
ଯାଜପୁର ଅଫିସ,୨୨ା୬: ଯାଜପୁର ଜିଲା ସଡକ ସୁରକ୍ଷା ସମ୍ପର୍କିତ ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ(ଏନ୍ଏଚ୍ଏଆଇ) ଓ ପୌର ପ୍ରଶାସନର ତଥ୍ୟ ପ୍ରଦାନରେ ଅବହେଳା ଯୋଗୁ ସଡ଼କ ସୁରକ୍ଷା ଆକ୍ସନ ପ୍ଲାନ ପ୍ରସ୍ତୁତିରେ ବିଳମ୍ବ ହେଉଥିବାରୁ ବିରକ୍ତି ପ୍ରକାଶ କରିଛନ୍ତି ଜିଲାପାଳ ରଞ୍ଜନ କୁମାର ଦାସ। ଏଥିସହ ଉଭୟ ଏନ୍ଏଚ୍ଏଆଇ ଓ ପୌରପ୍ରଶାସନକୁ ନୋଟିସ୍ ଜାରି କରିଛନ୍ତି। ଜିଲାପାଳ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହେଲ୍ମେଟ ଚେକିଂକୁ ଗୁରୁତ୍ୱ ଦିଆଯାଇଛି। ପୂର୍ବରୁ ହେଲମେଟ୍ ଚେକିଂ ସମୟରେ ହେଲମେଟ ପିନ୍ଧି ନ ଥିବା ବାଇକ ଚାଳକଙ୍କୁ ୧୦୦ ଟଙ୍କା ଜରିମାନା କରାଯାଉଥିବା ବେଳେ ବର୍ତ୍ତମାନ ତାହା ୫୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ଜିଲାପାଳ କହିଥିଲେ ା ଯୁଗ୍ମ ଧରପଗଡ କରାଯାଇ ସଡ଼କ ସୁରକ୍ଷା ନିୟମକୁ ଊଲ୍ଲଂଘନ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାସ୍ତା ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଚେକିଂ, ଦ୍ରୁତ ଗାଡିକୁ ନିୟନ୍ତ୍ରଣ ପାଇଁ ରୋଡ ବ୍ୟାରିୟର, ସପ୍ତାହରେ ଗୋଟିଏ ଦିନ ଜିରୋ ଟଲେରାନ୍ସ ଦିବସ ମାଧ୍ୟମରେ ସଚେତନତା ସୃଷ୍ଟି ଉଦ୍ୟମ, ସ୍କୁଲ ବସ୍ ଗୁଡିକୁ ଅନୁଧ୍ୟାନ ଓ ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳ ଗୁରୁତ୍ୱ ଦେଇଥିଲେ। ବିଭିନ୍ନ ସତର୍କତାମୂଳକ ଫଳକ ବ୍ୟବହାର, ପାର୍କିଂ ସ୍ଥାନ ଚିହ୍ନଟ ଓ ଫଳକ ପ୍ରଦର୍ଶନ, ଅବାଞ୍ଛିତ ହମ୍ପସ୍ ଗୁଡିକୁ ଅପସାରଣ ଇତ୍ୟାଦିକୁ ମଧ୍ୟ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା, ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି, ଚଣ୍ଡିଖୋଲ ଆରଟିଓ ଲାଲ୍ ମୋହନ ସେଠ, ଯାଜପୁର ଭାରପ୍ରାପ୍ତ ଆରଟିଓ, ବ୍ଳ୍କ ଶିକ୍ଷା ଅଧିକାରୀ ସ୍ମୃତିରେଖା ନାୟକ, ଏଡିଏମଓ ରୁଦ୍ର ପ୍ରତାପ କର, ସଦସ୍ୟ ପଦ୍ମନାଭ ଜେନା, ଅଶୋକ ପୁହାଣ, ଅନ୍ୟାନ୍ୟ ସଡକ ସୁରକ୍ଷା କମିଟିର ସଦସ୍ୟମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।