ସମ୍ପାଦକୀୟ/ଥିଲେ ନଷ୍ଟ, ନ ଥିଲେ କଷ୍ଟ

ତାମିଲନାଡୁ ରାଜଧାନୀ ଚେନ୍ନାଇରେ ଜଳସଙ୍କଟ ଏବେ ଏଭଳି ସ୍ତରରେ ପହଞ୍ଚିଛି ଯେ, କେତେକ ଲୋକ ସହର ଛାଡ଼ିବା ଆରମ୍ଭ କଲେଣି। ଆଉ କେତେକେ ଯେଉଁ ଅଞ୍ଚଳରେ ଜଳର ଉପଲବ୍ଧି ରହିଛି ସେଠାକୁ ବାସସ୍ଥାନ ବାଛିଲେଣି। ଅର୍ଥାତ୍‌ ଜୀବନଯାକର ଅର୍ଥ ସଞ୍ଚି ସୁନ୍ଦର ଘରଟିଏ ତୋଳି ରହୁଥିବା ବ୍ୟକ୍ତି ସମ୍ପତ୍ତି ମୋହ ପରିତ୍ୟାଗ କରି ପାଣି ଖୋଜିବାରେ ବ୍ୟସ୍ତ। ଯେଉଁ ୪ଟି ଜଳଭଣ୍ଡାରରୁ ଚେନ୍ନାଇକୁ ପାଣି ଆସୁଥିଲା ତାହା ଶୁଖିଯିବା ପରେ ସେଠାକାର ବାସିନ୍ଦା ବଞ୍ଚିବା ପାଇଁ ବାଟ ଖୋଜୁଛନ୍ତି। କଥାରେ ଅଛି-‘ଜଳ ଗହଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ’। ଏହି ଢଗ ଯେଉଁ ପରିସ୍ଥିତି ଦର୍ଶାଉଛି, ଓଡ଼ିଶା ଲୋକେ ସେ ସମ୍ପର୍କରେ ନିକଟ ଅତୀତରୁ ଭଲ ଭାବେ ବୁଝିସାରିଲେଣି। ଗତ ୩ ମେ’ର ବାତ୍ୟା ଫନୀ ସମସ୍ତଙ୍କ ଆଖି ଖୋଲି ଦେଇଥିଲା। କୁହାଯାଉଥିଲା ଓଡ଼ିଶା ଏଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ବାସ୍ତବତାକୁ ଅଙ୍ଗେ ନିଭାଇଲେ ପୁରୀ, ଖୋର୍ଦ୍ଧା ଓ କଟକ ଜିଲା ବାସିନ୍ଦା। ବିଦ୍ୟୁତ୍‌ଶକ୍ତି ବିନା ଏବେ ବି ଜନସାଧାରଣ ଅନେକ ସ୍ଥାନରେ କଷ୍ଟ ପାଉଛନ୍ତି। ଏହି ଅଭିଜ୍ଞତା ସମସ୍ତଙ୍କ ମନରେ ବିଶ୍ୱାସ ଆଣିଦେଇଥିବ ଯେ ଜଳ ବିନା ବଞ୍ଚିବା କେତେ କଷ୍ଟ। ବିଦ୍ୟୁତ୍‌ଶକ୍ତି ନ ଥିଲେ ହାତ ବିଞ୍ଚା ପଙ୍ଖାରେ ବଞ୍ଚି ହେବ। ପାଣି ନ ଥିଲେ ଜୀବନ ଅସମ୍ଭବ। ଏହି ଅଭିଜ୍ଞତା ଦେଇ ଯାଇଥିବା ଓଡ଼ିଶାବାସୀ ଚେନ୍ନାଇ ପରିସ୍ଥିତି ଭଲ ଭାବେ ବୁଝିପାରୁଥିବେ। ୨୦୧୭ରେ ନିଅଣ୍ଟିଆ ବର୍ଷା, ୨୦୧୮ରେ ମୌସୁମୀର ଅନିୟମିତତା ଏବଂ ୨୦୧୯ର ଅଦ୍ୟାବଧି ପ୍ରାକ୍‌ ମୌସୁମୀ ବର୍ଷାର ଦେଖା ନ ଥିବାରୁ ଚାରିଆଡ଼େ ଜଳର ଘୋର ଅଭାବ। ଗ୍ରୀଷ୍ମ ଦିନର ଜଳକଷ୍ଟରୁ ରକ୍ଷାପାଇବା ପାଇଁ ଚେନ୍ନାଇ ବାସିନ୍ଦା ରାଜ୍ୟ ବାହାରକୁ ଭ୍ରମଣ କିମ୍ବା କେରଳରେ ଥିବା ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଥିବା ଦେଖିବାକୁ ମିଳିଛି।
ଚେନ୍ନାଇ ସମସ୍ୟା ସୂଚାଇ ଦେଉଛି ଜଳ ପାଇଁ ଆଜି ମଣିଷ କେତେ ଅସହାୟ। ଭଲ ଘର, ଉତ୍ତମ ଚାକିରି, ପ୍ରଯୁକ୍ତିବିଦ୍ୟାର ବିକାଶ, ଆଧୁନିକ ଜୀବନଶୈଳୀ ଏବଂ ସର୍ବୋପରି ବ୍ୟାଙ୍କରେ ଟଙ୍କା ଠୁଳ ଥିଲେ ମଧ୍ୟ ଜଳ ଭଳି ମୌଳିକ ଜିନିଷର ଅଭାବ ଜୀବନକୁ ଦୁର୍ବିଷହ କରିଦେଉଛି। ରିପୋର୍ଟରୁ ଜଣାପଡ଼ିଛି ଯେ ଚଳିତ ମାସ ଆରମ୍ଭରୁ ତାମିଲନାଡୁ ସରକାର ଚେନ୍ନାଇ, କାଞ୍ଚିପୁରମ୍‌ ସମେତ ୧୭ ଜିଲାକୁ ମରୁଡ଼ି ଘୋଷଣା କରିଥିଲେ। ଜଳ ଟିକେ ପାଇବା ପାଇଁ ମନ୍ଦିରରେ ଯଜ୍ଞ କରି ବରୁଣ ଦେବତାଙ୍କୁ ସନ୍ତୁଷ୍ଟ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏହିଭଳି ଅନ୍ଧ ଧାର୍ମିକ ଚିନ୍ତାଧାରା ଭାରତୀୟମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଅବାସ୍ତବ ସ୍ତରକୁ ନେଇଗଲାଣି। ଏତେସବୁ ପୂଜାପାଠ ସତ୍ତ୍ୱେ ବର୍ଷାର ଦେଖା ନାହିଁ। ଗତ ୧୦ ଦିନ ହେବ ଚେନ୍ନାଇର ଅଧିକାଂଶ ଅଞ୍ଚଳରେ ଲୋକେ ପାଣି ପାଇ ନ ଥିବା ପ୍ରକାଶ କରିଛନ୍ତି। କେବଳ ତାମିଲନାଡୁ ନୁହେଁ, କର୍ନାଟକ, ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ଗ୍ରୀଷ୍ମକାଳୀନ ଜଳସଙ୍କଟ ଉଗ୍ରରୂପ ଧାରଣ କରିଛି। ଦ୍ୱିତୀୟ ଥର ଲାଗି ନରେନ୍ଦ୍ର ମୋଦି ସରକାର କେନ୍ଦ୍ରରେ କ୍ଷମତାସୀନ ହେବା ପରେ ସ୍ବତନ୍ତ୍ର ଭାବେ ଜଳଶକ୍ତି ମନ୍ତ୍ରଣାଳୟ ଖୋଲିଛନ୍ତି। ଏଥିରେ ଜଳସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ପୁନରୁଦ୍ଧାର, ପାନୀୟ ଜଳ ଓ ପରିମଳ ଆଦି ମନ୍ତ୍ରଣାଳୟର ମିଶ୍ରଣ ଘଟିଛି। ତେବେ ଏହି ନୂତନ ମନ୍ତ୍ରଣାଳୟ ଦେଶର ଜଳସଙ୍କଟକୁ ଦୂର କରିପାରିବ କି ବୋଲି ପ୍ରଶ୍ନ ଉଠିଲାଣି। ବିଶେଷଜ୍ଞଙ୍କ ମତରେ ଜଳଶକ୍ତି ମନ୍ତ୍ରଣାଳୟ କେବଳ ଏକ ନୂଆ ନାମ। ଜଳ ରାଜ୍ୟ ତାଲିକାଭୁକ୍ତ। ସ୍ବତନ୍ତ୍ର କ୍ଷେତ୍ରରେ କେନ୍ଦ୍ରକୁ ରାଜ୍ୟ ଅନୁରୋଧ ନ କଲେ କେନ୍ଦ୍ର ହସ୍ତକ୍ଷେପ କରିପାରିବ ନାହିଁ। କିନ୍ତୁ ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ପାର୍ଲାମେଣ୍ଟରେ ଏ ସଂକ୍ରାନ୍ତ ଆଇନ ପ୍ରଣୟନ କରାଯାଇ ଆନ୍ତଃରାଜ୍ୟ ଜଳ ପ୍ରସଙ୍ଗରେ କେନ୍ଦ୍ର ହସ୍ତକ୍ଷେପ କରିପାରେ। ଯଦିଓ ଜଳ ଯୁଗ୍ମ ତାଲିକା ଭାବେ ଧରାଗଲାଣି ତେବେ କିଭଳି ପାଣି ସମସ୍ୟାକୁ ସମାଧାନ କରାଯାଇପାରିବ ତାହା ବହୁ ଆଲୋଚନାର ଅପେକ୍ଷା ରଖୁଛି।
ଜଳବିବାଦର ଇତିହାସ ଦେଖିଲେ ଦୀର୍ଘବର୍ଷର କାବେରୀ ନଦୀ ଜଳ ବଣ୍ଟନ ବିବାଦଠାରୁ ଆରମ୍ଭକରି ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ମହାନଦୀ ଜଳ ସମସ୍ୟା ଆଜି କେନ୍ଦ୍ର ଓ ସମ୍ପୃକ୍ତ ରାଜ୍ୟଗୁଡ଼ିକ ପାଇଁ ମୁଣ୍ଡବ୍ୟଥାର କାରଣ ରହିଛି। ଏ ସମ୍ପର୍କରେ ମଧ୍ୟ ଓଡ଼ିଶାବାସୀଙ୍କ ଅଭିଜ୍ଞତା ଅଦ୍ୱିତୀୟ। ଜଳର ଆବଶ୍ୟକତା ଦେଖି ରାଜ୍ୟ ରାଜ୍ୟ ମଧ୍ୟରେ ବାଡ଼ିଆପିଟା ଚାଲିଛି। ତେଣୁ ଏଥିରେ ତୁରନ୍ତ ସମାଧାନ ମିଳିବ ବୋଲି ଆଶା କରାଯାଇ ନ ପାରେ। ସେଥିପାଇଁ ପ୍ରତ୍ୟେକଙ୍କୁ ଜଳ ସଂରକ୍ଷଣ ଓ ସର୍ବନିମ୍ନ ସ୍ତରରେ ଏହାର କିଭଳି ବ୍ୟବହାର ହୋଇପାରିବ ତା’ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଏବେ ଭାରତରେ ଥିବା ଜଳସମ୍ପଦ ପ୍ରତି ଦୁଇ ପ୍ରକାର ବିପଦ ଘନେଇ ଆସୁଛି। ପ୍ରଥମଟି ହେଲା ବିପୁଳ ଜନସଂଖ୍ୟା ବୃଦ୍ଧି ଯୋଗୁ ଭୂପୃଷ୍ଠ ଜଳକୁ ବ୍ୟବହାର ଅନୁପଯୋଗୀ କରିବାଠାରୁ ଆରମ୍ଭ କରି ବିଭିନ୍ନ ଉପାୟରେ ନଷ୍ଟ କରିବାର ଚରିତ୍ର ସାଧାରଣ ଭାରତୀୟଠାରେ ଦେଖାଦେଇଥାଏ। ଦ୍ୱିତୀୟତଃ ଏଥିସହିତ ମିଶିଯାଉଛି ସରକାରୀ ନୀତି। ବିକୃତ ନୀତି ମାଧ୍ୟମରେ ଉଭୟ ଭୂପୃଷ୍ଠ ଓ ଭୂତଳ ଜଳକୁ ଚାଷ କିମ୍ବା ପାନୀୟ ଜଳ ଭାବେ ବ୍ୟବହାର କରିବା ପରିବର୍ତ୍ତେ ଶିଳ୍ପସଂସ୍ଥାଗୁଡ଼ିକୁ ବିପୁଳ ପରିମାଣରେ ଦେଇ ଦିଆଯାଉଥିବାରୁ ଜଳକଷ୍ଟ ବୃଦ୍ଧି ପାଉଛି। ଏହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର ସୃଷ୍ଟି କରିଥିବା ବନ୍ଧ। ଓଡ଼ିଶା ସରକାରଙ୍କ ଅପାରଗତାକୁ ବ୍ୟବହାର କରି ପଡ଼ୋଶୀ ଛତିଶଗଡ଼ ଅନେକ ବନ୍ଧ ନିର୍ମାଣ କରିସାରିଲାଣି। ମହାନଦୀର ତଳଭାଗରେ ବା ରାଇପାରିଆନ୍‌ ରାଜ୍ୟ ଭାବେ ଓଡ଼ିଶାରେ ଜଳାଭାବ ଉତ୍କଟ ରୂପ ନେବାକୁ ଯାଉଛି। ଛତିଶଗଡ଼ ନିର୍ମାଣ କରିଥିବା ବନ୍ଧଗୁଡ଼ିକରୁ ଟୋପାଏ ଜଳ ଚାଷ ପାଇଁ ବ୍ୟବହୃତ ହେଉ ନାହିଁ। ଶିଳ୍ପ ହେଉଛି ଏକମାତ୍ର ବ୍ୟବହାରକାରୀ। ଏଭଳି ପରିସ୍ଥିତି ଆଗାମୀ ଦିନରେ ହିଂସାତ୍ମକ ରୂପ ନେଇପାରେ।
୨୦୧୪ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେ ପୃଥିବୀର ୫୦୦ ବୃହତ୍‌ ସହର ମଧ୍ୟରୁ ୪ଟିରୁ ଗୋଟିଏ ଘୋର ଜଳାଭାବ ଦେଇ ଗତି କରୁଛି। ୨୦୧୮ ଫେବୃୟାରୀରେ ଦକ୍ଷିଣ ଆଫ୍ରିକାର କେପ୍‌ଟାଉନ୍‌ ପ୍ରଥମ ସହର ଭାବେ ପ୍ରବଳ ଜଳ ସଙ୍କଟର ସମ୍ମୁଖୀନ ହେବା ପରେ ଲୋକେ ସେଠାରୁ ଛାଡ଼ିବା ଆରମ୍ଭ କରିଥିଲେ। ଭାରତର ଚେନ୍ନାଇବାସୀ ସେଇ ପରିଣତି ଭୋଗିଲେଣି। ଏସବୁଥିରୁ ଶିଖି ଆମେ ଓଡ଼ିଶାବାସୀ ଏବେଠାରୁ ସତର୍କ ନ ରହିଲେ ଆମକୁ ଅଲଗା ଭୂଖଣ୍ଡ ଖୋଜିବାକୁ ପଡ଼ିବ। ଜଳ ଥିଲେ ଆମେ ସମସ୍ତେ ନଷ୍ଟ କରୁ, ନ ଥିଲେ କଷ୍ଟ ପାଉ।


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri