ସଂସ୍କୃତ ପୁସ୍ତକର ପାର୍ସୀ ଅନୁବାଦ

ଇଂ. ମାୟାଧର ସ୍ବାଇଁ: ମୋଗଲ ସମ୍ରାଟ୍‌ ଆକବର ୧୫୫୬ରୁ ୧୬୦୫ ପର୍ଯ୍ୟନ୍ତ ଭାରତ ଶାସନ କରିଥିଲେ। ସେ ଭାରତର ପ୍ରାଚୀନ ଜ୍ଞାନଗରିମା ସମ୍ବନ୍ଧରେ ଜାଣିଥିଲେ ଏବଂ ଏହାକୁ ମୁସଲମାନ ପଣ୍ଡିତ ଓ ଅନ୍ୟମାନଙ୍କୁ ଅବଗତ କରାଇବା ପାଇଁ କେତୋଟି ବିଶିଷ୍ଟ ସଂସ୍କୃତ ପୁସ୍ତକକୁ ପାର୍ସୀ ଭାଷାରେ ଅନୁବାଦ କରାଇଥିଲେ। ସେ ଏଥିପାଇଁ ୧୫୭୫ ମସିହାରେ ତାଙ୍କ ରାଜଧାନୀ ଫତେପୁର ସିକ୍ରି (ଆଗ୍ରା ନିକଟ)ଠାରେ ଗୋଟିଏ ଅନୁବାଦ ସଂସ୍ଥା ସ୍ଥାପନ କରିଥିଲେ।
ବ୍ୟାସକୃତ ସଂସ୍କୃତ ମହାଭାରତର ପାର୍ସୀ ଅନୁବାଦ ୧୫୮୨ ମସିହାରେ ହୋଇଥିଲା। ଅବଶ୍ୟ ଏହାର ନାମ ରଜମ୍‌-ନାମା (ଯୁଦ୍ଧ ପୁସ୍ତକ) ରଖାଯାଇଥିଲା। ଆକବର ଏହାକୁ ମୁଖ୍ୟତଃ ରାଜ୍ୟ ଶାସନକଳା ସମ୍ବନ୍ଧୀୟ ପୁସ୍ତକ ମନେ କରୁଥିଲେ। ସଂସ୍କୃତ ପଣ୍ଡିତ ଦେବ ମିଶ୍ର, ସତାଉଦାନି, ମଧୁସୂଦନ ମିଶ୍ର ଓ ଚତୁର୍ଭୁଜଙ୍କ ସହାୟତାରେ ନାକିବ ଖାଁ, ମୁଲ୍ଲା ଶିରି, ଅବଦ ଅଲ୍‌-କାଦିର ବଦଉନି ଓ ସୁଲତାନ ଥାନୀସାରୀ ଏହାକୁ ପାର୍ସୀ ଭାଷାରେ ଅନୁବାଦ କରିଥିଲେ। ସେହିପରି ନାକିବ ଖାଁ, ବଦଉନି ଓ ସୁଲତାନ ଥାନୀସାରୀ ବାଲ୍ମୀକିକୃତ ସଂସ୍କୃତ ରାମାୟଣକୁ ପାର୍ସୀ ଭାଷାରେ ଅନୁବାଦ କରିଥିଲେ।
ଖ୍ରୀ.ପୂ. ଦ୍ୱିତୀୟ ଶତାବ୍ଦୀରେ ରଚିତ ବିଷ୍ଣୁ ଶର୍ମାଙ୍କ ପଞ୍ଚତନ୍ତ୍ର ହେଉଛି ଗୋଟିଏ ଶିକ୍ଷାମୂଳକ କିଶୋର ଗଳ୍ପ ପୁସ୍ତକ। ଏହାର ଲୋକପ୍ରିୟତା ଭାରତ ବାହାରେ ମଧ୍ୟ ବ୍ୟାପିଥିଲା। ଷଷ୍ଠ ଶତାବ୍ଦୀରେ ଏହା ପଲ୍ଲବୀ ଭାଷାରେ ଅନୂଦିତ ହୋଇଥିଲା। ପଲ୍ଲବୀ ଭାଷାରୁ ଏହା ଅଷ୍ଟମ ଶତାବ୍ଦୀରେ ଆରବୀୟ ଭାଷାରେ ‘କାଲିଆ ଓ୍ବା ଦିିମ୍‌ନା’ ନାମରେ ଅନୂଦିତ ହୋଇଥିଲା। ଆରବୀୟ ଭାଷାରୁ ଏହା ଆଧୁନିକ ପାର୍ସୀ ଭାଷାରେ ହେରାଟ୍‌ଠାରେ ୧୫୦୪ ମସିହାରେ ଅନୂଦିତ ହୋଇଥିଲା ଏବଂ ଏହାର ନାମ ଥିଲା ‘ଅନଭାର-ଇ ସୁହାୟାଲି (କାନୋପସ୍‌ ନକ୍ଷତ୍ରର ଆଲୋକ)। ଆକବରଙ୍କ ନିର୍ଦ୍ଦେଶରେ ପଞ୍ଚତନ୍ତ୍ରର ଦୁଇଟି ଅନୁବାଦ ପ୍ରକାଶ ପାଇଥିଲା। ଅନଭାର-ଇ-ସୁହାୟାଲି ଆଧାରରେ ତାଙ୍କ ସଭାର ମନ୍ତ୍ରୀ ତଥା ଐତିହାସିକ ଆବୁଲ ଫାଜଲ ଯେଉଁ ଅନୁବାଦ କରିଥିଲେ, ତାହାର ନାମ ହେଉଛି ‘ଇୟାରୀ ଦାନିଶ୍‌’ (ବୌଦ୍ଧିକ କସୌଟି)। ମୁସ୍ତାଫା ଖିଲିକ୍‌ ଦାଦ୍‌ ଆବାସି ପଞ୍ଚତନ୍ତ୍ରର ଜୈନରୂପ ‘ପଞ୍ଚଖ୍ୟାନା’କୁ ‘ପଞ୍ଚଖ୍ୟାନାହା’ (ପାଞ୍ଚଟି ଗଳ୍ପ) ନାମରେ ପାର୍ସୀ ଭାଷାରେ ଅନୁବାଦ କରିଥିଲେ। ଅନ୍ୟତମ ପ୍ରାଚୀନ ସଂସ୍କୃତ ଗ୍ରନ୍ଥ ‘ସିଂହାସନ ଦ୍ୱାତ୍ରିଶିଂକା’ (ବତ୍ରିଶ ସିଂହାସନ)କୁ ବଦାଉନି ପାର୍ସୀ ଭାଷାରେ (ନାମ-ଇ ଖିରାଦ ଆଫ୍‌ଜା) ଅନୁବାଦ କରିଥିଲେ। ଚତୁର୍ଭୁଜ ଦାସ ‘ଶାଘାଂମ୍‌’ (ରାଜାଙ୍କ ପୁସ୍ତକ) ନାମରେ ଏହାର ଅନ୍ୟ ଏକ ଅନୁବାଦ କରିଥିଲେ।
ଏକାଦଶ ଶତାବ୍ଦୀରେ ସୋମଦେବ କଶ୍ମୀରରେ ‘କଥା ସରିତ୍‌ ସାଗର’ ରଚନା କରିଥିଲେ। କଶ୍ମୀର ଶାସକ ଜାଇନ୍‌ ଅଲ୍‌-ଆବିଦିନ୍‌ଙ୍କ (୧୪୨୦-୧୪୭୦) ଦରବାରରେ ଏହା ଆଂଶିକ ଭାବରେ ପାର୍ସୀ ଭାଷାରେ ଅନୂଦିତ ହୋଇଥିଲା। ଆକବରଙ୍କ ନିର୍ଦ୍ଦେଶରେ ବଦାଉନି ଏହି ଅନୁବାଦକୁ ପରିମାର୍ଜିତ ଓ ସମ୍ପୂର୍ଣ୍ଣ କରିଥିଲେ। ଜାଇନ୍‌ ଅଲ୍‌-ଆବିଦିନ୍‌ଙ୍କ ଦରବାରରେ ଦ୍ୱାଦଶ ଶତାବ୍ଦୀରେ ରଚିତ କହ୍ଲଣଙ୍କ ‘ରାଜତରଙ୍ଗିଣୀ’କୁ ମଧ୍ୟ ପାର୍ସୀ ଭାଷାରେ ଅନୁବାଦ କରାଯାଇଥିଲା। ଏହା ହେଉଛି କଶ୍ମୀର ରାଜାମାନଙ୍କର ବଂଶାନୁଚରିତ। ଶାହା ମହମ୍ମଦ ଶାହାବାଦୀ ଏହାକୁ ପୁଣି ଥରେ ପାର୍ସୀ ଭାଷାରେ ଅନୁବାଦ କରିଥିଲେ ଏବଂ ୧୫୮୯ ମସିହାରେ ଆକବରଙ୍କ ପ୍ରଥମ କଶ୍ମୀର ଗସ୍ତ ବେଳେ ତାଙ୍କୁ ଏହା ଉପହାର ଦେଇଥିଲେ। ଆକବର ଏହି ପୁସ୍ତକର ଭାଷାରେ ଉନ୍ନତି ଆଣିବା ପାଇଁ ବଦାଉନିଙ୍କୁ କହିଲେ ଏବଂ ବଦାଉନି ୧୫୯୧ ମସିହାରେ ପାର୍ସୀ ଅନୁବାଦକୁ ପରିମାର୍ଜିତ କରିଥିଲେ।
ପାର୍ସୀ ଭାଷାରେ ଅନୂଦିତ ଅନେକ ପୁସ୍ତକ ଏବଂ ବିଶେଷଭାବେ ରାମାୟଣ ଓ ମହାଭାରତ ଅନୁବାଦ ପୁସ୍ତକରେ ଆକବରଙ୍କ ଦରବାରର ଚିତ୍ରକରମାନେ ଅତି ସୁନ୍ଦର ଚିତ୍ର ଅଙ୍କନ କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ଆକବର ଗୋଟିଏ ଗଣିତ ପୁସ୍ତକକୁ ପାର୍ସୀ ଭାଷାରେ ଅନୁବାଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ହେଉଛି ଦ୍ୱାଦଶ ଶତାବ୍ଦୀର ପ୍ରସିଦ୍ଧ ଜ୍ୟୋତିର୍ବିଦ୍‌ ତଥା ଗଣିତଜ୍ଞ ଭାସ୍କରାଚାର୍ଯ୍ୟଙ୍କ ‘ଲୀଳାବତୀ’ ପୁସ୍ତକ। ଲୀଳାବତୀ ଗୋଟିଏ ଅତି ଲୋକପ୍ରିୟ ପୁସ୍ତକ ଥିଲା। ଏହା ୧୧୫୦ ମସିହାରେ ରଚିତ ହୋଇଥିଲା ଏବଂ ଦୀର୍ଘ ଛଅ ଶହ ବର୍ଷ ପର୍ଯ୍ୟନ୍ତ ଭାରତରେ ପାଠ୍ୟପୁସ୍ତକ ଭାବେ ବ୍ୟବହୃତ ହେଉଥିଲା। ଅନ୍ୟ କୌଣସି ପୁସ୍ତକ ଏତେବର୍ଷ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ଭାବେ ବ୍ୟବହାର ହେବାର ଜଣାନାହିଁ। ଭାସ୍କରାଚାର୍ଯ୍ୟ ଏଥିରେ କ୍ଲିଷ୍ଟ ଗଣିତ ସୂତ୍ର ଓ ଉପପାଦ୍ୟଗୁଡିକୁ ବିଭିନ୍ନ ଉଦାହରଣ ସହ ସୁଲଳିତ ପଦ୍ୟ ଆକାରରେ ଉପସ୍ଥାପନ କରିଛନ୍ତି। ଆଧୁନିକ ଭାଷାରେ କହିଲେ ଏହା ବୋଧହୁଏ ପୃଥିବୀର ପ୍ରଥମ ଜନପ୍ରିୟ ଗଣିତ ପୁସ୍ତକର ମାନ୍ୟତା ପାଇବ। ବର୍ତ୍ତମାନ ମଧ୍ୟ ଏହି ସଂସ୍କୃତ ପୁସ୍ତକର ଛଅଶହରୁ ଅଧିକ ପାଣ୍ଡୁଲିପି ବିଭିନ୍ନ ପୁସ୍ତକାଳୟରେ ଅଛି। ଏହି ପୁସ୍ତକ ଭାରତର ବିଭିନ୍ନ ଭାଷାରେ ମଧ୍ୟ ଅନୁବାଦ କରାଯାଇଛି। ଆକବରଙ୍କ ଦରବାରର ଅନ୍ୟତମ ମନ୍ତ୍ରୀ ଫାୟାଜି ଜଣେ ବିଦ୍ୱାନ ଥିଲେ। ସେ ଆବୁଲ ଫାଜଲଙ୍କ ଭାଇ ଥିଲେ। ଆକବରଙ୍କ ନିର୍ଦ୍ଦେଶରେ ସେ ୧୫୮୭ ମସିହାରେ ଲୀଳାବତୀ ପୁସ୍ତକକୁ ପାର୍ସୀ ଭାଷାରେ ଅନୁବାଦ କରିଥିଲେ। ସେ ଏହି ପୁସ୍ତକରେ ଲେଖିଛନ୍ତି ଯେ ସେ ଏହି ଅନୁବାଦ ପାଇଁ ଭାରତର କେତେଜଣ ଗଣିତଜ୍ଞ ଏବଂ ବିଶେଷକରି ଦାକ୍ଷିଣାତ୍ୟର ଜ୍ୟୋତିର୍ବିିଦ୍‌ମାନଙ୍କର ସହାୟତା ନେଇଥିଲେ। ପାର୍ସୀ ଭାଷାରେ ଲିଖିତ ଲୀଳାବତୀର ୩୭ଟି ପାଣ୍ଡୁଲିପି ଏବେ ଉପଲବ୍ଧ ଅଛି। ଏହା ୧୮୨୭ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା କଲିକତାଠାରେ ପ୍ରଥମେ ମୁଦ୍ରିତ ହୋଇଥିଲା।
ଉଲ୍ଲେଖନୀୟ ଯେ, ସଂସ୍କୃତ ପୁସ୍ତକଗୁଡିକୁ ପାର୍ସୀ ଭାଷାରେ ଅନୁବାଦ କରିବା ପାଇଁ ଆକବରଙ୍କ ଦରବାରରେ ଉଭୟ ଭାଷାରେ ଦକ୍ଷତା ଥିବା ବ୍ୟକ୍ତିଙ୍କର ଅଭାବ ଥିଲା। ଏଣୁ ଏହି କାର୍ଯ୍ୟ ହିନ୍ଦୁ, ଜୈନ ଓ ମୁସଲମାନଙ୍କର ଗୋଟିଏ ବିଦ୍ୱାନ ଦଳ ମିଶିକରି କରିଥିଲେ। ପ୍ରଥମେ ହିନ୍ଦୁ ଓ ଜୈନ ପଣ୍ଡିତମାନେ ଏହାକୁ ସଂସ୍କୃତରୁ ସ୍ଥାନୀୟ ଭାଷାରେ ଲେଖୁଥିଲେ। ସେମାନଙ୍କୁ ‘ଦ୍ୱିଭାଷୀୟା’ କୁହାଯାଉଥିଲା। ଏହାପରେ ମୁସଲମାନ ବିଦ୍ୱାନ୍‌ମାନେ ସ୍ଥାନୀୟ ଭାଷାରୁ ଏହାକୁ ପାର୍ସୀ ଭାଷାରେ ଅନୁବାଦ କରୁଥିଲେ। ସେମାନଙ୍କୁ ଅନୁବାଦକ କୁହାଯାଉଥିଲା। ଶେଷରେ ପାର୍ସୀ ପଣ୍ଡିତମାନେ ଏହାକୁ ପରିମାର୍ଜିତ ଭାଷାରେ ଉଭୟ ଗଦ୍ୟ ଓ ପଦ୍ୟ ଆକାରରେ ଲେଖୁଥିଲେ ଏବଂ ଅନୁବାଦକ ଭାବେ ପୁସ୍ତକରେ ସେମାନଙ୍କ ନାମ ରହୁଥିଲା।
ଭୁବନେଶ୍ୱର, ମୋ-୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri