ସମ୍ପାଦକୀୟ/ଦେଖଣାହାରି

ଗୁଜରାଟ ସୁରଟର ଏକ କୋଚିଂ ସେଣ୍ଟରରେ ୨୪ ମେ’ରେ ହୋଇଥିବା ଅଗ୍ନିକାଣ୍ଡରେ ୨୨ ଛାତ୍ରଙ୍କ ମୃତ୍ୟୁ ଘଟିଛି । ନିଅଁା ଲାଗିଯିବା ପରେ ଭୟରେ ଉକ୍ତ ସୁଉଚ୍ଚ କୋଠା ଉପରୁ ପିଲାମାନେ ତଳକୁ ଡେଇଁ ପ୍ରାଣ ହରାଉଥିବା ଦୃଶ୍ୟସମ୍ବଳିତ ଭିଡିଓ ଏବେ ଭାଇରାଲ ହୋଇଛି। ଏଥିରେ ଦେଖିବାକୁ ମିଳୁଛି ଜଣଙ୍କ ପରେ ଜଣେ ତଳକୁ ଡେଇଁ ପଡ଼ୁଛନ୍ତି। ହେଲେ କୋଠା ତଳେ ହାଉଜାଉ ହେଉଥିବା ଅସଂଖ୍ୟ ଲୋକ ଏସବୁ ଦେଖି କେବଳ ଚିଲ୍ଲାଇବାରେ ବ୍ୟସ୍ତ। କିଛି ଭିଡିଓ ସୁଟିଂ କରିବାରେ ଲାଗିପଡ଼ିଥିଲେ। ସାଧାରଣତଃ ଦେଖାଯାଉଛି କୌଣସି ଅସ୍ବାଭାବିକ ଘଟଣା ବେଳେ ଉପସ୍ଥିତ ଲୋକେ ଅସୁବିଧାରେ ପଡ଼ିଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁନାହାନ୍ତି। ବରଂ ଫଟୋ ଉଠାଇବା, ସେଲ୍‌ଫି ନେବା ସହ ଭିଡିଓ ସୁଟିଂ କରି ତାହାକୁ ପରେ ସୋସିଆଲ ମିଡିଆରେ ପୋଷ୍ଟ୍‌ କରୁଛନ୍ତି। ଯେଉଁମାନେ ଆଗକୁ ଆସି ସହାୟତାର ହାତ ବଢ଼ାଉଛନ୍ତି ସେମାନଙ୍କ ସଂଖ୍ୟା ଅତି ନଗଣ୍ୟ। ଦୁର୍ଘଟଣା ପରେ ଯିଏ ଦୁଃସାହସିକ କାର୍ଯ୍ୟ କରି ଲୋକଙ୍କ ଜୀବନ ରକ୍ଷା କରୁଛନ୍ତି, ତାଙ୍କୁ ଆମେ ‘ହିରୋ’ ଆଖ୍ୟା ଦେଉଛେ। ହେଲେ ନିଜକୁ ସେଥିରେ ସାମିଲ କରିବାକୁ ଚେଷ୍ଟା କରୁନାହୁଁ। ବିପଦ ବେଳେ ଦେଖଣାହାରି ଚାହିଁଲେ ଅନେକ କିଛି କରି ଅସହାୟଙ୍କ ଜୀବନ ବଞ୍ଚାଇପାରନ୍ତେ। ସୁରଟ କୋଚିଂ ସେଣ୍ଟର ଉପରୁ ଯେଭଳି ଭାବେ ପିଲାମାନେ ତଳକୁ ଡେଇଁ ପଡ଼ୁଥିଲେ, ସେଠାରେ ଉପସ୍ଥିତ ଲୋକେ ହାତକୁ ହାତ ଛନ୍ଦି ସେମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ବା ତଳେ ଜାଲ, ଗଦି କିମ୍ବା ତତ୍‌କ୍ଷଣାତ୍‌ କିଛି ଲୁଗା ବିଛାଇ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ କେତେକଙ୍କ ଜୀବନ ରକ୍ଷା ହୋଇପାରିଥାଆନ୍ତା। କେବଳ ଦେଖଣାହାରି ପାଲଟିବା ଦ୍ୱାରା ଏ ଜାତି କେଉଁଆଡ଼େ ଯାଉଛି ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ।
ଭାରତରେ ଅଗ୍ନିକାଣ୍ଡ ଭଳି ବିପର୍ଯ୍ୟୟକୁ ରୋକିବା ଲାଗି ଅନେକ କୋଠାବାଡ଼ି ନିର୍ମାଣକାରୀ ସଂସ୍ଥା ପ୍ରାକ୍‌ ସାବଧାନତା ଅବଲମ୍ବନ କରୁନାହାନ୍ତି। ସରକାରୀ ହେଉ ବା ଘରୋଇ କୋଠାର ମାଲିକମାନେ ମଧ୍ୟ ସ୍ଥପତିଙ୍କଠାରୁ ପ୍ଲାନ୍‌ ଆଣିବା ବେଳେ ଏହି ଦିଗକୁ ବିଶେଷ ଧ୍ୟାନ ଦେଉନାହାନ୍ତି। ସ୍କୁଲ, କଲେଜ, ହଷ୍ଟେଲ, ହୋଟେଲ, ସିନେମା ହଲ୍‌, ଡାକ୍ତରଖାନା, ଅଡିଟୋରିୟମ୍‌, ସପିଂ ମଲ୍‌ ଆଦି ସାଧାରଣରେ ବ୍ୟବହୃତ ବିଲ୍‌ଡିଂରେ ଅଗ୍ନିନିର୍ବାପକ ଯନ୍ତ୍ରପାତି ବା ଆନୁଷଙ୍ଗିକ ବ୍ୟବସ୍ଥା ଖଞ୍ଜିବାକୁ ବ୍ୟୟବହୁଳ ବୋଲି ଧରିନେଉଛନ୍ତି। ଏଭଳି ସଂକୀର୍ଣ୍ଣ ମନୋଭାବ ଅନେକ ସମୟରେ ବିପଦକୁ ଡାକି ଆଣୁଛି। ଏମାନଙ୍କୁ ସହାୟକ ହେଉଛି ଉନ୍ନୟନ କର୍ତ୍ତୃପକ୍ଷଙ୍କ ସାଲିସ। ପ୍ରତ୍ୟେକ ବର୍ଷ ଦେଶର କେଉଁଠି ନା କେଉଁଠି ଛୋଟବଡ଼ ଅଗ୍ନିକାଣ୍ଡ ଘଟୁଛି। ଏହାର ତାଲିକା ତିଆରି କଲେ ଲମ୍ବିଚାଲିବ। ନିକଟ ଅତୀତକୁ ଦେଖିଲେ ୨୦୧୬ରେ ଭୁବନେଶ୍ୱରସ୍ଥିତ ସମ୍‌ ହସ୍ପିଟାଲରେ ନିଆଁ ଲାଗିବାରୁ ୨୨ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୧ରେ କୋଲକାତାରେ ଘରୋଇ ହସ୍ପିଟାଲ ଆମ୍ରିରେ ନିଆଁ ଲାଗି ୮୯ ଜଣ ପ୍ରାଣ ହରାଇଥିଲେ। ୨୦୦୪ରେ ତାମିଲନାଡୁର କୁମ୍ବକୋନାମ୍‌ ସ୍କୁଲ୍‌ରେ ନିଆଁ ଲାଗି ୯୪ ଜଣ ପିଲାଙ୍କ ଜୀବନ ଯିବା ସେତେବେଳେ ଦେଶବ୍ୟାପୀ ଦୁଃଖ ପହଞ୍ଚାଇଥିଲା। ଏହା ପୂର୍ବର ଘଟଣା ଦେଖିଲେ ୧୯୯୭ ମସିହାରେ ଦିଲ୍ଲୀର ଉପହାର ସିନେମା ହଲ୍‌ରେ ଅଗ୍ନିକାଣ୍ଡ ୫୯ ଜଣଙ୍କ ପ୍ରାଣ ନେଇଥିଲା। ଉପରଲିଖିତ ଦୁର୍ଘଟଣାକୁ ଦେଖିଲେ ସର୍ବସାଧାରଣ ବ୍ୟବହାର କରୁଥିବା କୋଠାରେ ବଡ଼ ବିପର୍ଯ୍ୟୟ ଘଟିଛି। ଘଟଣା ଘଟିବା ପରେ କିଛିଦିନ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଏ ଏବଂ ପରେ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀମାନେ ମଉନ ହୋଇଯାଆନ୍ତି। ବିଶେଷକରି ବହୁସଂଖ୍ୟକ ଲୋକ ଯେଉଁ ବିଲ୍ଡିଂକୁ ବ୍ୟବହାର କରିଥାଆନ୍ତି, ସେଗୁଡ଼ିକର ବ୍ୟାପକ ଯାଞ୍ଚ ହେବା କଥା। ଏଥିସହିତ ଯେଉଁମାନଙ୍କ ଭୁଲ ଯୋଗୁ ଅମୂଲ୍ୟ ଜୀବନ ଯାଉଛି, ସେମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇ ଦଣ୍ଡିତ କରାଯିବା ଉଚିତ।
ଏମିତି ଦେଖିଲେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଥିବା ଅଗ୍ନିଶମ ବା ବିପର୍ଯ୍ୟୟ ପରିଚାଳନା ବାହିନୀ ଆଧୁନିକ ଯନ୍ତ୍ରପାତି ଓ କୌଶଳ ଦିଗରେ ଦକ୍ଷ ହୋଇପାରୁନାହାନ୍ତି। ଘଟଣା ଘଟିବାର ବହୁ ସମୟ ପରେ ପୋଲିସ ଭଳି ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ କରୁଛି। ଭାରତରେ ଅନେକ ସ୍ମାର୍ଟ ସିଟି ଗଢ଼ାଯିବା ଲାଗି ଯୋଜନା ହେଉଛି। ଏପରିକି ଆମେରିକା ଭଳି ଭାରତ ସୁପରପାଓ୍ବାର ହେବାର ଅନେକେ ସ୍ବପ୍ନ ଦେଖୁଛନ୍ତି। ଏଠାରେ କହିବାକୁ ହେବ ଯେ, ଆମେରିକାରେ ଜରୁରିକାଳୀନ ସେବା ସହ ଭାରତର କୌଣସି ଆକାରରେ ତୁଳନା ନାହିଁ। ସେଠାକାର ଏମର୍ଜେନ୍ସି ରେସପନ୍ସ ନମ୍ବର ୯୧୧କୁ ଡାଏଲ କଲେ ତତ୍‌କ୍ଷଣାତ୍‌ ଉଦ୍ଧାରକାରୀ ଦଳ ଆସି ପହଞ୍ଚିଯାଆନ୍ତି। ଅଗ୍ନିକାଣ୍ଡ ହେଉ ବା ଅପରାଧ ଘଟଣା କିମ୍ବା ବ୍ୟକ୍ତିଗତ ସ୍ବାସ୍ଥ୍ୟ ବା ସମସ୍ୟା ସବୁଥିରେ ୯୧୧ କାମ ଦେଇଥାଏ। ଏଥିଯୋଗୁ ଅତି ଛୋଟ ପିଲାମାନେ ସେହି ନମ୍ବରକୁ ଘୋଷି ରଖିଥାଆନ୍ତି। ଭାରତରେ ବିଭିନ୍ନ ସେବା ସକାଶେ ଭିନ୍ନ ଭିନ୍ନ ନମ୍ବର ଏବଂ ଅଧିକାଂଶ କ୍ଷେତ୍ରରେ ଠିକ୍‌ ସମୟରେ ଏହିସବୁ ଜରୁରିକାଳୀନ ସେବା ମିଳିପାରେ ନାହିଁ। ଅନ୍ୟପକ୍ଷରେ ପାଶ୍ଚାତ୍ୟରେ ଅନେକ ସ୍କୁଲ ପାଠ୍ୟକ୍ରମରେ ଜରୁରିକାଳୀନ ପରିସ୍ଥିତିକୁ ମୁକାବିଲା କରିବା ଲାଗି ଶିକ୍ଷା ଦିଆଯାଇଥାଏ, ଯାହା ସେମାନଙ୍କ ପାଠର ମୂଳ ଅଙ୍ଗ ବୋଲି ବିବେଚନା କରାଯାଏ। ଫଳରେ ବିପର୍ଯ୍ୟୟ ଘଟିଲେ ପିଲାମାନଙ୍କ ମୁଣ୍ଡକୁ ବୁଦ୍ଧି ଜୁଟେ। ଏପଟେ ଭାରତରେ ପାଠ୍ୟକ୍ରମରେ ଜରୁରିକାଳୀନ ପରିସ୍ଥିତିର ସାମ୍ନା କରିବାଠାରୁ ନୈତିକ ଶିକ୍ଷାକୁ ଅଧିକ ଓଜନ ଦିଆଯାଏ । ସେଥିପାଇଁ ଏଠାରେ ପିଲାମାନେ ଅସ୍ବାଭାବିକ ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ହୋଇପାରନ୍ତି ନାହିଁ।
ଆଜିର ପରିସ୍ଥିତିରେ ସବୁକିଛି ଲାଗି ସରକାରୀ ସଂସ୍ଥା ବା ହାତଟେକାକୁ ଅପେକ୍ଷା କଲେ ସ୍ଥିତିରେ ପରିବର୍ତ୍ତନ ଆସିପାରିବ ନାହିଁ। ଏହି ପରିପ୍ରେକ୍ଷୀରେ ୨୬ ମେ’ରେ ଅନୁଗୋଳ ଜିଲାରେ ଘଟିଥିବା ଏକ ଘଟଣାକୁ ଦେଖିଲେ ସ୍ଥାନୀୟ ବାସିନ୍ଦାଙ୍କ ଦେଖଣାହାରି ଚରିତ୍ର ପଦାକୁ ଆସିଛି। ଅନୁଗୋଳ ଜିଲା ବଅଁରପାଳ ବ୍ଲକ ନୂଆହତା ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟ ଜଣେ ସାଇକେଲ ଆରୋହୀଙ୍କ ଉପରେ ପଡ଼ିଯିବାରୁ ସେ ଆହତ ହୋଇଥିଲେ। ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ କେହି ଆଗେଇ ନ ଆସି କେବଳ ଦେଖଣାହାର ପାଲଟିଥିଲେ। ଏଥିରୁ ବୁଝିବାକୁ ହେବ ଯେ ଏଠାରେ କେହି କାହାରିକୁ ସାହାଯ୍ୟର ହାତ ବଢ଼ାଇବାକୁ ପ୍ରସ୍ତୁତ ନାହାନ୍ତି। ସମସ୍ତେ ଭାବୁଛନ୍ତି ଅନ୍ୟମାନେ ଅଛନ୍ତି । ଏଭଳି ଚିନ୍ତାଧାରା ଦେଶକୁ କଦାପି ସୁଦୃଢ଼ କରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri