ଦଳ ବଦଳ: ପଥ ଓ ପଥିକ

ଡ. ଗୌରୀଶଙ୍କର ସାହୁ

ଫରାସୀ ନାଟ୍ୟକାର ଅଏଜେନ୍‌ ଆୟୋନେସ୍କୋ କହିଥିଲେ, ‘ବିଚାରଧାରା ଯେଉଁମାନଙ୍କୁ ପରସ୍ପରଠାରୁ ବିଚ୍ଛିନ୍ନ କରେ, ସ୍ବପ୍ନ ଓ ପୀଡ଼ା ସେମାନଙ୍କୁ ନିକଟତର କରାଏ।’ ଏଇ ଯେମିତି ଜଣକୁ ଦେଖିଲେ ଆର ଜଣଙ୍କର ନାହି ଡେଉଁଥିବା ରାଜନୈତିକ ଦଳଗୁଡ଼ିକ ସାଧାରଣ ନିର୍ବାଚନ ପୂର୍ବରୁ ପରସ୍ପରର ତୁଙ୍ଗନେତାମାନଙ୍କୁ ବଡ଼ ଆଦରରେ କୋଳାଇ ନେଉଛନ୍ତି ଓ ନିଜ ଦଳର ବିଧାୟକ, ସାଂସଦ ପ୍ରାର୍ଥୀ କରୁଛନ୍ତି। ଅନ୍ୟ ଦଳର ନେତା, ସେମାନଙ୍କ ସ୍ତ୍ରୀ, ପୁଅ, ପୁତୁରାମାନଙ୍କୁ ଟିକେଟ ମିଳିବାର ପାର୍ଶ୍ୱ ପ୍ରତିକ୍ରିୟାସ୍ବରୂପ ନିଜ ଦଳର ପୁରୁଣା ଓ ଯୋଗ୍ୟ ନୂଆ ନେତା ଓ କର୍ମୀମାନେ କୋଣଠେସା ହେବା ସ୍ବାଭାବିକ। ଭାଜପା, ବିଜେଡି ଓ କଂଗ୍ରେସ ପ୍ରଭୃତି ପ୍ରମୁଖ ଦଳ ଭଙ୍ଗାଗଢ଼ାର କାରିଗରି କାମରେ ବ୍ୟସ୍ତ ଥିବାବେଳେ ଭୋଟର ଓ କର୍ମୀମାନେ ଜଳକା !
ଜୀବନରେ କେବେ ନିର୍ବାଚିତ ହୋଇ ବିଧାନସଭା ବା ସଂସଦକୁ ଯାଇ ନ ଥିବା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଝିଅ ୨୪ ଜାନୁଆରୀ ୧୯୬୬ରେ ଅପ୍ରତ୍ୟାଶିତ ଭାବେ କଂଗ୍ରେସ ସାଂସଦମାନଙ୍କ ନେତ୍ରୀ ହେଲେ ଓ ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସିଲେ। କାହାପାଇଁ ଏ ସ୍ବପ୍ନାତୀତ ସଫଳତା ଥିଲା ତ ଆଉ କାହା ପାଇଁ ଅସହ୍ୟ ପୀଡ଼ା। କଂଗ୍ରେସର ଅନ୍ତରୀଣ ସମୀକରଣ ଏହି ସ୍ବପ୍ନ ଓ ପୀଡ଼ା ଚାରିପାଖରେ ଘୂରି ବୁଲିବାକୁ ଲାଗିଲା। ୧୯୬୭ ଚତୁର୍ଥ ସାଧାରଣ ନିର୍ବାଚନରେ କଂଗ୍ରେସ ୫୨୩ରୁ ମାତ୍ର ୨୮୩ଟି ଲୋକ ସଭା ଆସନରେ ବିଜୟୀ ହେଲା, ଯାହା ବହୁମତର ପାଖାପାଖି ଉପରକୁ ଥିଲା। ଏହା ରାଜ୍ୟ ରାଜନୀତିରେ ପ୍ରତିଫଳିତ ହେଲା।
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୧୪ ଦିନ ନ ପୂରୁଣୁ କଂଗ୍ରେସ ବିଧାୟକ ଦଳ ନେତା ଭାଗବତ ଦୟାଲ ଶର୍ମା ଗାଦିଚ୍ୟୁତ ହେଲେ ଓ ୧୨ ଜଣ ଜନସଂଘ, ୧୮ ଜଣ ସ୍ବାଧୀନ ତଥା ଅନ୍ୟାନ୍ୟ ଛୋଟମୋଟ ଦଳଙ୍କ ସହ ମିଶି କଂଗ୍ରେସରୁ ୧୨ ଜଣ ବିଧାୟକ ନେଇ ବାହାରି ଆସିଥିବା ବରିଷ୍ଠ ପ୍ରାକ୍ତନ କଂଗ୍ରେସ ନେତା ରାଓ ବୀରେନ୍ଦ୍ର ସିଂ ୨୪ ମାର୍ଚ୍ଚ ୧୯୬୭ରୁ ୨ନଭେମ୍ବର ୧୯୬୭ ପର୍ଯ୍ୟନ୍ତ ହରିୟାଣାର ମୁଖ୍ୟମନ୍ତ୍ରୀ ରହିଲେ । ମାର୍ଚ୍ଚ ୧୯୬୭ରେ ନଅ ଘଣ୍ଟା ଭିତରେ ହାସନପୁର ବିଧାୟକ ଗୟାଲାଲ ଚାରିଥର ଆନୁଗତ୍ୟ ବଦଳାଇ ଶେଷରେ ଯେତେବେଳେ ବୀରେନ୍ଦ୍ର ସିଂଙ୍କୁ ସମର୍ଥନ କଲେ, ବୀରେନ୍ଦ୍ର ସିଂ ଗଣମାଧ୍ୟମ ଆଗରେ କହିଥିଲେ, ‘ଗୟାରାମ ଏବେ ଆୟାରାମ’।
ଏପଟେ ପଶ୍ଚିମବଙ୍ଗରେ କଂଗ୍ରେସର ୧୨୭ରୁ ୧୭ ଜଣ ବିଧାୟକଙ୍କୁ ନେଇ ବାହାରି ଆସି ବାଂଲାକଂଗ୍ରେସ ଦଳ ଗଢ଼ି ସିପିଆଇ (୪୩), ସିପିଏମ୍‌ (୧୬), ଫରୱାର୍ଡ ବ୍ଲକ୍‌ (୧୩), ଏସ୍‌ୟୁସିଆଇ(୪), ଅନ୍ୟାନ୍ୟ ଛୋଟ ଦଳମାନଙ୍କୁ ନେଇ ୟୁନାଇଟେଡ୍‌ ଫ୍ରଣ୍ଟ ଗଢ଼ି ବାଂଲାକଂଗ୍ରେସ ନେତା ଅଜୟ ମୁଖାର୍ଜୀ ୯ ମାସ ମୁଖ୍ୟମନ୍ତ୍ରୀ ରହିଲେ। ୨୮୦ ସଦସ୍ୟବିଶିଷ୍ଟ ବିଧାନସଭାରେ ବାଂଲାକଂଗ୍ରେସରୁ ୧୬ଜଣ ବିଧାୟକଙ୍କୁ ଆଣି ପ୍ରଫୁଲ୍ଲ ଚନ୍ଦ୍ର ଘୋଷ ବାମଦଳମାନଙ୍କ ସହ ମିଶି ପ୍ରୋଗ୍ରେସିଭ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟର ନେତା ଭାବେ ମୁଖ୍ୟମନ୍ତ୍ରୀ ରହିଲେ୨୧ ନଭେମ୍ବର ୧୯୬୭ରୁ ୪ ମାସ। ସେପଟେ ବିହାରରେ ୩୧୮ରୁ ସଂଖ୍ୟାଗରିଷ୍ଠ ସଦସ୍ୟଙ୍କ ମେଣ୍ଟ ୟୁନାଇଟେଡ୍‌ ଫ୍ରଣ୍ଟ୍‌ର ମୁଖ୍ୟମନ୍ତ୍ରୀ ମହାମାୟା ପ୍ରସାଦ ସିହ୍ନାଙ୍କ ସରକାର ମାତ୍ର ୧୧ ମାସ ତିଷ୍ଠିପାରିଲା। ଯାଦବ ଜାତିର ଜମିଦାର ନେତା ବାବୁ ବିନ୍ଧେଶ୍ୱରୀ ପ୍ରସାଦ ମଣ୍ଡଳ ୟୁନାଇଟେଡ୍‌ ଫ୍ରଣ୍ଟ୍‌ର ୩୮ ଜଣ ବିଧାୟକଙ୍କୁ ନେଇ ଦଳ ଛାଡ଼ିଲେ ଓ ୧୨୮ଟି ଆସନରେ ଜିତିଥିବା କଂଗ୍ରେସ ସମର୍ଥନରେ ମାତ୍ର ୪୭ ଦିନ ମୁଖ୍ୟମନ୍ତ୍ରୀ ରହିଲେ। ଭୋଳାପାଶ୍ୱାନ ଶାସ୍ତ୍ରୀ ମଧ୍ୟ ଏହି ସମୟରେ ଦୁଇ ଥର, ମୋଟ୍‌ ଉପରେ ୧୦୦ ଦିନ ମୁଖ୍ୟମନ୍ତ୍ରୀ ହୋଇଥିଲେ କଂଗ୍ରେସ ସମର୍ଥନରେ।
ଉତ୍ତର ପ୍ରଦେଶର କଂଗ୍ରେସ ନେତା ଚୌଧୁରୀ ଚରଣ ସିଂ କଂଗ୍ରେସରୁ ୧୭ ଜଣ ବିଧାୟକଙ୍କୁ ନେଇ ଦଳ ଛାଡ଼ିଲେ ଓ ମଧ୍ୟପ୍ରଦେଶର କଂଗ୍ରେସ ନେତା ଡ. ଗୋବିନ୍ଦ ନାରାୟଣ ସିଂ ୩୬ ଜଣ ବିଧାୟକଙ୍କୁ ନେଇ ଦଳ ଛାଡ଼ିଲେ। ଉତ୍ତର ପ୍ରଦେଶରେ ଜନସଂଘର ୯୮ ବିଧାୟକ, ସଂଘଟ ସୋସାଲିଷ୍ଟ ପାର୍ଟିର ୪୪ ବିଧାୟକ, ବାମଦଳ ଓ ଅନ୍ୟାନ୍ୟ ଦଳକୁ ନେଇ ୟୁନାଇଟେଡ୍‌ ଫ୍ରଣ୍ଟ ଗଢ଼ି ଚୌଧୁରୀ ଚରଣ ସିଂହ ୩ ଏପ୍ରିଲ ୧୯୬୭ରୁ ୧୧ ମାସ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ରହିଲେ। ଏପଟେ ୩୦ ଜୁଲାଇ ୧୯୬୭ରୁ ୮ ମାସ ମଧ୍ୟପ୍ରଦେଶରେ ୟୁନାଇଟେଡ୍‌ ଫ୍ରଣ୍ଟ୍‌ର ମୁଖ୍ୟମନ୍ତ୍ରୀ ରହିଲେ ଡ. ଗୋବିନ୍ଦ ନାରାୟଣ ସିଂହ।
ସେପଟେ ପଞ୍ଜାବର ନ୍ୟାୟମୂର୍ତ୍ତି ଗୁରୁନାମ ସିଂଙ୍କ ୟୁନାଇଟେଡ୍‌ ଫ୍ରଣ୍ଟ୍‌ ସରକାର ମାତ୍ର ୯ ମାସ କ୍ଷମତାରେ ନ ରହୁଣୁ ଲଛମନ ସିଂ ଗିଲ୍‌ ୧୬ ଜଣ ବିଧାୟକଙ୍କୁ ନେଇ ବିଦ୍ରୋହ କଲେ ଓ କଂଗ୍ରେସ ସମର୍ଥନରେ ମୁଖ୍ୟମନ୍ତ୍ରୀ ହେଲେ। ମାତ୍ର ୯ ମାସ ମଧ୍ୟରେ ମଧୁଚନ୍ଦ୍ରିକାର ଅବସାନ ହେଲା ଓ କଂଗ୍ରେସ ଲଛମନ ସିଂ ସରକାର ଭାଙ୍ଗିଦେଲା। ଲଛମନ ସିଂ ଗିଲ୍‌ ଓ ଭୋଳାପାଶ୍ୱାନ ଶାସ୍ତ୍ରୀ ସରକାରରେ ଦଳବଦଳ କରିଥିବା ସମସ୍ତ ବିଧାୟକ (ଯଥାକ୍ରମେ ୧୮,୫୧) ମନ୍ତ୍ରୀପଦ ପାଇଥିଲେ। ପଶ୍ଚିମବଙ୍ଗରେ ବାମଦଳମାନେ ନିଜ ସୁବିଧାରେ ଦୁଇଟି ଭିନ୍ନ ଭିନ୍ନ ସରକାର ଗଢ଼ିଥିବାବେଳେ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ପଞ୍ଜାବ, ହରିୟାଣାରେ ବାମଦଳ, ଦକ୍ଷିଣପନ୍ଥୀ ଦଳ, ନିର୍ଦ୍ଦଳୀୟ ଓ ଅନ୍ୟ ଦଳମାନେ ଏକାଠି ସରକାର ଚଳାଇଥିଲେ। ଏଇ ଆରମ୍ଭର ଶେଷ ଏଯାଏ ହୋଇନି।
କିମାଶ୍ଚର୍ଯ୍ୟମ୍‌, ମୁଖ୍ୟମନ୍ତ୍ରୀ ଥିବା ସତ୍ତ୍ୱେ ଭୟ ଯୋଗୁ ହେଉ ବା ଲୋଭ ଯୋଗୁ ଜନତା ପାର୍ଟିର ହରିୟାଣା ମୁଖ୍ୟମନ୍ତ୍ରୀ ଭଜନଲାଲ ୨୨ ଜାନୁୟାରୀ ୧୯୮୦ରେ ଜନତା ପାର୍ଟିର ୩୭ ଜଣ ବିଧାୟକଙ୍କୁ ନେଇ ଜନତା ପାର୍ଟି ଛାଡ଼ି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଛତ୍ରଛାୟା ତଳେ ପ୍ରଥମେ ଦୁଇ ବର୍ଷ ଓ ନିର୍ବାଚନ ପରେ ପୁଣି ୪ ବର୍ଷ ମୁଖ୍ୟମନ୍ତ୍ରୀ ରହିଲେ।
ଓଡ଼ିଶାରେ ନିର୍ବାଚନ ପରେ ଦଳବଦଳ କରି ସରକାର ଗଢ଼ିବାର ଇତିହାସ ନାହିଁ କହିଲେ ଚଳେ। କେବଳ ୧୯୭୨ରେ ଦଳବଦଳ ପାଇଁ ବିଶ୍ୱନାଥ ଦାସ ସରକାର ଭାଙ୍ଗିଥିଲା। ବିଜେଡିରେ ମିଡ୍‌ନାଇଟ୍‌ ଅପରେଶନ ବିଫଳ ହୋଇଥିଲା।
ଏବେ କିଛିବର୍ଷ ହେଲା ନିର୍ବାଚନ ଅବ୍ୟବହିତ ପୂର୍ବରୁ ଦଳବଦଳ ଓ ସଦ୍ୟ ଯୋଗଦେଇଥିବା ନେତାଙ୍କୁ ପ୍ରମୁଖ ଦଳଗୁଡ଼ିକ ଟିକେଟ ଦେବା ଶୁଭଙ୍କରୀ ଭବିଷ୍ୟତର ସୂଚନା କେବେ ନୁହେଁ। ହିନ୍ଦ୍‌ ସ୍ବରାଜ ପୁସ୍ତକରେ ‘ସ୍ବରାଜ’ ସମ୍ବନ୍ଧରେ ଆଲୋଚନା କଲାବେଳେ ମହାତ୍ମା ଗାନ୍ଧୀ କହିଛନ୍ତି, ”ଇଂରେଜ ଶାସନ ପଦ୍ଧତି ବଜାୟ ରଖି ଇଂରେଜମାନଙ୍କୁ ଦେଶରୁ ତଡ଼ିବା ବାଘ ପ୍ରବୃତ୍ତିକୁ ସ୍ବୟଂ ଆହରଣ କରି ବାଘକୁ ଘଉଡ଼ାଇ ଦେବା ସଙ୍ଗେ ସମାନ।“ ଅନ୍ୟ ଦିଗରୁ ଦେଖିଲେ ଯେଉଁ ଦଳର, ଯେଉଁ ସରକାର ନୀତି, କାର୍ଯ୍ୟପଦ୍ଧତି ଓ ଚରିତ୍ରକୁ ଆର ଦଳଟି ବିରୋଧ କରି ଭୋଟ ଭିକ୍ଷା କରୁଛି, ସେଇ ଦଳର ପ୍ରାକ୍ତନ କର୍ମୀ ଓ ନେତାମାନଙ୍କ ନେତୃତ୍ୱରେ ସରକାର ଗଢ଼ି, ଭିନ୍ନ ଏକ ନେତୃତ୍ୱ, ଭିନ୍ନ ଏକ ସରକାର ଦେଇପାରିବ କି? ଏଇ ଦଳଡିଅଁା ଜନପ୍ରତିନିଧିମାନଙ୍କୁ ନେଇ ପାଞ୍ଚ ବର୍ଷ ଚଳାଇବା ବେଳେ ସେମାନଙ୍କ ପୂର୍ବଦଳର ଅବଗୁଣ, ଅନୀତି, ଚରିତ୍ର ଏଇ ସରକାରକୁ ସଂକ୍ରମିତ କରିବ ନାହିଁ କି?
ମୋ : ୭୯୭୮୪୧୨୮୩୫


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?