ସମ୍ପାଦକୀୟ/ ଆସନ୍ତା ୪୪ ବର୍ଷ ପରେ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୪୪ ବର୍ଷ ତଳେ ଦେଶରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରିଥିଲେ। ସେତେବେଳେ ବିରୋଧୀ ତାଙ୍କ ଶାସନକୁ ‘କଳା ଶାସନ’ ଭାବେ ଅଭିହିତ କରିଥିଲେ। ଜନସାଧାରଣଙ୍କ ସ୍ବାଧୀନତାଠାରୁ ଆରମ୍ଭ କରି ଗଣମାଧ୍ୟମର କଣ୍ଠରୋଧ କରାଯାଇଥିବାରୁ ତାହା ଦେଶବାସୀଙ୍କୁ ଅତିଷ୍ଠ କରିଥିଲା। ୨୫ ଜୁନ୍‌ ୧୯୭୫ରେ ଜରୁରିକାଳୀନ ପରିସ୍ଥିତି ଲାଗୁ ହେବା ଦିନଠାରୁ ପରବର୍ତ୍ତୀ ଶାସକ ଇନ୍ଦିରା ଓ କଂଗ୍ରେସକୁ ନିନ୍ଦା କରିଚାଲିଛନ୍ତି। ସେହି କ୍ରମରେ ଦେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉକ୍ତ ଦିନକୁ ମନେପକାଇ ଜରୁରିକାଳୀନ ପରିସ୍ଥିତିକୁ ପ୍ରତିରୋଧ କରିଥିବା ନେତାମାନଙ୍କୁ ସେମାନଙ୍କ ଅଦମ୍ୟ ସାହସ ପାଇଁ ଅଭିବାଦନ ଜଣାଇଛନ୍ତି। ଏକଚ୍ଛତ୍ରବାଦ ମନୋବୃତ୍ତିକୁ ଭାରତୀୟ ଗଣତାନ୍ତ୍ରିକ ଲୋକନୀତି ସଫଳତାର ସହ ପ୍ରତିହତ କରିପାରିଛି ବୋଲି ମୋଦି କହିଛନ୍ତି। ଅନୁରୂପ ଭାବେ ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ୨୫ ଜୁନ୍‌ ୧୯୭୫ରେ ପ୍ରକାଶିତ ଏକ ଖବରକାଗଜର କ୍ଲିପିଙ୍ଗ୍‌କୁ ସୋସିଆଲ ମିଡିଆରେ ଶେୟାର କରି ଉଲ୍ଲେଖ କରିଛନ୍ତି ଯେ, ଉକ୍ତ ଦିନ ରାଜନୈତିକ ସ୍ବାର୍ଥ ସାଧନ ଲାଗି ଦେଶର ଗଣତନ୍ତ୍ରକୁ ହତ୍ୟା କରାଯାଇଥିଲା। ୧୯୭୫ ମସିହା ପରେ ଜନ୍ମ ନେଇଥିବା ପିଢ଼ି ସେତେବେଳକାର ପରିସ୍ଥିତିକୁ ଅନୁଭବ କରି ନ ଥିବାରୁ ଏବେ ସେ ବିଷୟରେ ପଢ଼ି ବା ଶୁଣି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। କାରଣ ଜରୁରିକାଳୀନ ପରିସ୍ଥିତି କ୍ଷମତାକୁ ଜାବୁଡ଼ି ଧରିବା ଲାଗି ଅଭିପ୍ରେତ ଥିଲା।
ଏବେକା ସମୟକୁ ଦେଖିବା। ଗତ କିଛି ବର୍ଷ ହେବ ଭାରତରେ ଏକ ଅଦେଖା ଜରୁରିକାଳୀନ ପରିସ୍ଥିତି ଲାଗୁ ହୋଇ ଚାଲିଛି ବୋଲି ଅନେକେ ମତ ଦେଉଛନ୍ତି। ଜାତି, ଧର୍ମ, ଭାଷା, ଖାଦ୍ୟପେୟ, ପୋଷାକ ପରିଚ୍ଛଦ, ବିଚାର, ବୌଦ୍ଧିକ ପରିପ୍ରକାଶ ଆଦି ବିଭିନ୍ନ କ୍ଷେତ୍ରରେ ଅସହିଷ୍ଣୁତା କାୟାବିସ୍ତାର କରିିଛି। ସରକାରଙ୍କ ନକାରାତ୍ମକ କାର୍ଯ୍ୟକୁ ବିରୋଧ କରୁଥିବା ବ୍ୟକ୍ତି ଦେଶଦ୍ରୋହୀ ହୋଇଯାଉଥିବା ବେଳେ ସମର୍ଥନକାରୀ ବାହାବା ପାଉଛନ୍ତି। ଭାରତୀୟଙ୍କ ସୌନ୍ଦର୍ଯ୍ୟ ଏହାର ବିବିଧତାରେ ବାରି ହୋଇପଡ଼େ। ହେଲେ ସେହି ଚିନ୍ତାଧାରାକୁ ହତ୍ୟା କରାଯିବା ଲାଗି ସବୁ ଦିଗରୁ ଉଦ୍ୟମ ହେଉଥିବାର ନଜିର ବାରମ୍ବାର ଦେଖିବାକୁ ମିଳୁଛି। ବର୍ତ୍ତମାନ ସ୍ଥିତିକୁ ଅନିଷା କଲେ ଗୋଟିଏ ସପ୍ତାହରେ ଘଟିଥିବା ଦୁଇଟି ଘଟଣା ସାମ୍ନାକୁ ଆସୁଛି। ୨୨ ଜୁନ୍‌ରେ ଝାଡ଼ଖଣ୍ଡର ଷଢ଼େଇକଳା ଖରସୁଆଁ ଜିଲାରେ ଶତାଧିକ ଗ୍ରାମବାସୀଙ୍କ ମାଡ଼ରେ ମୁସଲ୍‌ମାନ ଯୁବକ ତବ୍‌ରୋଜ୍‌ ଅନ୍‌ସାରି ପ୍ରାଣ ହରାଇଥିଲେ। ଚୋରି ସନ୍ଦେହରେ ଉକ୍ତ ଯୁବକଙ୍କୁ ଧରିନିଆଯାଇ ‘ଜୟ ଶ୍ରୀରାମ’ କହିବା ଲାଗି ବାଧ୍ୟ କରାଯିବା ପରେ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ମାଡ଼ ମରାଯାଇଥିଲା। ୨୪ ଜୁନ୍‌ରେ ପୁଣି ‘ଜୟ ଶ୍ରୀରାମ’ ସ୍ଲୋଗାନ୍‌ ଦେବାକୁ କୋଲକାତାର ଜଣେ ମଦ୍ରାସା ଶିକ୍ଷକଙ୍କୁ ଟ୍ରେନ୍‌ ଭିତରେ କେତେ ଜଣ ବାଧ୍ୟ କରିଥିଲେ। ତାହା ସେ ନ କହିବାରୁ ତାଙ୍କୁ ଟ୍ରେନ୍‌ ତଳକୁ ଠେଲି ଦିଆଯାଇଥିବା ଖବର ପ୍ରକାଶ ପାଇଛି। ଯଦି ନିକଟ ଅତୀତକୁ ଲକ୍ଷ୍ୟ କରାଯାଏ, ଉତ୍ତରପ୍ରଦେଶ ଦାଦ୍ରିର ମହମ୍ମଦ ଅଖଲାଖଙ୍କ ହତ୍ୟାଠାରୁ ହେତୁବାଦୀ ନରେନ୍ଦ୍ର ଅଚ୍ୟୁତ ଡାଭଲକର ଓ ଲେଖିକା ଗୌରୀ ଲଙ୍କେଶଙ୍କ ମୃତ୍ୟୁଯାଏ ଅସହିଷ୍ଣୁତାର ଅନେକ ଉଦାହରଣ ମିଳିବ।
ଗୋଟିଏ ପଟେ ଧର୍ମଭିତ୍ତିକ ହିଂସା ବ୍ୟାପୁଥିବା ବେଳେ ହିନ୍ଦୀକୁ ଦେଶବ୍ୟାପୀ ପ୍ରଚଳନ ଲାଗି ମସୁଧା ଆଜିର ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବିଚଳିତ କରିବା ସ୍ବାଭାବିକ। ଭାଷା ହେଉଛି ସଂସ୍କୃତିର ମୂଳ ଆଧାର। ଓଡ଼ିଶାରେ ନିଜ ଭାଷା ପ୍ରତି ପ୍ରେମ ଜନ୍ମାଇଲା ଭଳି ନେତୃତ୍ୱ, ଉଭୟ ରାଜନୈତିକ ଓ ସାଂସ୍କୃତିକ, ଚେର ଧରି ନ ଥିବାରୁ ଏହି ରାଜ୍ୟରେ ହିନ୍ଦୀର ଆକ୍ରମଣ ପ୍ରତି ଅଧିକାଂଶ ନାଗରିକ ସଚେତନ ହୋଇପାରୁ ନାହାନ୍ତି। ଓଡ଼ିଆଙ୍କ ଦୁର୍ବଳ ଭାଷା ପ୍ରେମ ଏହି ରାଜ୍ୟର ଐତିହ୍ୟକୁ ଧ୍ୱଂସ କରିଦେବାର ସବୁ ଆଶଙ୍କା ସୃଷ୍ଟି ହେଉଛି। ତାମିଲନାଡୁ ଭଳି ରାଜ୍ୟରେ ହିନ୍ଦୀ ପ୍ରତି ବିରୋଧ ଯୋଗୁ ଏହି ଦେଶରେ ଆଜି ପର୍ଯ୍ୟନ୍ତ ଭାଷାର ଭାରସାମ୍ୟ ବଜାୟ ରହିଛି। କିନ୍ତୁ ସବୁ ସମୟରେ ତାହା ତିଷ୍ଠି ରହିପାରିବ ବୋଲି କହିବା କଷ୍ଟକର। ଓଡ଼ିଆଙ୍କ ଓଡ଼ିଆପ୍ରୀତି ସୃଷ୍ଟି ହୋଇ ନ ଥିବା ପଛରେ ଏହି ଜାତିର ହୀନମନ୍ୟତା ମୂଳ କାରଣ।
ଶାସନରେ ଯାହା ସର୍ବଗ୍ରାହ୍ୟ ହୋଇ ନ ଥାଏ, ତାହା ସମାଲୋଚନାଯୋଗ୍ୟ। ଏହି ଚିନ୍ତାଧାରାରୁ ଖିଅ ଟାଣି ତର୍ଜମା କରାଗଲେ ସ୍ବାଧୀନ ମତପୋଷଣ କରୁଥିବା ବ୍ୟକ୍ତି ବର୍ତ୍ତମାନର ଶାସକଙ୍କ ବିରୋଧରେ ଅଭିଯୋଗ ଆଣିବା ସ୍ବାଭାବିକ। ଜରୁରିକାଳୀନ ପରିସ୍ଥିିତି ଲାଗୁ ହେବାର ୪୪ବର୍ଷ ପରେ ଯଦି ସେତେବେଳକାର ଶାସକଙ୍କୁ ଭୁଲ କାର୍ଯ୍ୟ ପାଇଁ ଗାଳି ଦିଆଯାଇପାରୁଛି, ଏବେ ଯେଉଁମାନେ ତ୍ରୁଟି କରୁଛନ୍ତି ଭବିଷ୍ୟତ ପିଢ଼ି ମଧ୍ୟ ସେମାନଙ୍କୁ ସମାନ ଦୃଷ୍ଟିରେ ଦେଖିବାରୁ କେହି ବାରଣ କରିପାରିବେ ନାହିଁ। ଏଠାରେ ମନେରଖିବାକୁ ହେବ ଯେ, ‘ଇତିହାସ’ ସବୁବେଳେ ପୂର୍ବର କାଳଖଣ୍ଡକୁ ଦର୍ଶାଇ ନ ଥାଏ। ଆଜିର ମଣିଷ ଯେଉଁ କାର୍ଯ୍ୟ କରୁଛି, ତାହା ଇତିହାସ ସୃଷ୍ଟି କରିବାର ଅଙ୍ଗ ପାଲଟିଯାଉଛି। ସେଥିପାଇଁ ଆଜିର ପ୍ରତ୍ୟେକଟି ନିଷ୍ପତ୍ତି ଓ ପଦକ୍ଷେପ ଯେଉଁ ଇତିହାସରେ ଲିପିବଦ୍ଧ ହେଉଛି, ତାହା ସମ୍ଭବତଃ ୪୪ ବର୍ଷ ଏବଂ ଅଧିକ ସମୟ ପରେ ଆଲୋଚନାର ବିଷୟ ହେବ। ସେତେବେଳକାର ସଚେତନ ନାଗରିକ ଆଜିର କାର୍ଯ୍ୟର ଭଲ କିମ୍ବା ଭେଲର ଗଭୀରତାକୁ ମାପିପାରିବେ। ସେଥିପାଇଁ ଆମ ସମସ୍ତଙ୍କୁ ପ୍ରତ୍ୟେକ ପଦକ୍ଷେପ ପ୍ରତି ସଚେତନ ରହିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri