ସଙ୍କଟରେ ଉଚ୍ଚଶିକ୍ଷା

ପ୍ରଫୁଲ୍ଲ ମହାପାତ୍ର

ଉଚ୍ଚଶିକ୍ଷା କ୍ଷେତ୍ରରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ଥାନ ସ୍ବତନ୍ତ୍ର। ମହାବିଦ୍ୟାଳୟଗୁଡ଼ିକ ଉଚ୍ଚଶିକ୍ଷା ଦାନକରି ବିଦ୍ୟାର୍ଥୀମାନଙ୍କୁ ବିଶ୍ୱବିଦ୍ୟାଳୟସ୍ତରରେ ଉଚ୍ଚତର ଶିକ୍ଷା ପାଇବା ପାଇଁ ପ୍ରସ୍ତୁତ କରନ୍ତି ଏବଂ ଏଥିପାଇଁ ବିଶ୍ୱବିଦ୍ୟାଳୟଗୁଡ଼ିକର ଦିଗ୍‌ଦର୍ଶନର ସାହାଯ୍ୟ ମଧ୍ୟ ନିଆଯାଇଥାଏ। ବିଶ୍ୱବିଦ୍ୟାଳୟସ୍ତରର ଶିକ୍ଷାକୁ ଏହି କାରଣରୁ ଉଚ୍ଚତର ଶିକ୍ଷା କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଶିକ୍ଷାଦାନ ସହ ଗବେଷଣା ଏବଂ ମୁକ୍ତ ଚିନ୍ତନ ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ବତନ୍ତ୍ର ପରିଚୟ। ବୁଦ୍ଧି ଓ ବିଚାର ଶକ୍ତି ବ୍ୟତିରେକେ ଅନ୍ୟ କୌଣସି ପ୍ରକାର ନିୟନ୍ତ୍ରଣ ବିଶ୍ୱବିଦ୍ୟାଳୟକୁ ସ୍ପର୍ଶ କରିବା ଅନୁଚିତ। କାରଣ ସ୍ବାଧୀନ ଚିନ୍ତା ଓ ବୌଦ୍ଧିକ ସ୍ବାତନ୍ତ୍ର୍ୟ ବିଶ୍ୱବିଦ୍ୟାଳୟ ପରିକଳ୍ପନାର ଏକ ଅପରିହାର୍ଯ୍ୟ ବିଭାବ। ଏହି ସ୍ବତନ୍ତ୍ରତା ବଳରେ ସାରା ବିଶ୍ୱରେ ବିଶ୍ୱବିଦ୍ୟାଳୟଗୁଡ଼ିକ ନିଜ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଆମ ଦେଶର ନାଳନ୍ଦା, ତକ୍ଷଶିଳା, ପୁଷ୍ପଗିରି ଆଦି ବିଶ୍ୱସ୍ତରୀୟ ଜ୍ଞାନପୀଠ ହେବାର ମର୍ଯ୍ୟାଦା ଲାଭ କରି ଦେଶ ବିଦେଶରୁ ପର୍ଯ୍ୟଟକ ଓ ବିଦ୍ୟାର୍ଥୀମାନଙ୍କୁ ଆକୃଷ୍ଟ କରୁଥିଲେ। ପ୍ରାଚୀନ ଭାରତରେ ଗୁରୁକୁଳଗୁଡ଼ିକରେ ରାଜପୁତ୍ରମାନେ ସାଧାରଣ ବିଦ୍ୟାର୍ଥୀଙ୍କ ସହ ବିଦ୍ୟା ଶିକ୍ଷା କରୁଥିଲେ। ରାଜାମହାରାଜାମାନେ ଏହି ପ୍ରକ୍ରିୟାରେ ହସ୍ତକ୍ଷେପ କରୁ ନ ଥିଲେ, ଅଧିକନ୍ତୁ ସେମାନେ ଗୁରୁକୁଳଗୁଡ଼ିକର ସୁରକ୍ଷା ଓ ସୁପରିଚାଳନାରେ ଯଥେଷ୍ଟ ପୃଷ୍ଠପୋଷକତା କରୁଥିଲେ। ପାଶ୍ଚାତ୍ୟ ଦେଶଗୁଡ଼ିକରେ ଅନୁରୂପ ଆଦର୍ଶରେ ଅନେକ ବିଶ୍ୱବିଦ୍ୟାଳୟ ଗଢ଼ି ଉଠିଥିଲା। ଯେଉଁ ଅନୁଷ୍ଠାନଗୁଡିକରେ ଶିକ୍ଷକ ଓ ଶିକ୍ଷାର୍ଥୀମାନେ ମୁକ୍ତଭାବରେ ସେମାନଙ୍କ ବୌଦ୍ଧିକ ଅନ୍ବେଷଣରେ ବ୍ୟାପୃତ ହେଲେ, ଏଥିରେ କୌଣସି ରାଜକୀୟ ବା ରାଷ୍ଟ୍ରୀୟ ହସ୍ତକ୍ଷେପ ରହୁ ନ ଥିଲା। ଆମ ଦେଶରେ ଚରକ, ଆର୍ଯ୍ୟଭଟ୍ଟ ଓ ବରାହମିହିରଙ୍କୁ ଚିକିତ୍ସାବିଜ୍ଞାନ, ଗଣିତ ଓ ଜ୍ୟୋତିଷ ବିଦ୍ୟାରେ ତତ୍ତ୍ୱ ସବୁ ଉଦ୍ଭାବନ କରିବାକୁ କେହି ଆଦେଶ ବା ନିର୍ଦ୍ଦେଶ ଦେଇ ନ ଥିଲେ। ସେ ଦେଶଗୁଡ଼ିକରେ ମଧ୍ୟ ଆଇନଷ୍ଟାଇନ୍‌ଙ୍କୁ ଆପେକ୍ଷିତତା ତତ୍ତ୍ୱ ପ୍ରଣୟନ କରିବା ପାଇଁ କୌଣସି ସରକାରୀ ନିର୍ଦ୍ଦେଶ ଜାରି କରାଯାଇ ନଥିଲା। ନିଉଟନ୍‌ଙ୍କୁ ଗତିର ନିୟମ ଆବିଷ୍କାର କରିବାକୁ କେଉଁଠାରୁ ନିର୍ଦ୍ଦେଶ ନ ଥିଲା। ସେମାନେ ସମସ୍ତେ ସ୍ବାଧୀନ ଭାବରେ ପ୍ରକୃତି ପର୍ଯ୍ୟବେକ୍ଷଣ ଓ ବୌଦ୍ଧିକ ଅନୁସନ୍ଧାନ କରିବାରେ ବ୍ୟାପୃତ ରହି ନିଜ ନିଜର ଲବ୍ଧଜ୍ଞାନ ବିତରଣ କରିଥିଲେ।
ବୌଦ୍ଧିକ ସ୍ବାତନ୍ତ୍ର୍ୟ ଏବଂ ଶିକ୍ଷା ଓ ଗବେଣଣାରେ ପୂର୍ଣ୍ଣ ସ୍ବାଧୀନତା ବିଶ୍ୱସାରା ବିଶ୍ୱବିଦ୍ୟାଳୟଗୁଡ଼ିକୁ ସେମାନଙ୍କ ପରିଚୟ ଓ ପ୍ରତିଷ୍ଠା ପ୍ରଦାନ କରିଛି। ଅକ୍ସଫୋର୍ଡ,କେମ୍ବ୍ରିଜ୍‌ ହେଉ କିମ୍ବା ହାର୍ଭାର୍ଡ, ପ୍ରିନ୍ସଟନ୍‌ ହେଉ ପୃଥିବୀର ସମସ୍ତ ନଁା କରା ବିଶ୍ୱବିଦ୍ୟାଳୟ ସମ୍ପୂର୍ଣ୍ଣ ସ୍ବାଧୀନ ଭାବରେ ଜ୍ଞାନ ସନ୍ଧାନ କରି ନିଜ ନିଜର ପରିଚୟ ସୃଷ୍ଟି କରିଛନ୍ତି।
ଏଥିପାଇଁ ଏମାନେ ସରକାରୀ ପ୍ରୋତ୍ସାହନ ପାଇଛନ୍ତି, ମାତ୍ର ସରକାରୀ ମାଲିକାନାରେ ଏମାନେ ନିୟନ୍ତ୍ରିତ ନୁହନ୍ତି। ଏସବୁ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ସମ୍ପୂର୍ଣ୍ଣ ବେସରକାରୀ ଶିକ୍ଷାନୁଷ୍ଠାନ । ଆମ ଦେଶରେ ଆଧୁନିକ ବିଶ୍ୱବିଦ୍ୟାଳୟଗୁଡ଼ିକ ଉପରୋକ୍ତ ଆଦର୍ଶ ଓ ଢାଞ୍ଚାରେ ସୃଷ୍ଟି ହୋଇଛନ୍ତି। ଏମାନେ କିନ୍ତୁ ଶିକ୍ଷା ଗବେଷଣା କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପାଇବାରେ ଅନେକ ପଛରେ ରହି ଯାଉଛନ୍ତି। ଏଥିପାଇଁ ଭାରତରେ ପ୍ରଥମ ଶିକ୍ଷାକମିଶନର ଅଧ୍ୟକ୍ଷ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ କ୍ଷୋଭ ପ୍ରକାଶ କରିଛନ୍ତି ଏବଂ ଏଥିପାଇଁ ବିଶ୍ୱବିଦ୍ୟାଳୟ ପରିଚାଳନାରେ ବିଭିନ୍ନ ସ୍ତରରେ ସରକାରୀ ହସ୍ତକ୍ଷେପକୁ ପରୋକ୍ଷରେ ଦାୟୀ କରିଛନ୍ତି। ତାଙ୍କ ମତରେ – Higher education is undoubtedly an obligation of the state, but state aid is not to be confused with state controlover academic policies and practice… The pursuit and practice of truth, regardless of consequences has been the ambition of universities.
ରାଧାକ୍ରିଷ୍ଣନ୍‌ଙ୍କର ଏହି ମନ୍ତବ୍ୟର ସ୍ପଷ୍ଟ ପ୍ରତିଧ୍ୱନି ଦେଖିବାକୁ ମିଳେ ସଦ୍ୟ ପ୍ରଣୀତ ରାଷ୍ଟ୍ରୀୟ ଶିକ୍ଷାନୀତିରେ। ବହୁ ଦିଗରୁ ସାଫଲ୍ୟ ସୂଚକ ଏହି ନୂତନ ଶିକ୍ଷାନୀତିରେ ଗୁଣାମତ୍କ ଓ ମୂଲ୍ୟବୋଧ ଭିତ୍ତିକ ପ୍ରଶିକ୍ଷଣକୁ ଗୁରୁତ୍ୱ ଦିଆଯାଇଛି ଏବଂ ଉଚ୍ଚତର ଶିକ୍ଷା କ୍ଷେତ୍ରରେ ସରକାରୀ ହସ୍ତକ୍ଷେପ ନ ରହିବାକୁ ନିର୍ଦ୍ଦେଶ ରହିଛି, ଯାହା ରାଷ୍ଟ୍ରପତିିଙ୍କ ଅଧ୍ୟକ୍ଷତାରେ ରାଜ୍ୟପାଳମାନଙ୍କ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଦର୍ଶ ବିଶ୍ୱବିଦ୍ୟାଳୟ ପାଇଁ ନୀତି ପ୍ରଣୟନ କରାଯିବ, ଯେଉଁଥିରେ ଲଘୁ ସରକାରୀ ନିୟନ୍ତ୍ରଣର ବ୍ୟବସ୍ଥା ରହିବ। ସେହି ନୂତନ ଶିକ୍ଷାନୀତି ଚୂଡାନ୍ତ ହେବାକୁ ଅପେକ୍ଷା ନ କରି ଆମ ରାଜ୍ୟ ସରକାର ଅଚାନକ ଭାବରେ ଏକ ଅଧ୍ୟାଦେଶ ଜାରିକରି ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟକୁ ନିଜର ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇଗଲେ। ୧୯୮୯ର ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନକୁ ବାତିଲ କରି ଏହି ଅଧ୍ୟାଦେଶ କୁଳାଧିପତି ଓ କୁଳପତିମାନଙ୍କର କ୍ଷମତାକୁ ମେରୀରାୟ ନୀତିରେ ବସ୍ତୁତଃ ଉଚ୍ଛେଦ କରି ଦିଆଗଲା। ଏହି ଅଧ୍ୟାଦେଶ ଦ୍ୱାରା ସରକାର କି କି ପରିବର୍ତ୍ତନ ଆଣିବାକୁ ଚାହିଁଲେ ?
୧. କୁଳପତି ଚୟନରେ କୁଳାଧିପତି ତାଙ୍କର ମନୋନୀତ ସଭ୍ୟ ଦେଇପାରିବେ ନାହିଁ। ଏହା ପରିବର୍ତ୍ତେ ସରକାର ଜଣେ ଅବସରପ୍ରାପ୍ତ ମୁଖ୍ୟ ସଚିବ ପାହ୍ୟାର ଅମଲାଙ୍କୁ ମନୋନୀତ କରିବେ, ଯିଏ ଏହି ଚୟନ କମିଟିର ଅଧ୍ୟକ୍ଷ ରହିବେ। ଏହି କମିଟିରେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ୍‌ ଦ୍ୱାରା ମନୋନୀତ ବ୍ୟକ୍ତି ରହିବେ ନାହିଁ, ଏହା ବଦଳରେ ଏକାଧିକ ସରକାରୀ ଅଧିକାରୀ ଏଥିରେ ସଭ୍ୟ ରହିବେ।
୨. ବିଶ୍ୱବିଦ୍ୟାଳୟଗୁଡ଼ିକରେ ସେନେଟ୍‌ ଆଉ ରହିବ ନାହିଁ। ଯେଉଁ ସିନେଟ୍‌ରେ ସମାଜର ବିଭିନ୍ନ ବର୍ଗର ପ୍ରତିନିଧି ରହି ବିଶ୍ୱବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଓ ପରିଚାଳନା ନୀତିର ସମୀକ୍ଷା କରୁଥିଲେ ତାହା ଏବେ ଅଦରକାରୀ ବୋଲି ସରକାର ଭାବିଲେ।
୩. ସିଣ୍ଡିକେଟକୁ ‘ସଶକ୍ତ’ କରି ଏହାର ସଭ୍ୟ ସଂଖ୍ୟା ୨୫ କୁ ବୃଦ୍ଧି କରାଗଲା, ଯେଉଁମାନଙ୍କ ଭିତରେ ୧୧ ଜଣ ସରକାରୀ ସଭ୍ୟ ରହିବେ। ଏହା ଅମଲାତାନ୍ତ୍ରିକ ନିୟନ୍ତ୍ରଣକୁ ବହୁଗୁଣିତ କରିବ।
୪.କୁଳପତିମାନଙ୍କର କାର୍ଯ୍ୟକାଳ ୪ ବର୍ଷକୁ ବୃଦ୍ଧି କରାଗଲା ସତ,ମାତ୍ର ସେମାନଙ୍କୁ ଯଥେଷ୍ଟ ଶକ୍ତିହୀନ କରିଦିଆଗଲା। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ନିୟମକୁ ନଗ୍ନ ଉଲ୍ଲଂଘନ କରି ଏମାନଙ୍କୁ ଚୟନ କମିଟିର ଅଧ୍ୟକ୍ଷ ହେବାରୁ ବଞ୍ଚିତ କରାଗଲା। ବିଶ୍ୱବିଦ୍ୟାଳୟ ଶିକ୍ଷକ ଚୟନର କ୍ଷମତା ରାଜ୍ୟ ଲୋକସେବା ଆୟୋଗ (opsc)କୁ ହସ୍ତାନ୍ତର କରାଗଲା।
ଏବେ ପ୍ରଶ୍ନ ହେଲା, ସାମ୍ବିଧାନିକ ବ୍ୟବସ୍ଥା ଓ ୟୁଜିସି ନିୟମର ଉଲ୍ଲଂଘନ କରି ଏପରି ବ୍ୟବସ୍ଥା କାହିଁକି କରାଗଲା? ଉଚ୍ଚଶିକ୍ଷାର ଉନ୍ନତି ପାଇଁ କେଉଁ ପ୍ରକାର ଦୂରଦୃଷ୍ଟି ଓ ଭିଜନ୍‌ ଆଧାରରେ ଏପରି ଅଧ୍ୟାଦେଶ ଅଣାଗଲା? ଅବଶ୍ୟ ସମାଜର ବିଶେଷକରି ଉଚ୍ଚ ଶିକ୍ଷାର ଉନ୍ନତି ପାଇଁ କୌଣସି ପ୍ରଚଳିତ ନିୟମ ପରିବର୍ତ୍ତନ କରାଯାଇପାରେ, କିନ୍ତୁ ଏଥିପାଇଁ ବିଭିନ୍ନ ମଞ୍ଚରେ ବିଶେଷକରି ବିଧାନସଭାରେ ବିସ୍ତୃତ ଆଲୋଚନାର ଆବଶ୍ୟକତା ଥିଲା। ହେଲେ ବିଧାନସଭା ଆହୂତ ହେବାର ଠିକ୍‌ ପୂର୍ବରୁ ଏହି ଅଧ୍ୟାଦେଶଟି ତରବରିଆ ଭାବରେ ଅଣାଗଲା।
ଏହା କୁହାଯାଉଛି ଯେ, ଗତ କିଛିଦିନ ଧରି ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅନେକ ଅବ୍ୟବସ୍ଥା ଓ ଦୁର୍ନୀତି ଲାଗି ରହିଛି। ଶିକ୍ଷକ ନିଯୁକ୍ତି ହୋଇପାରୁନାହିଁ, ଯେବେ ହେଉଛି ସେଥିରେ ସ୍ବଚ୍ଛତା ରହୁନାହିଁ ଏବଂ ପ୍ରିୟାପ୍ରୀତିତୋଷଣ ଓ ଅନ୍ୟାନ୍ୟ ଦୁର୍ନୀତି ପରିଲକ୍ଷିତ ହେଉଛି ଇତ୍ୟାଦି ଇତ୍ୟାଦି। ତେବେ ସରକାରୀ ଅମଲାମାନେ ଦାୟିତ୍ୱ ନେଲେ ସ୍ବଚ୍ଛତା ରହିବ ଏବଂ ଦୁର୍ନୀତି ଦୂର ହେବ- ଏ ଗ୍ୟାରେଣ୍ଟି କିଏ ଦେବ? ଲୋକ ଚରିତ୍ର ବଦଳିଲେ ଏସବୁ ଦୂର ହୋଇପାରିବ, ମାତ୍ର ଏହା ତ ଆକାଶକଇଅଁା ଚିଲିକା ମାଛ! କେବଳ ଓଡ଼ିଶାରେ କାହିଁକି, ଦେଶ ସାରା କୌଣସି କୌଣସି କ୍ଷେତ୍ରରେ ଏଭଳି ସମସ୍ୟା ରହିଛି ଏବଂ ଏହା ମାତ୍ରାଧିକ ହେଲେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟର ଶାସନଭାର ସାମୟିକ ଭାବରେ ସରକାର ନିଜ ନିୟନ୍ତ୍ରଣକୁ ନେଇ ସଜାଡ଼ିବାର ବ୍ୟବସ୍ଥା ପ୍ରଚଳିତ ନିୟମରେ ରହିଛି। ତା’ ନ କରି ଧୁଆମୂଳା ଅଧୁଆମୂଳା ନିର୍ବିଶେଷରେ ସବୁ ବିଶ୍ୱବିଦ୍ୟାଳୟକୁ ସବୁଦିନ ପାଇଁ ସରକାରୀ ନିୟନ୍ତ୍ରଣକୁ ନେଇଯିବା କେଉଁଭଳି ବିଜ୍ଞତାର କାର୍ଯ୍ୟ? ପକ୍ଷାନ୍ତରେ କେତେକ ବିଶ୍ୱବିଦ୍ୟାଳୟରେ ଯେଉଁ ଅବ୍ୟବସ୍ଥାର ଆରୋପ କରାଯାଉଛି, ସେଥିପାଇଁ ସରକାରୀ ହସ୍ତକ୍ଷେପ ଅନେକାଂଶରେ ଦାୟୀ ବୋଲି କହିବାର ଯଥେଷ୍ଟ କାରଣ ରହିଛି। ଗତ କିଛି ବର୍ଷ ଧରି କେତେକ ବିଶ୍ୱବିଦ୍ୟାଳୟରେ ସରକାରୀ ହସ୍ତକ୍ଷେପ ଲାଗି ରହିଛି। ୟୁଜିସି ଦ୍ୱାରା ପ୍ରଦତ୍ତ ଅନେକ ଶିକ୍ଷକ ପଦବୀକୁ ମନମୁଖି ଭାବେ ଉଚ୍ଛେଦ କରାଯାଇଛି, ଯେତକ ପଦବୀ ରହିଯାଇଛି ସେସବୁ ପୂରଣ କରିବା ପାଇଁ କୁଳପତିମାନଙ୍କୁ ସରକାରୀ ନିର୍ଦ୍ଦେଶକୁ ଅପେକ୍ଷା କରିବାକୁ ପଡ଼ୁଛି। ଫଳରେ ଏସବୁ ବିଶ୍ୱବିଦ୍ୟାଳୟରେ ବହୁ ଶିକ୍ଷକ ପଦବୀ ଖାଲି ପଡ଼ିରହୁଛି ଏବଂ ଠିକା ଶିକ୍ଷକ ରଖି ଯେନତେନ ପ୍ରକାରେଣ ଶିକ୍ଷାଦାନ ଚାଲିଛି। ତା’ଛଡ଼ା କୋର୍ଟ କେସ୍‌ ଯୋଗୁ କେତେକ ବିଶ୍ୱବିଦ୍ୟାଳୟ ଶହ ଶହ ଶିକ୍ଷକ ପଦ ଖାଲି ରଖିବାକୁ ବାଧ୍ୟ ହେଉଛନ୍ତି। ସରକାରଙ୍କର ଅସ୍ପଷ୍ଟ ସଂରକ୍ଷଣ ନୀତି ଯୋଗୁ ଏପରି ଘଟୁଛି। ଏସବୁର ସୁଧାର ପାଇଁ କିଛି ସରକାରୀ ପଦକ୍ଷେପ ନିଆଯାଇଛି କି? ନିଜେ ଅସୁବିଧା ସୃଷ୍ଟି କରି ସେହି ଅସୁବିଧା ପାଇଁ ବିଶ୍ୱବିଦ୍ୟାଳୟକୁ ଦାୟୀ କରିବା କି ପ୍ରକାର ନ୍ୟାୟ? ଜନସ୍ବାର୍ଥ ଦୃଷ୍ଟିରୁ ଜନମଙ୍ଗଳକାରୀ ସରକାରଙ୍କର ନୈତିକ କର୍ତ୍ତବ୍ୟ ହେଉଛି ଶିକ୍ଷାନୁଷ୍ଠାନଗୁଡ଼ିକୁ ପର୍ଯ୍ୟାପ୍ତ ସମ୍ବଳ ଯୋଗାଇଦେବା। କିନ୍ତୁ ଏଥିପାଇଁ ମାଲିିକାନା ଜାହିର କରିବା ଉଚ୍ଚଶିକ୍ଷାର ହିତରେ ନୁହେଁ କି ସମାଜର ହିତରେ ନୁହେଁ। ଏବେ ମଧ୍ୟ ସମୟ ଅଛି। ଉକ୍ତ ବିଲ୍‌ଟି ଆଇନରେ ପରିଣତ ହେବା ପୂର୍ବରୁ ଏହାର ସୁଧାର ଦିଗରେ ଯଥୋଚିତ ପଦକ୍ଷେପ ନେଇ ଉଚ୍ଚଶିକ୍ଷାର ସ୍ବାର୍ଥ ଓ ବିଶ୍ୱବିଦ୍ୟାଳୟର ମର୍ଯ୍ୟାଦା ରକ୍ଷା କରିବେ ବୋଲି ଆମେ ତଥାପି ଆଶା ରଖିଛୁ।
ପ୍ରାକ୍ତନ୍‌ ପ୍ରଫେସର(ଦର୍ଶନ), ଉତ୍କଳ ବିଶ୍ୱବିଦ୍ୟାଳୟ,ମୋ: ୯୪୩୭୧୦୧୫୧୧


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପାଦକୀୟ/ଉପହାର ଲୋଭ

ସମ୍ପାଦକୀୟ/ଉପହାର ଲୋଭ ଉପହାର ଦିଆଯାଏ କାହିଁକି? ସେହି ମର୍ମରେ ଅଧିକ ଭାବିଲେ ପିଲାଙ୍କୁ ଚକୋଲେଟ କିମ୍ବା ବଡ଼ଙ୍କୁ ଉପଢ଼ୌକନ ବା ଉପହାର ଦେବାର ଏକମାତ୍ର କାରଣ...

ଏଇ ଭାରତରେ

କନ୍ୟା ସୁରକ୍ଷା ଅଭିଯାନରେ ନିଜକୁ ସାମିଲ କରି ଛତିଶଗଡ଼ର ଏକ ଗାଁ ଭିନ୍ନ ପରିଚୟ ଆଣିପାରିଛି। ଟକମଗଡ଼ ଜିଲାର ହରପୁରା ମଣ୍ଡିଆ ଗାଁରେ ଲୋକମାନେ ଝିଅଙ୍କୁ...

ଚାଷୀ ହସିଲେ ଓଡ଼ିଶା ହସିବ

ସବ୍ୟସାଚୀ ଅମିତାଭ   ଓଡ଼ିଶାର ଶତକଡ଼ା ସତୁରି ଭାଗ ଲୋକଙ୍କ ମୁଖ୍ୟ ଜୀବିକା ହେଉଛି ଚାଷ। ତେଣୁ ଓଡ଼ିଶାର ଅର୍ଥନୀତି ମୁଖ୍ୟତଃ କୃଷି ଉତ୍ପାଦନ ଉପରେ...

ଏଇ ଭାରତରେ

ଶିକ୍ଷା ବିନା ବିକାଶର କଳ୍ପନା କରାଯାଇପାରେନା। ଏଥିପାଇଁ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଶିକ୍ଷା ଜରୁରୀ। କିନ୍ତୁ ସମାଜରେ ଏମିତି କିଛି ଲୋକ ଅଛନ୍ତି ଯାହାଙ୍କ...

ନୋବେଲ୍‌ ପଦାର୍ଥ ବିଜ୍ଞାନୀ

ଡ. ଗୌରୀଶଙ୍କର ସାହୁ ବ୍ରହ୍ମାଣ୍ଡ ସମ୍ବନ୍ଧୀୟ ଦୁଇଟି ଯୁଗାନ୍ତକାରୀ ଗବେଷଣାକୁ ଏ ବର୍ଷ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବାକୁ ସ୍ଥିର ହୋଇଛି।...

ଏଇ ଭାରତରେ

ବିବାହ ଭୋଜିରେ ବରକନ୍ୟାଙ୍କୁ ଉପହାର ପାଣିଭର୍ତ୍ତି ମାଠିଆ। ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ୍ୟ। ମଧ୍ୟପ୍ରଦେଶରେ ପିଇବା ପାଣି ସମସ୍ୟା ଉତ୍କଟ ହେବାରେ ଲାଗିଛି।...

ଏକୁଳର ନା ସେକୁଳର

କରୋନା ଭାଇରସ୍‌ ସଂକ୍ରମଣ ଓ ତତ୍‌ଜନିତ ଲକ୍‌ଡାଉନ୍‌ ଯୋଗୁ ବିଶ୍ୱ ଅର୍ଥନୀତି ଘୋର ମାନ୍ଦାବସ୍ଥା ଦେଇ ଗତି କରୁଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଅନ୍ତର୍ଜାତୀୟ ସ୍ତରରେ...

ରାଜନୀତି ପ୍ରୟୋଗଶାଳା ନ ହେଉ

ପ୍ରକାଶ ତ୍ରିପାଠୀ ଉତ୍ତରପ୍ରଦେଶର କୁଲଦୀପ ସିଂ ସିଙ୍ଗାର ହୁଅନ୍ତୁ ଅବା ଓଡିଶାର ଅନୁପ ସାଏ। ଗତ କିଛିଦିନ ଧରି ଗଣମାଧ୍ୟମରେ ଏହି ଦୁଇ ରାଜନେତାଙ୍କ ସମ୍ପର୍କରେ...


Coronavirus Update

Archives

Model This Week

Why Dharitri