ଭାଇ ଭାଇ ସମ୍ପର୍କ

ଅଭିମନ୍ୟୁ ଧଳ
ଯୁଦ୍ଧ ଭୂମିରେ ରାବଣ ଶେଷନିଃଶ୍ୱାସ ନେବା ପୂର୍ବରୁ ଶ୍ରୀରାମଚନ୍ଦ୍ରଙ୍କୁ ପାଖକୁ ଡାକି କହିଲେ ”ମୁଁ ତୁମଠାରୁ ସବୁକଥାରେ ଶ୍ରେଷ୍ଠ। ଜାତିରେ ଶ୍ରେଷ୍ଠ, ବୟସରେ ତୁମଠାରୁ ବଡ଼, କୁଟୁମ୍ବରେ ତୁମଠାରୁ ବହୁତ ବଡ଼। ତୁମଠାରୁ ଜ୍ଞାନୀ, ମାନୀ, ମହାପରାକ୍ରମୀ, ବଳଶାଳୀ, ଧନସମ୍ପତ୍ତି, ସୈନ୍ୟସାମନ୍ତରେ ଯଥେଷ୍ଟ ଅଧିକ। ତୁମର ରାଜପ୍ରାସାଦ ସୁବର୍ଣ୍ଣ ମାତ୍ର, ମୋର ସମଗ୍ର ଲଙ୍କା ସୁବର୍ଣ୍ଣରେ ନିର୍ମିତ। ଏସବୁ ଥାଇ ମୁଁ ତୁମଠାରୁ ପରାସ୍ତ ହେଲି, କାରଣ, ତୁମ ଭାଇ ତୁମ ସହିତ ଅଛି, ଆଉ ମୋ ଭାଇ ମୋ ସାଥିରେ ନାହିଁ।“
କଥାରେ ଅଛି, ”କଳି ଯଦି କରି ବସିବ ସଙ୍ଗେ ଥିବ ଭାଇ।“ ବାସ୍ତବିକ୍‌ ଭାଇ-ଭାଇ ସମ୍ପର୍କ ରକ୍ତର ଗଭୀରତମ ସମ୍ପର୍କ। ଭାଇ ବିପଦରେ ପଡିଥିଲେ ଅନ୍ୟ ଭାଇ କିଛି ବାଛବିଚାର ନ କରି ସହାୟ ହୁଅନ୍ତି। ଗୋଟିଏ ମା’ ପେଟରୁ ଜନ୍ମିତ ଭାଇମାନେ ଧୂଳିଖେଳଠାରୁ ଆରମ୍ଭ କରି, ପରସ୍ପର କଳିଝଗଡା, କିଛି ସମୟ ପରେ କୋଳାକୋଳି ହେବା ସ୍ନେହ, ପ୍ରେମ ଓ ବନ୍ଧନର ନିଚ୍ଛକ ପ୍ରତିଛବି। ଭାଇର ସଫଳତାରେ ଭାଇ ଅଧିକ ଖୁସି ଓ ଦୁଃଖରେ ଦୁଃଖୀ ହୋଇଥାଏ। ଯେଉଁଠାରେ ଭାଇମାନଙ୍କ ମନ ଏକ ଥାଏ ସେ ଘର ସବୁଥିରେ ପରିପୂର୍ଣ୍ଣ ରହିଥାଏ।
ଏକାନ୍ନବର୍ତ୍ତୀ ପରିବାରରେ ଭାଇ-ଭାଇ ସମ୍ପର୍କ ଅତୁଟ ଥିଲା। କୌଣସି ଭାଇର ଅସୁବିଧା ହେଲେ ଅନ୍ୟ ଭାଇମାନେ ଅଯାଚିତଭାବେ ସାହାଯ୍ୟ କରୁଥିଲେ। ନିଜ ପିଲାପିଲି ହେଉ ଅବା ଭାଇଙ୍କର ପିଲାପିଲି ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖୁଥିଲେ। ଖାଇବା ପିଇବାଠାରୁ ଆରମ୍ଭ କରି ପୋଷାକପତ୍ର କୌଣସିଥିରେ ପାତରଅନ୍ତର ନ ଥିଲା। କାଳକ୍ରମେ ଏକାନ୍ନବର୍ତ୍ତୀ ପରିବାର ଅଲଗା ହୋଇ ଛୋଟ ଛୋଟ ହୋଇଗଲା। ସମାଜତତ୍ତ୍ୱବିତ୍‌ଙ୍କ ମତରେ ପ୍ରତି ପଚାଶ ବର୍ଷରେ ସଭ୍ୟତା ଓ ସଂସ୍କୃତି ବଦଳେ। ପେଟପାଟଣା ହେଉ ଅବା ସ୍ଥାନାଭାବ ହେତୁ ଓ ଭଲରେ ରହିବା ପାଇଁ ବାପା, ଅଜାଙ୍କ ଭିଟାମାଟି ଛାଡିବାକୁ ପଡିଲା ଏବଂ ଯେଉଁମାନେ ସେହି ସ୍ଥାନରେ ରହିଲେ ସେମାନେ ପରସ୍ପରଠାରୁ ଅଲଗା ରହିଲେ। କେତେକେ ପିତୃଅର୍ଜିତ ସମ୍ପତ୍ତି ଭାଗବଣ୍ଟା ନ କରି ନିଜ ରୋଜଗାରରେ ଚଳନ୍ତି। ବିଶେଷକରି ସେମାନେ ବାହାରେ ଚାକିରି ବା ବ୍ୟବସାୟ ଆଦି କରି ଅର୍ଥ ଉପାର୍ଜନ କରିଥାନ୍ତି। ଗାଁରେ ଯେଉଁମାନେ ଥାଆନ୍ତି ସେମାନେ ପୈତୃକ ସମ୍ପତ୍ତିର ଦେଖାଶୁଣା କରନ୍ତି। ଭଲମନ୍ଦ କାମରେ ସମସ୍ତେ ଏକାଠି ହୋଇଥାନ୍ତି। ଆମ ପରମ୍ପରାରେ ଅଛି ବାପାମା’ ଜୀବିତ ଥିବା ପର୍ଯ୍ୟନ୍ତ ପୁଅମାନେ ଭିନେ ହୋଇ ସମ୍ପତ୍ତି ଭାଗବଣ୍ଟା କରନ୍ତି ନାହିଁ। କାରଣ ତାହାଦ୍ୱାରା ବାପାମା’ଙ୍କୁ ବହୁତ ମାନସିକ ଆଘାତ ଲାଗିଥାଏ। କିନ୍ତୁ ଏବେ ତାକୁ କେହି ମାନୁନାହାନ୍ତି। ଅଧିକାଂଶ କ୍ଷେତ୍ରରେ ଦେଖାଯାଉଛି ଭାଇମାନେ ପରସ୍ପର ଅଲଗା ହୋଇଗଲେ ସମ୍ପତ୍ତି ସହିତ ବାପା ଓ ମା’ ମଧ୍ୟ ବାଣ୍ଟ ହୋଇଯାଆନ୍ତି। କେତେକ ସ୍ଥଳରେ ଦେଖାଯାଏ ବାପାମା’ଙ୍କୁ ଅଲଗା କରିଦିଆଯାଏ। ବାହାରେ ବିପୁଳ ଅର୍ଥ ରୋଜଗାର କରୁଥିବା ଭାଇ, ଅନ୍ୟ ଭାଇକୁ ଆଡ଼ ଆଖିରେ ଦେଖନ୍ତି ନାହିଁ। ବରଂ ସେମାନଙ୍କ ଭାଗ ବିକ୍ରି କରିଦିଅନ୍ତି। ନିଜ ପିଲାଙ୍କୁ ଉଚ୍ଚଶିକ୍ଷିତ କରାଇ ବାହାରେ ରଖନ୍ତି। ବୟସର ଅପରାହ୍ଣରେ ପୁଳାଏ ପଇସା ତାଙ୍କର ନିଃସଙ୍ଗତାକୁ ଦୂରେଇ ପାରେନାହିଁ। ଗାଁକୁ ଆସିବାକୁ ଇଚ୍ଛା ଥିଲେ ମଧ୍ୟ ଫେରିପାରନ୍ତି ନାହିଁ। କେବଳ ମନସ୍ତାପରେ ଛଟପଟ ହୁଅନ୍ତି। ଭାଇ-ଭାଇ ନିବିଡ ସମ୍ପର୍କ ସେତେବେଳେ ମନେପଡ଼େ।
ରକ୍ତ ସମ୍ପର୍କରେ ବନ୍ଧା ଭାରତୀୟ ପରିବାରଗୁଡିକ ଭିତରେ ଦିନକୁ ଦିନ ଦ୍ୱେଷ, ହିଂସା, ଈର୍ଷା ଆଦି ବୃଦ୍ଧି ପାଉଛି, ଯାହା ଅନେକ ସମୟରେ ବାହାରକୁ ଜଣା ପଡୁ ନ ଥିଲେ ମଧ୍ୟ ଭିତରେ ଭିତରେ କୁହୁଳୁଛି ଓ ସମ୍ପର୍କକୁ ଖରାପ କରୁଛି। ମହାଭାରତରେ ମହାମାନୀ ଦୁର୍ଯ୍ୟୋଧନ ପାଣ୍ଡବ ପାଞ୍ଚଭାଇଙ୍କୁ ପାଞ୍ଚଟି ପଡ଼ା ନ ଦେଇ ଯୁଦ୍ଧର ବିଭୀଷିକା ସୃଷ୍ଟି କରିଥିଲେ। ଆଜିକାଲି ଭାଇ-ଭାଇ ସମ୍ପର୍କ ଦୀର୍ଘସ୍ଥାୟୀ ରହିବା ବିରଳ। ଅନେକେ ରକ୍ତ ସମ୍ପର୍କକୁ ଛିନ୍ନକରି କଳିତକରାଳ ଏପରି କି ରକ୍ତାକ୍ତ ସଂଘର୍ଷରେ ଅବତୀର୍ଣ୍ଣ ହୋଇ ଥାନା, କୋଟର୍ର୍ କଚେରିର ଆଶ୍ରୟ ନେଉଛନ୍ତି। ଅସଂଖ୍ୟ ସମ୍ପତ୍ତି ଭାଗବଣ୍ଟା ମାମଲା କୋର୍ଟକଚେରିରେ ପହଞ୍ଚୁଛି। ଏକ ପରିସଂଖ୍ୟାନ କହେ ଯେ, ଏବେ ଭାରତର ନ୍ୟାୟାଳୟଗୁଡ଼ିକରେ ଭାଇ-ଭାଗ ସମ୍ପର୍କିତ ମାମଲା ସର୍ବାଧିକ। ରାମାୟଣରେ ବାଳି ଓ ସୁଗ୍ରୀବଙ୍କ ମଧ୍ୟରେ ଭୁଲ୍‌ ବୁଝାମଣା ଓ ଶତ୍ରୁତା ବାଳିବଧର କାରଣ ହେଲା। ଗରିବ, ମଧ୍ୟବିତ୍ତ ଅବା ଧନପତିଙ୍କ କ୍ଷେତ୍ରରେ ଏହା ଦେଖାଯାଇଥାଏ। ଅଭାବ ଅସୁବିଧା ଭିନେ ହେବାର ମୁଖ୍ୟ କାରଣ ନୁହେଁ। ଅନ୍ୟକୁ ସାହାଯ୍ୟ କରିବା ଭଲ କିନ୍ତୁ ମା’ ପେଟର ଭାଇକୁ ସାହାଯ୍ୟ କରିବା ଦୂରେ ଥାଉ ବରଂ ତା’ର ଦୁଃଖରେ ଖୁସି ହେବା ପରି ଘଟଣା ଆଜିକାଲି ଦେଖିବାକୁ ମିଳୁଛି। ଭାଇ ବର୍ତ୍ତମାନ ଭଗାରି। ଶତ୍ରୁ କେଉଁଠି? ମା’ ପେଟରେ।
ଭାଇ ଭାଇ ସମ୍ପର୍କ ସ୍ନେହ, ପ୍ରେମ, ମମତାର ସମ୍ପର୍କ ହୋଇଥିଲେ ମଧ୍ୟ ଏହା ସମୟକ୍ରମେ ବିଷମୟ ହୋଇଯାଇଛି। ହିଂସା, ଦ୍ୱେଷ, ଈର୍ଷା ମନକୁ ବାନ୍ଧି ଦେଉଛି। ସମ୍ପର୍କର ବିଭାଜନ ହେଉଛି। ବିରାଟ ବିଶ୍ୱ ଆମର ହାତମୁଠାରେ ରହିବା ବେଳେ ନିଜ ସମ୍ପର୍କଠାରୁ ଦୂରେଇ ଯାଇ ମଣିଷ କ’ଣ ଶାନ୍ତି ପାଉଛି? ମଣିଷ ଅବସାଦର ଶିକାର ହେବାର ଏହା ମୁଖ୍ୟ କାରଣ। କେତେ କବି, ଲେଖକଙ୍କ ଲେଖାରେ ଏବଂ ଚଳଚ୍ଚିତ୍ରରେ ଏହି ଭାଇ-ଭାଇ ସମ୍ପର୍କକୁ ନେଇ ଅନେକ କଥା ଓ ବ୍ୟଥା ରୂପାୟିତ ହୋଇଛି। ତଥାପି ଏହାର ପ୍ରଭାବ ବିଶେଷ ଫଳପ୍ରଦ ନୁହେଁ। ଭାଇମାନେ ନିଜ ପରିବାରରେ ସାଥୀ ହୋଇ ରହିଲେ ବିଜୟୀ ହୁଅନ୍ତି। ଶ୍ରୀମନ୍ଦିର ରତ୍ନ ସିଂହାସନରେ ଉପବେଶନ କରିଥିବା ଦୁଇଭାଇ ଜଗା, ବଳିଆ ଏହାର ଶ୍ରେଷ୍ଠ ଉଦାହରଣ। ଏପରି ଭାଇ ଜଗତେ ନାହିଁ।
ଓସଂଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ମୋ-୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri