ସମାଜ ପରିବର୍ତ୍ତନରେ ପୋଲିସ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ଭୁବନେଶ୍ୱର-କଟକ ଟୁଇନସିଟି ପୋଲିସ କମିଶନର ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଡ. ସୁଧାଂଶୁ ଷଡ଼ଙ୍ଗୀ। ଟୁଇନସିଟିରେ ଅପରାଧ ନିୟନ୍ତ୍ରଣ, ନିଶା କାରବାରରେ ରୋକ, ଟ୍ରାଫିକ୍‌ ସୁପରିଚାଳନା, ନିରପେକ୍ଷ ତଥ୍ୟଭିତ୍ତିକ ତଦନ୍ତ, ଜନସାଧାରଣଙ୍କୁ ପୋଲିସର ଉତ୍ତମ ବ୍ୟବହାର ପ୍ରଦର୍ଶନ, ଶିଶୁ ମହିଳାଙ୍କ ସୁରକ୍ଷା, ଆବଶ୍ୟକ ସ୍ଥାନରେ ନୂତନ ଥାନା ଫାଣ୍ଡି ନିର୍ମାଣ, ତାଙ୍କ ପାଇଁ ରହିଛି ବଡ଼ ଚ୍ୟାଲେଞ୍ଜ। ୧୯୬୮ରେ ଢେଙ୍କାନାଳ ଜିଲାରେ ଜନ୍ମଗ୍ରହଣ କରିଥିବା ସୁଧାଂଶୁ ୧୯୮୭ରେ ରେଭେନ୍ସାରୁ ରାଜନୀତି ବିଜ୍ଞାନରେ ସ୍ନାତକ, ୧୯୮୯ରେ ଦିିଲ୍ଲୀ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ୨୦୦୫ରେ ୟୁନାଇଟେଡ କିଙ୍ଗ୍‌ଡମ ଲିଭରପୁଲ ବିଶ୍ୱିଦ୍ୟାଳୟରୁ ଇନ୍‌ଭେଷ୍ଟିଗେଟିଭ୍‌ ସାଇକୋଲୋଜିରେ ଏମ୍‌ଏସ୍‌ସି ଓ ୨୦୧୦ରେ ଲିଭରପୁଲ ବିଶ୍ୱବିଦ୍ୟାଳୟରୁ ସାଇକୋଲୋଜିରେ ପିଏଚ୍‌ଡି ହାସଲ କରିଛନ୍ତି। ଶିକ୍ଷାଗତ ଜୀବନରେ ସେ ଯେମିତି ସଫଳତା ପାଇଛନ୍ତି, ଚାକିରି ଜୀବନରେ ମଧ୍ୟ ଗୋଟିଏ ପରେ ଗୋଟିଏ ସଫଳତାର ଶିଡ଼ି ଚଢ଼ି ଚଢ଼ି ଚାଲିଛନ୍ତି। ସେ ମାଲକାନଗିରି, ସୁନ୍ଦରଗଡ଼, ବ୍ରହ୍ମପୁର ବାଲେଶ୍ୱର ଏବଂ କେନ୍ଦୁଝର ଜିଲାରେ ଏସ୍‌ପି ଭାବେ କାର୍ଯ୍ୟ କରିବା ସହ ଆଇଜି ଅପରେଶନ, ସିଏମ୍‌ଡି, ଓଡିଶା ପୋଲିସ ହାଉସିଂ କର୍ପୋରେଶନରେ କାର୍ଯ୍ୟ କରିଛନ୍ତି। ଏଥିସହ ସେ ଭାରତ ସରକାରଙ୍କର କ୍ୟାବିନେଟ ସେକ୍ରେଟାରିଏଟରେ ଡେପୁଟେଶନରେ ଯାଇ ମଧ୍ୟ କାର୍ଯ୍ୟ କରିଛନ୍ତି। ତେବେ ଶିକ୍ଷା ଏବଂ ଚାକିରି ଜୀବନର ଅଭିଜ୍ଞତାକୁ ନେଇ ଟୁଇନସିଟିର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ସୁଚାରୁରୂପେ ତୁଲାଇବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ନୂତନ ଭାବେ ଦାୟିତ୍ୱ ଗ୍ରହଣ ଅବସରରେ କମିଶନର ସୁଧାଂଶୁଙ୍କ ସହ ସ୍ବତନ୍ତ୍ର ସାକ୍ଷାତ।

ଟୁଇନସିଟିରେ ଅପରାଧ ବଢିବା ସହ ଆଇନ ଶୃଙ୍ଖଳାକୁ ନେଇ ପୋଲିସ ସମସ୍ୟା ବଢିବାରେ ଲାଗିଛି। ଏହା କିପରି ଦୂର ହେବ?
ସମାଜରେ ପରିବର୍ତ୍ତନ ଆଣିବାରେ ପୋଲିସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କମିଶନର କାର୍ଯ୍ୟଭାର ଗ୍ରହଣ କରିବା ପରେ ପ୍ରଥମେ ପୋଲିସ ଅଧିକାରୀଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛି। ପୋଲିସ ବିଭାଗକୁ ନିଷ୍ଠାପର ଭାବେ ଉନ୍ନତ ଜ୍ଞାନ କୌଶଳ ଜରିଆରେ କାର୍ଯ୍ୟକରିବାର ଆବଶ୍ୟକତା ରହିଛି। ୨୦୦୫ରୁ ବର୍ତ୍ତମାନ ସୁଦ୍ଧା ୧୧ଲକ୍ଷ ୮୭ହଜାର ଏତଲା ପଞ୍ଜୀକରଣର ତଥ୍ୟ କମ୍ପ୍ୟୁଟରରେ ରହିଛି। ଇତିମଧ୍ୟରେ କେତେ ଜଣ ଗିରଫ ହୋଇଛନ୍ତି, ଏପରି କି କେତେଜଣ ଏକାଧିକବାର ଗିରଫ ହୋଇଛନ୍ତି ତାହାର ରେକର୍ଡ ରହିଛି। ଏସମସ୍ତ ତଥ୍ୟକୁ ବିଶ୍ଲେଷଣ କରି ପ୍ରଥମେ ଏକ ତାଲିକା ପ୍ରସ୍ତୁତ କରାଯିବ। ପରେ ଏହାକୁ ସମସ୍ତ ଥାନାର ଅଧିକାରୀଙ୍କ ମୋବାଇଲକୁ ଦିଆଯିବ। ଯାହାଫଳରେ ଅପରାଧୀଙ୍କୁ ଧରିବାରେ ସହଜ ହୋଇପାରିବ ଏବଂ ଅପରାଧର ହାର କମି ପାରିବ।
କମିଶନରେଟ ପୋଲିସ ଯେଉଁ ଉଦ୍ଦେଶ୍ୟରେ ଗଠନ ହୋଇଥିଲା, ତାହା ଲକ୍ଷ୍ୟଚ୍ୟୁତ ହୋଇଛି କି? କମିଶନରେଟ ପୋଲିସ କିପରି ଲୋକମାନଙ୍କୁ ଅଧିକ ଉନ୍ନତମାନର ସେବା ଯୋଗାଇ ପାରିବ?
ପୂର୍ବାପେକ୍ଷା ପୋଲିସ ଜନସାଧାରଣଙ୍କ ମଧ୍ୟରେ ଥିବା ସମ୍ପର୍କରେ ଯଥେଷ୍ଟ ଉନ୍ନତି ଘଟିଛି। ବିଭିନ୍ନ ଯାନିଯାତ୍ରା ଏବଂ ଜାତୀୟ, ଅନ୍ତର୍ଜାତୀୟ ଇଭେଣ୍ଟ ସୁରୁଖୁରୁରେ କରାଯାଇ ପାରୁଛି। ଗୋଟିଏ ବ୍ୟବସ୍ଥାର ସଫଳତା ବିଫଳତାକୁ ୧୦ ବର୍ଷରେ ମାପିବା ଠିକ୍‌ ହେବନି। ଗ୍ରାମାଞ୍ଚଳରେ ସମସ୍ୟା ହେଲେ ଗାଁର ଭାଇବନ୍ଧୁ ସହଯୋଗର ହାତ ବଢାନ୍ତି। କିନ୍ତୁ ସହରରେ କିଛି ସମସ୍ୟା ହେଲେ କେହି କାହାକୁ ଚିହ୍ନି ନ ଥିବାରୁ ପୋଲିସର ଭୂମିକା ବଡ଼ ଗୁରୁତ୍ୱପୂର୍ଣ୍ଣ। ଏଦିଗରେ କିପରି ପୋଲିସ ଆହୁରି ଲୋକଙ୍କ ନିକଟତର ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ମାମଲା ପଞ୍ଜିକରଣ ହେଲେ ଅଭିଯୋଗକାରୀଙ୍କ ମୋବଇଲକୁ ତଦନ୍ତ ସମ୍ପର୍କିତ ସମସ୍ତ ସୂଚନା ଦିଆଯିବ। ଯାହାଦ୍ୱାରା ପୋଲିସ କ’ଣ କରୁଛି ଲୋକମାନେ ଜାଣିପାରିବେ ଏବଂ ଉଭୟଙ୍କ ମଧ୍ୟରେ ସମ୍ପର୍କ ଅଧିକ ମଜଭୁତ ହେବ।
କମିଶନରେଟ ପୋଲିସ ଅଧୀନରେ ଥିବା ଥାନାରେ ଅନେକ ମାମଲାରେ ତଦନ୍ତ ପରେ ମଧ୍ୟ ଅପରାଧୀଙ୍କ ପତ୍ତା ପାଉନି ପୋଲିସ, ଏନେଇ କି ପଦକ୍ଷେପ ନେବେ?
ପୋଲିସ ବିଭାଗ ଇଣ୍ଟେଲିଜେନ୍ସ ଓ ଟେକ୍ନୋଲୋଜିକୁ ସର୍ବଦା ପ୍ରାଥମିକତା ଦେଇ ଆସୁଛି। ପୋଲିସ ନିକଟରେ ଯଦି ଖବର ରହିବ ନାହିଁ, ଅପରାଧୀ କିଏ, ଦେଖବାକୁ କେମତି, ସେ କେଉଁଠାରେ ରହୁଛି, ସେକ୍ଷେତ୍ରରେ ତଦନ୍ତ ପ୍ରକ୍ରିୟା ବିଳମ୍ବ ଘଟିବା ସହ ଅପରାଧୀଙ୍କୁ ଧରିବା କଷ୍ଟକର ହେବ। ତେଣୁ ପେସାଦାର ଅପରାଧୀ, ଡ୍ରଗ୍ସ କାରବାର, ଗ୍ୟାଙ୍ଗ ଓ୍ବାର ଉପରେ ସ୍ବତନ୍ତ୍ର ଟିମ୍‌ କରାଯାଇ ନଜର ରଖାଯିବ। ଆଉ ଏହାକୁ ଉପରିସ୍ଥ ଅଧିକାରୀମାନେ କମିଶନରେଟ ମୁଖ୍ୟାଳୟରୁ ନିୟନ୍ତ୍ରଣ କରିବେ। ସେ ଦିଗରେ ମୁଁ ଉଦ୍ୟମ କରିବି। ଥାନାଗୁଡ଼ିକୁ ଯାଇ ଅଧିକାରୀଙ୍କ ଠାରୁ ଆରମ୍ଭ କରି କନଷ୍ଟେବଳଙ୍କ ସହ ଆଲୋଚନା କରି ଗାଇଡ କରିବି।
ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ ହୋଇପଡୁଛି, ଅନେକ ସମୟରେ ଏନେଇ କି ପଦକ୍ଷେପ ନେବେ?
ଟ୍ରାଫିକ ସମସ୍ୟା ଏକ ବଡ଼ ଚ୍ୟାଲେଞ୍ଜ। ଏହି ସମସ୍ୟାର ସମାଧାନ ପାଇଁ ଅନେକ ସ୍ଥାନରେ ଓଭରବ୍ରିଜ୍‌ ନିର୍ମାଣ ହୋଇଥିଲେ ସୁଦ୍ଧା ମୁଖ୍ୟସମସ୍ୟା ଓଭରବ୍ରିଜ ତଳେ ରହିଯାଇଛି। ଅନେକ ସ୍ଥାନରେ ଓଭରବ୍ରିଜ୍‌ ତଳେ ଲାଇଟ ନାହିଁ। ଓଭରବ୍ରିଜ ସଂଯୋଗସ୍ଥଳରେ ରାସ୍ତା ଅଣଓସାରିଆ ରହିଛି। ରାସ୍ତା ଉପରେ ବସ୍‌ ରଖି ଯାତ୍ରୀମାନଙ୍କୁ ଉଠାଯାଉଛି। ଫଳରେ ଟ୍ରାଫିକ୍‌ ସମସ୍ୟା ଉତ୍କଟ ହେଉଛି। ବିଶେଷକରି କଟକରେ ଟ୍ରାଫିକ୍‌ ପରିସ୍ଥିତି ସଙ୍ଗିନ। ତେଣୁ ଏହି ସମସ୍ୟା ଉପୁଜୁଥିବା ସ୍ଥାନରେ ଏବେ ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯିବ। ସେମାନେ ଡ୍ରାଇଭରମାନଙ୍କୁ ଗାଇଡ କରିବେ। ଏଥିସହ ବିଭିନ୍ନ ବିଭାଗ ସହ ଆଲୋଚନା କରାଯାଇ ଏହି ସମସ୍ୟା ଗୁଡିକର ସ୍ଥାୟୀ ସମାଧାନର ବାଟ କଢାଯିବ।
ଅନେକ ଥାନାରେ ମହିଳା, ଶିଶୁ ଡେସ୍କ ଠିକରେ କାର୍ଯ୍ୟ କରୁନି, ଏହାକୁ କିପରି ସମାଧାନ କରିବେ?
ଦେଖନ୍ତୁ କମିଶନରେଟ ପୋଲିସ ଅଧୀନରେ ଅନେକ କନଷ୍ଟେବଳ ଭଉଣୀଭାଇ ରହିଛନ୍ତି। ସେମାନଙ୍କୁ ଦରମା ମିଳୁଛି ମାତ୍ର କାଗଜପତ୍ର କାମ ଦିଆ ନ ଯିବାରୁ ସେମାନେ ଅନେକ ସମୟରେ ଲ ଆଣ୍ଡ ଅର୍ଡର ଡ୍ୟୁଟିରେ କେବଳ ଠିଆହୋଇ ରହୁଛନ୍ତି। ସେମାନଙ୍କୁ ଉଚିତ୍‌ ପ୍ରଶିକ୍ଷଣ ଦେଇ କାର୍ଯ୍ୟରେ ଲଗାଯାଇ ପାରିଲେ ଥାନାରେ ଥିବା ମହିଳା ଓ ଶିଶୁ ଡେସ୍କ ଠିକ୍‌ ଭାବେ କାର୍ଯ୍ୟ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଜଳବନ୍ଦୀଙ୍କୁ ଘାରୁଛି ସାପ ଭୟ

ଭୁବନେଶ୍ୱର,୧୮।୮(ବ୍ୟୁରୋ) : ଏବେ ଓଡ଼ିଶାର ଉତ୍ତର ଓ ଉପକୂଳ ଜିଲାଗୁଡିକରେ ବନ୍ୟା ବିତ୍ପାତ ଦେଖାଦେଇଛି। ବହୁ ଗାଁ ପାଣି ଘେରରେ ଥିବାବେଳେ ଲୋକେ ଜଳବନ୍ଦୀ ହୋଇ...

ଜଳ ସମସ୍ୟା ଦୂର ଲାଗି ଟୋଲ୍‌ ଫ୍ରି ନମ୍ବର

ଭୁବନେଶ୍ୱର, ୧୬ା୪(ବ୍ୟୁରୋ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଭୟ ଗ୍ରାମ ଏବଂ ସହରାଞ୍ଚଳରେ ଲୋକେ ଯେଭଳି ସୁରୁଖୁରୁରେ ପାନୀୟଜଳ ପାଇବେ ସେନେଇ ବୁଧବାର ଏକ ଉଚ୍ଚସ୍ତରୀୟ...

‘ଅଭିଯୋଗ ସମାଧାନ ବ୍ୟବସ୍ଥା ସୁଦୃଢ଼ ହୋଇଛି’

ଭୁବନେଶ୍ୱର, ୫।୧୨(ବ୍ୟୁରୋ): ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଭାରତ ସରକାରଙ୍କ ସ୍ତରରେ ଅଣାଯାଇଥିବା ପରିବର୍ତ୍ତନ ରାଜ୍ୟ ଓ ଜିଲାସ୍ତରରେ ପ୍ରତିଫଳିତ ହେବା ଦରକାର। ଏକ...

ବିଲରୁ ଚାଷୀ ଧାନ ଉଠାଇ ପାରୁନାହାନ୍ତି

ଜଗତ୍‌ସିଂହପୁର ଅଫିସ, ୨।୧୨: ଜଗତ୍‌ସିଂହପୁର ଜିଲାର ଚାଷୀକୁଳ ସମ୍ଭାବ୍ୟ ବାତ୍ୟା ଜୱାଦକୁ ନେଇ ଚିନ୍ତାରେ ପଡିଛନ୍ତି। ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ...

ଦୁଇ ପରିବାରକୁ ସାମାଜିକ ବାସନ୍ଦ: ଗାଁରେ ଉତ୍ତେଜନା

ପୁରୁଷୋତ୍ତମପୁର,୧୯ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ଗ୍ରାମରେ ଗୁଣିଗାରେଡ଼ି ଅନ୍ଧବିଶ୍ବାସ ଓ ସାମାଜିକ ବାସନ୍ଦ ଭଳି ଘଟଣା ଘଟି ଗ୍ରାମଗୁଡ଼ିକରେ ଅଶାନ୍ତି ଲାଗି ରହିବା ସହ ହତ୍ୟାକାଣ୍ଡ...

କୋଭିଡ୍‌ ଟେଷ୍ଟ ଭୟରେ ଗାଁ ଛାଡି ଜଙ୍ଗଲରେ ଗ୍ରାମବାସୀ

ଦାରିଙ୍ଗବାଡି,୨୩।୫: ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ବୁରାଙ୍ଗିଆ ଗ୍ରାମ ସମେତ ଆଖପାଖ ଅଞ୍ଚଳରେ କରୋନାକୁ ନେଇ ଆତଙ୍କ ଦେଖାଯାଇଛି। ଝାରମୁଣ୍ଡା ଗ୍ରାମରେ ଗତ ସପ୍ତାହରେ ଜ୍ୱରରେ...

ବକେୟା ୨ ହଜାର ଟଙ୍କା ନ ଦେବାରୁ ଠିକାଦାରଙ୍କୁ ହତ୍ୟା

କବିସୂର୍ଯ୍ୟନଗର,୧୬ା୪: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଧୀନ ଏ. ବରିଡ଼ା ଗାଁ ଦାଣ୍ଡରେ ଶୁକ୍ରବାର ଜଣେ ଠିକାଦାରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଠିକାଦାର ବକେୟା...

ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ହସ୍ପିଟାଲରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ଡାକ୍ତର ନିଯୁକ୍ତି ପାଇଁ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ପଟ୍ଟାମୁଣ୍ଡାଇ, ୧୨।୧୦ (ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ହସ୍ପିଟାଲରେ ଡାକ୍ତର ଅଭାବ ଯୋଗୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ହସ୍ପିଟାଲକୁ ଦୈନିକ ୫ ଶହରୁ ଅଧିକ ରୋଗୀ...

Advertisement
Archives

Model This Week