
ଆନନ୍ଦପୁର,୨୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଶାଳବଣି ଗ୍ରାମର ମୁଖ୍ୟ ରାସ୍ତା କଡ଼ରେ ଡ୍ରେନ୍ ପାଣି ଜମି ରହି ପୁତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଡ୍ରେନ୍ଗୁଡିକ ସଫା ହେଉ ନ ଥିବାରୁ ପାଣି ରାସ୍ତାରେ ଭାସୁଛି। ଏପରିକି ଗ୍ରାମରେ ସ୍ବଚ୍ଛ ଭାରତ ଯୋଜନାରେ କୌଣସି ଡଷ୍ଟବିନ୍ ଦିଆଯାଇ ନ ଥିବାରୁ ଲୋକମାନେ ବର୍ଜ୍ୟବସ୍ତୁ ଡ୍ରେନରେ ପକାଉଛନ୍ତି। ଫଳରେ ଡ୍ରେନପାଣି ଠିକ୍ ଭାବେ ନିଷ୍କାସନ ହୋଇପାରୁନି। ଅନ୍ୟପକ୍ଷରେ ଏହି ପାଣି ଜମାଟ ବାନ୍ଧି ମଶାମାଛିଙ୍କ ବଂଶବୃଦ୍ଧି କରୁଛି। ଏହାର ପ୍ରଭାବରେ ଲୋକମାନେ ନାନା ରୋଗର ଶିକାର ହେଉଛନ୍ତି। ଯାହାର ପ୍ରତିବାଦରେ ଗ୍ରାମବାସୀଙ୍କ ପକ୍ଷରୁ ଆନନ୍ଦପୁର ବିଡିଓ, ଜିଲାପାଳ, ଉପଜିଲାପାଳ ଏବଂ ସଂପୃକ୍ତ ପଞ୍ଚାୟତର ସରପଞ୍ଚଙ୍କୁ ସମସ୍ୟାର ସମାଧାନ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।