ଶ୍ରୋତା ବକତା କେହି ନାହିଁ

ଦାମୋଦର ବେହେରା

ବର୍ତ୍ତମାନ ବିଭିନ୍ନ ସଭାସମିତିରେ ଶ୍ରୋତା ଓ ବକ୍ତାମାନଙ୍କୁ ନେଇ ଯେଉଁସବୁ ସମସ୍ୟା ମୁଣ୍ଡ ଟେକୁଛି ତାହା ଚିନ୍ତାର କାରଣ ହୋଇଛି। ସଭାସମିତି ହେଲେ ଛାପା ଯାଉଥିବା ନିମନ୍ତ୍ରଣ ପତ୍ରରେ ଯାହାସବୁ ଲେଖାଯାଉଛି ଅନେକତ୍ର ତାହା କାର୍ଯ୍ୟକାରୀ ହେଉନାହିଁ। ଏବେ ଚବିଶ ଘଣ୍ଟା ଚାରିଆଡେ ଚାଲିଛି ଖାଲି ସଭା, ମିଟିଂ, ଆଲୋଚନା। ସଭା ସମିତିରେ ଅନେକ କଥା ଶୁଣି ଶୁଣି ଲୋକେ କହିଲେଣି ଏସବୁ କେବଳ ମିଛ ବାକ୍‌ଚାତୁରୀ। କାରଣ ସଭାରେ କିଛି ଭାଷଣ ବା ଉପଦେଶ ପ୍ରଦାନ କରୁଥିବା ବ୍ୟକ୍ତି ବାସ୍ତବ ଜୀବନରେ ନିଜେ ତାହା ପାଳନ କରୁନାହାନ୍ତି। ଶ୍ରୋତା ବି ତଦ୍ରୂପ। ସାଧାରଣତଃ ସଭାର ବିଭିନ୍ନ ଧର୍ମ ଓ ବର୍ଗ ଥାଏ। ରାଜନୀତି, ସାହିତ୍ୟ, ଧର୍ମ, ଶିକ୍ଷା, ବିଜ୍ଞାନ, ବାଣିଜ୍ୟ, ଚିକିତ୍ସା, କୃଷିଠାରୁ ଆରମ୍ଭକରି ରାହାଜାନି, ହରତାଳ, ଦଙ୍ଗା ହଙ୍ଗାମାକୁ ନେଇ ଅହରହ ଆମ ଦେଶରେ ଅନେକ ସଭାସମିତିର ଆୟୋଜନ ହେଉଛି। ଏସବୁ ସ୍ଥାନକୁ ଲୋକେ ସ୍ବତଃ ଯାଉଛନ୍ତି- ଅନେକତ୍ର ବାଧ୍ୟବାଧକତାରେ ମଧ୍ୟ ଯାଉଛନ୍ତି।
ଅନେକତ୍ର ସଭା ଡକା ହୋଇଥିବ ଦଶଟା ବେଳେ, ଆରମ୍ଭ ହେବ ବାରଟାରେ। ସମୟ ଜ୍ଞାନ ଥିବା ଶ୍ରୋତା କେତେଜଣ ସଭାରେ ଯଥାସମୟରେ ପହଞ୍ଚି ସମୟକୁ ଅପଚୟ କରି ଖୁବ୍‌ ମନସ୍ତାପ କରନ୍ତି। କ’ଣ ନା ସଭା ଟିକେ ବିଳମ୍ବ ହେବ, ଅତିଥି ପହଞ୍ଚି ନାହାନ୍ତି। ସଭାଟି ଯେତେବେଳେ ଆରମ୍ଭ ହୁଏ ଦେଖାଯାଏ କୁଆଡୁ ଆସି ଅନେକ ଅତିଥି ସଭାର ଆସନ ସଂଖ୍ୟା ବଢାଇ ଦିଅନ୍ତି। ଗୋଟେ ଗୋଟେ ସଭାରେ ବାର ପନ୍ଦର ଜଣ ବକ୍ତାଙ୍କୁ କହିବା ପାଇଁ ଆସନ ଦିଆଯାଇଥାଏ। ଆଲୋଚନାର ବିଷୟ ଥାଏ ଗୋଟେ ପ୍ରକାର ମାତ୍ର ବକ୍ତା ତାଙ୍କ ସୁବିଧାରେ ଯାହା ଇଚ୍ଛା ତାହା କହିଯାଆନ୍ତି। ଦେଖିଛି ସଭାପତି ଆସନରେ ବସିଥିବା ବ୍ୟକ୍ତି ଜଣକ ମଞ୍ଚକୁ ବାଦ୍‌ ଦେଇ ବେଳେ ବେଳେ ଶ୍ରୋତାମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଭାଷଣ ପାଇଁ ଆହ୍ବାନ କରନ୍ତି। ଦୀର୍ଘ ସମୟ ଧରି ଅତିଥିଙ୍କୁ ଶୁଣିବାକୁ ଅପେକ୍ଷା କରିଥିବା ଶ୍ରୋତାମାନେ ତାଙ୍କ ଇଚ୍ଛାର ଦାସ। ଅନେକ ସମୟରେ କିଛି ବକ୍ତା ଶ୍ରୋତାଙ୍କ ଭାବାବେଗକୁ ଆଖି ଆଗରେ ନ ରଖି ମାଇକ ଛାଡନ୍ତି ନାହିଁ। ଏଣୁ ତେଣୁ ଅନାବଶ୍ୟକ କଥା ସବୁ କହୁଥାନ୍ତି। ଏ ସବୁକୁ ଦେଖି ଶ୍ରୋତା ଖସନ୍ତି ସଭା ମଝିରୁ ନିଜ ବାଟରେ।
ଅନେକ ଜାଗାରେ ଶ୍ରେତାମାନେ ପାଟିତୁଣ୍ଡ ଆରମ୍ଭ କରନ୍ତି। ପରସ୍ପର ମଧ୍ୟରେ ଗପ ମେଲାଇ ଦିଅନ୍ତି ବା ଫୋନ ଆଳାପରେ ମାତିଯାନ୍ତି। ଏବେ ତ ସଭାରେ ଚା, ଟିଫିନ, ଖାନାପିନାର ଆୟୋଜନ ନିଶ୍ଚିତ ହୋଇଗଲାଣି। ସଭା ସରିନାହିଁ, ଆଲୋଚନା ଚାଲିଛି, ଏଣେ ଲୋକେ ଖାଇବା ଟେବୁଲ ପାଖରେ ଧାଡି ଲଗାଇ କାମ ସାରିଦିଅନ୍ତି। ଏହା ନିତିଦିନର ଘଟଣା, ଏହାକୁ ପ୍ରହସନ ଛଡା ଅନ୍ୟ କିଛି କୁହାଯିବ ନାହିଁ। ଦେଶ ସ୍ବାଧୀନତା ପ୍ରାପ୍ତିର ସତୁରି ବର୍ଷ ଅତିକ୍ରମ କରିଗଲାଣି। ଦେଶ ସାରା ସଭାସମିତି, କେତେ କେତେ ଆଲୋଚନା ହରଦମ୍‌ ଚାଲିଛି। କେତେ ଜ୍ଞାନ ବଣ୍ଟାଯାଉଛି ବକ୍ତାମାନଙ୍କୁ ଡାକି। ମାତ୍ର ପରିବର୍ତ୍ତନ ଏତେ ଦୁର୍ବଳ କାହିଁକି? ସ୍ବତନ୍ତ୍ର ବିଷୟଭିତ୍ତିକ ଜ୍ଞାନର ବିକାଶ ଘଟୁନାହିଁ କାହିଁକି? ଲୋକଙ୍କ କାର୍ଯ୍ୟଧାରା, ଚରିତ୍ର, ଚଳଣି, ହାବଭାବ ଆଶାନୁରୂପ ବଦଳୁନାହିଁ କାହିଁକି? ମନେ ହେଉଛି ଶହେରେ ନବେଭାଗ ଛଳନା ଓ ଔପଚାରିକତାର ରୂପ ନେଉଛି। ସଭାସମିତି ହେଉଛି ଜ୍ଞାନ ମନ୍ଥନର ଏକ ପରିସର। ସେଠୁ ବହୁ କଥା ଜାଣିବା, ଶିଖିବାକୁ ମିଳେ। ଏଥିପାଇଁ ଉପଯୁକ୍ତ ଶ୍ରୋତା ସହିତ ଉପଯୁକ୍ତ ବକ୍ତା ଦରକାର। କିନ୍ତୁ ଆମ ଆୟୋଜକମାନଙ୍କର ଇଚ୍ଛା ଗୁଣଗ୍ରାହୀ ଶ୍ରୋତା ହୁଅନ୍ତୁ ବା ନ ହୁଅନ୍ତୁ ସଭାକକ୍ଷଟି ଯେପରି ଲୋକ ଭିଡ଼ରେ ପୂରିଯାଉ। ସେଇଠି ସେମାନେ ଦେଖନ୍ତି ସଭାର ସଫଳତା। ଯେଉଁଠି ରାଜନୀତିବାଲାଏ ସଭା କରନ୍ତି ସେଠାକୁ ଲୋକଙ୍କୁ ଗାଡିମୋଟର କରି ନିଆଯାଉଛି। ବେଳେ ବେଳେ ଏହି ଲୋକମାନେ ଉକ୍ତ ସଭାକୁ ଆସିବାର ଉଦ୍ଦେଶ୍ୟ କିଛି ବୁଝି ନ ଥାନ୍ତି। ଖାଇବାକୁ ମିଳୁଛି, ପଇସା କିଛି ମିଳୁଛି ତ ଚାଲ। ସେଠି ଆଉ କିଛି ହେଉ ନ ହେଉ ଲୋକଶକ୍ତି ଦରକାର। ଆଜିଯାଏ ଏ ବିଷୟରେ ଲୋକମାନେ ସାମାନ୍ୟତମ ବିଚାର କରିନାହାନ୍ତି। ସୁଅ ମୁହଁରେ ପତର ପରି ଭାସି ଚାଲିଛନ୍ତି। ମନେହୁଏ ମଣିଷ ତା’ର ଅଧିକାରକୁ ଏଯାଏ ପରଖି ପାରିନାହିଁ। ଅନେକ ସମୟରେ ସାମାଜିକ କ୍ଷେତ୍ରରେ କିଛି ଅପରାଧୀ ସ୍ଖଳିତ ଚରିତ୍ର, ବଦନାମୀ ଲୋକଙ୍କୁ ବକ୍ତା ଓ ଅତିଥି କରି ଡକାଯାଇଥାଏ। କାରଣ ସେମାନଙ୍କର ଅନ୍ୟ କିଛି ଗୁଣଗ୍ରାମ ନ ଥାଉ, ତାଙ୍କ ପାଓ୍ବାର ଓ ପୋଜିଶନକୁ ଭୟ। ଏହା ଆମ ସାଂସ୍କୃତିକ-ବୌଦ୍ଧିକ ଚେତନାକୁ ପ୍ରତିହତ କରେ। ବକ୍ତା ଓ ଶ୍ରୋତା ବାସ୍ତବରେ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି। ପରସ୍ପର ମଧ୍ୟରେ ଗ୍ରହଣୀୟତା ହେଉଛି ବଡ଼ କଥା। ଯୋଗ୍ୟ ବକ୍ତାଙ୍କୁ ଯୋଗ୍ୟ ଶ୍ରୋତା ଦରକାର। ପରିମାଣକୁ ଆଖି ଆଗରେ ରଖି ଗୁଡ଼ାଏ ଲୋକଙ୍କୁ ସଭାଗୃହକୁ ଡାକିଦେଲେ ବା ଯୋଗ୍ୟତା ନ ଥାଇ ମଞ୍ଚରେ ବସାଇଦେଲେ ଉଦ୍ଦେଶ୍ୟ ସିଦ୍ଧ ହେବ ନାହିଁ। ଯୁଗଯୁଗ ଧରି ଚାଲିଥିବ ଏ ପ୍ରହସନ।
ଆମ ବକ୍ତାମାନେ ଯାହା କହୁଛନ୍ତି ଶ୍ରୋତାମାନେ ତାକୁ ଶୁଣି ଶୁଣି ଚୁପ୍‌ଚାପ୍‌ ଘରକୁ ଫେରିଯାଉଛନ୍ତି। ଭାଷଣ ଭଲ ଲାଗିଲା କି ଖରାପ ଲାଗିଲା ସେ ବିଷୟରେ ପ୍ରାୟ ପ୍ରଶ୍ନ ନାହିଁ କି ବିଚାର ନାହିଁ। ଗଠନମୂଳକ ସମାଲୋଚନା ହେବା ଏକାନ୍ତ ଜରୁରୀ। ଏ ସବୁ ଚାଲିଛି ଶଗଡ଼ଗୁଳାର ପୁରୁଣା ଧାରାରେ। କୌଣସି ପରିବର୍ତ୍ତନ ନାହିଁ। ଭାଷଣ ଉପରେ ଭାଷଣ, ମାଇକର ଗର୍ଜନ। ମଞ୍ଚର କମ୍ପନ। ପୁଣି ତା’ ସହିତ ମିଶିଯାଉଛି କିଛି ଅହଂକାରର ପ୍ରଲେପ। ଏବେ ଶ୍ରୋତା-ବକ୍ତା ପରସ୍ପର ସଚେତନ ହେବାର ସମୟ ଆସିଛି। ସଭାସମିତି, ଆଲୋଚନାଚକ୍ର ମର୍ଯ୍ୟାଦାର ସ୍ବାକ୍ଷର ବହନ କରୁ। ପ୍ରତିଟି ଆଲୋଚନାର ଗ୍ରହଣୀୟତା, କାର୍ଯ୍ୟକାରିତା, ଗୁଣବତ୍ତା ରହୁ। ଶ୍ରୋତା-ବକ୍ତା ଉଭୟେ ସମ୍ମାନର ଅଧିକାରୀ ହୁଅନ୍ତୁ।
ବିତନା, ଯାଜପୁର, ମୋ-୯୯୩୮୧୪୫୪୦୭


Enter your email to get our daily news in your inbox.

All Right Reserved By Dharitri.Com

ଯୁଗେ ଯୁଗେ ଇଚ୍ଛାମୃତ୍ୟୁ

ଣସି କାରଣରୁ ବ୍ୟକ୍ତି ଇଚ୍ଛାକରି ମୃତ୍ୟୁକୁ ଆଦରି ନେବା ହେଉଛି ଇଚ୍ଛାମୃତ୍ୟୁ, ଯାହା ପୁରାଣ ପୃଷ୍ଠା ମଣ୍ଡନକରି ପାଠକର ମନ ହୃଦୟକୁ ଆନ୍ଦୋଳିତ କରେ। ରାମାୟଣ ଯୁଦ୍ଧର…

ଓଡ଼ିଶାରେ ଗଛର ବିବିଧତା

ପ୍ରକୃତି ଓଡ଼ିଶାକୁ ଗଛର ବିବିଧତାରେ ଭରିଦେଇଛି । ଓଡ଼ିଶାର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ ଗଛର ବିବିଧତାର ସୁରକ୍ଷା ଏବଂ ବିକାଶ ଆବଶ୍ୟକ। ଭାରତୀୟ…

ଶାକାହାରୀ ଦୟାଳୁ କି

ନାଥୁରାମ ଗଡ୍‌ସେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ। ସେ କ’ଣ ଶାକାହାରୀ ଥିଲେ କି? ହିନ୍ଦୁ ପୁରାଣ ଅନୁଯାୟୀ, ପର୍ଶୁରାମ ଅନେକ ପିଢ଼ିର କ୍ଷତ୍ରିୟଙ୍କୁ ହତ୍ୟା କରିଥିଲେ।…

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ…

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri