ବିବେକୀ ମଣିଷ

ମମତା ପଣ୍ଡା
ମଣିଷକୁ ନିୟନ୍ତ୍ରଣ କରେ ତା’ର ମନ, ବୁଦ୍ଧି ଓ ବିବେକ। ବୃତ୍ତି-ରଙ୍ଗିଳ ମନ ପ୍ରବୃତ୍ତି ମାର୍ଗରେ ଆତ୍ମସ୍ବାର୍ଥ ପୂରଣ ପାଇଁ ନିଜ ଇନ୍ଦ୍ରିୟଗୁଡ଼ିକୁ ବ୍ୟବହାର କରେ। ନିଜର ବୃତ୍ତି-ଆଶା ପୂରଣ ଲାଗି ସେ ବୁଦ୍ଧିର ବିନିଯୋଗ କରେ। ବିବେକର ଡାକ ସେ ଶୁଣେ ନାହିଁ। ଆତ୍ମସ୍ବାର୍ଥ ସାଧନ ପାଇଁ ଦରକାର ପଡ଼ିଲେ ଅନ୍ୟର କ୍ଷତି କରିବାକୁ ବି ସେ ପଛାଏ ନାହିଁ। କିନ୍ତୁ ଇଷ୍ଟ-ରଙ୍ଗିଳ ମନ ସର୍ବଦା ବିବେକର ଅନୁସରଣ କରି ନିଜର ବା ଅପରର କେବଳ ମଙ୍ଗଳ ହିଁ କରିଥାଏ। ଅନ୍ୟର କ୍ଷତି କରିବା ଦୂରେ ଥାଉ ବରଂ ଗୋଟିଏ ପିମ୍ପୁଡ଼ିର ମଧ୍ୟ ବ୍ୟଥା ନିରାକରଣ ଦିଗରେ ମୁଁ ଯଦି ଯତ୍ନଶୀଳ ନ ହେଲି ତା’ହେଲେ ମୋଠାରୁ ହୀନ ଆଉ କିଏ, ‘ସତ୍ୟାନୁସରଣ’ ଶୈଳୀରେ ସେ ଏହିପରି ଚିନ୍ତା କରେ। ଏମାନେ ହେଉଛନ୍ତି ବିବେକୀ ମଣିଷ। ତେବେ ଏପରି ମଣିଷ ଆଜିକାଲି ଦୁର୍ଲଭ।
ଠାକୁର ରାମକୃଷ୍ଣ ପରମହଂସ ନରେନ୍ଦ୍ରନାଥ ଦତ୍ତଙ୍କୁ ସନ୍ନ୍ୟାସ ଦୀକ୍ଷା ଦେବା ପରେ ତାଙ୍କର ନାମ ରଖିଥିଲେ ବିବେକାନନ୍ଦ, କାରଣ ବିବେକର ଅନୁସରଣ କରିବାରେ ସେ ଆନନ୍ଦ ପାଉଥିଲେ। ସେ ମାତ୍ର ୩୯ ବର୍ଷର ସ୍ବଳ୍ପ ଜୀବନକାଳ ମଧ୍ୟରେ ଅନେକ ମହତ୍‌ କାମ କରିଯାଇଛନ୍ତି। ତେବେ ଏଠାରେ ମଁୁ ଆଉ ଜଣେ ବିବେକାନନ୍ଦଙ୍କ ବିଷୟରେ ସୂଚନା ଦେବାକୁ ଚାହୁଁଛି, ଯିଏ ଉକ୍ତ ମହାପୁରୁଷଙ୍କ ସହ ତୁଳନୀୟ ନ ହେଲେ ମଧ୍ୟ ମାନବସେବାକୁ ମାଧବସେବା ଜ୍ଞାନରେ ନିଜ ଜୀବନର ବ୍ରତ କରି ଜୀବନର ସ୍ବଳ୍ପ ଅବଧି ଭିତରେ ସ୍ମରଣୀୟ ହୋଇ ରହିଯାଇଛନ୍ତି। ସେ ଆରମ୍ଭ କରିଥିବା ସେବାକାର୍ଯ୍ୟ ତାଙ୍କ ପରେ ବି ଅବ୍ୟାହତ ରହିଛି।
ତାଙ୍କର ଜନ୍ମ ହୁଏ ୧୯୬୭ ମସିହା ମାଘ କୃଷ୍ଣ ସପ୍ତମୀ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମତିଥିରେ। ସେଥିପାଇଁ ପିତା ଲକ୍ଷ୍ମୀଧର ଓ ମାତା ହେମାଙ୍ଗିନୀ ତାଙ୍କ ନାଁ ରଖିଥିଲେ ବିବେକାନନ୍ଦ। ବାଲ୍ୟକାଳରୁ ହିଁ ସେ ଥିଲେ ପରଦୁଃଖକାତର। ଦିନେ ସେ ତାଙ୍କୁ କିଛି ଦିନ ପାଠ ପଢ଼ାଇଥିବା ତାଙ୍କ ପିତାଙ୍କ ପ୍ରାଥମିକ ଶିକ୍ଷକଙ୍କଠାରୁ ଏକ ଚିଠି ପାଇଲେ। ଏହି ଚିଠି ମାଧ୍ୟମରେ ଗୁରୁଜୀ ତାଙ୍କର ଦେହ ଭଲ ରହୁ ନ ଥିବା ଓ ଅଭାବ ଅସୁବିଧାରେ ଚଳୁଥିବା ବିଷୟ ଦର୍ଶାଇବା ସହ ଏକ ଶୀତଚାଦର କିଣିବା ପାଇଁ ତାଙ୍କ ପିତାଙ୍କୁ ମାତ୍ର ୧୦ ଟଙ୍କା ମାଗିଥିଲେ। ବିବେକାନନ୍ଦ ତାଙ୍କ ମାଆଙ୍କୁ କହିଲେ: ମାଆ, ଗୁରୁଜୀଙ୍କ ଦେହ ଭଲ ନାହିଁ। ମଁୁ ଏକ ଚାଦର ଓ କିଛି ଫଳମୂଳ ନେଇ ତାଙ୍କୁ ଦେଖିବାକୁ ଯିବି। ମାଆ ଅନୁମତିି ଦେବାରୁ ମାଉସୀପୁଅ ଭାଇ ବାଲୁଙ୍କେଶ୍ୱରଙ୍କୁ ସାଙ୍ଗରେ ନେଇ ସେ ଗଲେ ଭୁବନେଶ୍ୱରରୁ ଖୋର୍ଦ୍ଧା ଓ ସେଠାରୁ କିଛି ବାଟ ଦୂର ଏକ ନିପଟ ମଫସଲ ଗାଁକୁ। ଗାଁରେ ପହଞ୍ଚି ଯାହା ଦେଖିଲେ ସେଥିରେ ତାଙ୍କର ପ୍ରାଣ କାନ୍ଦିଉଠିଲା। କାରଣ ସେ ପହଞ୍ଚିବା ବେଳକୁ ଗୁରୁଜୀଙ୍କର ପରଲୋକ ହୋଇଯାଇଥିଲା। ଗାଁ ମୁଣ୍ଡ ଶ୍ମଶାନରେ ତାଙ୍କର ଶବଦାହ ହେଉଥିଲା।
ସେଦିନ ଶୋକାତୁର ଭଙ୍ଗା ମନ ନେଇ ଘରକୁ ଫେରିବା ପରେ ୮ ବର୍ଷର ବିବେକାନନ୍ଦ ତାଙ୍କ ମାଆଙ୍କ ଆଗରେ ପ୍ରତିଜ୍ଞା କରିଥିଲେ: ମାଆ! ମଁୁ ବଡ଼ ହେଲେ ମାଆବାପା, ବୁଢ଼ୀବୁଢ଼ା, ଗରିବ ଓ ଅସହାୟ ଲୋକମାନଙ୍କର ସେବା କରିବି। ସେ ପ୍ରତିଜ୍ଞା ଥିଲା ତାଙ୍କର ଭୀଷ୍ମପ୍ରତିଜ୍ଞା। ସେଥିରୁ ସେ କେବେ ବି ଓହରିନାହାନ୍ତି।
ବଡ଼ ହେବା ପରେ ସେ ବାଛିନେଲେ ଆଇନ ବ୍ୟବସାୟକୁ ତାଙ୍କର ଜୀବିକା ରୂପେ। ଘର ଲୋକେ ସମସ୍ତେ ଜାଣନ୍ତି ଯେ ପୁଅ କଚେରିକୁ ଯାଇଛି। କିନ୍ତୁ ସେ କେତେବେଳେ ବସ୍ତି ଅଞ୍ଚଳକୁ ଯାଇ ରୋଗୀସେବା କରନ୍ତି, କେତେବେଳେ ସଫେଇ କାର୍ଯ୍ୟ କରନ୍ତି, କେତେବେଳେ ଗରିବ ପିଲାଙ୍କୁ ପାଠ ପଢ଼ାନ୍ତି ଓ କେତେବେଳେ ରକ୍ତଦାନ କରନ୍ତି, ତାହା ତାଙ୍କ ଛଡ଼ା ଓ ତାଙ୍କ ସେବାକାର୍ଯ୍ୟର ସହଯୋଗୀ ସାଥୀ ଓକିଲଙ୍କ ଛଡ଼ା ଆଉ କେହି ଜାଣନ୍ତି ନାହିଁ। ଅନେକ ଗରିବ ମେଧାବୀ ପିଲାଙ୍କ ପାଇଁ ସେ ପଢ଼ାଖର୍ଚ୍ଚ ବହନ କରୁଥିଲେ। କିନ୍ତୁ ସମସ୍ତଙ୍କୁ ତାଙ୍କ ନାଁ ପ୍ରକାଶ ନ କରିବା ପାଇଁ ତାଗିଦ କରୁଥିଲେ। ଏପରି କି ସେ ଏତେ ସେବାକାର୍ଯ୍ୟ କରୁଥିବା ବିଷୟରେ ତାଙ୍କ ମାଆବାପା ବି ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଜାଣି ନ ଥିଲେ। ୧୩ା୦୮ା୨୦୦୦ ଗହ୍ମା ପୂର୍ଣ୍ଣମୀର ପୂର୍ବଦିନ ମାତ୍ର ୩୩ ବର୍ଷ ବୟସରେ ବିବେକାନନ୍ଦଙ୍କ ପରଲୋକ ଘଟିବା ପରେ ଜମା ହୋଇପଡ଼ିଥିଲେ ତାଙ୍କର ଶୁଭେଚ୍ଛୁ ଓ ତାଙ୍କ ଦ୍ୱାରା ଉପକୃତ ହୋଇଥିବା ମଣିଷମାନେ। ସେମାନେ ତାଙ୍କ ମୁହଁରେ ନିଜେ ପାଇଥିବା ଉପକାର ବିଷୟରେ ସ୍ବୀକାର କରିବା ପରେ ହିଁ ବିବେକାନନ୍ଦଙ୍କ ସେବାକାର୍ଯ୍ୟ ବିଷୟରେ ତାଙ୍କ ପରିବାର ଲୋକେ ଜାଣିବାକୁ ପାଇଥିଲେ। ସେଥିପାଇଁ ତାଙ୍କର ପିତା ଲକ୍ଷ୍ମୀଧର ବାବୁ ଓ ଅନ୍ୟମାନେ ନିଷ୍ପତ୍ତି ନେଲେ ବିବେକାନନ୍ଦଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସେବାକାର୍ଯ୍ୟ ଯେପରି ତାଙ୍କ ମୃତ୍ୟୁ ପରେ ବି ଅନନ୍ତକାଳ ଧରି ଅବ୍ୟାହତ ରହେ ତା’ର ବ୍ୟବସ୍ଥା କରିବାକୁ। ତାଙ୍କ ମୃତ୍ୟୁ ପରେ ମିଳିଥିବା ପ୍ରାୟ ଏକ କୋଟି ଟଙ୍କାର ବୀମା ଅର୍ଥକୁ ତାଙ୍କ ସ୍ମୃତ୍ୟଥେର୍ର୍ ଏକ ଟ୍ରଷ୍ଟ ଗଠନ କରି ଜମା କରିଦିଆଗଲା, ଯାହାର ସୁଧ ଅର୍ଥରେ ଗରିବ ମେଧାବୀ ପିଲାଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯିବା ସହ ଅନ୍ୟାନ୍ୟ ସେବାକାର୍ଯ୍ୟ ଜାରି ରହିଛି। ଧନ୍ୟ ସେହି ନର ଯିଏ ଜୀବନରେ ଓ ମରଣରେ ବି ପରୋପକାର କରିଚାଲିଛନ୍ତି। ଶାସ୍ତ୍ରରେ ଅଛି- ”ପରୋପକାରାୟ ଫଳନ୍ତି ବୃକ୍ଷାଃ ପରୋପକାରାୟ ବହନ୍ତି ନଦ୍ୟଃ। ପରୋପକାରାୟ ଦୁହନ୍ତି ଗାବଃ ପରୋପକାରାର୍ଥମିଦଂ ଶରୀରମ୍‌।ା“ ଅର୍ଥାତ୍‌ ପରର ଉପକାର କରିବା ପାଇଁ ବୃକ୍ଷଗୁଡ଼ିକ ଫଳଧାରଣ କରନ୍ତି, ପରର ଉପକାର କରିବା ପାଇଁ ନଦୀଗୁଡ଼ିକ ପ୍ରବାହିତ ହୁଅନ୍ତି, ପରର ଉପକାର ପାଇଁ ଗାଈମାନେ କ୍ଷୀର ଦିଅନ୍ତି, ସୁତରାଂ ଏ ଶରୀର କେବଳ ପରର ଉପକାର କରିବା ପାଇଁ ଉଦ୍ଦିଷ୍ଟ।
ହାସିମନଗର, ତିରଣ, ଜଗତ୍‌ସିଂହପୁର


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri