ସମ୍ପାଦକୀୟ/ ଖାତିର ନା ବେଖାତିର

ଗୁଜରାଟରେ ୨୦୦୨ ମସିହା ଦଙ୍ଗାରେ ଗଣବଳାତ୍କାରର ଶିକାର ହୋଇଥିବା ବିଲ୍‌କିସ୍‌ ବାନୋଙ୍କୁ ୨ ସପ୍ତାହ ମଧ୍ୟରେ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ଚାକିରି ଓ ଘର ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ୩୦ ସେପ୍ଟେମ୍ବର ୨୦୧୯ରେ ଗୁଜରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହିଭଳି ସମାନ ଆଦେଶ ଗତ ୨୩ ଏପ୍ରିଲ ୨୦୧୯ରେ ଦିଆଯାଇଥିଲା। ଇତିମଧ୍ୟରେ ୫ ମାସ ବିତିଯାଇଥିଲେ ମଧ୍ୟ ବିଲ୍‌କିସ୍‌ଙ୍କୁ କୌଣସି ସୁବିଧା ମିଳିଲା ନାହିଁ। ଏଥିଲାଗି ତାଙ୍କୁ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିଥିଲା। ସୂଚନାଯୋଗ୍ୟ, ଗୁଜରାଟ ଦଙ୍ଗା ସମୟରେ ବିଲ୍‌କିସ୍‌ ବାନୋଙ୍କୁ ଗଣବଳାତ୍କାର କରାଯାଇଥିବା ବେଳେ ତାଙ୍କ ପରିବାରର ୧୪ ଜଣଙ୍କୁ ହତ୍ୟା କରାଯାଇଥିଲା। ସବୁଠାରୁ ଯନ୍ତ୍ରଣାଦାୟକ ବିଷୟ ଥିଲା ଯେ ବିଲ୍‌କିସ୍‌ ଗଣବଳାତ୍କାରର ଶିକାର ବେଳେ ୫ ମାସର ଗର୍ଭବତୀ ଥିଲେ। ଏଭଳି ଅମାନୁଷିକ କାଣ୍ଡ ଆଧୁନିକ ଯୁଗରେ କ୍ୱଚିତ୍‌ ଦେଖାଦେଇଥିବ। ଅସହ୍ୟ ନିର୍ଯାତନା ସହିଥିବା ବିଲ୍‌କିସ୍‌ ଦମ୍ଭ ଧରି ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ସେ ଜାତୀୟ ମାନବ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ର ଦୃଷ୍ଟି ଆକର୍ଷଣ କରିଥିଲେ। ସ୍ଥାନୀୟ ପୋଲିସ ବିଲ୍‌କିସ୍‌ଙ୍କ ମାମଲାକୁ ପୂରା ବନ୍ଦ କରିଦେଇଥିଲା। କୋର୍ଟ ଉପରେ ଚାପ ପଡ଼ିବାର ଆଶଙ୍କା ସୃଷ୍ଟି ହେବା ପରେ ଗୁଜରାଟରୁ ମାମଲା ବମ୍ବେ ହାଇକୋର୍ଟ ଯାଇଥିଲା। ସେଠାରେ କେବଳ ୧୧ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ, ଏହି ୧୧ ଜଣ ଅଭିଯୁକ୍ତଙ୍କୁ ନିମ୍ନ ଅଦାଲତରେ ମୃତ୍ୟୁଦଣ୍ଡ ମିଳିବା ପରେ ସେମାନେ ଉଚ୍ଚ ନ୍ୟାୟାଳୟକୁ ପୁନର୍ବିଚାର ପାଇଁ ଆବେଦନ କରିଥିଲେ। ନ୍ୟାୟ ଦେବାରେ ଅନିୟମିତତା ସନ୍ଦେହ କରି ସୁପ୍ରିମକୋର୍ଟ ଏହି ମାମଲାକୁ ଗୁଜରାଟ ହାଇକୋର୍ଟରୁ ବମ୍ବେ ହାଇକୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେତେବେଳେ ବମ୍ବେ ହାଇକୋର୍ଟ ବିଚାରପତି ଭାବେ ଭି. କେ. ତାହିଲରମଣି ଏହି ୧୧ ଜଣଙ୍କ ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ। ବିଚାରପତି ତାହିଲରମଣିଙ୍କ ସେହି ନିର୍ଦ୍ଦେଶ ଗୁଜରାଟ ଦଙ୍ଗା ରଚିଥିବା ରାଜନେତାମାନଙ୍କୁ ବିରକ୍ତ କରିଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ବମ୍ବେ ହାଇକୋର୍ଟରୁ ବିଦା କରାଯାଇ ମାଡ୍ରାସ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ଅବସ୍ଥାପିତ କରାଯାଇଥିଲା। ଧୀରେ ସୁସ୍ଥେ ବିଚାରପତିଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚାଯାଇ ନିକଟରେ ତାଙ୍କୁ ମେଘାଳୟ ଭଳି ଏକ ଛୋଟିଆ ହାଇକୋର୍ଟକୁ ବଦଳି କରାଗଲା। ସେହି ବଦଳିର ପ୍ରତିବାଦ କରି ତାହିଲରମଣି ମୁଖ୍ୟ ବିଚାରପତି ପଦବୀରୁ ଇସ୍ତଫା ଦେବା ପରେ ୬ ସେପ୍ଟେମ୍ବର ୨୦୧୯ରେ ରାଷ୍ଟ୍ରପତି ତାହାକୁ ଗ୍ରହଣ କରିଥିଲେ। ପ୍ରତିଶୋଧର ସ୍ରୋତକୁ କାର୍ଯ୍ୟ କରାଇବାକୁ ଯାଇ ଏବେ ତାଙ୍କ ବିରୋଧରେ ସିବିଆଇ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ନିର୍ଦ୍ଦେଶ ପଛରେ ଉଦ୍ଦେଶ୍ୟ ହେଉଛି ଯେ ‘ନୂଆ ଭାରତ’ରେ ଅନ୍ୟାୟ ବିରୋଧରେ ପ୍ରତିବାଦ କଲେ ଖୁବ୍‌ଶୀଘ୍ର ମୃତ୍ୟୁବରଣ କରିବାକୁ ବାଧ୍ୟ।
ବିଲ୍‌କିସ୍‌ ବାନୋଙ୍କ ମାମଲାରେ ୧୯ ଜଣ ବ୍ୟକ୍ତିଙ୍କ ସିଧାସଳଖ ସମ୍ପୃକ୍ତି ଥିବା ବେଳେ ୭ ଜଣ ପୋଲିସ ଓ ଡାକ୍ତରଙ୍କ ରିପୋର୍ଟକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଶେଷରେ ବିଲ୍‌କିସ୍‌ଙ୍କ କେସ୍‌ ସର୍ବୋଚ୍ଚ ଅଦାଲତରେ ପହଞ୍ଚିଥିଲା। ଅଦ୍ୟାବଧି ତାଙ୍କୁ ନ୍ୟାୟ ନ ମିଳିବା ଦୁଃଖର ବିଷୟ। ଏହି ପରିପ୍ରେକ୍ଷୀରେ ଆଉ ଏକ ଘଟଣା ଉପରେ ଦୃଷ୍ଟିପାତ କରାଯାଇପାରେ। ୨୦୧୭ରେ ରାଜସ୍ଥାନର ଜୟପୁରରୁ ଅଲଓ୍ବାରଙ୍କୁ ଯୋଗାଯୋଗ କରୁଥିବା ରାସ୍ତା ଦେଇ ପେହେଲୁ ଖାନ୍‌ ତାଙ୍କ ଦୁଇ ପୁଅ ସହ ଗୋରୁ ନେଇ ଯାଉଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୋରୁ ଚାଲାଣକାରୀ ସନ୍ଦେହରେ ନିସ୍ତୁକ ପିଟିଥିଲେ। ପରେ ପେହେଲୁଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ୬ ଜଣ ଅଭିଯୁକ୍ତଙ୍କୁ ଅଗଷ୍ଟ ୨୦୧୯ରେ ଅଲଓ୍ବାର କୋର୍ଟ ଦୋଷମୁକ୍ତ କରିଦେଇଥିଲେ। ମାମଲାକୁ ବେନିଫିଟ୍‌ ଅଫ୍‌ ଡାଉଟ୍‌ ବା ସନ୍ଦେହରୁ ଫାଇଦା ଦର୍ଶାଯାଇ ଅଭିଯୁକ୍ତଙ୍କୁ ମୁକ୍ତ କରାଯିବା ପରେ ପେହେଲୁ ଖାନ୍‌ ପରିବାର ହତବାକ୍‌ ହୋଇଯାଇଥିଲେ।
ଭାରତୀୟ ଗଣତନ୍ତ୍ରର ୩ଟି ପ୍ରମୁଖ ସ୍ତମ୍ଭ ଯଥା ବ୍ୟବସ୍ଥାପିକା, ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ରହିଛି। ଉପରଲିଖିତ ଦୁଇଟି ଘଟଣାକୁ ତର୍ଜମା କଲେ ଉଭୟ (ବ୍ୟବସ୍ଥାପିକା ଓ ନ୍ୟାୟପାଳିକା)ରେ ଥିବା ବ୍ୟକ୍ତିଙ୍କ ମଧ୍ୟରେ ଅନେକଙ୍କର କାର୍ଯ୍ୟ ପ୍ରତି ଉତ୍ତରଦାୟିତ୍ୱ ରହିବା ପରି ମନେ ହେଉନାହିଁ। ବିଲ୍‌କିସ୍‌ ଯେଉଁଭଳି ଭାବେ ୧୭ ବର୍ଷ ଧରି ଶାରୀରିକ ଓ ମାନସିକ ସ୍ତରରେ ଯନ୍ତ୍ରଣା ପାଇଚାଲୁଛନ୍ତି, ତାହାକୁ ବୁଝିବା ପାଇଁ ଗୁଜରାଟର ପ୍ରଶାସନିକ ଅଧିକାରୀମାନେ ସମ୍ଭବତଃ ଦୃଷ୍ଟି ପକାଇବାକୁ ଚାହୁଁନାହାନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା କରାଯିବା ଦିଗରେ ଦୁଇଟି କଥା ଶୁଣାଯାଉଛି। ଗୁଜରାଟ ପକ୍ଷରୁ ଯୁକ୍ତି ବାଢ଼ି ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି ଯେ, ରାଜ୍ୟ ସରକାର ଏ ନେଇ ଏକ ରିଭ୍ୟୁ ପିଟିଶନ କରିଛନ୍ତି। ଏଥିସହିତ କୋର୍ଟ ଯେଉଁ କ୍ଷତିପୂରଣ ପ୍ୟାକେଜ ଦେବା ନେଇ ନିର୍ଦ୍ଦେଶ ଦେଇଛନ୍ତି ତାହା ନିର୍ଦ୍ଦିଷ୍ଟ ଭାବେ କୁହାଯିବା ଦରକାର, ଯଦ୍ଦ୍ବାରା ଏହା ଅନ୍ୟ ମାମଲା ଲାଗି ଏକ ଦୃଷ୍ଟାନ୍ତ ସୃଷ୍ଟି କରିବ ନାହିଁ। କିନ୍ତୁ ସଲିସିଟର ଜେନେରାଲ ମେହେଟାଙ୍କ ଏହି ମତ କୌଣସି ସଚେତନ ସଭ୍ୟ ସମାଜରେ ଗ୍ରହଣୀୟ ହେବ ନାହିଁ। ଜଣେ ଗର୍ଭବତୀଙ୍କୁ ବଳାତ୍କାର ଘଟୁଥିବା ବେଳେ ଯଦି ପରିବାରର ୧୪ ଜଣଙ୍କୁ ହତ୍ୟା କରାଯାଏ, ତେବେ ୫୦ ଲକ୍ଷ ଟଙ୍କା କ’ଣ, କୌଣସି ପରିମାଣର କ୍ଷତିପୂରଣ ଯଥେଷ୍ଟ ହେବ ନାହିଁ। ସେଥିପାଇଁ ମେହେଟାଙ୍କ ଯୁକ୍ତି ଯେ ଏହି ରାୟକୁ ଅନ୍ୟତ୍ର ବ୍ୟବହାର କରାଯିବା ପ୍ରତି କଟକଣା ସ୍ପଷ୍ଟ କରାଯାଉ, ତେବେ ତାଙ୍କର ସେହି ମନ୍ତବ୍ୟ ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ। ଦୁଃଖର ବିଷୟ, ସର୍ବୋଚ୍ଚ ଅଦାଲତ ନିର୍ଦ୍ଦିଷ୍ଟ ମାମଲା ଲାଗି ଉଦ୍ଦିଷ୍ଟ ଥିବା ସର୍ତ୍ତରେ ରାଜି ହୋଇଛନ୍ତି। କିନ୍ତୁ ଖଣ୍ଡପୀଠ ଦୁଇ ସପ୍ତାହ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଗୁଜରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେବେ ଶୀର୍ଷ କୋର୍ଟଙ୍କ ଆଦେଶ ପାଳନ ହେଉଛି ଆଗାମୀ ଦିନରେ ଜଣାପଡ଼ିବ।
ବିଲ୍‌କିସ୍‌ଙ୍କ ମାମଲାରେ କାର୍ଯ୍ୟପାଳିକାର ଦୋଷ ଦିଶିଯାଉଥିବା ବେଳେ ପେହେଲୁ ଖାନ୍‌ଙ୍କ କେସ୍‌ରେ ନ୍ୟାୟପାଳିକାର କେତେ ଜଣଙ୍କ ଭୂମିକା ସନ୍ଦେହ ଭିତରକୁ ଟାଣି ହୋଇଆସୁଛି। ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରିଦିଆଗଲା ଓ ତାହାର ଭିଡିଓ ଥିବା ନେଇ ମିଡିଆରେ ଅନେକ ଚର୍ଚ୍ଚା ହେଲା, ତଥାପି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିଲା ନାହିଁ। ଭାରତୀୟ ଶାସନ ଓ ନ୍ୟାୟିକ ବ୍ୟବସ୍ଥାରେ ଏହି ଦୁଇଟି ଘଟଣା ବିରୋଧାଭାସ ସୃଷ୍ଟି କଲା ଭଳି ମନେହେଉଛି। ବିଲ୍‌କିସ୍‌ ମାମଲାରେ କାର୍ଯ୍ୟପାଳିକା ଓ ପେହେଲୁ ଘଟଣାରେ ନ୍ୟାୟପାଳିକାର କେତେକ ବ୍ୟକ୍ତିଙ୍କ କାର୍ଯ୍ୟଧାରା ଭାରତୀୟ ସମାଜର ସମ୍ମାନହାନି କରିଛି। ଏବେ ଦେଖିବାକୁ ବାକି ଅଛି, ସର୍ବୋଚ୍ଚ ନ୍ୟାୟାଳୟର ବିଲ୍‌କିସ୍‌ଙ୍କ ସମ୍ପର୍କରେ ଦିଆଯାଇଥିବା କ୍ଷତିପୂରଣ ରାୟକୁ ଗୁଜରାଟ ସରକାର କାର୍ଯ୍ୟକାରୀ କରାଉଛନ୍ତି ନା ବେଖାତିର ମନୋଭାବ ପୋଷଣ କରି ଏଡ଼ାଇ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri