ପରମ୍ପରାରେ ସୁନାର ମହତ୍ତ୍ୱ

ବିଶ୍ବର ପ୍ରାୟ ସମସ୍ତ ରାଷ୍ଟ୍ରରେ ସୁନା ପ୍ରତି ବିଶେଷ ଆକର୍ଷଣ ରହିଆସିଛି। ସୁନା ପ୍ରତି ଥିବା ଅହେତୁକ ମୋହ ଅନ୍ୟ କୌଣସି ଧାତୁଠାରେ ଦେଖିବାକୁ ମିଳେ ନାହିଁ। ସୁନା ତୁଳନାରେ ଅନ୍ୟାନ୍ୟ ମୂଲ୍ୟବାନ ସମ୍ପଦଗୁଡ଼ିକର ନଗଦମୁଦ୍ରା (ଲିକ୍ୱିଡିଟି) ସ୍ବଳ୍ପ। ଜମି, କୋଠାଘର କିମ୍ବା ଅନ୍ୟାନ୍ୟ ମୂଲ୍ୟବାନ ଦ୍ରବ୍ୟ ତୁଳନାରେ ସୁନା ବିନା କ୍ଷତିରେ ହସ୍ତାନ୍ତରିତ ହୋଇପାରେ। ଏହା କେବଳ ଏକ ମୂଲ୍ୟବାନ ଧାତୁ ନୁହଁ ଏହା ମଧ୍ୟ ଏକ ଭରସାଯୋଗ୍ୟ ପରିସମ୍ପତ୍ତି। ଆର୍ଥିକ ସଙ୍କଟ ସମୟରେ ଏହା ଉଭୟ ପରିବାର ଓ ରାଷ୍ଟ୍ର ପାଇଁ ସର୍ବଶେଷ ଆଶ୍ରୟ । ସୁନା ଶାରୀରିକ ସୋନ୍ଦର୍ଯ୍ୟ, ଶକ୍ତି, ସୁରକ୍ଷା, ସୌଭାଗ୍ୟ ଓ ସମ୍ମାନର ପ୍ରତୀକ । ଆମ ଦେଶରେ ନାରୀ ଓ ପୁରୁଷମାନଙ୍କର ଆଭୂଷଣ ନିମନ୍ତେ ସୁନା ଅଧିକ ଆଦୃତ । ବଜାରରେ ଅନ୍ୟାନ୍ୟ ଉତ୍ପାଦିତ ଦ୍ରବ୍ୟଗୁଡ଼ିକ ଉତ୍ପାଦନ ବ୍ୟୟ ସହ ବିଭିନ୍ନ ଟିକସ ଯୁକ୍ତ ହୋଇ ଏକ ନର୍ଦ୍ଦିଷ୍ଟ ଦରରେ ଉପଲବ୍ଧ ହୋଇଥାଏ କିନ୍ତୁ ସୁନା ଅଳଙ୍କାର କ୍ଷେତ୍ରରେ ଉଭୟ ଧାତୁ ମୂଲ୍ୟ ଓ ଗଢ଼ା ମୂଲ୍ୟ ଅଲଗା ଅଲଗା ଦେବାକୁ ହୋଇଥାଏ।
ଭାରତରେ ସୁନାର ବଜାର ବିଶ୍ୱରେ ବୃହତ୍ତମ । ଉତ୍ତମ ମୂଲ୍ୟର ସଞ୍ଚୟକ ଭାବେ ସୁନା ସମସ୍ତ ପର୍ବପର୍ବାଣି, ଉତ୍ସବ ଓ ପରମ୍ପରାର ମୌଳିକ ତଥା ଅବିଚ୍ଛେଦ୍ୟ ଅଂଶ। ହିନ୍ଦୁ ଓ ଜୈନ ସଂସ୍କୃତିରେ ସ୍ବର୍ଣ୍ଣ ଧାତୁକୁ ଶୁଭ ବୋଲି ବିବେଚନା କରାଯାଏ। ପବିତ୍ର ସାମାଜିକ ଅନୁଷ୍ଠାନ ଯଥା ବ୍ରତ ଓ ବିବାହ ଉତ୍ସବରେ ସୁନା ଅଳଙ୍କାରର ଆବଶ୍ୟକତା ଅଧିକ। ସୁନା ପରିବାର ଓ କନ୍ୟାର ନିରାପଦ ଭବିଷ୍ୟତ,ସମ୍ବୃଦ୍ଧି ଓ ଆର୍ଥିକ ନିରାପତ୍ତାର ପ୍ରତୀକ ବୋଲି କେଉଁ ପୁରାତନ କାଳରୁ ବିଶ୍ୱାସ ରହିଛି। ଆମ ଦେଶରେ ବିବାହ ପରି ମାଙ୍ଗଳିକ ଉତ୍ସବରେ ସୁନାର ବାର୍ଷିକ ଚାହିଦା ପାଖାପାଖି ପଚାଶ ପ୍ରତିଶତ।
ଆଧୁନିକ ଅର୍ଥ ବ୍ୟବସ୍ଥାରେ ସୁନାର ଗୁରୁତ୍ୱ ବହୁ ଅଧିକ। ସୁବର୍ଣ୍ଣ ଧାତୁର ଏକ ଅନନ୍ୟ ମୌଳିକ ବୈଶିଷ୍ଟ୍ୟ ହେଲା ଏହାର ଅନ୍ତର୍ନିହିତ ମୂଲ୍ୟ। ଅନ୍ୟାନ୍ୟ ଧାତୁ ତୁଳନାରେ ଏହାର ଧାତବ କ୍ଷୟ ସ୍ବଳ୍ପ। ଏହାର ଯୋଗାଣ ଆବଶ୍ୟକ ଚାହିଦାଠାରୁ କମ୍‌ ହୋଇଥିବାରୁ ସୁନା ଦୁର୍ଲଭ।
ଅଳଙ୍କାର ବ୍ୟତୀତ ଉତ୍ତମ ମୁଦ୍ରାର ସମସ୍ତ ଗୁଣାବଳୀ ସୁନା କ୍ଷେତ୍ରରେ ଦେଖାଯାଏ। ମୂଲ୍ୟର ସଞ୍ଚୟକ, ବିନିମୟରେ ମାଧ୍ୟମ, ନମନୀୟତା, ସ୍ବଳ୍ପ ଧାତୁରେ ବହୁ ମୂଲ୍ୟ ଧାରଣ,ସହଜ ବାହି ଆଦି ସମସ୍ତ ମୌଦ୍ରିକ ଗୁଣାବଳୀ ସୁନା ଧାତୁରେ ରହିଛି। ସୁନା ରାଷ୍ଟ୍ରର ଉଭୟ ମୂଲ୍ୟବାନ ସମ୍ପଦ ଓ ଆର୍ଥିକ ସ୍ବାସ୍ଥ୍ୟର ସୂଚକ। ସୁନା ବନ୍ଧକ କ୍ଷେତ୍ରରେ ସହଜ ଋଣ, ସ୍ବଳ୍ପ ସୁଧହାର ଓ ତୁରନ୍ତ ଋଣ ମଞ୍ଜୁରୀର ସୁଯୋଗ ରହିଛି। ସୁନା ନିର୍ଭରଯୋଗ୍ୟ ନିବେଶ,ସୁଗମ୍ୟ ଋଣର ଉତ୍ସ, ସାଂସ୍କୃତିକ ଓ ଆଳଙ୍କାରିକ ମହତ୍ତ୍ୱ ବହନ କରେ। ମୁଦ୍ରାସ୍ଫୀତି ତଥା ଅର୍ଥନୈତିକ ଅନିଶ୍ଚିତତାକୁ ମୁକାବିଲା କରିବା ସହ ପ୍ରତିକୂଳ ଦର ଚଳନ ହେତୁ ଯେଉଁ ସମ୍ଭାବ୍ୟ କ୍ଷତିର ସୂତ୍ରପାତ ହୁଏ ସେଥିରୁ ରକ୍ଷା ପାଇବା ନିମିତ୍ତ ସୁନା ବିପଦ ପରିଚାଳନା କୌଶଳ(ହେଜିଂ) ରୂପେ କାର୍ଯ୍ୟ କରିଥାଏ। ଯେତେବେଳେ ମୁଦ୍ରାସ୍ଫୀତି ଉପରମୁହାଁ ହେବା ସହ କାଗଜ ମୁଦ୍ରାର କ୍ରୟ ଶକ୍ତି ହ୍ରାସ ପାଇବାକୁ ଲାଗେ ସେତେବେଳେ ସୁନା ଘରୋଇ ସମ୍ପଦକୁ ସୁରକ୍ଷା ଦେବାକୁ ଯାଇ ଏହାର ମୂଲ୍ୟକୁ ସ୍ଥିର ରଖେ। ସୁତରାଂ, ପାରମ୍ପରିକ ନିବେଶର ବିକଳ୍ପ ଭାବେ ଅନେକ ନିବେଶକ ସୁନାକୁ ପସନ୍ଦ କରିଥାନ୍ତି।
ବିଗତ କେତେ ବର୍ଷ ଧରି ଭାରତରେ ବଜାର ଧାରା (ଟ୍ରେଣ୍ଡ),ମୁଦ୍ରା ଚଳନ (କରେନ୍ସି ମୁଭମେଣ୍ଟ) ଓ ନିବେଶକଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଦି କେତେକ ଉପାଦାନ ଯୋଗୁ ସୁନାର ଦାମ ରକେଟ ଗତିରେ ବୃଦ୍ଧି ପାଉଛି। ପ୍ରଥମତଃ, ସାମ୍ପ୍ରତିକ ଭୂରାଜନୈତିକ ଘଟଣାବଳୀ, ବାଣିଜ୍ୟ ଯୁଦ୍ଧ ଓ କୁଟନୈତିକ ଚାପ ଆଦି ନିବେଶକଙ୍କୁ ମୂଲ୍ୟବାନ ଧାତୁ ସୁନା ଉପରେ ନିବେଶ କରିବା ନିମନ୍ତେ ବାଧ୍ୟ କରିଛି। ସେମାନେ ବଜାର ଅସ୍ଥିରତା ଯୋଗୁ ସୁନାକୁ ନିବେଶର ସୁରକ୍ଷିତ ମାଧ୍ୟମ ଭାବେ ବିବେଚନା କରୁଛନ୍ତି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଅଭିସନ୍ଧିମୂଳକ ପାରସ୍ପରିକ ଶୁଳ୍କ ଲାଗୁ କରିବା ଯୋଗୁ ସମଗ୍ର ବିଶ୍ୱରେ ଅସ୍ଥିରତା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ନିବେଶକମାନେ ସୁରକ୍ଷିତ ନିବେଶ ଅନ୍ବେଷଣରେ ରହୁଛନ୍ତି।
ଦ୍ୱିତୀୟତଃ,ଡଲାର ତୁଳନାରେ ଭାରତୀୟ ମୁଦ୍ରା ଟଙ୍କାର ମୂଲ୍ୟ ହ୍ରାସ ପାଉଛି, ଯଦ୍ଦ୍ବାରା ଡଲାର ସମ୍ମୁଖରେ ଟଙ୍କା ଦୁର୍ବଳ ହୋଇପଡୁଛି। ସୁନା ଆମଦାନୀ ବ୍ୟୟ ବୃଦ୍ଧି ପାଇବା ଯୋଗୁ ସୁନା ଦର ଉପରମୁହଁା ହେଉଛି। ସେଥିଯୋଗୁ ଭାରତୀୟ କ୍ରେତାମାନଙ୍କ ନିମନ୍ତେ ସୁନା କ୍ରୟ କରିବା ଅଧିକ ବ୍ୟୟ ସାପେକ୍ଷ ହୋଇଯାଉଛି। ତୃତୀୟତଃ,ବିଶ୍ୱରେ ଯୁଦ୍ଧ ସଙ୍କଟ ଭଳି ଆପତକାଳୀନ ପରିସ୍ଥିତି ମଧ୍ୟରେ ବୈଦେଶିକ ମୁଦ୍ରା ଭଣ୍ଡାରକୁ ଆଦର୍ଶ ସ୍ତରରେ ବଜାୟ ରଖିବା ପାଇଁ ସୁନା ଏକ ଅମୋଘ ଅସ୍ତ୍ର। ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ବିଶ୍ୱର ସମସ୍ତ କେନ୍ଦ୍ରୀୟ ବ୍ୟାଙ୍କ ସମୂହ ପାରମ୍ପରିକ ମୁଦ୍ରା ସଂରକ୍ଷଣ ପରିବର୍ତ୍ତେ ପ୍ରଚୁର ପରିମାଣରେ ସୁନା ମହଜୁଦ ରଖିବା ଯୋଗୁ ବଜାରରେ ସୁନା ଦର ଦେଶରେ ବୃଦ୍ଧି ପାଉଛି। ବିଗତ ଦୁଇ ବର୍ଷ ମଧ୍ୟରେ ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ପାଖାପାଖି ୨୭ ଥର ସୁନା କିଣି ସାରିଛନ୍ତି। ଆମ ଦେଶରେ ଚଳିତ ବର୍ଷ ଏପ୍ରିଲ ମାସ ଠାରୁ ସୁନା ଦର କୂଳ ଲଙ୍ଘନ କରୁଛି।ପ୍ରତ୍ୟେକ ଦିନ ସୁନା ଦର ବୃଦ୍ଧି ରେକର୍ଡ ଭାଙ୍ଗୁଛି।ଏପ୍ରିଲ ମାସରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଏକ ଲକ୍ଷ ଅତିକ୍ରମ କରିଥିବା ବେଳେ ଚଳିତ ଅକ୍ଟୋବରରେ ତାହା ଏକ ଲକ୍ଷ କୋଡିଏ ହଜାରକୁ ବୃଦ୍ଧି ପାଇ ଇତିହାସ ରଚିଛି।
ସୁନା ପ୍ରତି ଥିବା ଭାବପ୍ରବଣତା, ଅହେତୁକ ଆକର୍ଷଣ ଓ ଦୁର୍ବାର ଲାଳସା ହିଁ ଦର ବୃଦ୍ଧିରେ ନିଆଁ ଲଗାଇ ଦେଉଛି। ଏହା ଆମ ସଂସ୍କୃତି ଓ ପରମ୍ପରାକୁ ଦୃଢ଼ ଭାବେ ସଂଯୋଗ କରିଛି। ଆଭୂଷଣ ପ୍ରବଣତା, ମାଙ୍ଗଳିକ କାର୍ଯ୍ୟ ତଥା ଧର୍ମ କାର୍ଯ୍ୟ ନିମନ୍ତେ ଗରିବଠାରୁ ଧନୀ ପର୍ଯ୍ୟନ୍ତ ସମସ୍ତେ ସୁନା କାମନା କରିଥାନ୍ତି। ଅର୍ଥଶାସ୍ତ୍ରରେ ସୁନା ମୂଲ୍ୟର ଏକ ବିରୋଧାଭାସ ରହିଛି। ସୁନାର ବିନିମୟ ମୂଲ୍ୟ ବହୁ ଅଧିକ, କିନ୍ତୁ ଏହା ଜୀବନ ରକ୍ଷା ନିମନ୍ତେ ଜରୁରୀ ନୁହଁ, ଅର୍ଥାତ ଏହାର ବ୍ୟବହାରିକ ମୂଲ୍ୟ ନାସ୍ତି। ସୁନା ଦର ଆକାଶଛୁଆଁ ହେବା ସତ୍ତ୍ୱେ ମଧ୍ୟ ଲୋକଙ୍କର ଏହା ପ୍ରତି ମୋହ ଭଙ୍ଗ ହେଉନାହିଁ। ସୁନାର ଦର ଯେଭଳି ହୁ ହୁ ହୋଇ ବଢୁଛି ସେଥିରୁ ପ୍ରତୀୟମାନ ହେଉଛି ଯେ ଏହାର ମୂଲ୍ୟ ସାଧାରଣ ସ୍ତରକୁ ପୁନର୍ବାର ଖସି ଆସିବା ସମ୍ଭବ ନୁହେଁ। ଭାରତ ଭଳି ଏକ ସୁନା ଆମଦାନୀକାରୀ ରାଷ୍ଟ୍ର ନିମନ୍ତେ ଆର୍ଥିକ ସ୍ଥିରତା ଯେ ନିଶ୍ଚିତ ବାଧାପ୍ରାପ୍ତ ହେବ ଏଥିରେ ସନ୍ଦେହର ଅବକାଶ ନାହିଁ।

ଦୋଳଗୋବିନ୍ଦ ମହାପାତ୍ର
ଅବସରପ୍ରାପ୍ତ ପ୍ରାଧ୍ୟାପକ
ମୋ:୯୪୩୮୧୯୨୨୨୪


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri