ବହିର ବୁନିଆଦି ଓ ପୁସ୍ତକମେଳା

ଉପେନ୍ଦ୍ର ବିଶ୍ୱାଳ
ପ୍ରଖ୍ୟାତ ନାଟ୍ୟକାର ଡ. ଗିରୀଶ ଚନ୍ଦ୍ର ଘୋଷ ଥିଲେ ବଙ୍ଗ ନାଟ୍ୟ ଜଗତର ଜନକ। ଏକଦା ସାଂସାରିକ ମୋହ-ମାୟା ପ୍ରତି ତାଙ୍କର ବୀତସ୍ପୃହ ଭାବ ଆସିଛି। ତପସ୍ୟା ପାଇଁ ବାହାରିଲେ ହିମାଳୟ ଯାତ୍ରାରେ। ତା’ ପୂର୍ବରୁ ମା’ ସାରଦା ଦେବୀ ଓ ଠାକୁରଙ୍କୁ ଭେଟି ଅନ୍ତରର ଅଭିଳାଷ ବାଢ଼ିଲେ। ସେଇଠୁ ଅତି ବ୍ୟତିବ୍ୟସ୍ତ ହୋଇ ମା’ କହିଲେ, ତୁମ ନାଟକ ଦ୍ୱାରା ତ ହଜାର ହଜାର ଲୋକ ଉଦ୍‌ବୁଦ୍ଧ ଓ ଅନୁପ୍ରାଣିିତ। ସାମାଜିକ ଜାଗରଣ ଓ ସଚେତନତା ସୃଷ୍ଟି କରିବାରେ ବେଶ୍‌ ସହାୟକ ହେଉଛି ତୁମ ନାଟକ। ହିମାଳୟରେ ସାଧନା ଦ୍ୱାରା ତୁମେ ହୁଏ ତ ଆତ୍ମସିଦ୍ଧି ଲାଭ କରିବ, ମାତ୍ର ସମାଜର ଏହାଦ୍ୱାରା କି ଲାଭ ହେବ? ସମାଜ ଯେତେବେଳେ ଯାବତୀୟ ଯନ୍ତ୍ରଣାରେ ଶଢ଼ୁଛି, ସେତେବେଳେ ତା’ର ଉପଶମ ପାଇଁ ତୁମ କଲମର ଯଥେଷ୍ଟ ଗୁରୁଦାୟିତ୍ୱ ରହିଛି। ସମାଜକୁ ଦଗ୍‌ଦର୍ଶନ ଦେବାକୁ ଭଗବାନ ତୁମକୁ କଲମ ଧରାଇଛନ୍ତି। ଦାୟିତ୍ୱକୁ ଅଣଦେଖା କରି କଲମ ଛାଡ଼ି ହିମାଳୟ ଯିବାଟା ଈଶ୍ୱରଙ୍କ ପ୍ରତି ଏକପ୍ରକାର ଅସମ୍ମାନ ନୁହଁ କି? ବାଧ୍ୟ ଶିଶୁସମ ମା’ଙ୍କ ନିର୍ଦ୍ଦେଶକୁ ମାନି ନେଇଥିଲେ ସେଦିନ ସେ। ଆଉ ଏକ ସୁନ୍ଦର କଥାଟିଏ ସେହି ସାହିତ୍ୟକୁ ନେଇ।
ପ୍ରାକ୍‌ସ୍ବାଧୀନତା କାଳରେ ବଙ୍ଗଭୂମିର ବିଖ୍ୟାତ ବାରିଷ୍ଟର କୁମୁଦ ସେନ୍‌ଙ୍କ କନ୍ୟା ଥିଲେ ମାଳତୀ ଦେବୀ। ନବକୃଷ୍ଣ ଚୌଧୁରୀଙ୍କ ସହିତ ବିବାହ କଥା ପଡ଼ିଥାଏ। ପିତୃହୀନା କନ୍ୟାଟିର ସମ୍ପୂର୍ଣ୍ଣ ଦାୟିତ୍ୱ ତୁଲାଉଥାନ୍ତି ମାତା ସ୍ନେହଲତା ଦେବୀ। ଅତି ବିଶ୍ୱସ୍ତ ଜଣେ ଦୂତଙ୍କୁ ଚତୁରତାର ସହିତ ପଠାଇଲେ ନବକୃଷ୍ଣ ବାବୁଙ୍କ ଘରକୁ ସତ୍‌ ସାହିତ୍ୟ ସହିତ ବହିର ଗନ୍ତାଘରଟିଏ ଅଛି କି ନାହିଁ ଜାଣିବାକୁ ଇଚ୍ଛାକରି। ଦୂତ ଜଣକ ସକାରାତ୍ମକ ମତ ଦେବା ପରେ ସମ୍ପନ୍ନ ହୋଇଥିଲା ବିବାହ। ଅର୍ଥାତ୍‌ ସତ୍‌ ସାହିତ୍ୟ ହିଁ ଥିଲା ଚୌଧୁରୀ ପରିବାରର ପରିଚୟପତ୍ର। ବହି ବତାଇଥିଲା ବଂଶ ବୁନିୟାଦିର ବିଚାରବୋଧକୁ। ଏହିପରି ବହିଟିଏ ହେଉଛି ଦୁନିଆ ସମ୍ପର୍କରେ ଏକ ଦୃଷ୍ଟିକୋଣ। ସାହିତ୍ୟ ହେଉଛି ସାମାଜିକ ସଚେତନତାର ସୂତ୍ରଧର। ସାହିତ୍ୟ ସମୃଦ୍ଧ କରେ ଚେତନାର ସ୍ତରକୁ, ପରିଷ୍କୃତ ଓ ପରିସ୍ଫୁଟ କରେ ବ୍ୟକ୍ତିତ୍ୱକୁ। ଗ୍ରନ୍ଥରେ ଗୁନ୍ଥା ଗରିମାର ଗାଥା।
ସାହିତ୍ୟମନସ୍କ ମାଟି ଓ ପଠନପ୍ରିୟ ଜାତି ହଁି ଜାଜ୍ୱଲ୍ୟମାନ କରେ ଭୂମିକୁ। ଚାରି ଲକ୍ଷରୁ କମ୍‌ ଲୋକସଂଖ୍ୟା ବିଶିଷ୍ଟ ଅତି ଛୋଟିଆ ଭୂଖଣ୍ଡଟିଏ ଆଇସ୍‌ଲାଣ୍ଡ। ସୁଖୀ ଓ ସମୃଦ୍ଧ ଦେଶ ଭାବେ ସେ ଆଜି ବନ୍ଦିତ। ପଠନ ପ୍ରତି ରୁଚି ହିଁ ଋଦ୍ଧିମନ୍ତ କରିଛି ସେ ଭୂମିକୁ। ସାହିତ୍ୟରେ ସେ ଦେଶରୁ ଜଣେ ନୋବେଲ ପୁରସ୍କାର ପାଇବା ଗୌରବର ବିଷୟ ନୁହଁ କି? ସେମିତି ବି ୫୫ଲକ୍ଷ ଲୋକସଂଖ୍ୟାର ଦେଶ ଫିନ୍‌ଲାଣ୍ଡ। ସମୃଦ୍ଧି ସହିତ ସର୍ବାଧିକ ସୁଖୀ ଓ ଶାନ୍ତିର ଦେଶ ଭାବେ ସେ ସମ୍ମାନିତ। ସାହିତ୍ୟ ପ୍ରତି ଅନୁରକ୍ତ, ପଠନ ଓ ଗବେଷଣା ପ୍ରତି ପ୍ରଚଣ୍ଡ ଲାଳସା ଯୋଗୁ ସେ ମାଟି ଆଜି ମର୍ଯ୍ୟାଦାର ମୁଲକଟିଏ। ସାହିତ୍ୟ ସମେତ ୫ଟି କ୍ଷେତ୍ରରେ ନୋବେଲ ପୁରସ୍କାର ପାଇ ସେ ମାଟି ମହିମାନ୍ବିତ। ଯେ ଯେତେ ପଢ଼େ, ସେ ସେତେ ଆଗକୁ ବଢ଼େ। ସନ୍ତାନମାନଙ୍କ ପଠନ ଓ ଗବେଷଣା ପ୍ରତି ପାଗଳପଣ ଯୋଗୁ ଜାପାନ ଓ ଆମେରିକା ତ ବେଶ୍‌ ପ୍ରସିଦ୍ଧ, ଯେଉଁଥିପାଇଁ କି ସେ ଦେଶ ଦୁଇଟିର କୃତି ଓ କୀର୍ତ୍ତି ଅଜସ୍ର। ବିଶ୍ୱର ସର୍ବାଧିକ ନୋବେଲ ପୁରସ୍କାର (୩୩୬) ଆମେରିକା ଖାତାରେ ଆଜି। ଦିନକୁ ଦିନ ଏହା ଆହୁରି ବଢ଼ି ବଢ଼ି ଚାଲିଛି। ପ୍ରତି ଛୋଟ ବଡ଼ ସହରରେ ଏକାଧିକ ଗ୍ରନ୍ଥାଗାର। ହଜାର ହଜାର, ଲକ୍ଷ ଲକ୍ଷ ସଂଖ୍ୟାରେ ବହିର ସମ୍ଭାର। ଓଡ଼ିଶାଠାରୁ ଛୋଟିଆ ଭୂମିଟିଏ ହୋଇ ବି ଜାପାନ ହାତେଇଛି ୨୭ରୁ ଅଧିକ ନୋବେଲ ପୁରସ୍କାର। ଟିକେ ସମୟ ପାଇଲେ ମନ ଦିଅନ୍ତି ବହିରେ ସେମାନେ। ଏପରିକି ପ୍ରତିଟି ଲିଫ୍ଟ ଅପରେଟର ହାତରେ ବହିଟିଏ ଥିବ ହିଁ ଥିବ। ସନ୍ଥ ରାମତୀର୍ଥ ତ ଏକଦା ଚକିତ ହୋଇଗଲେ ରେଳ ସହଯାତ୍ରୀ ଥିବା ଅଶୀତିପର ଜଣେ ବୃଦ୍ଧଙ୍କର ପଢ଼ା ପ୍ରତି ଗଭୀର ମନୋନିବେଶ ଦେଖି। ଗବେଷଣାତ୍ମକ ପୁସ୍ତକ ସହିତ ସତ୍‌ ସାହିତ୍ୟରେ ସମୃଦ୍ଧ ସେ ଦେଶ। ସତ୍‌ ସାହିତ୍ୟ ପ୍ରତି ଯେ ଯେତିକି ଅନୁରକ୍ତ, ତା’ ଚେତନାଶକ୍ତି ସେତିକି ଉଚ୍ଚ ଓ ଉନ୍ନତ।
ବିଗତ କିଛି ବର୍ଷ ଧରି ବିଜ୍ଞଜନମାନଙ୍କୁ ବିଚଳିତ କରିଚାଲିଛି ଗୋଟିଏ କଥା- ଦ୍ରୁତ ଗତିରେ ହ୍ରାସ ପାଇଚାଲିଛି ପାଠକମାନଙ୍କ ସଂଖ୍ୟା। ଚିନ୍ତା ଘାରୁଛି ବହି ବିକ୍ର୍ରି ହ୍ରାସ ପାଉଥିବା ଯୋଗୁ। ଅବଶ୍ୟ ଅଜସ୍ର ସଂଖ୍ୟାରେ ପ୍ରକାଶ ପାଇ ଚାଲିଛି ବହି। ବଢ଼ି ବଢ଼ି ଚାଲିଛି ପୁସ୍ତକ ମେଳା। ତଥାପି ସଂକଟରେ ସାହିତ୍ୟ ଓ ତଜ୍ଜନିତ ସମାଜ। ଏବେ ଅଣ୍ଟା ଭିଡ଼ିଛନ୍ତି ଓଡ଼ିଶା ସରକାର। ସମସ୍ତଙ୍କୁ ସାଥିରେ ନେଇ ସଂସ୍କୃତି ବିଭାଗ ଆୟୋଜିତ କରୁଛି ୨ୟ ରାଜ୍ୟସ୍ତରୀୟ ପୁସ୍ତକମେଳା ରାଜଧାନୀ ପ୍ରଦର୍ଶନୀ ପଡ଼ିଆରେ ୧୫ ତାରିଖ ପର୍ଯ୍ୟନ୍ତ। ଏଠାରେ ଏକ ଅୟୁତର ପ୍ରଶ୍ନ। ତଥାପି କାହିଁକି କମୁଛି ପାଠକସଂଖ୍ୟା। ପାଠକ ସମାଜକୁ ଆମେ ଆକର୍ଷିତ କରିପାରୁଛୁ କି? ତାଙ୍କ ଆଗ୍ରହକୁ ସମ୍ମାନ ଓ ସ୍ବୀକୃତି ଦେଉଛୁ କି? ଦେଖିବାକୁ ଗଲେ ପ୍ରକୃତରେ ପଢ଼ନ୍ତି କେଉଁମାନେ? ସଚେତନ, ସୁସ୍ଥ ମସ୍ତିଷ୍କର ମଣିଷମାନେ ହିଁ ରୁଚି ରଖନ୍ତି ପଢ଼ା ପ୍ରତି। ସେମାନେ କିନ୍ତୁ ପସନ୍ଦ କରନ୍ତି ସତ୍‌ ସାହିତ୍ୟ, ପ୍ରେରଣାଦାୟୀ ବିଷୟ ପ୍ରତି। ମାତ୍ର ଏଗୁଡ଼ିକର ସଂଖ୍ୟା ସ୍ବଳ୍ପାତିସ୍ବଳ୍ପ। ଏଣୁ ପାଠକମାନଙ୍କ ସଂଖ୍ୟା ବଢ଼େଇବାକୁ ହେଲେ ଆନ୍ତରିକ ଉଦ୍ୟମ ଜରୁରୀ। ସତ୍‌ ସାହିତ୍ୟରେ ଆମକୁ ସମୃଦ୍ଧ କରିବାକୁ ହେବ ସାହିତ୍ୟଜଗତକୁ।
ପ୍ରତିଟି ପ୍ରାଣର ପଣ ହେଉ ଜନ୍ମଦିନ, ବ୍ରତଘର ଅବା ବିବାହ ଆଦିରେ କେବଳ ବହି ହିଁ ଉପହାର ଦେବା। ପୁସ୍ତକଠାରୁ ଶ୍ରେଷ୍ଠ ଉପହାର ଆଉ କ’ଣ ବା ଅଛି ଏ ଦୁନିଆରେ। ଗୋଟିଏ ଭଲ ବହି ଶହେ ଜଣ ଭଲ ବନ୍ଧୁଙ୍କଠାରୁ ବି ମହତ୍ତର। ଗୋଟିଏ ଭଲ ବହି ନ ପଢ଼ିବା ହେଉଛି ବହି ପୋଡ଼ିବାଠାରୁ ବି ଭୟଙ୍କର। ଜ୍ଞାନ ଆମକୁ ଆକାଶକୁ ଉଡ଼ିଯିବାକୁ ସମର୍ଥ କରେ। ଅର୍ଥାତ୍‌ ଯେ ଯେତିକି ପଢ଼ିବ, ସେ ସେତିକି ଉପରକୁ ଉଠିବ।
ମୋ- ୯୪୩୭୪୩୬୦୭୩, ଇ-ମେଲ : unbiswal05@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri