ମାସଶ୍ରେଷ୍ଠର ମହକ

ଉପେନ୍ଦ୍ର ବିଶ୍ୱାଳ
ବର୍ଷକ ବାରମାସ ମଧ୍ୟରୁ ଶ୍ରେଷ୍ଠମାସ ମାର୍ଗଶିର। ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଗୀତାରେ କହିଛନ୍ତି- ମାସାନାଂ ମାର୍ଗଶୀର୍ଷୋଽହଂ ଅର୍ଥାତ୍‌ ମାସଗୁଡ଼ିକ ମଧ୍ୟରେ ମୁଁ ହେଉଛି ମାର୍ଗଶିର। ସାରା ଶ୍ରାବଣ ଶିବଙ୍କ ପାଇଁ ସମର୍ପିତ ଥିଲା ପରି ମାର୍ଗଶିର ମାସଟି ମା’ ଲକ୍ଷ୍ମୀଙ୍କ ପାଇଁ ଉତ୍ସର୍ଗୀକୃତ। ମା’ଙ୍କ ପ୍ରିୟବାର ଗୁରୁବାର ହେଉଛି ଧନ ଓ ଧର୍ମକାରକ ଦେବଗୁରୁ ବୃହସ୍ପତିଙ୍କର ବି ବାର। ମା’ ଲକ୍ଷ୍ମୀଙ୍କ ଗୁରୁବାର ପୂଜା ବି ବୃହସ୍ପତିଙ୍କର ଏକପ୍ରକାର ପୂଜାର୍ଚ୍ଚନା। ସମଗ୍ର ସୃଷ୍ଟିରେ ଭଗବାନ ବିଷ୍ଣୁ ଆଦିମୂଳ ହେଲେ ଲକ୍ଷ୍ମୀ ହେଉଛନ୍ତି ସୃଷ୍ଟିର ଆଦିମାତା। ବଞ୍ଚତ୍ବା ଓ ବଢ଼ିବାରେ ଖାଦ୍ୟର ଭୂମିକା ଅନସ୍ବୀକାର୍ଯ୍ୟ। ସାଗରତନୟା ମା’ ଲକ୍ଷ୍ମୀ ହେଉଛନ୍ତି ଅନ୍ନଦାତ୍ରୀ। ସମୃଦ୍ଧିର ସାଧନ, ଧନସମ୍ପତ୍ତିର ଅଧିଷ୍ଠାତ୍ରୀ ଦେବୀ ସେ। ଏଣୁ ଲକ୍ଷ୍ମୀଙ୍କ ବିନା ସୃଷ୍ଟିର ସ୍ଥିତି ଓ ବ୍ୟାପ୍ତି ଅକଳ୍ପନୀୟ। ଅଷ୍ଟନିଧିର ଅଧିଷ୍ଠାତ୍ରୀ ଦେବୀ ମା’ ଲକ୍ଷ୍ମୀ ହେଉଛନ୍ତି ଶାନ୍ତି, ସିଦ୍ଧି, ବୁଦ୍ଧି, ସୌଭାଗ୍ୟ, ସୌନ୍ଦର୍ଯ୍ୟ, ଯଶ, ମୋକ୍ଷ ଓ ଆନନ୍ଦର ଦେବୀ। ସେଥିପାଇଁ ସେ ଅଷ୍ଟଲକ୍ଷ୍ମୀ ଭାବେ ପୂଜିତା। ଶ୍ରୀଜଗନ୍ନାଥଙ୍କ ପାବନକ୍ଷେତ୍ର ଉତ୍କଳରେ ତ ମା’ ଲକ୍ଷ୍ମୀ ହେଉଛନ୍ତି ଓଡ଼ିଆ ଘରର ଆରାଧ୍ୟା। ଆଉ ମାର୍ଗଶିର ଆସିଲା କ୍ଷଣି ସେ ଆସିଥାଆନ୍ତି ନିଜ ବାପଘରକୁ। ମା’ଙ୍କ ଶୁଭ ଆଗମନାର୍ଥେ ଚଳଚଞ୍ଚଳ ହୋଇଉଠେ ଉତ୍କଳଭୂମି। ଧନୀଠୁ ଗରିବ, ବ୍ରାହ୍ମଣଠୁ ଚଣ୍ଡାଳ ସଭିଙ୍କ ମଧ୍ୟରେ ଭରିଯାଏ ଉତ୍ସାହ ଉଦ୍ଦୀପନା।
ପୁନଶ୍ଚ ଧାନ ହେଉଛି କୃଷିପ୍ରଧାନ ଓଡ଼ିଶାର ମୁଖ୍ୟ ଫସଲ। ମାର୍ଗଶିର ହେଉଛି ଅର୍ଦ୍ଧାଧିକ ଓଡ଼ିଶାର ଧାନ ଅମଳ ସମୟ। ଧନ ଓ ଧାନ୍ୟର ଦେବୀ ହେଉଛନ୍ତି ଲକ୍ଷ୍ମୀ, ଏଣୁ ସମଗ୍ର ଓଡ଼ିଆ ଜାତି ଅତି ଆଗ୍ରହ ଓ ଆବେଗରେ ଆରାଧନା କରିଥାଆନ୍ତି ତାଙ୍କୁ। ବର୍ଷର କମାଣିକୁ ମାପିବା ପାଇଁ ‘ମାଣ’କୁ ମାପକ ଭାବେ ବ୍ୟବହାର କରି ଆସିଛି ଚାଷୀପୁଅ କେଉଁ ଆବହମାନ କାଳରୁ। ବେତନିର୍ମିତ ମାଣଟିକୁ ମା’ଙ୍କ ପ୍ରତୀକ ରୂପେ ମାନି, ପ୍ରତିଟି ପରିବାର ତାଙ୍କୁ ଭକ୍ତି ଅର୍ଘ୍ୟ ବାଢ଼େ ଖୁବ୍‌ ନିଷ୍ଠାର ସହିତ। ଏଠି ମା’ଙ୍କ ମଣ୍ଡପ ହେଉଛି ସୁସଜ୍ଜିତ ସ୍ବତନ୍ତ୍ର ଖଟୁଲି। ଏହି ଖଟୁଲିରେ ସେହି ମାଣକୁ ବସାଇ ଧାନକେଣ୍ଡା ରଖି ଚନ୍ଦନ, ସିନ୍ଦୂର, ହଳଦୀ ଆଦିରେ ଓଡ଼ିଆ ଘରଣୀ ଆବାହନ କରିଥାଏ ମା’ଙ୍କୁ। ଏଥିପାଇଁ ମାର୍ଗଶିର ଗୁରୁବାରକୁ ମାଣବସା ଗୁରୁବାର କୁହାଯାଏ। ଏବେ ସରକାର ସ୍ବଚ୍ଛ ଭାରତ କଥା କହୁଥିବା ବେଳେ ହଜାର ହଜାର ବର୍ଷ ପୂର୍ବରୁ ଆଜି ପର୍ଯ୍ୟନ୍ତ ଓଡ଼ିଆ ଜାତି ସ୍ବଚ୍ଛତାରେ ଦୁଇପାଦ ଆଗରେ ରହିଆସିଛି। ମାଣବସା ଅବସରରେ ଓଡ଼ିଆ ଘରଣୀ ଘରବାହାର ଅତି ସରାଗରେ ଗୋବରରେ ଲିପାପୋଛା କରି କାନ୍ଥବାଡ଼ରେ ଝୋଟିରେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କିଥାଏ ମା’ଙ୍କ ସ୍ବାଗତ ପାଇଁ। କ୍ଷେତଖମାରଠୁ ଖଳାବାଡ଼ି, ଘରବାହାର, ଦାଣ୍ଡଦୁଆର ସବୁଠି ଲକ୍ଷ୍ମୀପାଦ ଓ ଝୋଟି ଚିତ୍ରର ସାଜସଜ୍ଜା। ପ୍ରତିଟି ଘରୁ ଭାସି ଆସୁଥାଏ ହଳଦୀ, ଚନ୍ଦନ, ଅଗୁରୁର ଭୁରୁଭୁରୁ ବାସ୍ନା। ସବୁଠି ସ୍ବଚ୍ଛତା ଓ ସାତ୍ତ୍ୱିକତାର ସଞ୍ଚରଣ, ଯାହାକି ସ୍ବର୍ଗର ଅମରାବତୀର ଭ୍ରମ ସୃଷ୍ଟି କରିଥାଏ।
ମା’ଙ୍କ ଏଇ ପୂଜା ପାଇଁ ଲୋଡ଼ା ନାହିଁ ପଣ୍ଡିତ, ପୂଜକ ଅବା ବ୍ରାହ୍ମଣ। ପ୍ରତିଟି ଓଡ଼ିଆ ଘରଣୀ ସାଜିଥାଏ ପଣ୍ଡିତିଆଣୀ- ଗାର୍ଗୀ, ମୈତ୍ରେୟୀ, ଲୋପାମୁଦ୍ରାଙ୍କ ପରି। ମା’ ଲକ୍ଷ୍ମୀଙ୍କର ମଧ୍ୟ ମୋହ ନ ଥାଏ ମନ୍ତ୍ରପାଠ ପ୍ରତି। ସେ ବାନ୍ଧିହୋଇ ପଡ଼ନ୍ତି ଭକ୍ତିରେ, ଭାବରେ। ଅନୁପ୍ରାଣିତ ହୁଅନ୍ତି ଓଡ଼ିଆଣୀର ଅନନ୍ୟ ପ୍ରେମ, ଅନୁରକ୍ତିରେ। ଆଡ଼ମ୍ବର ଅପେକ୍ଷା ଆବେଗ ହିଁ ଆକର୍ଷିତ କରିଥାଏ ତାଙ୍କୁ। ମା’ଙ୍କ ମଣ୍ଡପ (ଖଟୁଲି) ସାମ୍ନାରେ ବସି ବୋହୂମାନେ ଅତି ପବିତ୍ର ମନରେ ପାଠ କରିଥାଆନ୍ତି ଲକ୍ଷ୍ମୀପୁରାଣ। ସୁଲଳିତ କଣ୍ଠରେ ଝରି ଆସୁଥିବା ମା’ଙ୍କ ଏହି ବନ୍ଦନା ପ୍ରରୋଚିତ କରେ ପ୍ରତିଟି ପ୍ରାଣକୁ। ସତରେ କି ମୂର୍ଚ୍ଛନା, ଜୀବନମନ୍ତ୍ର ସେ! ସନ୍ଥ ବଳରାମ ଦାସଙ୍କ ଏହି ଲକ୍ଷ୍ମୀପୁରାଣ ଦୁନିଅଁା ପାଇଁ ଏକ ଦୁର୍ଲଭ ଦାନ। ଲକ୍ଷ୍ମୀପୁରାଣ ବାଣ୍ଟେ ନୈତିକତାର ନିର୍ମାଲ୍ୟ। ଶୁଣାଏ ସଂସ୍କାର, ଅନୁଶାସନର କଥା। ଶିକ୍ଷା, ସଂସ୍କାର, ସଦାଚାରଠୁ ସ୍ବାସ୍ଥ୍ୟ ସୁରକ୍ଷାଦି ଅନେକ ପ୍ରେରଣାପୂର୍ଣ୍ଣ ପାଠ ସନ୍ନିବେଶିତ ଏଥିରେ।
ପ୍ରତିଟି ପରିବାର ହେଉଛି ଶ୍ରୀମନ୍ଦିର ସଦୃଶ। ଘରର ସ୍ତ୍ରୀଲୋକ ହେଉଛନ୍ତି ଲକ୍ଷ୍ମୀଙ୍କ ପ୍ରତିରୂପ। ସେମାନଙ୍କୁ ହତାଦର ବା ହେୟ ମନେକଲେ ଆମକୁ ବି ଭୋଗିବାକୁ ପଡ଼ିପାରେ ଦୁର୍ଦ୍ଦଶା। ପରିବାରର ମଙ୍ଗଳ ନିହିତ ମାତୃଜାତିକୁ ମାନ-ମର୍ଯ୍ୟାଦା ପ୍ରଦାନରେ। ଏତାଦୃଶ ମହନୀୟ ବାର୍ତ୍ତା ବାଣ୍ଟେ ମାଣବସା ଗୁରୁବାର। ଅନୁଧ୍ୟାନରୁ ଜଣାଯାଏ ଯେ ପାରିବାରିକ କଳି, ହିଂସା, ନାରୀ ନିର୍ଯାତନାଦି ନିନ୍ଦନୀୟ ଘଟଣା ବଦଳରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ଦେଖିବାକୁ ମିଳେ ଏହି ମାସରେ। ଅନ୍ତତଃ ମାସଟିଏ ହେଲେ ବି ମାନସିକ ହିଂସାଠୁ ଦୂରେଇ ରହିଥାଆନ୍ତି ମା’ଙ୍କ ଆଶିଷ ଆଶାୟୀ ମଣିଷମାନେ। ଛୁଅଁା-ଅଛୁଁଆ, ଛୋଟ-ବଡ଼ର ଭେଦଭାବ ହେଉଛି ନୀଚ ମନର ମାନସିକତା। ଏହାଠୁ ଦୂରେଇ ରହିଲେ ଖୁବ୍‌ ପ୍ରସନ୍ନ ହୁଅନ୍ତି ମା’ ଲକ୍ଷ୍ମୀ। ଏହିପରି ମାର୍ଗଶିର ମାଣବସା ବାଣ୍ଟିଥାଏ ମହଣ ମହଣ ମହକ। ଶାନ୍ତି, ସୌହାର୍ଦ୍ଦ୍ୟ, ସ୍ବଚ୍ଛତା, ସାତ୍ତ୍ୱିକତା, ସାମାଜିକ ସମରସତା ଆଦି ସକାରାତ୍ମକ ଭାବନାର ସ୍ବଚ୍ଛ ସଲିିଳ ସ୍ରୋତରେ ସିକ୍ତ କରାଇଥାଏ ସମସ୍ତଙ୍କୁ। ସଂସ୍କୃତି ପ୍ରତି ନିଷ୍ଠା ସହିତ ପରମ୍ପରା ପ୍ରତି ପ୍ରତିବଦ୍ଧ ହେବାକୁ ପ୍ରବର୍ତ୍ତାଇଥାଏ ଜନମାନସକୁ। ଆମେ ଯଦି ପ୍ରତିଟି ବାରକୁ ଗୁରୁବାର ଓ ପ୍ରତିଟି ମାସକୁ ମାର୍ଗଶିର ବୋଲି ମାନି ନେଇ ଚଳନ୍ତେ, ତେବେ ନିତି ଝରି ପଡ଼ନ୍ତା ମା’ଙ୍କର ଅଜସ୍ର ଅନୁକମ୍ପା ଆମ ଉପରେ। ଏ ଭୂମି ପାଲଟି ଯାଆନ୍ତା ଆଉ ଏକ ବୈକୁଣ୍ଠପୁର।
ମୋ- ୯୪୩୭୪୩୬୦୭୩, ଇ-ମେଲ : unbiswal05@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri