ପ୍ରଥମେ ମୁଁ

ଛନ୍ଦା ମିଶ୍ର
କୁହାଯାଏ ମନୁଷ୍ୟ ଜନ୍ମ ଅତି ଦୁର୍ଲଭ। କାରଣ, ମନୁଷ୍ୟ ହିଁ ଏକମାତ୍ର ପ୍ରାଣୀ, ଯାହା ପାଖରେ ବାହ୍ୟଚକ୍ଷୁ ସହ ଅନ୍ତର୍ଚକ୍ଷୁ ବା ବିବେକ ଥାଏ। ତଥାପି ମଣିଷ ଆଖି ଥାଉ ଥାଉ ଅନ୍ଧ ପରି ଆଚରଣ କରେ। ଚାଲି ନ ଜାଣି ବାଟର ଦୋଷ ଖୋଜେ। ଝୁଣ୍ଟିକରି ମୁହଁ ମାଡ଼ି ତଳେ ପଡ଼ି କ୍ଷତାକ୍ତ ହେଲେ ରାସ୍ତାର ଖାଲଖମାକୁ ଦୋଷ ଦିଏ। ମାତ୍ର ଦୃଷ୍ଟିଶକ୍ତି ଥାଇ ବି ସେ କାହିଁକି ତା’ର ସଦ୍‌ବ୍ୟବହାର ନ କଲା ସେ କଥା ନିଜକୁ ପଚାରେନା। ସେ ଭୁଲିଯାଏ ଯେ, ଅନ୍ୟର ଦୋଷକୁ ଗୋଟିଏ ଅଙ୍ଗୁଳି ନିର୍ଦ୍ଦେଶ କଲାବେଳକୁ ତା’ ଅଜାଣତରେ ତାଆରି ହାତର ଅନ୍ୟ ତିନି ଅଙ୍ଗୁଳି ସ୍ବୟଂ ତାକୁ ଦୋଷୀ ବୋଲି ପ୍ରମାଣିତ କରିସାରିଲେଣି। ବୋଧହୁଏ ସେଇଥିପାଇଁ ସଫଳତାର ଶ୍ରେୟ ନେବାକୁ, ବାହାବା ସାଉଁଟିବାକୁ ଅନେକେ ପଡ଼ିଉଠି ଧାଇଁଲା ବେଳକୁ ବିଫଳତା ପଡିଥାଏ ବାପଛେଉଣ୍ଡ ହୋଇ। ସାଧାରଣ ମଣିଷର ସ୍ବଭାବ ହିଁ ସେହିପରି। ପ୍ରଶଂସା ପାଇଁ ‘ମୁଁ କରିଛି’ର ଗର୍ବବୋଧରେ ଛାତି ତା’ର ଫୁଲି ଉଠୁଥିଲା ବେଳେ ‘ନିନ୍ଦା’ ସହ ମୁହାଁମୁହିଁ ହୋଇଗଲେ ସେ ‘ଭାଗ୍ୟର ଦୋଷ’ କହି ବାଟକାଟି ଚାଲିଯିବାକୁ ଉଚିତ ମଣେ। କିନ୍ତୁ ଭାଗ୍ୟ ଉପରେ ଦୋଷ ଲଦୁଥିବା ସେହି ମନୁଷ୍ୟଟି ଯେବେ ନିଜ ଚର୍ମଚକ୍ଷୁକୁ ମୁଦି ନିଜ ଅନ୍ତର୍ଚକ୍ଷୁକୁ ମେଲାଇ ଧରେ ତାକୁ ନିଜର ଦୋଷତ୍ରୁଟିଗୁଡିକ ଜଳ ଜଳ ହୋଇ ଦିଶେ। ସମାଜ ଆଗରେ ଯେତେ ଅଭିନୟ କଲେ ବି ‘ମନ ଜାଣେ ପାପ’ ନ୍ୟାୟରେ ସେ ଭିତରେ ଭିତରେ ସନ୍ତୁଳି ହୁଏ। ବିବେକ ତାକୁ କଟାକ୍ଷ ହାଣେ, ଶୁଆଇ ବସାଇ ଦିଏନା। ତା’ର ମଣିଷପଣିଆ ଜାଗିଉଠେ। ନିଜ ଦୋଷ ସ୍ବୀକାର କରିବାକୁ ସେ ହୁଏ ଆଗଭର। ଆଖିରୁ ତା’ର ପଶ୍ଚାତ୍ତାପର ଲୁହ ନିଗିଡ଼ି ପଡି ଅନ୍ତର୍ମନକୁ କରେ ଶୁଦ୍ଧ ଓ ପବିତ୍ର।
ତେବେ, କ୍ୱଚିତ୍‌ କ୍ଷେତ୍ରରେ ସ୍ବଳ୍ପ କିଛି ଭାଗ୍ୟବାନ୍‌ଙ୍କର ଏହି ତୃତୀୟ ନୟନଟି ନିଜ ଯାଦୁକରୀ ସ୍ପର୍ଶରେ ଜୀବନକୁ କରେ ମହିମାବନ୍ତ। ଅନ୍ୟଥା ଅଧିକାଂଶ ସ୍ଥାନରେ ତା’ ଉପରେ ଅହଂର ପରଳ ମାଡ଼ିଯାଇଥାଏ। ଯେବେ ଏହି ପରଳଟି ଫିଟେ, ନେଡ଼ିଗୁଡ଼ କହୁଣିକୁ ବୋହିଯାଇଥାଏ। ‘ବିଳମ୍ବ’ କରିଥିବାର ଦଣ୍ଡ ସ୍ବରୂପ ମୃତ୍ୟୁ ପର୍ଯ୍ୟନ୍ତ ଏକ ଦୋଷୀ ଦୋଷୀ ଭାବ ନେଇ ବଞ୍ଚିବାକୁ ହୁଏ।
ଝିଅଟିର ଆଖିରୁ ବୋହି ଯାଉଥିଲା ଲୁହଧାର। କାରଣଟି ଜାଣି ଦୀର୍ଘଶ୍ୱାସ ତ୍ୟାଗ କରିବା ଛଡ଼ା ଅନ୍ୟ ଉପାୟ ନ ଥିଲା। ନୂଆ ନୂଆ କଲେଜରେ ପାଦ ଦେଇଥିବା ଝିଅଟିକୁ ଅନ୍ୟ ଏକ ବିଭାଗର ଛାତ୍ରୀଟିଏ ଅହେତୁକ ସ୍ନେହ ପ୍ରଦର୍ଶନ କଲା। ଯେଉଁଠି ଦେଖିଲେ ଧାଇଁ ଆସି ଅତ୍ୟନ୍ତ ଆଗ୍ରହର ସହ ତା’ର ଭଲମନ୍ଦ ପଚାରିବା ଓ ନିଜ ବିଷୟରେ ବଖାଣିବାରେ ଛାତ୍ରୀଟି ପାଉଥିଲା ଆନନ୍ଦ। ମାତ୍ର ତା’ର ଏହି ଉପରେ ପଡ଼ି ଭଲେଇ ହେବା ସ୍ବଭାବଟି ଝିଅଟିକୁ ମନେ ହେଉଥିଲା ଅସ୍ବସ୍ତିକର। ଦିନେ ଝିଅଟି ବେଶ୍‌ କଡ଼ା ସ୍ବରରେ ଶୁଣାଇଦେଲା ଦୁଇପଦ: ”ତୋର କ’ଣ କିଛି କାମଧନ୍ଦା ନାହିଁ, ଏତେ କାଇଁ ଭଲେଇ ଦେଖେଇ ହେଉଛୁ?“ ଏପରି ଶୁଣି ସ୍ତବ୍ଧ ହୋଇଗଲା ଛାତ୍ରୀଟି। ସେହିଦିନଠାରୁ ଆଉ ଝିଅଟିକୁ ଦେଖା କଲା ନାହିଁ। ଝିଅଟି ଯେବେ ନିଜ ଭୁଲ୍‌ ବୁଝି ଛାତ୍ରୀ ନିକଟରୁ କ୍ଷମାପ୍ରାର୍ଥନା କରିବା ପାଇଁ ପହଞ୍ଚିଲା, ସେତେବେଳକୁ ବେଶ୍‌ ଡେରି ହୋଇସାରିଥିଲା। ଛାତ୍ରୀଟିର ନାମ ଆଗରେ ସ୍ବର୍ଗତା ଶବ୍ଦଟି ଯୋଡ଼ା ସରିଥିଲା। ସେ ଲ୍ୟୁକେମିଆରେ ଥିଲା ପୀଡିତା। ଘଟଣାଟି ଗଳ୍ପ ପରି ମନେହେଉଥିଲେ ବି ନିରାଟ ସତ୍ୟ।
ଆମ ଅଜାଣତରେ ଆମ ଦ୍ୱାରା ଅନେକ ଭୁଲ୍‌ଭଟକା ହୋଇଯାଏ ଏବଂ ଏହି ଭୁଲ୍‌ଗୁଡିକୁ ସୁଧାରିବା ପାଇଁ ଆମେ ନିଜ ଦୋଷକୁ ମଥାପାତି ମାନିନେଇ କ୍ଷମାଯାଚନା କରିବା ଦ୍ୱାରା ମନୁଷ୍ୟର ଅନ୍ତଃକରଣ ଶୁଦ୍ଧ ଏବଂ ପବିତ୍ର ହୁଏ। କିନ୍ତୁ କ୍ଷମାଯାଚନା ଏକ କଷ୍ଟକର କାର୍ଯ୍ୟ। ଏଥିପାଇଁ ନିଜ ସହିତ ନିଜକୁ ବେଶ୍‌ ଲଢ଼େଇ କରିବାକୁ ହୋଇଥାଏ। ଅହଂକାର ଓ ବିବେକର ଏହି ଲଢ଼େଇରେ ଯିଏ ଜିତେ ସେ ମଣିଷର ପ୍ରଭୁ ସାଜେ। ସହଜ କାମ ତ ସମସ୍ତେ କରିପାରନ୍ତି। ମାତ୍ର କଷ୍ଟ କାର୍ଯ୍ୟଟିକୁ କେବଳ ଦୃଢ଼ମନା ସାହସୀଟିଏ ହିଁ କରେ। ସମ୍ପର୍କ ବଞ୍ଚାଇବା ପାଇଁ, ସମ୍ପର୍କ ଯୋଡ଼ିବା ପାଇଁ ସେ କହେ ‘ପ୍ରଥମେ ମୁଁ’ ହିଁ କ୍ଷମା ମାଗିବି। ଆସନ୍ତୁ ସାହସୀ ହେବା। ଶୋଇପଡ଼ିଥିବା ବିବେକଟିକୁ ଜାଗ୍ରତ କରିବା। ଅନ୍ୟମାନଙ୍କୁ ଆକ୍ଷେପ କରିବା ପୂର୍ବରୁ ପ୍ରଥମେ ନିଜ ଦୋଷକୁ ନିଜେ ଅଣ୍ଡାଳିବା। ନିଜକୁ ସୁଧାରିବା। ସମୟ ଗଡ଼ିଯିବା ଆଗରୁ କରିନେବା କ୍ଷମାଯାଚନା। ପ୍ରତିବଦଳରେ ମିଳିପାରେ କ୍ଷମା ଅବା ଭର୍ତ୍ସନା। ଏ ଉଭୟକୁ ସାଦରେ କରିବା ସ୍ବାଗତ। ବାଚନିକ ହୋଇ ନ ପାରିଲେ ଲିଖିତ ଆକାରରେ ନିଜ ଦୋଷ ସ୍ବୀକାର କରିବା। ‘ହଁ, ମୋ ଦ୍ୱାରା ଏହି ଭୁଲ୍‌ଟି ହୋଇଯାଇଛି’ କହିଲା ମାତ୍ରେ ପଥର ହୃଦୟର ବ୍ୟକ୍ତି ତରଳି ଯିବାକୁ ସମୟ ଲାଗିବ ନାହିଁ।
ଏହି ପରିପ୍ରେକ୍ଷୀରେ ମନେପଡ଼େ କଥାଟିଏ। ଦୀର୍ଘ କେତେ ଦଶନ୍ଧି ଧରି ଦୁଇଟି ପରିବାର ମଧ୍ୟରେ ଥିଲା ଶତ୍ରୁତା। ପୈତୃକ ସମ୍ପତ୍ତି ପରି ତାହା ମଧ୍ୟ ଗଡ଼ି ଆସୁଥିଲା ପିଢ଼ି ପରେ ପିଢ଼ିକୁ। ଏକଦା ଗୋଟିଏ ପରିବାରର ମୁଖ୍ୟ ଏହି ଶତ୍ରୁତାର ଅନ୍ତ କରିବେ ବୋଲି ନିଷ୍ପତ୍ତି କରି ଅନ୍ୟ ପରିବାରର ମୁଖିଆଙ୍କୁ ଭେଟିବେ ବୋଲି ଅଣ୍ଟାଭିଡ଼ିଲେ। ତାଙ୍କ ପରିବାରର ଶତ ବାରଣ ସତ୍ତ୍ୱେ ସେ ଯାଇ ଅନ୍ୟ ପରିବାରରେ ଛିଡ଼ା ହେଲା ମାତ୍ରେ ସେ ପରିବାରର ସଦସ୍ୟମାନେ ବି ୟାଙ୍କୁ ମାରିବା ପାଇଁ ହୋଇଗଲେ ତୟାର। ମାତ୍ର ସେ ପରିବାରର ମୁଖିଆ ତାଙ୍କ କଥା ଶୁଣି ତାଙ୍କୁ ଲୋତକାପ୍ଳୁତ ନୟନରେ ଆଲିଙ୍ଗନ କରିବା ସହ କହିଉଠିଲେ, ”ଅନେକ ଦିନରୁ ଏକଥା ଭାବିଥିଲି, ମାତ୍ର ସାହସ ଜୁଟାଇ ପାରି ନ ଥିଲି।“
୩ଆର/୬, ବିଜେବିନଗର, ମୋ-୯୪୩୭୪୫୩୬୧୦


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

ଯୁଦ୍ଧ ଓ ଶ୍ୱାସରୁଦ୍ଧ ସମ୍ବେଦନଶୀଳତା

ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା…

ଇରାନୀ ନେତାର ନାହିଁ ପ୍ରୟୋଜନ

ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦଠାରେ ଆମେରିକା ଓ ଇରାନ୍‌ ମଧ୍ୟରେ ୨୧ ଘଣ୍ଟା ଧରି ଚାଲିଥିବା ଶାନ୍ତି ଆଲୋଚନା ଶେଷରେ ବିଫଳ ହୋଇଛି। ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଆମେରିକା…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri