ଚୋରଟିଏ ପ୍ରତି ବିଭାଗରେ

କଖାରୁ ଚୋର, କାକୁଡ଼ି ଚୋର, ଖଣି ଚୋର, ପାଣି ଚୋର, ସ୍ବାସ୍ଥ୍ୟକେନ୍ଦ୍ରର ପଥ୍ୟ ଚୋର, ସଚିବାଳୟରୁ ତଥ୍ୟ ଚୋର, ଗୋରୁ ଚୋର, ପିଲାଚୋର, ଦିଲ୍‌ ଚୋର ଆଦି କେତେ ପ୍ରକାରର ଚୋର। ପୁଣି କଥାରେ ଅଛି, ‘ନେଇଆଣି ଥୋଇ ଜାଣିଲେ ଚୋରି ବିଦ୍ୟା ଭଲ’। ନାଉରୀ ନାଆରେ ଲୋକଙ୍କୁ ଏପଟରୁ ସେପଟ କରିବା ଭଳି ଚୋର ମଧ୍ୟ ଜିନିଷଟାକୁ ଏଠୁ ନେଇ ସେଠି କରେ। ମଗଜ ଖଟେଇ ଚୋରି କରୁ କରୁ ଅଭିଜ୍ଞତା ବଢ଼େ। ମଗଜ ପାକଳ ହେଲେ ଯେମିତି ବୁଢ଼ା କାକୁଡ଼ି ସେମିତି ମଗଜ ପାକଳ ହେଲେ ବୁଢ଼ା ଚୋର। ପ୍ରାଚୀନ ଗ୍ରୀସ୍‌ର ପୋଲିସ ଦଳରେ ଜଣେ ଦୁଇଜଣ ପୁରୁଖା ଚୋରଙ୍କୁ ସାମିଲ କରାଯାଉଥିଲା। ଫଳରେ ବିନା ଅକ୍ଳେଶରେ ଚୋର ଧରିବା କାର୍ଯ୍ୟ ସଫଳ ହେଉଥିଲା। ହୁଏତ ସେଥିପାଇଁ ଆମ ସମାଜରେ ଲୋକ କଥାଟିଏ ଅଛି ‘ଚୋରକୁ ଚୋର ଚିହ୍ନେ, ପୁରୁଣା ଚୋରକୁ ଚଉକିଆ ଚିହ୍ନେ।’ ଟ୍ରେନ୍‌ରେ ମହିଳାଯାତ୍ରୀଙ୍କ ପର୍ସ ଚୋରିରେ ପୋଲିସ୍‌ର ସଂପୃକ୍ତିକୁ ଆମେ ଗଣମାଧ୍ୟମରୁ ଜାଣୁ। ଆମ ପ୍ରଦେଶରେ ଜଣେ ପୋଲିସ୍‌ କନଷ୍ଟେବଳ ଥାନା ଟ୍ରେଜେରିରୁ ୧୨ହଜାର ଟଙ୍କା ଚୋରି କରି ନିଜ ଅଣ୍ଟା, ଟୋପି ଓ ପକେଟ୍‌ ଭିତରେ ଲୁଚାଇଥିବା ଅବସ୍ଥାରେ ଗିରଫ ହୋଇଥିବା ନଜିର ଅଛି। ପୁଣି ତାଙ୍କ ଚୋରି ବେଳେ ନିକଟରେ ଥିବା କଏଦୀ କେତେଜଣ ଏହା ଦେଖିଥିଲେ। ସେ ପୋଲିସ୍‌ ମହାଶୟ ଜଣକ ଦଣ୍ଡିତ ହେବା ବିଲ୍‌କୁଲ୍‌ ଠିକ୍‌। ନ ହେଲେ ଲୋକେ ଭାବିବେ ପୋଲିସ୍‌ ନା ଫୋଲିସ୍‌। ଚୋରି କରି ମଧ୍ୟ ଚୋରି କରିପାରୁନାହିଁ, ଚୋର ଧରିବ କେମିତି? ଆଇ.ପି.ସି. ଧାରା ୩୭୮କୁ ଚୋରି କରୁଥିବା ପୋଲିସ୍‌ କମ୍‌ ସେ କମ୍‌ ୧୦୦ ଥର ପଢ଼ିବା ଉଚିତ। ପେଟ ବିକଳରେ ଦକ୍ଷିଣ ସୁଦାନ୍‌ ଓ ସୋମାଲିଆର ଚୋରମାନେ ଜାହାଜ ଅପହରଣ କରିବାକୁ ବି ପଛଉ ନାହାନ୍ତି। ଜାତିସଂଘର ‘ସୁଖ-ସମୃଦ୍ଧି’ ରିପୋର୍ଟ-୨୦୧୯ ଅନୁଯାୟୀ ୧୫୬ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୪୦। ଏହାକୁ କ’ଣ ଆମେ ଭାବିବା କିଛି ଲୋକଙ୍କ ଯୋଗୁ ଦେଶର ଅନ୍ୟ ସମସ୍ତଙ୍କ ପାଖରୁ ସୁଖ-ସମୃଦ୍ଧି ଚୋରି ହୋଇଯାଇଛି? ରାଜା ଚିତ୍ରରଥଙ୍କ ସୁନ୍ଦର ଉଦ୍ୟାନରୁ ଫୁଲ୍‌ ଚୋରାଉଥିବା ଗନ୍ଧର୍ବ ପୁଷ୍ପଦନ୍ତ ଏକଦା ଅଦୃଶ୍ୟ ହେବାର କଳା ହରାଇଲେ। କାରଣ ଥିଲା ରାଜା ଚିତ୍ରରଥ ଚୋରକୁ ଧରିବାକୁ ଶିବଙ୍କର ବେଲପତ୍ର ଉଦ୍ୟାନର ସବୁଆଡେ ବିଞ୍ଚି ଦେଇଥିଲେ। ପାଦରେ ବାଜିବାରୁ ପୁଷ୍ପଦନ୍ତ ନିଜର ଅଦୃଶ୍ୟ ହେବାର କଳା ହରେଇ ପ୍ରମାଦରେ ପଡ଼ିବା ସହ ଶିବସ୍ତ୍ରୋତ୍ର ଜପ କରି ପୁନର୍ବାର ନିଜ କଳା ଫେରିପାଇଲେ। ଚୋରି କରୁଥିବା ଅଧିକାରୀଙ୍କୁ ଶିବସ୍ତ୍ରୋତ୍ର ଜପ ଅଭ୍ୟାସ କରିବା ଦରକାର।
ଜେଲ୍‌ ବିଭାଗରେ ସଂସ୍କାର ପରି ସମ୍ପୂର୍ଣ୍ଣ ପୋଲିସ୍‌ ବିଭାଗରେ ସଂସ୍କାର ଲୋଡ଼ା। ସମାଜ ବଦଳିଛି, ମଣିଷର ବେଶଭୂଷା, ରୁଚି ଆଉ ସେହି ଅନୁଯାୟୀ ଚୋର ବଦଳୁଛି। ସେହି ଅନୁସାରେ ଚୋରି ସାମାନ୍‌ ମଧ୍ୟ ବଦଳିଛି। ଜର୍ମାନର ଏକ ଷ୍ଟାଡିୟମରେ ୱେବ୍‌ କ୍ୟାମେରା ଖଞ୍ଜା ଯାଇ ମଧ୍ୟ ମହିଳା ଆଥ୍‌ଲେଟ ଅଞ୍ଜୁ ବବି ଜର୍ଜଙ୍କର ପାସ୍‌ପୋର୍ଟ ଥିବା ପର୍ସଟି ଚୋରି ହୋଇଯିବା ଚୋର ମହାଶୟଙ୍କ ପ୍ରତି ମହା ସଫଳତା। ଅନ୍ୟ ଚୋରମାନେ ଭବିଷ୍ୟତରେ ଉତ୍ସାହ ପାଇବେ। ୨୦୦୧ରେ ଆମ ସହର ଭିତରେ ପ୍ରସିଦ୍ଧ ଶୈବ ପୀଠ ଲିଙ୍ଗରାଜଙ୍କ ଅଭେଦ୍ୟ ପାଚେରି ଡେଇଁ ଦୁର୍ମୂଲ୍ୟ ମଦନମୋହନ ମୂର୍ତ୍ତି ଆଉ ଏହାର ଏକ ସପ୍ତାହ ଅନ୍ତରରେ ପୁରୀ ଶ୍ରୀମନ୍ଦିରରୁ ୨ଟି ମୂଲ୍ୟବାନ ମୂର୍ତ୍ତି ଚୋରି ହୋଇଯିବା ପରେ ମାଙ୍ଗାଲୋର ପୋଲିସ ଦ୍ୱାରା ଗିରଫ ହୋଇଥିବା ଚୋରକୁ ପ୍ରଥମ ଶ୍ରେଣୀ ପୋଲିସ୍‌ ଅଧିକାରୀ ଭାବରେ ନିଯୁକ୍ତ କଲେ ମୋ ମତରେ ଅନ୍ୟାନ୍ୟ ଚୋରି ଠାବ କରିବାରେ ସମୟ ଲାଗନ୍ତା ନାହିଁ। ମ୍ୟୁଜିୟମରୁ ପୋଥି ଚୋର, ଫିଲ୍ମ ସେଲିବ୍ରିଟିମାନଙ୍କର ଅନ୍ତଃବସ୍ତ୍ର ଚୋରମାନେ ଛୋଟ ଚୋର ନୁହନ୍ତି, ଏ ସବୁ ଚୋରିରେ ଶାରୀରିକ କଷ୍ଟ ଥାଉ ନ ଥାଉ, ମାନସିକ ପ୍ରସ୍ତୁତି ଯଥେଷ୍ଟ ଥାଏ। ଛୋଟିଆ ଜିନିଷ ନିଲାମ ଡାକିଲେ ମୋଟା ଆୟ। ସିଧା ଆଙ୍ଗୁଠିରେ ଘିଅ ଉଠିବା ମୁସ୍‌କିଲ୍‌। ସାଧାରଣ ଚଳଣିରେ ରହି ରାତିଅଧିଆ କୋଟିପତି ହେବା ମଧ୍ୟ ମୁସ୍‌କିଲ୍‌। ଚୋରିରେ ଚାଲିଛି ଦେଶ। ମନୋରଞ୍ଜନ ଶିଳ୍ପରେ ତ ପ୍ରକାଣ୍ଡ ପ୍ରକାଣ୍ଡ ଚୋର। ସଂଗୀତ ଚୋର, କାହାଣୀ ଚୋରଙ୍କ ଦାଉରେ ଅସଲ ସଂଗୀତ ସଂରଚକ ଆଉ କାହାଣୀ ଲେଖକ ନିଜ ରୟାଲିଟି ଗଣ୍ଡାକ ହରେଇ ମୁଣ୍ଡରେ ହାତ ମାରିଲେଣି। ମଦ ବୋତଲ ଆଉ ନାମୀ ଔଷଧ ଉପରେ ଲେବୁଲ୍‌ ମାରି ଦେଶକୁ ଚକ୍‌ମା ଦେଲେଣି ଚୋରଦଳ। ଏମାନେ ହେଲେ ଦିନ ଦ୍ୱିପ୍ରହରର ବେପାରୀ ଚୋର ଆଉ ବେପରୁଆ। ଆଜି ଗିରଫ ହେଲେ କାଲି ଆସି ଦାଣ୍ଡରେ ବୁଲିବେ। ଆମ ଭାରତରେ କିନ୍ତୁ ଉତ୍ତର ନ ଥିବା ବଡ଼ ଚୋର ହେଉଛନ୍ତି ପାଠ ଚୋର। କେନ୍ଦ୍ରାପଡ଼ା ଓଡ଼ିଆପୁଅର ବୈଜ୍ଞାନିକ ସନ୍ଧର୍ଭଟି ଅଷ୍ଟ୍ରେଲିଆର ଜନୈକ ବୈଜ୍ଞାନିକଙ୍କ ନାମରେ ପ୍ରକାଶ ପାଇଲା। ଭାରତର କପି ରାଇଟ୍‌ ଆଇନ୍‌ ବିଶ୍ୱର ବିକଶିତ ରାଷ୍ଟ୍ରମାନଙ୍କ ସହ ତୁଳନୀୟ। ଛାପା ପ୍ରକାଶନରେ ଦେଶମାନଙ୍କ ମଧ୍ୟରେ ୭ମ, ଅଡିଓ କ୍ୟାସେଟ୍‌ ଓ ସିନେମା ତିଆରିରେ ଭାରତ ଏବେ ଅଦ୍ୱିତୀୟ। ମୁମ୍ବାଇସ୍ଥିତ ଇଣ୍ଟେଲେକ୍‌ଚୁଆଲ୍‌ ପ୍ରପର୍ଟି ରାଇଟ୍‌ ଅଧିନିୟମଭୁକ୍ତ ‘କପି ରାଇଟ୍‌’ ଏବେ କିଛି ଅର୍ଥ ଦେଲେ ତ ମିଳିଯାଉଛି। ସରକାରଙ୍କର କପି ରାଇଟ୍‌ ରିଜର୍ଭ ତା’ ବାଟରେ ନକଲୀକରଣ ତା’ ବାଟରେ। ମୂଳ କଥାଟି ହେଲା ଏ ଦେଶ ପାଇଁ ଚୋରଟିଏ ଲୋଡ଼ା। ପ୍ରତି ବିଭାଗରେ ଉଚ୍ଚପଦସ୍ଥ ଅନୂ୍ୟନ ଗୋଟିଏ କିମ୍ବା ଦେଶ ହିତ ପାଇଁ ଚୋର ମନ୍ତ୍ରଣାଳୟଟିଏ। ଚୋର ମନ୍ତ୍ରଣାଳୟଟିଏ ଥିଲେ ଶ୍ରୀଜଗନ୍ନାଥଙ୍କ ରନତ୍ଭଣ୍ଡାର ଚାବି ଚୋର ପତ୍ତା ମିଳିବା ପାଇଁ ଶେଷରେ ମାନ୍ୟବର ଜଷ୍ଟିସ୍‌ ରଘୁବୀର ଦାସଙ୍କ କମିଶନ ବସିଥାନ୍ତା ୩୨୪ ପୃଷ୍ଠାର ତଦନ୍ତ ରିପୋର୍ଟ ପାଇଁ! ପରେ ରେକର୍ଡ ରୁମ୍‌ରୁ ଚଉମୁଦ ଦିଆ ଲଫାପା ଭିତରୁ ଚାବିଟି ମିଳିଗଲା। ପାକିସ୍ତାନର ଲଳନା ମାୟାରେ ବାଲେଶ୍ୱରର ଓଡ଼ିଆ ପୁଅ ଚାନ୍ଦିପୁର କ୍ଷେପଣାସ୍ତ୍ରର ଫଟୋ ଦେଇ ଜେଲ୍‌୍‌ରେ। ବାଡ଼ ଯଦି ଫସଲ ଖାଇଲା ଏକଥା କହିବା କାହାକୁ? ସୀମାରେ ରାତି ଉଜାଗର ସଶସ୍ତ୍ର ପ୍ରହରୀ ଲାଗି ଆମେ ବେଧଡ଼କ୍‌ରେ ଶୋଉ ରାତିରେ ବାଦଶାହ ପରି। ହେଲେ ସୀମା ଅତିକ୍ରମ କରୁଥିବା ଚାଇନା ନିର୍ମିତ ଏକେ-୪୭ ଆସି ଯେତେବେଳେ ମାଓବାଦୀ ହାତରେ ପଡ଼ିଲା ଆମେ କ’ଣ ଆମ ସବୁ ଲଢ଼ୁଆ ପୁଅଙ୍କୁ ଜଣେ ଦୁଇଜଣଙ୍କ ଲାଗି ଖରାପ ଆଖିରେ ଦେଖିପାରିବା? ଧନୀ ହେବା ପାଇଁ ମନ ଅସ୍ଥିର, ଅପମିଶ୍ରଣରେ ବଜାର ଅସ୍ଥିର, ଚୋରି-ଲାଞ୍ଚ-ଲୁଟ୍‌ପାଟ୍‌ରେ କାର୍ଯ୍ୟାଳୟ ଅସ୍ଥିର, ଭାରି ପାରିବାର ଯୋଗାଣ ବିଭାଗ ମନ୍ତ୍ରଣାଳୟଟିଏ ଥାଇ ମଧ୍ୟ ସିନ୍ଥେଟିକ୍‌ ଡାଲି ଚୋବେଇ ଚୋବେଇ ଦାନ୍ତ ଅସ୍ଥିର। ଜାଣିବାର ଅଧିକାର ଯୁଗରେ କାର୍ଯ୍ୟାଳୟ ସବୁରୁ ଧୀରେ ଧୀରେ ଗାନ୍ଧୀ ଫଟୋଗୁଡ଼ାକ ଅଦୃଶ୍ୟ କରୁଥିବା ଚୋରଙ୍କୁ ଜାଣିବାର ଅଧିକାର ଏ ଦେଶର ନାଗରିକଙ୍କର ଅଛି କି ନାହିଁ? ସିବିଆଇ ପୋଲିସ୍‌ ଓ ରାଜ୍ୟ ପୋଲିସ୍‌ର ମୁଣ୍ଡ ଲଢ଼େଇରେ କିଏ ଚୋର ଆଉ କିଏ ପୋଲିସ୍‌ ଜାଣିବାର ଅଧିକାର ଏ ଦେଶ ଜନତାଙ୍କର ଅଛି କି ନାହିଁ?

ସାରଦା ପ୍ରସାଦ କର
ପୁରୁଣା ଭୁବନେଶ୍ୱର,
ମୋ- ୮୨୪୯୮୨୭୧୪୮,
email: karsarada@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri