ମାଟିହାଣ୍ଡିମନସ୍କ କି ମଣିଷ

ଡ. ଦେବାନନ୍ଦ ବେଉରା
ବେଶ୍‌ କିଛିଦିନ ହେବ ଆମ ଘରେ ସମ୍ପୂର୍ଣ୍ଣ ନ ହେଲେ ବି ଆଂଶିକ ଭାବେ ରୋଷେଇ ମାଟିହାଣ୍ଡିରେ ସମ୍ପାଦିତ ହୋଇଆସୁଛି। ତେବେ ରବିବାରର ରନ୍ଧାରନ୍ଧିଟା ପୂରା ମାଟିହାଣ୍ଡିରେ। ଏହାର କାରଣ ମାଟି ତିଆରି ଜିନିଷ ‘ହ୍ୟାଣ୍ଡେଲ ଉଇଥ୍‌ କେୟାର’ର ପରିସରଭୁକ୍ତ। ବ୍ୟବହାରରେ ସମୟ ଓ ଏକାଗ୍ରତା ଦରକାର ନିଶ୍ଚୟ, ଯାହା ରବିବାର ଦିନ ମିଳେ। ମାଟି ସେହିପରି ଏକ କୋମଳ, ରମଣୀୟ ପୁଣି କଠିନାକାରରେ ଭଙ୍ଗୁର ପଦାର୍ଥ, ଯାହା ପରଶମୟ ପ୍ରଯତ୍ନରେ ପର୍ଯ୍ୟାପ୍ତ ପ୍ରତିଦାନ ଦେଇଥାଏ। ଆଜି ବୋଧହୁଏ ଆମେ ସେହି ମାଟିକୁ, ମାଟିନିର୍ମିତ ବସ୍ତୁକୁ ଜୀବନଶୈଳୀରେ ପୁନଃସ୍ଥାପନ କରିବାର ଅୟମାରମ୍ଭ କରିଦେଇଛୁ। ହାଣ୍ଡିଶାଳରେ ମାଟିହାଣ୍ଡିର ବ୍ୟାବହାରିକ ପ୍ରବେଶ ନିଶ୍ଚିତରୂପେ ପ୍ରଭାବୀ ରହିବ, ଏ ଯେଉଁ ଆତ୍ମବିଶ୍ୱାସ ଟିକେ ଟିକେ ମୋ ମନରେ ଜନ୍ମିଥିଲା ତାହା ଆଜି ଜୋର ଧରିବାରେ ଲାଗିଛି। ଏମିତି ସେମିତି ନୁହେଁ, ମୋ ଚତୁଃପାର୍ଶ୍ୱସ୍ଥ ଲୋକଙ୍କର ମତାମତ ଆଧାରରେ ତଥା ବ୍ୟକ୍ତିଗତ ଉପଲବ୍ଧିରୁ ଏହା କହୁଛି। ଆପଣମାନେ ବି ହାଟ, ବଜାର, ପ୍ରଦର୍ଶନୀରେ ମାଟିନିର୍ମିତ ସରଞ୍ଜାମର ଚାହିଦା ଦେଖିଥିବେ, ଅନୁଭବ କରିଥିବେ। ଅନେକେ ବ୍ୟବହାର କରିବା ଆରମ୍ଭ କରିଦେଲେଣି, କିଛି ଲୋକ ଏହାକୁ ପସନ୍ଦ କରୁଛନ୍ତି ଆଉ ଅବଶିଷ୍ଟ ଧୀରେ ଧୀରେ ପ୍ରଭାବିତ ହେଉଛନ୍ତି। ଲୋକଙ୍କୁ ଏପରି ପ୍ରଭାବିତ କରିବାରେ ସାମାନ୍ୟ ଟିକେ ହେଉ ପଛେ, ମୋ ପରି ଅନେକ ବ୍ୟବହାରକାରୀ, କୌଳିକ ବୃତ୍ତିଧାରୀ ଏବଂ ବ୍ୟବସାୟୀଙ୍କ ହାତ ନିଶ୍ଚୟ ଅଛି। ଯେଉଁ କଥାକୁ ନେଇ ପ୍ରବନ୍ଧ ଆରମ୍ଭ କରିଥିଲି ତା’ର ମୁଖ୍ୟ ତାତ୍ପର୍ଯ୍ୟ ହେଉଛି- ମୁଁ କ’ଣ କଲି, ମୋ ଘରେ କ’ଣ ହେଲା ତା’ ବଡ଼ କଥା ନୁହେଁ, ମୁଁ ପାଞ୍ଚ-ପଚିଶ ସାଙ୍ଗସାଥୀ, ସହକର୍ମୀଙ୍କୁ ମାଟିହାଣ୍ଡି ରୋଷେଇର ସୁଆଦ ବିଷୟରେ ଯାହା ଗପୁଛି ତା’ର ପ୍ରଭାବ ଦେଖୁଛି। ଅନେକେ ଆଜି ମାଟିହାଣ୍ଡି ଓ ଅନ୍ୟାନ୍ୟ ମାଟି ସାମଗ୍ରୀକୁ ଆଦରିନେଲେଣି। ଆପଣ ଭାବିପାରନ୍ତି ଏଥିରେ କୋଉ ବଡ଼ କଥା ଅଛି। ଅଛି ନିଶ୍ଚୟ, ପରିବାରର ସ୍ବାସ୍ଥ୍ୟ ତ ହାଣ୍ଡିଶାଳରୁ।
ଇତିହାସ କୁହେ ମଣିଷ ସମାଜର ବଡ଼ ବଡ଼ ପରିବର୍ତ୍ତନ ଛୋଟ ଛୋଟ ପ୍ରସଙ୍ଗରୁ ଜନ୍ମ ନେଇଥାଏ। ଯଦିଓ ମାଟିପାତ୍ରର ବ୍ୟାବହାରିକ ପ୍ରସଙ୍ଗ ନୂଆ ନୁହେଁ, ତେବେ ଆଧୁନିକତାର ଚଟାପଟ୍‌ ଜୀବନରୁ କେବେଠୁ ଏହାକୁ ଆମେ ଦୂରେଇଦେଇଛୁ। ଫଳରେ ସ୍ବାଦ ସହିତ ସ୍ବାସ୍ଥ୍ୟକର ମାଟିହାଣ୍ଡିରନ୍ଧା ଖାଦ୍ୟକୁ ପାସୋରି ପକେଇଛୁ। ଆଜି ସିନା ସହରୀ ସଭ୍ୟତା ଗ୍ରାମୀଣ ପରିପାଟୀକୁ କବଳିତ କରିପକାଇଛି, ନ ହେଲେ ଦୈନନ୍ଦିନ ଜୀବନରେ ମାଟିହାଣ୍ଡି, ମାଠିଆ, ସୁରେଇ, ପଲମ, ଠେକି, କୁଣ୍ଡ ଓ ଘୁମର ବ୍ୟବହାର ସେମିତି ବଳବତ୍ତର ଥାଆନ୍ତା। ସାମାନ୍ୟ କିଛି ପିତ୍ତଳ, ରସ (ଆଲୁମିନିୟମ୍‌), କଂସା ବାସନକୁ ଛାଡିଦେଲେ ଆଉ ସବୁର ସତ୍ତା ମାଟି ଥିଲା। ସଭ୍ୟତାର ପ୍ରାରମ୍ଭରୁ ପ୍ରଚଳିତ ମାଟିହାଣ୍ଡି ପ୍ରଥା ଲୁଚିହଜି ଯାଇଥିଲେ ମଧ୍ୟ ଅନେକଙ୍କ ସ୍ମୃତିରେ ଏବେ ବି ତାହା ଉଜ୍ଜୀବିତ ରହିଛି। ଆଜି କ’ଣ ମନେପଡ଼େ ନାହିଁ ସେ ଦିନର ଷଢ଼େଇ ଡଙ୍କି ଘୋରା ମାଟିହାଣ୍ଡି ମୁଗଡାଲିର ବାସ୍ନା, ମାଟିହାଣ୍ଡି ସିଝା ମହ ମହ ମଣ୍ଡା, ଗଇଁଠା ଆଉ ପଲମପକା ଚକୁଳିପିଠାର ସ୍ବାଦ। ମାଠିଆର ମୁନ୍ଦେ ଶୀତଳ ଜଳରେ ତୃଷା ମେଣ୍ଟେଇବାର ତୃପ୍ତି ସବୁ ଚାପି ହୋଇଯାଇଛି ଚଞ୍ଚଳ ଚଳଣିର ଚକାଚକ୍‌ ଚେହେରାରେ। ସହଜଲବ୍ଧ, ସଅଳ କାର୍ଯ୍ୟ ସମ୍ପାଦନ କରୁଥିବା ବୈଷୟିକ ଗୁଣବତ୍ତାସମ୍ପନ୍ନ ଧାତବ ଓ ପ୍ଲାଷ୍ଟିକ ରୋଷେଇ ସରଞ୍ଜାମରେ ସଜ୍ଜିତ ଆମର ତଥାକଥିତ କିଚେନ୍‌। ବ୍ୟବହାର ଓ ରକ୍ଷଣାବେକ୍ଷଣର ଝିନ୍‌ଝଟ ନାହିଁ। ରକମ ରକମ ଖାଦ୍ୟ ପ୍ରସ୍ତୁତି ବ୍ୟତୀତ ଖାଦ୍ୟର ପୁଷ୍ଟିକାରିତା, ପୋଷଣତତ୍ତ୍ୱ ବିଷୟ ଯଦି କହିବା ତେବେ ତାହା ମାଟିହାଣ୍ଡି ସହ ସରି ହେବନି। ସେଥିପାଇଁ ଧୀରେ ଧୀରେ ଆମେ ମାଟିହାଣ୍ଡିର ଉପାଦେୟତାକୁ ହୃଦୟଙ୍ଗମ କରିବାକୁ ଲାଗିଲୁଣି। ପୁଣି ଛାଡି ଆସିଥିବା ପରମ୍ପରାରେ ଯୋଡ଼ି ହେବାର ଜିଗର ଜଡ଼େଇଲୁଣି। ବଜାର-ହାଟରେ ମାଟି ସାମଗ୍ରୀର ଦୋକାନ, ମୂର୍ତ୍ତି ପ୍ରଦର୍ଶନୀରେ ଗ୍ରାହକଙ୍କ ଭିଡ଼ ଏହା ଜଣାଉଛି। ଛୋଟବଡ଼ ସହରରେ ମାଟିହାଣ୍ଡି ପ୍ରସ୍ତୁତ ଖାଦ୍ୟ ପରିବେଷଣ କରୁଥିବା ହୋଟେଲ, ମାଟି କପ୍‌ରେ ଚା ଦେଉଥିବା ଦୋକାନ ତଥା ତନ୍ଦୁରି ଚା’ର ଚାହିଦା ମାଟିହାଣ୍ଡି ପ୍ରତି ଜନସାଧାରଣଙ୍କ ଦୁର୍ବଳତାକୁ ପ୍ରକାଶ କରୁଛି। ତା’ ସହିତ ଟେରାକୋଟା ଜିନିଷ ପ୍ରତି ଆକର୍ଷଣ ମଧ୍ୟ ବଢ଼ୁଛି।
ମାଟିହାଣ୍ଡିକୁ ଆବୋରିନେବାର ମହତ୍ତ୍ୱ କ’ଣ? କାଦୁଅରୁ ପ୍ରସ୍ତୁତ ହୋଇଥାଏ ଏସବୁ ଜିନିଷ। ଶିଳାର ସୂକ୍ଷ୍ମ କଣିକା ଓ ଅନ୍ୟାନ୍ୟ ଜୈବିକ ପଦାର୍ଥରୁ ପ୍ରାକୃତିକ ଉପାୟରେ ମାଟି ଓ କାଦୁଅ ସୃଷ୍ଟି ହୋଇଥାଏ। ନରମ କାଦୁଅରୁ ପ୍ରସ୍ତୁତ ସରଞ୍ଜାମକୁ ଶୁଖାଇ ପୋଡ଼ାଯାଏ। ଏଥିରେ ଥିବା ଲୌହଅଂଶ ପାଇଁ ତାହା ନାଲି ଦେଖାଯାଏ। ମାଟିରେ ଲୌହଅଂଶ କମ୍‌ ଥିଲେ କିମ୍ବା ପୋଡ଼ିବାରେ କୁଟାକାଠି ବ୍ୟବହାର ହୋଇଥିଲେ ରଙ୍ଗ କଳା ଆସେ। ମାଟିହାଣ୍ଡି ଖାଦ୍ୟରୁ ପାଣି ଟାଣିବା ସହିତ ତା’ରି ରସରେ ରାନ୍ଧି ହୁଏ। ସଚ୍ଛିଦ୍ରତା ଓ ପ୍ରାକୃତିକ ରୋଧନ ପାଇଁ ହାଣ୍ଡି ଭିତରେ ବାମ୍ଫ ଘୂରିବୁଲିବା ସହ ରନ୍ଧାଯାଇଥିବା ପଦାର୍ଥରେ ଆଦର୍‌ରତା ଭରିକି ରଖେ। ସେଥିପାଇଁ ଅଧିକ ତେଲ ବ୍ୟବହାର କରିବାକୁ ପଡ଼େନାହିଁ। ମାଟିହାଣ୍ଡି ପ୍ରସ୍ତୁତ ଖାଦ୍ୟ ଅନ୍ୟ ଧାତୁପାତ୍ର ଅପେକ୍ଷା କମ୍‌ ତେଲ, ଚର୍ବିଯୁକ୍ତ ତଥା ନିମ୍ନ କ୍ୟାଲୋରୀଯୁକ୍ତ ହୋଇଥାଏ। ଧାତୁ କିମ୍ବା ଏନାମେଲ ପ୍ରଲେପିତ ପାତ୍ର ଭଳି ଏଥିରେ କ୍ଷତିକାରକ ଧାତୁକଣିକା ଖାଦ୍ୟ ସହିତ ମିଶେ ନାହିଁ। ମାଟି ବା କାଦୁଅ ସାଧାରଣ ଭାବେ କ୍ଷାରୀୟ ହୋଇଥାଏ, ଯାହା ଖାଦ୍ୟରେ ଥିବା ଅମ୍ଳକୁ କମାଇବାରେ ସକ୍ଷମ ହେବା ସହ ହଜମ କ୍ରିୟାକୁ ସହଜ କରେ। ମାଟିହାଣ୍ଡି ଖାଦ୍ୟ ବହୁତ ସମୟ ପର୍ଯ୍ୟନ୍ତ ବିନା ଶୀତଳୀକରଣରେ ଏବଂ ବାରମ୍ବାର ଗରମ କରିବା ପ୍ରକ୍ରିୟାରୁ ନିବୃତ୍ତ ରହି ତା’ର ପୌଷ୍ଟିକ ଓ ସ୍ବାଦିଷ୍ଠ ଗୁଣ ବଜାୟ ରଖିପାରେ। ଏଥିରୁ ମାଟିହାଣ୍ଡିର ବ୍ୟବହାର ଯେ କେତେ ସ୍ବାସ୍ଥ୍ୟପ୍ରଦ ତାହା ଅନୁମେୟ।
୨୯ ଏପ୍ରିଲ ୨୦୧୧ରେ ଧରିତ୍ରୀରେ ମୋର ‘ହଜିଯାଉଥିବା ମାଟିର ମହକ’ ଲେଖାଟି ପ୍ରକାଶିତ ହୋଇଥିଲା। କଙ୍କ୍ରିଟରେ ଲୁଚିଯାଉଥିବା, ବର୍ଜ୍ୟବସ୍ତୁରେ ସଂକ୍ରମିତ ହେଉଥିବା ତଥା ରାସାୟନିକ ସାର ଓ ବିଷରେ ପ୍ରଦୂଷିତ ହେଉଥିବା ମାଟିର ମାନ ଓ ମହତ୍ତ୍ୱ ପୁନରୁଦ୍ଧାର କରିବାରେ ତାହା ଥିଲା ଗୋଟେ ଛୋଟ ପ୍ରୟାସ। ମାଟି ମା’କୁ ମଣିଷର ମାନସପଟ ସହ ସ୍ବାସ୍ଥ୍ୟ ଓ ଆତ୍ମସନ୍ତୁଷ୍ଟିକୁ ଯୋଡ଼ିବାର ଏକ ଆବେଗପ୍ରବଣ ଆୟୁଧ ହେଉଛି ମାଟିହାଣ୍ଡିକୁ ହାଣ୍ଡିଶାଳରେ ସ୍ଥାନ ଦେବା। ସମୟ ଆସିଯାଇଛି, ପ୍ରକୃତିପରିପନ୍ଥୀ ପ୍ଲାଷ୍ଟିକକୁ ଛାଡ଼ିବାକୁ ପଡ଼ିବ। ଏହାର ଆଂଶିକ ଶୂନ୍ୟସ୍ଥାନକୁ ମାଟିପାତ୍ର ବିକଳ୍ପ ରୂପେ ପୂରଣ କରିପାରିବ। ମାଟି ପ୍ରସ୍ତୁତ ସାମଗ୍ରୀଗୁଡ଼ିକ ପ୍ଲାଷ୍ଟିକ୍‌ ପରି ଏକକ ବ୍ୟବହାର ପରେ ଫୋପଡ଼ା ଯାଇ ନ ଥାଏ। ଭଙ୍ଗାରୁଜା, ଅବ୍ୟବହୃତ, ପରିତ୍ୟକ୍ତ ମାଟିପାତ୍ର ପରିବେଶ ଅନୁକୂଳ ଏବଂ ଏହା ପୁଣି ମାଟିରେ ମିଶିଯାଏ। ତେଣୁ ପର୍ଯ୍ୟାବରଣ ପ୍ରଦୂଷିତ ହେବାର ଆଦୌ ସମ୍ଭାବନା ନ ଥାଏ। ତା’ ସହିତ ମାଟିପାତ୍ରର ପ୍ରଚାର, ପ୍ରସାର ଦ୍ୱାରା ଗ୍ରାମୀଣ ତଥା କ୍ଷୁଦ୍ର ଅର୍ଥନୀତି ବିକଶିତ ହୋଇପାରିବ। କୌଳିକ ବୃତ୍ତିଧାରୀ ବିଶେଷ ଉପକୃତ ହେବା ସହ ମାଟିପାତ୍ର ଉତ୍ପାଦନକୁ ନେଇ କୁଟୀରଶିଳ୍ପ ବିକାଶ ଲାଭ କରିପାରିବ। କହିବାକୁ ଗଲେ ମାଟିହାଣ୍ଡିର ବ୍ୟାବହାରିକ ବହୁଳତା ମଣିଷର ଜୀବନଶୈଳୀରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ, ଯେଉଁଠି ସୁସ୍ଥ ପରିବେଶ ମଧ୍ୟରେ ସାତ୍ତ୍ୱିକ ତଥା ନୀରୋଗ ନିର୍ବହନ ସମ୍ଭବ ହୋଇପାରିବ।
ବିଭାଗୀୟ ମୁଖ୍ୟ, ଭୂତତ୍ତ୍ୱ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ, ମୋ-୯୮୬୧୨୧୩୪୭୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri