ବାମନ ଅର୍ଥନୀତି

ଗତ ବର୍ଷ ପ୍ରାରମ୍ଭରେ ଭାରତୀୟ ଅର୍ଥନୀତିରେ ମାନ୍ଦାବସ୍ଥାର ଆଭାସ ମିଳିଥିଲା। ଏହାକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ଅନେକ ନିଷ୍ପତ୍ତି ନେଇଥିଲେ। ହେଲେ ସେଥିରେ ସକାରାତ୍ମକ ଉନ୍ନତି ଦେଖାଦେଇ ନ ଥିଲା। ଏବେ କରୋନା ଭୂତାଣୁର ପ୍ରଭାବରେ ଦେଶବ୍ୟାପୀ ହୋଇଥିବା ଲକ୍‌ଡାଉନ୍‌ ବା ଅଚଳାବସ୍ଥା ଅର୍ଥନୀତିକୁ ଆହୁରି ବାମନ ଅବସ୍ଥାକୁ ନେଇଯାଇଛି। ଏଭଳିସ୍ଥଳେ ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରେ ମିଶ୍ରଣ ଘଟି ୪ଟି ବଡ଼ ବ୍ୟାଙ୍କ ସୃଷ୍ଟି କରାଯିବା ନେଇ ଏପ୍ରିଲ ପହିଲାକୁ ଦିନ ଧାର୍ଯ୍ୟ କରାଯାଇଥିବାରୁ ସେହି ମୁହୂର୍ତ୍ତ ଉପସ୍ଥିତ ହୋଇଛି। ଅନାଦାୟ ଋଣ ବା ଏନ୍‌ପିଏ ସ୍ତର ଆକାଶଛୁଆଁ ହେବା ଓ ଚାଲାକ କରି ବ୍ୟାଙ୍କର ଅର୍ଥ ହଡ଼ପ କରିଥିବା ବିଶିଷ୍ଟ ଶିଳ୍ପପତି ଓ ବ୍ୟବସାୟଙ୍କ ଯୋଗୁ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ଆଜି ଦେବାଳିଆ ସ୍ଥିତିରେ ପଡ଼ିଯାଇଛି। ଅପର୍ଯ୍ୟାପ୍ତ ଏନ୍‌ପିଏ ଧରିବସିଥିବା ଦୁର୍ବଳ ବ୍ୟାଙ୍କଗୁଡ଼ିକୁ କେତେକ ବଡ଼ ବ୍ୟାଙ୍କ ସହ ମିଶ୍ରଣ କରିଦେଲେ ଅର୍ଥନୀତିରେ ସୁଧାର ଆସିପାରିବ ବୋଲି ଚିନ୍ତା କରି କେନ୍ଦ୍ର ସରକାର ଉପରଲିଖିତ ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି। କିନ୍ତୁ ବାସ୍ତବତା ଭିନ୍ନ କାହାଣୀ ବଖାଣୁଛି। ବ୍ୟାଙ୍କ କର୍ମଚାରୀମାନେ ଚାକିରି ହରାଇବା ଚିନ୍ତାରେ ଅତିଷ୍ଠ ହୋଇ ଏହି ମିଶ୍ରଣକୁ ବିରୋଧ କରୁଛନ୍ତି। ଅନ୍ୟପକ୍ଷରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆଶ୍ୱାସନା ଦିଆଯାଉଛି ଯେ, କୌଣସି କର୍ମଚାରୀଙ୍କ ଚାକିରି ଯିବ ନାହିଁ। ଏଭଳି ଯଦି ନିଷ୍ପତ୍ତି ନିଆଯାଇଥାଏ, ତେବେ ସୃଷ୍ଟି ହେବାକୁ ଯାଉଥିବା ବଡ଼ ବ୍ୟାଙ୍କର ଦକ୍ଷତା କିଭଳି ବୃଦ୍ଧି ପାଇ ଲାଭ ଅର୍ଜନ ହୋଇପାରିବ ବୁଝିବା କଷ୍ଟକର ହୋଇପଡ଼ିଛି। ଏଥିରୁ ଖିଅ ଟଣାଯାଇ ଆଲୋଚନା କରାଗଲେ ଏକ ବାସ୍ତବ ଘଟଣା ସାମ୍ନାକୁ ଆସିପାରେ। ଅପାରଗ ବା ସ୍ଥଳବିଶେଷରେ କାହାରିକୁ ଅନୁଚିତ ଅନୁଗ୍ରହ ଦେଖାଇ ଫାଇଦା ନେଇଥିବା ବ୍ୟାଙ୍କ କର୍ମଚାରୀଙ୍କ ଦ୍ୱାରା ଆଜି ଯେଉଁ ବ୍ୟାଙ୍କଗୁଡ଼ିକ ଦୁର୍ବଳ ହୋଇଯାଇଛନ୍ତିି, ସେହିମାନଙ୍କୁ ମିଶ୍ରଣ ପ୍ରକ୍ରିୟାରେ ସାମିଲ କରାଗଲେ ବ୍ୟାଙ୍କିଙ୍ଗ୍‌ ସ୍ଥିତିରେ କଦାପି ପରିବର୍ତ୍ତନ ଆସିପାରିବ ନାହିଁ। ଏହି ସୂକ୍ଷ୍ମ ତଫାତ୍‌କୁ ବୁଝିବା ପାଇଁ ସମ୍ଭବତଃ ଅର୍ଥ ମନ୍ତ୍ରଣାଳୟ ଧ୍ୟାନ ଦେଇ ନାହାନ୍ତି।
ଭାରତୀୟ ଅର୍ଥନୀତି ଏକ ବିଷମ ପରିସ୍ଥିତି ଦେଇ ଗତି କରୁଥିବା ବେଳେ କରୋନା ଚାପ ‘ବେଡ଼ି ଉପରେ କୋରଡ଼ା ମାଡ଼’ ହୋଇଯାଇଛି। ଏଥିସହିତ ନିକଟ ଅତୀତକୁ ଦେଖିଲେ ‘ୟେସ୍‌ ବ୍ୟାଙ୍କ’ର କାରନାମା ସାମ୍ନାକୁ ଆସିଯାଉଛି। ଏହି ଘରୋଇ ବ୍ୟାଙ୍କରେ ଜମା ରଖିଥିବା ଆକାଉଣ୍ଟଧାରୀ ନିଜ ଅର୍ଥ ଉଠାଇବାରେ ଯେତେବେଳେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି, ସେତେବେଳେ ବ୍ୟାଙ୍କ ଉପରେ ଲୋକଙ୍କ ଭରସା କମିଗଲାଣି ବୋଲି କୁହାଯାଇପାରେ। ଏଭଳି ସ୍ଥଳେ ହାତଗଣତି ବ୍ୟାଙ୍କ ରହିଗଲେ ଅର୍ଥ ଜମା କରିବାର ପସନ୍ଦ କମିଯାଇପାରେ। ଅର୍ଥାତ୍‌ ଲୋକେ ଭାବିଲେଣି ଗୋଟିଏ ବ୍ୟାଙ୍କରେ ସବୁତକ ଅର୍ଥ ନ ରଖି ବିଭିନ୍ନ ବ୍ୟାଙ୍କରେ ଜମା ରଖିଥିଲେ ଅସ୍ବାଭାବିକ ପରିସ୍ଥିତିକୁ ଅତିକ୍ରମ କରାଯାଇପାରିବ।
ବ୍ୟାଙ୍କ ମିଶ୍ରଣ ସପକ୍ଷବାଦୀଙ୍କ ଯୁକ୍ତି ହେଉଛି ଯେ, ବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଘରୋଇ ବ୍ୟାଙ୍କ ସହ ଠିକ୍‌ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିପାରିବ। ବଡ଼ ବ୍ୟାଙ୍କଗୁଡ଼ିକର ଋଣ ଦେବାର କ୍ଷମତା ବୃଦ୍ଧି ପାଇଥାଏ। କିନ୍ତୁ କୁହାଯାଇପାରେ ଯେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଉପରେ ରାଜନୈତିକ ବ୍ୟକ୍ତି ଓ ଅମଲାତନ୍ତ୍ରୀଙ୍କ ହସ୍ତକ୍ଷେପ ରହୁଥିବାରୁ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ରୁ ଅର୍ଥ ହଡ଼ପ କରିଥିବା ନୀରବ ମୋଦି କିମ୍ବା ମେହୁଲ ଚୋକ୍‌ସିଙ୍କ ଭଳି ବ୍ୟକ୍ତିମାନେ ମଧ୍ୟ ପୂର୍ବଭଳି ଫାଇଦା ଉଠାଇପାରନ୍ତି। ବାସ୍ତବରେ ରାଜନୈତିକ ହସ୍ତକ୍ଷେପ ଯୋଗୁ ବ୍ୟାଙ୍କଗୁଡ଼ିକ ଅସ୍ବାଭାବିକ ଋଣ ପ୍ରଦାନ କରୁଛନ୍ତି କହିବା ଅସତ୍ୟ ହେବ। ରାଜନୈତିକ ବ୍ୟକ୍ତି କିମ୍ବା କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଉଚ୍ଚପଦସ୍ଥ ଅଧିକାରୀଙ୍କ ହସ୍ତକ୍ଷେପ ସବୁବେଳେ ରହିଆସିଛି। ତେବେ ତାହାଠାରୁ ଅଧିକ ମାରାତ୍ମକ ହେଉଛି ଯେତେବେଳେ ବ୍ୟାଙ୍କ ଶାଖାସ୍ତରର କର୍ମଚାରୀଙ୍କଠାରୁ ଆରମ୍ଭ କରି ଉଚ୍ଚପାହ୍ୟାର କର୍ମକର୍ତ୍ତା ମିଶିଯାଇ ନିଜ ବ୍ୟାଙ୍କକୁ ଲୁଟିବା ପାଇଁ ମନସ୍ଥ କରିଦେଉଛନ୍ତି। ସେତେବେଳେ ସାଧାରଣ ଜମାକାରୀର କେହି ରକ୍ଷକ ରହୁନାହାନ୍ତି। ଏହି ପ୍ରଚ୍ଛଦପଟରେ ଦେଖିଲେ ବଡ଼ ବ୍ୟାଙ୍କକୁ ଲୁଟିବା ସହଜ ହୋଇପାରେ। କାରଣ ବିରାଟକାୟ ସଂସ୍ଥାରେ ବାମହାତ ଜାଣି ନ ଥିବ ଡାହାଣ ହାତ କ’ଣ କରୁଛି। ସମ୍ଭବତଃ କ୍ଷୁଦ୍ର ବ୍ୟାଙ୍କଗୁଡ଼ିକ ଜମାକାରୀଙ୍କ ପାଇଁ ଅଧିକ ସୁରକ୍ଷିତ ହୋଇପାରନ୍ତି। ଅନ୍ୟପକ୍ଷରେ ଭାରତର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାକୁ ପରିଚାଳନା କରୁଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଖିଆଙ୍କ ବାରମ୍ବାର ବଦଳି ଓ ଏହି କେନ୍ଦ୍ରୀୟ ବ୍ୟାଙ୍କ ଭିତରେ ମତଭେଦ ରହିଥିବା ବିଷୟ ବ୍ୟାଙ୍କିଙ୍ଗ କ୍ଷେତ୍ରର ମନୋବଳକୁ ଦୁର୍ବଳ କରିଚାଲିଛି। କେବଳ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଏନ୍‌ପିଏ ୭ ଲକ୍ଷ ୨୭ ହଜାର କୋଟି ଟଙ୍କା ରହିଛି। ଏପରି ସ୍ଥଳେ ବ୍ୟାଙ୍କ ମିଶ୍ରଣ ଫଳପ୍ରସୂ ନ ହେଲେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ଘୋର ଦୁର୍ଦ୍ଦିନ ଦେଇ ଗତିକରିବ।
ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ଦିନଠାରୁ ଭାରତୀୟ ଅର୍ଥନୀତିରେ କୌଣସି ସକାରାତ୍ମକ ପରିବର୍ତ୍ତନ ଘଟିପାରି ନାହିଁ। ଉପା ସରକାର ସମୟରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଏକ ଭଲ ସ୍ଥିତିରେ ଥିଲା। ଜନସାଧାରଣ ମଧ୍ୟ ତାହା ଅନୁଭବ କରିପାରୁଥିଲେ। ମୋଦି ସରକାରଙ୍କ ବେଳେ ଅନେକ ଆର୍ଥିକ ସଂସ୍କାର ଅଣାଯାଇଛି ବୋଲି ଡିଣ୍ଡିମ ପିଟାଯାଉଥିଲେ ମଧ୍ୟ ତାହାର ଫଳ ଶୂନ ରହିଛି। ଏହି ପରିପ୍ରେକ୍ଷୀରେ ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଯାଇ ୪ଟି ବୃହତ୍‌ ବ୍ୟାଙ୍କ ଗଠନ କରାଯିବାର ଯେଉଁ ପରିକଳ୍ପନା କରାଯାଇଛି, ତାହା ଏକ ବିତର୍କର ଅପେକ୍ଷା ରଖୁଛି। ଯାହା ଜଣାପଡ଼ୁଛି ଏହି ସରକାର ବିମୁଦ୍ରୀକରଣ, ଜିଏସ୍‌ଟି ପ୍ରଚଳନ ଓ ଏବେ କୋଭିଡ୍‌-୧୯କୁ ପରିଚାଳନା କରିବାରେ ଯେଭଳି ବିଫଳ ହୋଇଛନ୍ତି ବ୍ୟାଙ୍କ ମିଶ୍ରଣ ନିଷ୍ପତ୍ତି ଆଉ ଏକ ଅସଫଳତାକୁ ଦର୍ଶାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri