ତାଲାବନ୍ଦର ପରିବେଶୀୟ ପ୍ରଭାବ

ସମ୍ପ୍ରତି ବିଶ୍ୱ ମାରାତ୍ମକ କରୋନା (କୋଭିଡ-୧୯) ଭୂତାଣୁ ସଂକ୍ରମଣ ଦ୍ୱାରା ଜର୍ଜରିତ। ପ୍ରାୟ ୨୦୦ରୁ ଅଧିକ ଦେଶକୁ ଏହି ଭୂତାଣୁ ସଂକ୍ରମଣ କବଳକୁ ନେଇସାରିଲାଣି। ସଂକ୍ରମଣ ସହ ତାଳଦେଇ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରତିଷେଧକର ଅନୁପସ୍ଥିତିରେ ପ୍ରତିକାରାତ୍ମକ ପନ୍ଥା ସ୍ବରୂପ ସାମାଜିକ ଦୂରତ୍ୱ ରଖିବା ସହିତ ନିଜ ଘରେ ଆବଦ୍ଧ ରହିବା, ଏକମାତ୍ର ଘରେ ରୁହ, ପରସ୍ପରଠାରୁ ଦୂରରେ ରୁହ, ନହେଲେ ସଂକ୍ରମଣର ସମ୍ଭାବନା, ବିଭିନ୍ନ ସାମାଜିକ ଆର୍ଥିକ ଅସୁବିଧା ପନ୍ଥା ଭାବେ ତାଲାବନ୍ଦକୁ କଡ଼ାକଡ଼ି ମାନିବାର ପ୍ରୟାସ ଜାରି ରହିଛି। ରାସ୍ତାଘାଟ, ଯାନବାହନ, କଳକାରଖାନା , ଦୋକାନ ବଜାର, ଅଫିସ ସବୁ ବନ୍ଦ- ଯେମିତି ଚଳଚଞ୍ଚଳ ଜୀବନଟା ଠପ୍‌ ହୋଇଯାଇଛି। ଏହାରି ମଧ୍ୟରେ କିନ୍ତୁ ଗୋଟିଏ ଭଲ ସୂଚନା ବା ଅନୁଭବ ମିଳୁଛି। ପରିବେଶ ପ୍ରଦୂଷଣ ମୁକ୍ତ ହେବାରେ ଲାଗିଛି। କିଛିଦିନ ପୂର୍ବରୁ ପ୍ରଦୂଷଣକୁ ନେଇ ଯେଉଁ ବୈଶ୍ୱିକ ସମସ୍ୟା ଉଭା ହୋଇ ଥିଲା, ଯାହାର ସମାଧାନର ପନ୍ଥା ଏତେ କଠୋର ଯେ, ସେ ବିଷୟରେ ଚିନ୍ତା କରି ହେଉ ନ ଥିଲା। ତାହା ଆଜି ଅସ୍ଥାୟୀ ହେଉ ପଛେ, ଅନେକାଂଶରେ ସମାଧାନ ହୋଇପାରିଛି। ଯଦିଓ ବର୍ତ୍ତମାନର ସ୍ବଚ୍ଛ ପରିବେଶ ଓ ପ୍ରକୃତି ଭବିଷ୍ୟତରେ ଯେ କାଏମ ରହିବ ତାହା ସନ୍ଦିହାନ, ତେବେ ଏହା ସମ୍ଭବ ବୋଲି ପ୍ରମାଣିତ ହେବାକୁ ଯାଉଛି।
ବିଶ୍ୱର ବଡ଼ବଡ଼ ସହର ଦିଲ୍ଲୀ, ମୁମ୍ବାଇ, ଲଣ୍ଡନ, ବେଜିଂ ଆଦି ଯାହା ପ୍ରଦୂଷଣରେ ବର୍ଷ ବର୍ଷ ଧରି ପ୍ରପୀଡିତ ରହୁଥିଲା ସେଠାରେ ମାନବୀୟ ଉପସ୍ଥିତି ସମ୍ପୂର୍ଣ୍ଣ ବନ୍ଦ। ମଣିଷର ଘରେ ଆବଦ୍ଧ କାରଣରୁ କଳାକାରଖାନା, ଗାଡିମୋଟର, ରେଳ, ଉଡ଼ାଜାହାଜ ଚଳାଚଳ ସବୁ ବନ୍ଦ। ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବେଶ ଓ ସେବା ନିମନ୍ତେ କେଉଁଠି କେମିତି କଁା ଭଁା ଗୋଟେ ଗାଡିମୋଟରକୁ ଛାଡିଦେଲେ ସମଗ୍ର ବିଶ୍ୱ ଆଜି ନିଶବ୍ଦ, ନିଶ୍ଚଳ ହୋଇପଡ଼ିଛି। ମନୁଷ୍ୟକୃତ ସମସ୍ତ ପ୍ରକାର ପ୍ରତିକୂଳାତ୍ମକ କାର୍ଯ୍ୟକଳାପ ପ୍ରଭାବଶୂନ୍ୟ ହୋଇ ପରିବେଶର ପ୍ରଦୂଷଣକୁ ପ୍ରଶମିତ କରି ପକାଇଛି। ମାନବ ସଭ୍ୟତା ଇତିହାସରେ ଏହା ଏକ ବିରଳ ଘଟଣା ଯେଉଁଠି ନିଜର ସୁରକ୍ଷା ପାଇଁ ସେ ଗୃହାବଦ୍ଧ ହୋଇ ସଂଗ୍ରାମ ଜାରି ରଖିଛି। ଏଥିରେ ସାମାଜିକ, ସାଂସ୍କୃତିକ, ଧାର୍ମିକ ଜୀବନ ବାଧାପ୍ରାପ୍ତ ହେବା ସହିତ ଆର୍ଥିକ ସ୍ଥିତି ଦୋହଲିଯିବାକୁ ବସିଛି। କିନ୍ତୁ ପ୍ରକାରାନ୍ତରେ ଏକ ବିଶୁଦ୍ଧ ପରିବେଶର ଆଶୀର୍ବାଦ ମିଳିଛି। ସ୍ବଚ୍ଛ ଓ ପ୍ରଫୁଲିତ କରିପାରୁଛି। ଉତ୍ତମ ସ୍ବାସ୍ଥ୍ୟ ପାଇଁ ପ୍ରାକୃତିକ ପରିବେଶର ଏପରିସ୍ଥିତିଠାରୁ ଆଉ କ’ଣ ବଡ଼କଥା ଅଛି।
କରୋନା ଭୂତାଣୁ ସଂକ୍ରମଣ ବ୍ୟାପୁଥିବା ପ୍ରାୟ ପ୍ରତ୍ୟେକ ଦେଶ ତାଲା ବନ୍ଦ ନୀତିକୁ ଆପଣେଇବାରେ ଲାଗିଛନ୍ତି। ଅଦ୍ୟାବଧି ବିଶ୍ୱର ପ୍ରାୟ ଅର୍ଦ୍ଧାଧିକ ଲୋକ ଗୃହାବଦ୍ଧ ହୋଇ ରହିଥିବାରୁ ପ୍ରଦୂଷଣଜନିତ ସ୍ବାସ୍ଥ୍ୟକଷ୍ଟରୁ ସାମୟିକ ଉପଶମ ପାଉଛନ୍ତି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ ଭାରତର ପ୍ରମୁଖ ସହର ନଗରଗୁଡିକର ବାୟୁମଣ୍ଡଳରେ ଅତିସୂକ୍ଷ୍ମ କଣିକା ପିଏମ୍‌୨.୫ ଏବଂ ନାଇଟ୍ରୋଜେନ୍‌ ଡାଇଅକ୍‌ସାଇଡ୍‌ ମାତ୍ରା ଯଥୋଚିତ ଭାବେ କମିଯାଇଛି। ଗାଡିମୋଟର ଓ ତାପଜ ବିଦ୍ୟୁତ କେନ୍ଦ୍ରଗୁଡିକରୁ ହିଁ ଏହା ନିର୍ଗତ ହୋଇଥାଏ। ଗାଡିମୋଟର, କଳକାରଖାନା ବନ୍ଦ ରହିବାରୁ ଏହାର ମାତ୍ରା କମିବା ସ୍ବାଭାବିକ। ରାଜଧାନୀ ଦିଲ୍ଲୀର ପରୀକ୍ଷିତ ତଥ୍ୟ କହୁଛି ତାଲାବନ୍ଦ ଯୋଗୁ ମାର୍ଚ୍ଚ ଶେଷ ସୁଦ୍ଧା ଏଠାରେ ପିଏମ୍‌-୨.୫ ଏବଂ ନାଟ୍ରୋଜେନ୍‌ ଡାଇଅକ୍‌ସାଇଡ୍‌ ୭୧ ପ୍ରତିଶତ କମିଯାଇଛି। ମୁମ୍ବାଇ, ଚେନ୍ନାଇ, କୋଲକାତା ଏବଂ ବାଙ୍ଗାଲୋର ଆଦି ସହରରେ ଏଗୁଡିକର ମାତ୍ରା ବହୁ ପରିମାଣରେ କମିଯାଇଛି। କରୋନା ମହାମାରୀ ବିପତ୍ତି ବେଳେ ପରିବେଶର ଉନ୍ନତି ନିଶ୍ଚୟ ଗୋଟେ ବଡ଼ ଉପଲବ୍‌ଧ ତଥା ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ପାଇଁ ବଡ଼ ସାନ୍ତ୍ୱନା।
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ ସମଗ୍ର ବିଶ୍ୱରେ ବାୟୂ ପ୍ରଦୂଷଣ ଯୋଗୁ ବାର୍ଷିକ ପ୍ରାୟ ୭ ନିୟୁତ ଲୋକଙ୍କ ପ୍ରାଣହାନି ଘଟିଥାଏ। ତାଲାବନ୍ଦ ଯୋଗୁ ଆଜି ଅଳ୍ପଦିନ ପାଇଁ ହେଉ ପଛେ ଆମେ ବିଶୁଦ୍ଧ, ନିର୍ମଳ ବାୟୁମଣ୍ଡଳ ପାଇବାରେ ସମର୍ଥ ହୋଇପାରିଛେ। ଏଥିରୁ ଏହା ପ୍ରମାଣିତ ହେଉଛି ଯେ, ବାୟୁ ପ୍ରଦୂଷଣ ସମ୍ପୂର୍ଣ୍ଣ ରୂପେ ମନୁଷ୍ୟକୃତ। ଯଦିଓ ତାଲାବନ୍ଦର କାରଣ ଭିନ୍ନ ଏବଂ ଏହା ପ୍ରଦୂଷଣ କମାଇବା ପାଇଁ ସର୍ବଶ୍ରେଷ୍ଠ ତଥା ସର୍ବବୃହତ୍‌ ବାଟ ନୁହେଁ, ତଥାପି ଭବିଷ୍ୟତରେ ଏହାର ପ୍ରୟୋଗକୁ ଅଣଦେଖା କରାଯାଇ ନ ପାରେ। ପରିବେଶବିତ୍‌ଙ୍କ ମତରେ ଏତାଦୃଶ ପଦକ୍ଷେପ ଭବିଷ୍ୟତର ପ୍ରଦୂଷଣ କମାଇବା ପାଇଁ ଅନେକ ଉତ୍ସାହ ଓ ଆଶାର କିରଣ ପ୍ରଦାନ କରିବ।
ତାଲାବନ୍ଦ ଫଳରେ ବିଭିନ୍ନ ସାମାଜିକ, ଧାର୍ମିକ, ସାଂସ୍କୃତିକ ତଥା ରାଜନୈତିକ ସମାରୋହ, ସମ୍ମେଳନ, ଏକତ୍ରୀକରଣ ବନ୍ଦ ହୋଇଯାଇଛି। ରାସ୍ତାଘାଟ, ଦୋକାନ ବଜାର, ଅଫିସ, ଶିକ୍ଷାନୁଷ୍ଠାନ ସବୁ ବନ୍ଦ। ଫଳତଃ ସହର, ବଜାର, ଗଳିକନ୍ଦି ରାସ୍ତାଘାଟ ସବୁଠାରେ ଅଳିଆ ଆବର୍ଜନା କମିଯାଇଛି। ଗଦା ଗଦା କଠିନ ବର୍ଜ୍ୟବସ୍ତୁ ଆଉ ଦେଖିବାକୁ ମିଳୁନି। ପରିମଳ ବ୍ୟବସ୍ଥାରେ ଉନ୍ନତି ଘଟିବା ସହିତ ସୁସ୍ଥ ବାତାବରଣ ସୃଷ୍ଟି ହୋଇଛି। ବନ୍ଦ ଯୋଗୁ ଶକ୍ତିର ଆବଶ୍ୟକତା କମିବା ସହିତ ଅପଚୟ ମଧ୍ୟ କମିଛି। ଫଳରେ ପ୍ରାକୃତିକ ସମ୍ପଦ ଓ ଖଣିଜ ସମ୍ପଦ ବିଶେଷ ଭାବେ ଶୋଷଣମୁକ୍ତ ହୋଇପାରିଛି। ଏସବୁର ସମଷ୍ଟିଗତ ପ୍ରତିଫଳ ଘଟିଛି ପରିବେଶ ଓ ପରିସଂସ୍ଥା ଉପରେ। ପରିବେଶ ସ୍ବଚ୍ଛ ପ୍ରତୀୟମାନ ହେବାରେ ଲାଗିଛି। ପଶୁପକ୍ଷୀ ନିଦ୍ୱର୍ନ୍ଦ୍ୱରେ ବିଚରଣ କରୁଥିବାର ଦେଖାଯାଉଛି। ତେବେ କିଛି ବୁଲା ପଶୁଙ୍କ ପାଇଁ ଖାଦ୍ୟାଭାବଜନିତ ସଙ୍କଟ ଦେଖାଯାଇଛି, ଯାହା କ୍ରମଶଃ ବ୍ୟବସ୍ଥିତ ହୋଇଯିବ। କରୋନା ଜନିତ ଆକଟ ପାଇଁ ସମୁଦ୍ର ବେଳାଭୂମି ସବୁ ଖଁା ଖଁା ପଡ଼ିଛି। ପର୍ଯ୍ୟଟକଙ୍କ ଭିଡ଼ ଆଉ ଦିଶୁନି। ଫଳରେ ସାମୁଦ୍ରିକ ଅଞ୍ଚଳରେ ମାଛମାରିବା କାର୍ଯ୍ୟରେ ନିୟୋଜିତ ହେଉଥିବା ଡଙ୍ଗା, ଟ୍ରଲର ଆଦିଙ୍କ ସଂଖ୍ୟା କମିଛି। ଫଳରେ ଅଲିଭ୍‌ ରିଡ୍‌ଲେ କଇଁଛ ପ୍ରଦୂଷଣ ପାଇଁ ତଥା ଜାଲରେ ପଡି ମୃତ୍ୟୁବରଣ କରିବାର ସମ୍ଭାବନାକୁ ଅନୁଭବ କରି ବେଶି ମାତ୍ରାରେ ଆସୁ ନ ଥିବାର ଯାହା ଦେଖାଯାଉଥିଲା ଏବେ କିନ୍ତୁ ଏମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟିବା ସହିତ ସାମୂହିକ ଅଣ୍ଡା ପ୍ରଦାନ ଚାଲିଛି। ଗହୀରମଥା ଓ ଋଷିକୁଲ୍ୟା ତଟରେ ଏଥର ଏମାନେ ୫ କୋଟିରୁ ଊର୍ଦ୍ଧ୍ୱ ଅଣ୍ଡାଦାନ କରିଛନ୍ତି।
କରୋନା ଭଳି ମାରାତ୍ମକ ଭୂତାଣୁ ସାରା ବିଶ୍ୱକୁ କବଳିତ କରି ଚାଲିଥିଲାବେଳେ ମଣିଷ ଏହା ବିରୋଧରେ ସଂଗ୍ରାମ ଜାରି ରଖିଛି। କରୋନା ସଂକ୍ରମଣକୁ ହଟାଇବାର ପ୍ରୟାସରୁ ମିଳୁଥିବା ଅଭିଜ୍ଞତା ଓ ଅନୁଭୂତିକୁ ପାଥେୟ କରି ଯଦି ଭବିଷ୍ୟତରେ ବିଗିଡ଼ି ଯାଉଥିବା ପରିବେଶକୁ ସୁଧରାଯାଇପାରିବ, ତେବେ ନିଶ୍ଚିତ ଏହା ଏକ ବଡ଼ ଉପଲବ୍‌ଧି ବୋଲି ମାନି ନିଆଯିବ।

 

ଦେବାନନ୍ଦ ବେଉରା
ବିଭାଗୀୟ ମୁଖ୍ୟ, ଭୂତତ୍ତ୍ୱ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ,ଭୁବନେଶ୍ୱର
ମୋ-୯୮୬୯୨୧୩୪୭୨


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri