Posted inଫୁରସତ

ପର୍ଯ୍ୟଟନ: ବେଲଖଣ୍ଡିର ଐତିହାସିକ ଧବଳେଶ୍ୱର ପୀଠ

ତେଲ ନଦୀ ଓ ଉତ୍ତେଇ ନଦୀର ସଂଗମସ୍ଥଳରେ ଏହି ପବିତ୍ର ପୀଠ ଅବସ୍ଥିତ। ଏଠାରେ ପୂଜା ପାଉଥିବା ଶିବଲିଙ୍ଗ ହେଉଛନ୍ତି ସ୍ବୟମ୍ଭୁ। ପ୍ରତ୍ୟକ୍ଷ ଦେବତାଭାବେ ତାଙ୍କର ରହିଛି ଅନେକ ଖ୍ୟାତି…

କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ବେଲଖଣ୍ଡିଠାରେ ରହିଛି ଐତିହାସିକ ଧବଳେଶ୍ୱର ପୀଠ। ସ୍ଥାନୀୟ ତେଲ ନଦୀ ଓ ଉତ୍ତେଇ ନଦୀର ସଂଗମସ୍ଥଳରେ ଏହି ପବିତ୍ର ପୀଠ ଅବସ୍ଥିତ। ଏଠାରେ ପୂଜା ପାଉଥିବା ଶିବଲିଙ୍ଗ ହେଉଛନ୍ତି ସ୍ବୟମ୍ଭୁ। ପ୍ରତ୍ୟକ୍ଷ ଦେବତା ଭାବେ ତାଙ୍କର ରହିଛି ଅନେକ ଖ୍ୟାତି। ଖାସ୍‌ ସେଥିପାଇଁ ବର୍ଷସାରା ଏଠାରେ ଭକ୍ତଗଣଙ୍କର ଭିଡ଼ ଲାଗି ରହିଥାଏ।

ଇତିହାସ
ବେଲଖଣ୍ଡି ଧବଳେଶ୍ୱରଙ୍କ ଆବିର୍ଭାବକୁ ନେଇ ବହୁ ଲୋକ ଭିନ୍ନ ଭିନ୍ନ ମତ ଦେଇଥାନ୍ତି। ତେବେ ପୁରାଣ ପୃଷ୍ଠା ଓଲଟାଇଲେ ଜଣାଯାଏ, ପଞ୍ଚମ-ଷଷ୍ଠ ଖ୍ରୀଷ୍ଟାବ୍ଦ ସମୟରେ ସମଗ୍ର କଳାହାଣ୍ଡି ଜିଲାର ଚତୁଃପାର୍ଶ୍ୱରେ ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ହୋଇ ରହିଥିଲା। ଆଉ ବେଲଖଣ୍ଡି ନିକଟସ୍ଥ ତାଳଭଅଁରା ଗ୍ରାମରେ ଗୌନ୍ତିଆ ସମ୍ପ୍ରଦାୟର ଲୋକେ ବସବାସ କରୁଥିଲେ। ସେମାନଙ୍କର ଅନେକ ଗାଈ, ବଳଦ, ମଇଁଷି, ଛେଳି, ମେଣ୍ଢା ଇତ୍ୟାଦି ଥିଲେ। ପ୍ରତିଦିନ ଗାଈ ଚରାଳିମାନେ ନିକଟସ୍ଥ ତେଲ ଓ ଉତ୍ତେଇ ନଦୀର ସଂଗମସ୍ଥଳରେ ଥିବା ଚାରଣଭୂମିକୁ ଗାଈମାନଙ୍କୁ ଚରାଇବାକୁ ନେଉଥିଲେ। ସେହି ଗାଈଗୋଠ ମଧ୍ୟରୁ ସବୁଠୁ ଅଧିକ କ୍ଷୀର ଦେଉଥିବା କାଳିଗାଈଟି ହଠାତ୍‌ କ୍ଷୀର ଦେବା ବନ୍ଦ କରିଦେଲା। ଏହାର କାରଣ କ’ଣ ତାହା ଲକ୍ଷ୍ୟ କରିବାରୁ ଜଣାଗଲା ପ୍ରତିଦିନ ଉକ୍ତ କାଳିଗାଈଟି ଘାସ ଚରି ସାରି ଗୋଠରୁ ବାହାରି ନଦୀକୂଳ ନିକଟବର୍ତ୍ତୀ ଏକ ସମତଳ ଜାଗାକୁ ଯାଇ ଠିଆ ହେଉଛି। ଆଉ ତା’ର ସ୍ତନରୁ ସ୍ବତଃପ୍ରବୃତ୍ତ ଭାବରେ କ୍ଷୀର ଝରି ଏକ ପ୍ରସ୍ତର ଉପରେ ପଡୁଛି। ଏକଥା ଦେଖି ଗାଈ ଜଗୁଆଳି ଆଶ୍ଚର୍ଯ୍ୟ ହୋଇଯିବା ସହ ନିକଟକୁ ଯାଇ ଦେଖିଲେ ଚିକ୍‌ ଚିକ୍‌ କଳା ପ୍ରସ୍ତର ଉପରେ କ୍ଷୀର ବୋହିଯାଇ ତାହା ଧବଳ ବର୍ଣ୍ଣ ଧାରଣ କରିଛି ଆଉ ସେଠାରେ ସଦ୍ୟ କନିୟର ଫୁଲ ଓ ବେଲପତ୍ର ମଧ୍ୟ ପଡିଛି। ଏକଥା ଧୀରେ ଧୀରେ ପ୍ରଘଟ ହୋଇ ତତ୍କାଳୀନ ରାଜାଙ୍କ କାନକୁ ଗଲା। ରାଜା ମଧ୍ୟ ସ୍ବଚକ୍ଷୁରେ ଏ ସମସ୍ତ ଘଟଣା ଦେଖି ଆଶ୍ଚର୍ଯ୍ୟ ହେଲେ। ପରେ ରାଜାଙ୍କୁ ସ୍ବପ୍ନାଦେଶ ହେଲା। ସ୍ବପ୍ନାଦେଶ ଅନୁସାରେ ରାଜା ସ୍ଥାନୀୟ ଅଧିବାସୀମାନଙ୍କ ସାହାଯ୍ୟରେ ନିର୍ଦ୍ଦିଷ୍ଟ ସ୍ଥାନକୁ ଖନନ କରି ସେଠାରୁ ତ୍ରିକୋଣକାୟ ଭୂମିରେ ବିରାଟକାୟ ଶିବଲିଙ୍ଗକୁ ଉଦ୍ଧାର କଲେ। ପରେ ତାଙ୍କୁ ଶ୍ରୀ ଧବଳେଶ୍ୱର ନାମରେ ନାମିତ କରି ସେଠାରେ ଏକ ମନ୍ଦିର ନିର୍ମାଣ ହେଲା ଆଉ ତାଙ୍କର ପୂଜାର୍ଚ୍ଚନା କରାଗଲା।

ପର୍ବପର୍ବାଣି
ଏହି ମନ୍ଦିରରେ ସକାଳେ ଓ ସନ୍ଧ୍ୟାରେ ନୀତିନିୟମ ଅନୁସାରେ ପୂଜା ହୋଇଥାଏ। ମହାଶିବରାତ୍ରି ହେଉଛି ଏଠାକାର ଏକ ପ୍ରମୁଖ ପର୍ବ। ପ୍ରତି ବର୍ଷ ୭ଦିନ ଧରି ଏହି ପର୍ବ ଏଠାରେ ପାଳିତ ହୋଇଥାଏ। ସେ ସମୟରେ ସ୍ଥାନୀୟ କେତେକ ଅନୁଷ୍ଠାନ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ଅନ୍ୟପକ୍ଷେ ଦଶହରା ପର୍ବ ବି ଏଠାରେ ବେଶ୍‌ ଧୁମ୍‌ଧାମ୍‌ରେ ପାଳିତ ହୋଇଥାଏ। କାରଣ ଉକ୍ତ ମନ୍ଦିର ପରିସରରେ ଶକ୍ତିପୀଠ ଭାବେ ଏକ ଚଣ୍ଡୀ ମନ୍ଦିର ରହିଛି। ତା’ଛଡ଼ା ବିବାହ, ହୋମ, ଯଜ୍ଞ, ପୁରାଣ ପାଠ, ଚଣ୍ଡୀପୂଜା, ଜଳାଭିଷେକ, ଗୋହତ୍ୟା ପ୍ରାୟଶ୍ଚିତ ଆଦି କର୍ମ ବି ଏଠାରେ କରାଯାଇଥାଏ। ସେହିପରି ଶ୍ରାବଣ ମାସରେ ଶିବଭକ୍ତ କାଉଡିଆମାନେ ହଜାର ହଜାର ସଂଖ୍ୟାରେ ଆସି ଏଠାରେ ଜଳାଭିଷେକ କରିଥାନ୍ତି।

ମନ୍ଦିର ପରିସର
ଏହି ଶୈବପୀଠ ପରିସରରେ ବେଲଗଛ, ତୁଳସୀ, ଅଁଳା, ନିମ୍ବ, ବରଗଛ, ତେନ୍ତୁଳିଗଛ, ଆମ୍ବ, ପଣସ, କଦଳୀ, ରାଧାଚୂଡ଼ା, ଡୁମେରଗଛ, କାଠଚମ୍ପା, ମନ୍ଦାର, କନିୟର, ଅରଖ, ଦୁଦୁରା ଇତ୍ୟାଦି ମୂଲ୍ୟବାନ ଗଛ ଭରପୂର ହୋଇ ରହିଛି। ସେହିପରି ବିଭିନ୍ନ ପର୍ବପର୍ବାଣି ସମୟରେ ସ୍ବତନ୍ତ୍ର ରୋଷେଇ କରିବା ପାଇଁ ଏକ ରୋଷ ଘର, ଭକ୍ତମାନେ ବସି ପ୍ରସାଦ ସେବନ କରିବା ପାଇଁ ଆନନ୍ଦବଜାର ମଧ୍ୟ ଏଠାରେ ଅଛି। ତା’ଛଡ଼ା ମୁଖ୍ୟ ମନ୍ଦିରର ପୂର୍ବ ଦିଗରେ ବିଭିନ୍ନ ପ୍ରକାର ଦୋକାନ ବି ରହିଛି, ଯେଉଁଠାରୁ ଭକ୍ତଗଣ ପୂଜା ସାମଗ୍ରୀ ଜିନିଷ ସୁଲଭ ଦରରେ କିଣିପାରିବେ। ଭକ୍ତମାନଙ୍କ ବିଶ୍ରାମ ପାଇଁ ଏଠାରେ ଏକ ଆଶ୍ରୟସ୍ଥଳୀ ବି ରହିଛି। ଅନ୍ୟ ଏକ ଆଶ୍ରୟସ୍ଥଳୀ ନିର୍ମାଣାଧୀନ ଅବସ୍ଥାରେ ଅଛି।

କେବେ ଯିବେ
ଏଠାକୁ ବର୍ଷର ଯେ କୌଣସି ସମୟରେ ଯାଇହେବ। ଖାସ୍‌କରି ମହାଶିବରାତ୍ରି, ଦଶହରା ତଥା ବିଭିନ୍ନ ପର୍ବପର୍ବାଣି ସମୟରେ ଗଲେ ପ୍ରଭୁଙ୍କର ସ୍ବତନ୍ତ୍ର ପୂଜାବିଧି ଓ ସାଜସଜ୍ଜା ଦେଖିବାର ସୌଭାଗ୍ୟ ମିଳିବ। କିନ୍ତୁ ବର୍ଷାଦିନେ ବନ୍ୟା ପରିସ୍ଥିତି ଉପୁଜିଲେ ଏଠାକୁ ଯିବା ସମ୍ଭବ ହୋଇ ନ ଥାଏ। କାରଣ ଏହି ମନ୍ଦିରଟି ଯେହେତୁ ଦୁଇଟି ନଦୀର ସଂଗମସ୍ଥଳୀରେ ଅବସ୍ଥିତ, ତେଣୁ ବନ୍ୟା ହେଲେ ଏହା ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଯାଏ। ଏପରକି ମନ୍ଦିର ପରିସର ମଧ୍ୟ ଜଳମଗ୍ନ ହୋଇଯାଏ। ସେଥିପାଇଁ ଏହି ମନ୍ଦିରରେ ଥିବା କେତୋଟି ମୂଲ୍ୟବାନ ମୂର୍ତ୍ତିକୁ କିଛିବର୍ଷ ପୂର୍ବେ ଉଦ୍ଧାର କରି ଭବାନୀପାଟଣାସ୍ଥିତ ମାଣିକପୁରୀଠାରେ ରଖାଯାଇଛି।

କେମିତି ଯିବେ
ଏଠାକୁ ଯିବାକୁ ହେଲେ କେସିଙ୍ଗାରୁ ସିଧାସଳଖ ବସ୍‌ କମ୍ବା ଅନ୍ୟ ଯେକୌଣସି ମୋଟର ଯାନରେ ଯାଇହେବ। କେସିଙ୍ଗାରୁ ଏହି ଶୈବପୀଠ ପ୍ରାୟ ୩୫ କି.ମି.। ସେହିପରି ଏମ୍‌.ରାମପୁରରୁ ବି ସଡ଼କପଥରେ ଏଠାକୁ ଯିବାର ସୁବିଧା ରହିଛି।
-ତୁମେଶ୍ୱର ସାହୁ, କେସିଙ୍ଗା


Enter your email to get our daily news in your inbox.

All Right Reserved By Dharitri.Com

ମୋ ମୁହଁରେ ଭର୍ତ୍ତି କରି ଦେଇଥିଲେ AK-47, ସେଦିନର ଲୋମଟାଙ୍କୁରା ଘଟଣା ବଖାଣିଲେ ପାଇଲଟ୍‌

ନୂଆଦିଲ୍ଲୀ,୨୬ା୭: ଆଜି ଅର୍ଥାତ୍‌ ୨୬ ଶୁକ୍ରବାର କାର୍‌ଗିଲ ବିଜୟ ଦିବସର ୨୫ବର୍ଷ ପୂରଣ ହୋଇଛି। ଏହି ଦିନ କାର୍‌ଗିଲ ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନକୁ ପରାସ୍ତ...

ଜୀବନ୍ତ ଗିଳି ଦେବାକୁ ଚେଷ୍ଟା କରୁଥିଲା ଅଜଗର, ବ୍ୟକ୍ତି ଜଣଙ୍କ କଲେ ଏଭଳି, ଭିଡିଓ ଦେଖିଲେ…

ଭୋପାଳ,୨୬।୭: ମଧ୍ୟପ୍ରଦେଶର ଜବଲପୁରର କଲ୍ୟାଣପୁର ଗ୍ରାମରେ ୧୫ ଫୁଟ ଲମ୍ବର ଅଜଗର ସାପ ଆକ୍ରମଣ କରିବା ପରେ ଜଣେ ବ୍ୟକ୍ତି ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଛନ୍ତି।...

ଜନ୍ମନେଲେ ଅଜବ ଶିଶୁ: ରହିଛି ୨୫ ଆଙ୍ଗୁଠି

ବେଙ୍ଗାଲୁରୁ,୨୪।୭:କର୍ନାଟକର ବାଗଲକୋଟ ଜିଲାର ବନହଟ୍ଟି ଅଞ୍ଚଳର ସନ୍‌ସାଇନ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲରେ ମଙ୍ଗଳବାର ୨୫ ଆଙ୍ଗୁଠି ଥିବା ଏକ ଦୁର୍ଲଭ ଶିଶୁ ଜନ୍ମ ହୋଇଛି। ଏହି...

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ କେତେ ଟଙ୍କା ମିଳେ କ୍ଷତିପୂରଣ, ଜାଣିଲେ…

କାଠମାଣ୍ଡୁ/ନୂଆଦିଲ୍ଲୀ ,୨୪ା୭: ସୌର୍ଯ୍ୟ ଏୟାରଲାଇନ୍ସର ୯ଏନ୍‌-ଏଏମ୍‌ଇ (ସିଆରଜେ- ୨୦୦) ବିମାନ ଭାରତର ପଡ଼ୋଶୀ ଦେଶ ନେପାଳର ରାଜଧାନୀ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାର ଶିକାର...

ଜୀବନରେ ‘ରିଫ୍ରେଶ’ ରହିବା ଜରୁରୀ

ପ୍ରତିବର୍ଷ ଜୁଲାଇ ମାସର ଚତୁର୍ଥ ଗୁରୁବାର ନ୍ୟାଶନାଲ୍‌ ରିଫ୍ରେଶ୍‌ମେଣ୍ଟ ଡେ’ ପାଳନ କରାଯାଏ। ଏହି ଦିନ ଲୋକମାନେ ଥଣ୍ଡା ଲେମ୍ବୁ, ବରଫଯୁକ୍ତ ଚା’, କୋଲ୍ଡ ପାନୀୟ,...

ବାପାଙ୍କୁ କୁଣ୍ଢାଇ ଧରି କାନ୍ଦିକାନ୍ଦି ଏମିତି କହିଲେ ଝିଅ: ବାପାଙ୍କ ଆଖିରେବି ରହିଲାନି ଲୁହ, ଭାଇରାଲ ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଚା’  ବିକାଳଙ୍କ  ଝିଅ ତାଙ୍କ ବାପାଙ୍କୁ କୁଣ୍ଢାଇ ଧରିି କହନ୍ତି, ପାପା,...

ସାଂସ୍କୃତିକ ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରେ

ପ୍ରତିବର୍ଷ ଜୁଲାଇ ୨୩ରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଇଥାଏ। ୧୯୨୭ରେ ବମ୍ବେ (ମୁମ୍ବାଇ)ଷ୍ଟେଶନରୁ ପ୍ରସାରିତ ପ୍ରଥମ ରେଡିଓ ପ୍ରସାରଣକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି...

ଜାଣନ୍ତି କି ନୁଡଲ୍ସର ଜନକ କିଏ? ଏହା କେମିତି ହେଲା ଲୋକପ୍ରିୟ…

ବ୍ୟାଚେଲର୍‌ ହୁଅନ୍ତୁ ଅବା ହଷ୍ଟେଲରେ ରହି ପଢୁଥିବା ପିଲା, ସମସ୍ତଙ୍କର ପ୍ରଥମ ପସନ୍ଦ ଇନ୍‌ଷ୍ଟାଣ୍ଟ ନୁଡଲ୍ସ। ଖୁବ୍‌ ଜୋର୍‌ରେ ଭୋକ ହେଉଥିବା ବେଳେ ଫଟାଫଟ୍‌ ତିଆରି...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri