ ଅନୁସାରେ ଆମ ଦେଶର ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ପାଖାପାଖି ୪୫କୋଟି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଉପଭୋକ୍ତା ସେଥିରେ ନିୟୋଜିତ ରହୁଛନ୍ତି ଦୈନିକ ହାରାହାରି ୪ଘଣ୍ଟାରୁ ଅଧିକ ସମୟ। ଏତଦ୍‌ଭିନ୍ନ ସୋସିଆଲ ମିଡିଆର ଏକ ବିଶେଷ ଦିଗ ହେଉଛି ତା’ର ଭୌଗୋଳିକ ପରିସୀମା, ଯାହା ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମ ତୁଳନାରେ ବିସ୍ତୃତ। ଏହି କାରଣରୁ ଏହା ଏକ ବିପୁଳ ଜନସଂଖ୍ୟାକୁ ପ୍ରଭାବିତ କରିପାରୁଛି ଖୁବ୍‌ କମ୍‌ ସମୟ ମଧ୍ୟରେ।
ପାରମ୍ପରିକ ଗଣମାଧ୍ୟମର ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହେଉଛି, ତାହାକୁ ପୂରଣ କରିବାର କ୍ଷମତା ରଖେ ସାମାଜିକ ଗଣମାଧ୍ୟମ। ତେଣୁ ଏହା ଏକ ଭଲ ବିକଳ୍ପ ଓ ବୈପ୍ଳବିକ ଚିନ୍ତାଧାରାର ପରିଚାୟକ। ଏ ସବୁ ସତ୍ତ୍ୱେ ବି ସମାଜ ପାଇଁ ଏବେ ମୁଣ୍ଡ ବିନ୍ଧାର କାରଣ ହୋଇଛି ସୋସିଆଲମିଡିଆର ଦୁରୁପଯୋଗ। ସାଧାରଣତଃ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ଆଚରଣ ପାଇଁ ରହିଛି ନିୟନ୍ତ୍ରଣ ରେଖା। ସେଥିରେ କାର୍ଯ୍ୟରତ ସାମ୍ବାଦିକମାନେ ଅଭିଜ୍ଞ ଓ ଦାୟିତ୍ୱସମ୍ପନ୍ନ। ଅନ୍ୟପକ୍ଷରେ ସାମାଜିକ ଗଣମାଧ୍ୟମ ଏକ ଲଗାମହୀନ ଘୋଡ଼ା। ଏହାର ଅଧିକାଂଶ ଉପଭୋକ୍ତା ବୁଝନ୍ତି ନାହିଁ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସାମାଜିକ ଦାୟବଦ୍ଧତା। ତେଣୁ ସତ ମିଛ ବିଚାର ନ କରି ଯିଏ ଯାହା ପାରିଲା ଲେଖିଲା- ଆଖି ନାହିଁ କାନ ନାହିଁ ବାଜି ଗଲେ ଦୋଷ ନାହିଁ ନ୍ୟାୟରେ। ବ୍ୟବସ୍ଥାଟି ସମ୍ପୂର୍ଣ୍ଣ ମୁକୁଳା ହୋଇଥିବାରୁ ଏଥିରେ ତଥ୍ୟ ଚୋରି ଏକ ସାଧାରଣ କଥା। ମିଛକୁ ଜଗିବା ପାଇଁ କିଛି ବାଡ଼ବତା ନ ଥିବାରୁ ତଥ୍ୟ ଅପେକ୍ଷା ଏଠି ଗୁଜବର ମାତ୍ରା ବେଶି। ପାରମ୍ପରିକ ଗଣମାଧ୍ୟମ କୌଣସି ଖବରକୁ ଚାପିଦିଏ ବା ଅତିରଞ୍ଜିତ କରେ ବିବଶତା କାରଣରୁ। ମାତ୍ର ସୋସିଆଲ ମିଡିଆରେ ଏବେ ଘୂରିବୁଲୁଛି ତୁଚ୍ଛା ମିଛ ଖବର। ଏଠି ବଞ୍ଚତ୍ଥିବା ଲୋକଙ୍କ ପାଇଁ ବି ଛୁଟୁଛି ଶ୍ରଦ୍ଧାଞ୍ଜଳିର ସୁଅ। ସାଧାରଣତଃ ମିଛ ଖବର ଖୁବ୍‌ ଶୀଘ୍ର ବ୍ୟାପି ଯାଏ ବଣର ନିଆଁ ଭଳି। ତେଣୁ ମିଛି ଖବର ଦୁନିଆରେ ଉବୁଟୁବୁ ହେଉଥିବା ଏହାର ଉପଭୋକ୍ତାଙ୍କୁ ଦେଖି ମନେହୁଏ ସୋସିଆଲ ମିଡିଆ ଏକ ଅଦୃଶ୍ୟ ଦୁନିଆ। ଏଥିରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ବାସ୍ତବରେ ଏ ସଂସାରରେ ଅନୁପସ୍ଥିତ। ଅର୍ଥାତ୍‌ ନକଲି ବା (ଫେକ୍‌)। ଫେସ୍‌ବୁକ୍‌ ସ୍ତରୀୟ ସୋସିଆଲ ମିଡିଆରେ ମତ ରଖିବା ଆଳରେ ଲୋକେ ପରସ୍ପରକୁ ଏମିତି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଛନ୍ତି, ଯାହା ଏକ ସଭ୍ୟ ସମାଜ ପାଇଁ ଅତ୍ୟନ୍ତ ନିନ୍ଦନୀୟ। ନୂଆ ଲେଖକଙ୍କ ପାଇଁ ସୋସିଆଲମିଡିଆ ଏକ ବଳିଷ୍ଠ ମଞ୍ଚ ବୋଲି କୁହାଯାଉଛି ସତ, ମାତ୍ର ପ୍ରବଳ ଭିଡ଼ ଭିତରେ ଏଠି ସମସ୍ତେ ଖୋଜୁଛନ୍ତି ପରିଚୟ। ଲାଇକ୍‌ ଓ କମେଣ୍ଟର ପରିମାଣ ଉପରେ ନିର୍ଭର କରୁଛି ଲେଖକର ସ୍ବୀକୃତି। ତେଣୁ ଏଥିରେ ଘୂରି ବୁଲୁଥିବା ଲେଖା ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ନୁହେଁ, ବରଂ ଅଳିଆ କରୁଛି ବୋଲି କହିଲେ ଚଳେ। ଗଣତନ୍ତ୍ରର ସଫଳତା ପାଇଁ ଆବଶ୍ୟକ ଅଭିବ୍ୟକ୍ତିର ମୁକ୍ତ ପ୍ରବାହ। ମାତ୍ର ଏଥିରେ ସରକାରଙ୍କ ଅଗଣତାନ୍ତ୍ରିକ ନୀତି ବା ଅନ୍ୟାୟ ବିରୋଧରେ ପ୍ରତିବାଦ କରି ପଦଟିଏ ପ୍ରତିବାଦ କଲେ ଆରମ୍ଭ ହୋଇଯାଉଛି ବାଚନିକ ଆକ୍ରମଣ। ମାଡ଼ି ଆସୁଛି ଅଶାଳୀନ ମନ୍ତବ୍ୟର ଲହରି। ଏହି ଦୃଷ୍ଟିରୁ ସାମାଜିକ ଗଣମାଧ୍ୟମ ପାଲଟି ଗଲାଣି ଅବାଞ୍ଛିତ ମନ୍ତବ୍ୟର ଏକ ଅଭୟାରଣ୍ୟ। ମଣିଷ ଏଠି ଖବର ଜାଣିବା ପାଇଁ ଯେମିତି ଆଗ୍ରହ ପ୍ରକାଶ କରୁଛି ତା’ଠାରୁ ବେଶି ଆଗ୍ରହୀ ହେଉଛି ନିଜେ ଖବର ହେବାପାଇଁ। ସମସ୍ତେ ଚାହୁଁଛନ୍ତି ନିଜକୁ ନେଇ ଉଡ଼ାଇବେ ଖବର ପତାକା। ତେଣୁ ‘ମୁଁ ପଣରେ’ ବନ୍ଧା ପଡ଼ିଗଲାଣି ସାମାଜିକ ଗଣମାଧ୍ୟମ।
ସାମାଜିକ ଗଣମାଧ୍ୟମ ସୃଷ୍ଟି ହୋଇଥିଲା ବନ୍ଧୁ ସମ୍ପର୍କ ବଢାଇବା ପାଇଁ। ଜନ୍ମଦିନ ପାଳନ, ଶ୍ରାଦ୍ଧ ବାର୍ଷିକୀ ଆୟୋଜନ ଓ ବାହାଘର ନିମନ୍ତ୍ରଣ ବାର୍ତ୍ତା ଆଦି ବ୍ୟକ୍ତିଗତ ପ୍ରଚାର ଭିତରେ ସୀମିତ ଥିଲା ତା’ର ଆଦ୍ୟ ପରିଚୟ। ଲୋକେ କେବଳ ପରସ୍ପର ଫଟୋ ଦେଖି ଖୁସି ହେଉଥିଲେ ଏବଂ କେହି କେହି ମଧ୍ୟ କିଛି ବାର୍ତ୍ତା ପ୍ରଚାର କରୁଥିଲେ ଲାଇକ୍‌ କମେଣ୍ଟ ପାଇବା ପାଇଁ। ଅର୍ଥାତ୍‌ ସାମାଜିକ ଗଣମାଧ୍ୟମର ପ୍ରାରମ୍ଭିକ ଅବସ୍ଥା ଥିଲା ଅତି ନିରୀହ। ମାତ୍ର ଯେବେଠାରୁ ଏହାକୁ ଏକ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଗଲା, ସେବେଠାରୁ ବଦଳିଗଲା ତା’ର ଚିତ୍ର ଓ ଚରିତ୍ର। ପ୍ରତିଷ୍ଠିତ ବ୍ୟକ୍ତି ଓ ବିଭିନ୍ନ ରାଜନେତିକ ଦଳ ସପକ୍ଷରେ ତିଆରି ହେଲା ସ୍ବତନ୍ତ୍ର ଅନୁଗାମୀ ବାହିନୀ। ସାମାଜିକ ଗଣମାଧ୍ୟମକୁ ଆୟୁଧ କରି ଚାଲିଲା ସତ ସାଙ୍ଗରେ ଲୁଚକାଳି ଖେଳ। ଜାତିର ଜନକ ମହାମତ୍ା ଗାନ୍ଧୀଙ୍କ ଭଳି ମହାପୁରୁଷ ତଥା ଆହୁରି ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଅଯଥା, ଅସତ୍ୟମୂଳକ ଅପନିନ୍ଦାରେ କର୍ଦ୍ଦମାକ୍ତ କରିବା ପାଇଁ ତିଆରି ହେଲା ଅନେକ ମିଛ, ମନଗଢା, ଅବାସ୍ତବ ଓ ଚମକପ୍ରଦ କାହାଣୀ। ସେଥିପାଇଁ ତ ଏବେ ଖୋଜାଯାଉଛି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ବଂଶମୂଳ। ସେ ପରଲୋକ ଗମନ କରିବାର ଅର୍ଦ୍ଧ ଶତାବ୍ଦୀରୁ ଊର୍ଦ୍ଧ୍ୱକାଳ ପରେ ଏବେ କୁହାଯାଉଛି ତାଙ୍କ ପୂର୍ବପୁରୁଷମାନେ ଥିଲେ ମୁସଲମାନ ସମ୍ପ୍ରଦାୟର। ସାମାଜିକ ଗଣମାଧ୍ୟମରେ ଖେଳିବୁଲୁଥିବା ଏମିତିି ଅନେକ ଅପପ୍ରଚାର ଦ୍ୱାରା ଦେଶରେ ବଢ଼ିଚାଲିଛିି ସାମ୍ପ୍ରଦାୟିକ ବିଦ୍ୱେଷ। ବିପନ୍ନ ହେଉଛି ରାଷ୍ଟ୍ରର ଏକତା। ଜାଣିଶୁଣି ଆମ ଭବିଷ୍ୟତ ପିଢି ପାଇଁ ତିଆରି ଚାଲିଛି ଏକ ବିକୃତ ଇତିହାସ, ଯାହାର ମୂଳାଧାର ହେଉଛି ମିଥ୍ୟା।
ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ
ପଡ଼ିଆବେଡ଼ା, ମୟୂରଭଞ୍ଜ
ମୋ- ୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତଚାପ ଫାଶରେ ଯୁବଗୋଷ୍ଠୀ

ଈପ୍ସିତା ମହାନ୍ତି ଯୁବକମାନଙ୍କର ଦେଶ ରୂପେ ଭାରତ ପରିଚିତ, ଯାହାର ମୋଟ ଜନସଂଖ୍ୟାର ୬୫% ହେଉଛନ୍ତି ଯୁବକ। ଏମାନଙ୍କର ବୟସ ୧୮ରୁ ୩୫ ବର୍ଷ ମଧ୍ୟରେ।...

ବାବୁଙ୍କ ଚାହିଦା

ଦିଲ୍ଲୀକା ବାବୁ ଦିଲୀପ ଚେରିଏନ୍‌ ଅଶ୍ୱିନୀ ଲୋହାନିଙ୍କ ଦକ୍ଷତା ଏୟାର ଇଣ୍ଡିଆରେ ପ୍ରତିପାଦିତ ହୋଇଛି। ତାଙ୍କ ପରେ ଏୟାର ଇଣ୍ଡିଆରେ ନିଯୁକ୍ତି ପାଇଥିବା ଅଧିକାରୀ ଜଣେ...

ମଞ୍ଚ-ମାଇକ-ମାନପତ୍ରର ମୋହ

ଉପେନ୍ଦ୍ର ବିଶ୍ୱାଳ ପୂଜ୍ୟପୂଜା ପ୍ରତି ପ୍ରଗାଢ଼ ସମ୍ମାନବୋଧ ଥିବା ଭୁବନେଶ୍ୱରର ଜଣେ ସାହିତ୍ୟପ୍ରାଣ, ସଙ୍ଗଠକ ତଥା ପ୍ରକାଶକ ନିଜର ଭାବନାକୁ ଦିନେ ପ୍ରକାଶ କରି କହିଲେ,...

ଏଇ ଭାରତରେ

ଜୈବ ଇନ୍ଧନରେ ଚାଲୁଥିବା ଗାଡ଼ିିଗୁଡ଼ିକ ବାୟୁମଣ୍ଡଳକୁ ଅଧିକ କାର୍ବନ ମନୋକ୍ସାଇଡ ଗ୍ୟାସ୍‌ ନିର୍ଗମନ କରିବା ଯୋଗୁ ଏହା ବିଶ୍ୱତାପନ ବୃଦ୍ଧି କରୁଛି। ଏହିସବୁ ଗାଡି ସଂଖ୍ୟା...

ଭିନ୍ନମତ ପାଇଁ ଜାଗା ନାହିଁ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଏବେ ଗ୍ରହଣ କରାଯାଇଥିବା ଏକ ପଦକ୍ଷେପ ୨୦୧୦ରେ ମୋଦି ସରକାରଙ୍କ ପ୍ରଥମ ପାଳିରେ ଘଟିଥିବା ଅନୁରୂପ ଘଟଣାକୁ ସ୍ମରଣ କରାଇଦେଇଛି।...

ବ୍ୟର୍ଥ ପ୍ରୟାସ

ରାଜସ୍ବ ହ୍ରାସକୁ ଦୃଷ୍ଟିରେ ରଖି ଏବଂ ଆରମ୍ଭ କରାଯାଇଥିବା ଆଣ୍ଟି-କୋଭିଡ୍‌-୧୯ କାର୍ଯ୍ୟକ୍ରମଗୁଡ଼ିକ ଲାଗି ଆବଶ୍ୟକ ବ୍ୟୟଭାର ବହନ କରିବା ପାଇଁ ରାଜ୍ୟ ସରକାର ଗତ ସପ୍ତାହରେ...

ଜିନ୍‌ ବିବର୍ତ୍ତିତ ଖାଦ୍ୟ କାହା ସ୍ବାର୍ଥରେ

ପ୍ରତ୍ୟେକ ମଣିଷ ପାଇଁ ଖାଦ୍ୟ ଏକ ଗୁରୁତ୍ୱପୂଣର୍ର୍ ଆବଶ୍ୟକତା। ଖାଦ୍ୟ ମଣିଷ ପାଇଁ ସବୁବେଳେ ଏକ ସମ୍ବେଦନଶୀଳ ଓ ସ୍ପର୍ଶକାତର ବିଷୟ ହୋଇ ରହିଆସିଛି। ଖାଦ୍ୟ...

କେତେ ସୁରକ୍ଷିତ ସାମୁଦ୍ରିକ ଖାଦ୍ୟ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ସ୍ବାସ୍ଥ୍ୟ ଓ ଫିଟ୍‌ନେସ୍‌ ଉପଦେଷ୍ଟାମାନେ ଅନେକ ସମୟରେ ମାଂସପେଶୀର ଦୃଢ଼ତା, ଅଧିକ ପ୍ରୋଟିନ ଲାଭ ଓ ଓଜନ ହ୍ରାସ ପାଇଁ...

Advertisement
Archives

Model This Week