ଦେଲୁ ମୋତେ ମହାଶିକ୍ଷା

ଡ. ନରହରି ବେହେରା

ପ୍ରବନ୍ଧର ଶୀର୍ଷକ ଗୋଟିଏ କବିତାର ଶୀର୍ଷକରୁ ଉଦ୍ଧୃତ। କବିତାର ପୃଷ୍ଠଭୂମି ଥିଲା- ଥରେ ଜଣେ ରାଜା ବନ ବିହାର କରୁଥିବାବେଳେ ହଠାତ୍‌ ତାଙ୍କ ମୁଣ୍ଡରେ ଟେକାଟିଏ ବାଜିଲା। ଏଥିରେ ରାଜାଙ୍କ ସମେତ ପାରିଷଦବର୍ଗ କ୍ଷୁବ୍ଧହେଲେ। କର୍ମଚାରୀଗଣ ଟେକା ଫିଙ୍ଗିଥିବା ବ୍ୟକ୍ତିଙ୍କ ସନ୍ଧାନରେ ଯାଇ ଜଣେ ଦୁର୍ବଳ, ଭୋକିଲା ଏବଂ ଭୟାଳୁ ବୁଢ଼ୀଟିକୁ ଧରି ଆଣି ରାଜାଙ୍କ ନିକଟରେ ହାଜର କଲେ। ବୁଢ଼ୀଟି ଭୟରେ ଥରୁଥିଲା। ଟେକା ଫିଙ୍ଗିବାର କାରଣ ସମ୍ବନ୍ଧରେ ପ୍ରଶ୍ନ ପଚରା ଯିବାରୁ ବୁଢ଼ୀଟି ଯେଉଁ ଉତ୍ତର ଦେଲା ତାହା ହିଁ କବିତାର ମୁଖ୍ୟ ସ୍ବର। ବୁଢ଼ୀଟି ତିନିଦିନ ଧରି କିଛି ଖାଇ ନ ଥିଲା। କ୍ଷୁଧାରେ ଆତୁର ହୋଇ ସେ ଫଳଟିଏ ପାଇବା ଆଶାରେ ଗଛକୁ ଟେକାଟିଏ ଫିଙ୍ଗିଥିଲା। ମାତ୍ର ନିର୍ଦ୍ଦୟ ଟେକାଟା ସିଧା ଯାଇ ରାଜାଙ୍କ କପାଳରେ ଆଘାତ କଲା। ଘଟଣାଟି ଏବେକାର ନେତାଙ୍କ ପ୍ରତି ବିରୋଧୀ ଦଳର ଅଣ୍ଡା ବା ବିଲାତି ବାଇଗଣ ଫିଙ୍ଗିବାପରି ଯୋଜନାବଦ୍ଧ ନ ଥିଲା, ବରଂ ଜଣେ କ୍ଷୁଧାର୍ତ୍ତ ମଣିଷର କ୍ଷୁଧା ନିବାରଣ ପାଇଁ ଏକ ପ୍ରୟାସ ଥିଲା। ରାଜା ଘଟଣାର ଗୁରୁତ୍ୱ ଅନୁଭବ କଲେ। ତେଣୁ ବିଜ୍ଞ ରାଜା ବୁଢ଼ୀକୁ କ୍ଷମାପ୍ରାର୍ଥନା କରି କହିଲେ- ମୁଁ ଆଜି ପର୍ଯ୍ୟନ୍ତ ଅନ୍ଧାରରେ ଥିଲି। ଚାଟୁକାରଙ୍କ ମୁହଁରୁ ପ୍ରଶଂସା ଶୁଣି ମୋ ଶାସନ ଠିକ୍‌ ଚାଲିଛି ବୋଲି ଭାବି ଖୁସି ଥିଲି। ଆଜି ଜାଣିଲି, ମୋ ରାଜ୍ୟରେ ଏମିତି ଅନେକ ଭୋକିଲା ଲୋକ ଶଢ଼ୁଛନ୍ତି। ଶାସନ ଠିକ୍‌ ଚାଲୁନାହିଁ। ଆଜି ତୁ ମୋତେ ମହାଶିକ୍ଷା ଦେଲୁ।
ବହୁ ପୁରୁଣା କାହାଣୀର ଘଟଣାକୁ ଲେଉଟେଇ ଆଣିଛି ବିଶ୍ୱ ମହାମାରୀ କରୋନା। ପାଠକେ ଚିନ୍ତା ପ୍ରକଟ କରୁଥିବେ, ଏ କି ଅଭିଲା କଥା ! କରୋନା ପୁଣି କି ଶିକ୍ଷା ଦେବ! କଥାଟା ଜମା ଅଭିଲା ନୁହେଁ। ଆମ ଧନ ଜୀବନକୁ ବିପନ୍ନ କରୁଥିବା କରୋନାର ଆର ଦିଗଟାକୁ ଦେଖିଲେ କଥାର ଗୁମରଟା ବୁଝିପାରିବେ। କେଉଁ କାଳରୁ ଛୁଆଁ ଅଛୁଆଁ ଭାବ ଆମ ସମାଜକୁ ଦି’ଫାଳ କରିଦେଇଛି। ଅବଶ୍ୟ କିଛି ଗୁଣୀଜନ ଏହାକୁ ଭୁଲି ଗଲେଣି, କିନ୍ତୁ ସମାଜରୁ ପୂରା ଲିଭି ନାହିଁ। ଆମେ କ’ଣ କେବେ ଭାବିଛୁ ଜଣକୁ ଅସ୍ପୃଶ୍ୟ ବୋଲି କହିଲେ ତାକୁ କେତେ କଷ୍ଟ ହୁଏ? ଏବେ କରୋନା ଆମ ସମସ୍ତଙ୍କୁ ଅସ୍ପୃଶ୍ୟ କରିଦେଇଛି। ଅଫିସର, ପିଅନ, ସ୍ବାମୀ, ସ୍ତ୍ରୀ, ଭାଇ, ବନ୍ଧୁ ସମସ୍ତେ ପରସ୍ପରଠାରୁ ଅଛୁଆଁ ହେଇଯାଇଛନ୍ତି। ଜଣେ ଆର ଜଣକୁ ଦେଖିବାମାତ୍ରେ ଛୁଇଁଦେବା ଭୟରେ ଡେଇଁ ପଡ଼ୁଛି। ଅନ୍ୟ କଥା ଛାଡ଼ନ୍ତୁ, ସ୍ବାମୀ ଆ-ଛୁଁ କହିଲା ମାତ୍ରେ ସ୍ତ୍ରୀ ତା’ପାଇଁ ଅଲଗା ବିଛଣା ପାରିଦେଉଛି। ପୂର୍ବରୁ ବାଟରେ ଘାଟରେ ବନ୍ଧୁ କି ବାନ୍ଧବୀ ଦେଖା ହୋଇଗଲେ ଆମେ ଆନନ୍ଦରେ କୁରୁଳି ଉଠି କୁଣ୍ଢେଇ ପକାଉଥିଲୁ। ଏବେ ସେ ଭାବ ନାହିଁ। ଆଧୁନିକ ପୁଅ ଝିଅଙ୍କ କଥା ତ କହି ହେବନାହିଁ। ସବୁ ଲାଜ ସରମକୁ ଭୁଲି ଯାଉଥିଲେ। କୁଣ୍ଢେଇ ପକେଇ କହୁଥିଲେ, ଏଇଟା ହଗ୍‌- ଅବିକା ଷ୍ଟାଇଲ। ଏବେ କରୋନାକୁ ଡରି ସେମାନେ ଘରେ ମୁହଁ ମାଡ଼ି ମୋବାଇଲରେ ଚାଟ୍‌ କରୁଛନ୍ତି ସିନା, ଆଗପରି ଏ ହଗ୍‌ର ଭିଡ଼ ଆଉ ନାହିଁ। ଅକ୍ଷୟ ମହାନ୍ତିଙ୍କର ସେ ତିନିକୋଣିଆ ବଗିଚା ହେଉ, ଇନ୍ଦିରା ପାର୍କ କି ଆଉ କୋଉ ପାର୍କ ହେଉ କୋଉଠି ଆଉ ଆଗପରି ଭିଡ଼ ଜମୁନାହିଁ। ସବୁଠି ଶୂନଶୂନିଆ। କେବଳ ସେତିକି ନୁହେଁ, ପୂର୍ବରୁ ଲାଞ୍ଜଟେକା ବାଇକ୍‌ ଉପରେ ବସି ଯେମିତି ଏମାନେ ବଜାର ସହରରେ ଘୂରି ବୁଲୁଥିଲେ, ଆଜି କରୋନା ଆଉ ପୋଲିସ୍‌ ମାଡ଼ ଭୟରେ ସେ ଦୃଶ୍ୟ ଦେଖିବାକୁ ମିଳୁନାହିଁ। କରୋନାଟା ଆସିଲା ବୋଲି ସିନା ଜୋରଜବରଦସ୍ତ ହେଉ ପଛେ, ସଂଯମତା କ’ଣ ଶିଖେଇ ଦେଇଛି?
ସହରୀ ଟୋକା ଆଉ ସହରୀ ଷଣ୍ଢଗୁଡ଼ାକ କାଳ କାଳକୁ ଅମାନିଆ। ଷଣ୍ଢଗୁଡ଼ାକ ସିନା ପଶୁ, ମାତ୍ର ଏ ଟୋକାଗୁଡ଼ାକ ମଣିଷ ହୋଇ ବି ସେମାନଙ୍କ ଭଳିଆ। ଛକରେ ଜଗି ବସିଥିବେ। ଝିଅବୋହୂଙ୍କୁ ଅଶ୍ଳୀଳ ଇଂଗିତ ଦେବେ, ବାଟୋଇମାନଙ୍କୁ ହଇରାଣ କରିବେ, ଏଇମିତି ଯାବତୀୟ ଅସାମାଜିକ କାର୍ଯ୍ୟ ନ କଲେ ଭାତ ହଜମ ହେଉ ନ ଥିଲା। ଏବେ ସେମାନେ ନିର୍ବାଚନରେ ହାରିଯାଇ ଘରେ ମୁହଁମାଡ଼ି ପଡ଼ିଥିବା ନେତାଙ୍କ ପରି ଘରେ ମୁହଁମାଡ଼ି ପଡ଼ିଛନ୍ତି। ବାଟ ଘାଟରେ ୟାଙ୍କର ଆଉ ହାକିମାତି ଦେଖିବାକୁ ମିଳୁନି। ହାୟରେ କରୋନା! ତୁ କ’ଣ ନ କଲୁ ସତେ? ଏମାନଙ୍କୁ ହିରୋରୁ ଜିରୋ ବନେଇ ଦେଲୁ!
ଆମ ଘରଣୀଙ୍କ କଥା ଶୁଣୁନାହାନ୍ତି। ତାଙ୍କର ଦିନକୁ ଦିନ ଓଜନ ବଢ଼ୁଥିଲା, ହେଲେ ସେ ହଲଚଲ ହେଉ ନ ଥିଲେ। ଟିଭିର ରିମୋର୍ଟ ଆଣିବାକୁ ହେଲେ ଅନ୍ୟର ସାହାଯ୍ୟ ଲୋଡ଼ୁଥିଲେ। ଘର ପୋଛା, ବାସନ ମାଜିବା, ଲୁଗା ସଫା କରିବା ପରି ଯେତେ କାମ ସବୁଥିରେ ସେବିକା ଦରକାର ପଡ଼ୁଥିଲା। ଏବେ କରୋନା ଆସିବାରୁ ଶ୍ରୀମତୀ ଭୟରେ ଆଉ କାହାକୁ ଆସିବାପାଇଁ ଦେଉ ନାହାନ୍ତି। କଷ୍ଟ ହେଉପଛେ ସବୁ କାମ ନିଜେ କରୁଛନ୍ତି। ସକାଳୁ ସକାଳୁ ତାଙ୍କର ଝାଳ ସରସର ମୁହଁ ଦେଖିଲେ ଦୁଃଖ ଲାଗୁଛି ସତ, କିନ୍ତୁ ହିମାଳୟର ବରଫ ପରି ତାଙ୍କର ଚର୍ବିଗୁଡ଼ାକ ତରଳିଯାଇ ଓଜନ କମିଯାଉଥିବାର ଦେଖି ଖୁସି ଲାଗୁଛି। କରୋନା ଆସି ନ ଥିଲେ ଶ୍ରୀମତୀଙ୍କର ଚଳପ୍ରଚଳ ପାଇଁ ଆଉ ଦୁଇଜଣ ସେବିକାର ଆବଶ୍ୟକତା ପଡ଼ିଥାନ୍ତା। କେବଳ ଆମ ଶ୍ରୀମତୀ କାହିଁକି, ଆମେ କ’ଣ କମ୍‌ କି? ସକାଳ ଛଅଟାରେ ବାଡ଼ି ଖଣ୍ଡେ ଧରି ମର୍ନିଂ ୱାକ୍‌ରେ ବାହାରି ଯାଉଥିଲୁ। ସାଙ୍ଗସାଥୀଙ୍କ ମେଳରେ ବୁଲାବୁଲି କରି ଦୋକାନରୁ ଚାହା ପିଇ ଘରକୁ ଫେରିବାବେଳକୁ ସକାଳ ନଅଟା। ତରବରରେ ଗାଧୋଇପଡ଼ି ଅଫିସ୍‌ ବାହାରି ଯାଉଥିଲୁ। ଘରକାମ କରିବାକୁ ଆମର ବେଳ ଅଣ୍ଟୁ ନ ଥିଲା। ଏବେ ମର୍ନିଂ ୱାକ୍‌ ବନ୍ଦ। ପେଟଟା ଚକ୍ରବୃଦ୍ଧି ସୁଧ ହାରରେ ବଢ଼ିଲାପରି ବଢ଼ିଯାଉଛି। ତେଣୁ ଅନ୍ୟ ଉପାୟ ନ ପାଇ ବାଡ଼ିରେ କୋଦାଳ ଧରି ମାଟି ହାଣୁଛୁ। ବାଡ଼ିରେ ଶାଗ ଆଉ ନାନା କିସମର ଫୁଲ ଗଛ ହସୁଛନ୍ତି। ଧନ୍ୟରେ କରୋନା,ତୁ ଶିଖାଇଦେଲୁ ଶ୍ରମର ମୂଲ୍ୟ।
ଆମ ସଂସ୍କୃତି ସ୍ବଚ୍ଛତାକୁ ଗୁରୁତ୍ୱ ଦିଏ। କିନ୍ତୁ ଅଧିକାଂଶ ଲୋକ ଘରକୁ ଫେରିଲାପରେ ଯେନତେନ ହାତଗୋଡ଼ ଧୋଇଦେଉଥିଲେ, ଲୁଗାପଟା କଥା କିଏ ବା ପଚାରେ। କିନ୍ତୁ କରୋନା ଆସିବାପରେ ହାତ,ମୁହଁ ଧୋଇବାକୁ ତର ସହୁନି, ଲୁଗାପଟା ପରିଷ୍କାର କରିବାକୁ ପଡ଼ୁଛି। ଘରଦ୍ୱାରକୁ କେତେଥର ସଫା କରାଯାଉଛି ତା’ର ହିସାବ ନାହିଁ। କରୋନା ଆମକୁ ସ୍ବଚ୍ଛତାର ମୂଲ୍ୟ ବୁଝାଇ ଦେଇଛି।
ରାତି ପାହିଲେ ଝିଅଟା କଲେଜ ବାହାନା କରି ସାଙ୍ଗ ଘରକୁ ପଳାଉଥିଲା, ପୁଅଟା ତ ଚାରି ଦୌଡ଼ିକଟା। ସକାଳୁ ସଞ୍ଜଯାଏ ଦର୍ଶନ ମିଳେନାହିଁ। କୁଆଡ଼େ ଯାଏ କ’ଣ କରେ ତା’ର ଖବର କିଛି ମିଳେନାହିଁ। ଶ୍ରୀମତୀଙ୍କ କଥା ନ କହିଲେ ଭଲ। ପାଖ ଠାକୁରଙ୍କଠାରୁ ଦୂର ଠାକୁରମାନେ ବେଶି ପାୱାରଫୁଲ ବୋଲି ତାଙ୍କର ବିଶ୍ୱାସ ଅଛି କି କ’ଣ କେଜାଣି ସବୁବେଳେ ଅଟୋରିକ୍‌ସା କି ବସ୍‌ ଟ୍ରେନ୍‌ ଧରି ତୀର୍ଥ କରିବାକୁ ବାହାରି ଯାଆନ୍ତି। ଯେତେବେଳେ ଘର ଭିତରକୁ ପଶିଲେ ଶୂନ୍‌ ଶାନ୍‌ ଲାଗୁଥିଲା। ଏବେ କରୋନା ଭୟରେ ସମସ୍ତେ ଘର ଭିତରେ ପଡ଼ିଛନ୍ତି। କରୋନାର ଦୁଃଖ ସତ୍ତ୍ୱେ ସମସ୍ତଙ୍କୁ ଘର ଭିତରେ ପାଇ ମନଟା ଖୁସିରେ ନାଚି ଉଠୁଛି। ମନେପଡ଼ୁଛି- ”ବୈକୁଣ୍ଠ ସମାନ ଆହା ଅଟେ ସେହି ଘର। ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର।“ କରୋନା ଆସିବାରୁ ମୁଁ ଆଜି ମୋ ପରିବାରର ସୁଖ ଅନୁଭବ କରିପାରୁଛି ସିନା।
ସୁଧୀଜନେ, ଏହିପରି ଅନେକ ଶିକ୍ଷା ମିଳିଛି କରୋନା ଦାଉରୁ। ଦୁଃଖ ଭିତରୁ ସୁଖ ପାଇବାର କଳା ହିଁ ଜୀବନର ଗୋଟିଏ ଉତ୍ତମ ଧାରା। କରୋନା ଦୁଃଖ, ଭୟ, ଆଶଙ୍କା ସବୁକିଛି ଦେଇଛି। ବିଶ୍ୱକୁ ଏକପ୍ରକାର ପଙ୍ଗୁ କରିଦେଇଛି। ତଥାପି ଆମକୁ ସକାରାମତ୍କ ଭାବନାରେ ଜିଇବାକୁ ହେବ। ତେଣୁ କରୋନା ସମୟରେ ଧୈର୍ଯ୍ୟ ଓ ସଂଯମତା ଆଚରଣ କରି କରୋନାକୁ ମୁକାବିଲା କରିବାର ଶ୍ରେଷ୍ଠ ପନ୍ଥା। ଏହି ଧୈର୍ଯ୍ୟ ଏବଂ ସଂଯମ ଆଚରଣର ଶିକ୍ଷା ଦେଇଛି କରୋନା। ବିପଦକୁ ସାମ୍ନା କରିବାକୁ ଶିଖାଇଛି। ଏହା ହିଁ ଜୀବନ ଜୀବିକା ପାଇଁ ମହାଶିକ୍ଷା।
ବାସୁଦେବବାସ୍ୟମ୍‌
ଜଗନ୍ନାଥବିହାର, ବାଇପାସ, ଭଦ୍ରକ
ମୋ-୭୯୭୮୯୦୩୫୦୯


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri