ଚିକିତ୍ସାର ଚିତ୍ର ବଦଳୁଛି

ଡା. ଉମେଶ ଚନ୍ଦ୍ର ପାତ୍ର

କିଛି ମାସ ତଳୁ ଓଡ଼ିଶାର ଲୋକପ୍ରିୟ ଖବରକାଗଜ ‘ଧରିତ୍ରୀ’ ଅଙ୍ଗଦାନ ପାଇଁ ସଚେତନତା ସୃଷ୍ଟି କରି ସମସ୍ତଙ୍କ ଭିତରେ ସେବା ଓ ତ୍ୟାଗ ମନୋଭାବ ଜାଗ୍ରତ କରିପାରିଛି। ଆଜି ଓଡ଼ିଶାରେ ଅଙ୍ଗଦାନ ପାଇଁ ଅନେକେ ଆଗ୍ରହୀ ହେବା ଦେଖାଯାଉଛି। ଆଧୁନିକ ଚିକିତ୍ସା ବିଜ୍ଞାନର ଆଦି ପର୍ବଟି ଥିଲା ପ୍ରତିବନ୍ଧକର ସମୟ। ଏହା ମୁଖ୍ୟତଃ ଧାର୍ମିକ ମାନସିକତାରୁ ସୃଷ୍ଟି ହେଉଥିଲା। ଶରୀର ବିଜ୍ଞାନ ବା ଆନାଟୋମିର ପଥପ୍ରଦର୍ଶକ ଆଣ୍ଡିଆସ୍‌ ଭେସାଲିଅସ୍‌ ମୃତ ଶରୀରକୁ ନେଇ ଗୁପ୍ତ ଭାବରେ ବ୍ୟବଚ୍ଛେଦ କରୁଥିଲେ। ବାସ୍ତବ ଜ୍ଞାନ ଆଧାରରେ ମଣିଷ ଶରୀର ଅଙ୍ଗଗୁଡିକ ବିଷୟରେ ସେ ଯେଉଁ ପୁସ୍ତକ ଲେଖିଥିଲେ ତାହା ଚିକିତ୍ସା ବିଜ୍ଞାନର ଅଗ୍ରଗତି କ୍ଷେତ୍ରରେ ନୂତନ ଦିଗନ୍ତ ସୃଷ୍ଟି କରିଥିଲା। ତେବେ ତାଙ୍କର ଗୁପ୍ତ କାର୍ଯ୍ୟ ଜଣାପଡ଼ିଯିବା ବେଳେ ସେ ଧର୍ମଦ୍ରୋହୀ ବୋଲି ଚିତ୍ରିତ ହୋଇ ପ୍ରାୟଶ୍ଚିତ୍ତ କରିବାକୁ ଯିବାବେଳେ ମୃତ୍ୟୁମୁଖରେ ପଡ଼ିଥିଲେ। ସେହିପରି ଶରୀରରେ ରକ୍ତ ସଞ୍ଚାଳନ ସମ୍ପର୍କରେ ଧାରଣା ଦେଇଥିବା ମାଇକେଲ ସର୍ଭେଟସ୍‌ଙ୍କୁ ଧର୍ମଦ୍ରୋହୀ ବୋଲି ଚିତ୍ରଣ କରି ତାଙ୍କୁ ପୋଡ଼ି ମାରି ଦିଆଯାଇଥିଲା। ଚିକିତ୍ସା ବିଜ୍ଞାନକୁ ଅମୂଲ୍ୟ ଅବଦାନ ଦେଇଥିବା ବୈଜ୍ଞାନିକଙ୍କ ନିର୍ଯାତନାର କାହାଣୀ ବହୁ ଦୀର୍ଘ।
ବସନ୍ତ ରୋଗ ମହାମାରୀ ରୂପରେ ସାରା ପୃଥିବୀରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରୁଥିଲା। ସେହି ରୋଗର ପ୍ରତିଷେଧକ ଟିକା ଏଡ୍‌ୱାଡ ଜେନର୍‌ ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ବାହାର କରିଛନ୍ତି। ତେବେ ଏଥିପାଇଁ ପ୍ରାଥମିକ ଅବସ୍ଥାରେ ସେ ବହୁ କଟାକ୍ଷର ଶରବ୍ୟ ହୋଇଛନ୍ତି। ଅବଶ୍ୟ ସେତେବେଳକୁ ବିଜ୍ଞାନର ଯେଉଁ ପରମ୍ପରାଟି ଗଢ଼ି ଉଠିଥିଲା ତାହାଦ୍ୱାରା ନାନା ସ୍ତରରେ ଚମକପ୍ରଦ ଉଦ୍ଭାବନ ଓ ଆବିଷ୍କାର ଆସିବାରୁ ବିଜ୍ଞାନର ସତ୍ୟ ପ୍ରତି ବିରୋଧ ପ୍ରକଟରେ କିଛିଟା କୋହଳ ମନୋଭାବ ପ୍ରକାଶ ପାଇଥିଲା। ଅଧିକାଂଶ ରୋଗ ଜୀବାଣୁ, ଭୂତାଣୁ ଦ୍ୱାରା ହେଉଛି ବୋଲି ଊନ୍ନବିଂଶ ଶତାବ୍ଦୀରେ ଫରାସୀ ବୈଜ୍ଞାନିକ ଲୁଇ ପାଶ୍ଚର ଦର୍ଶାଇଥିଲେ। ମଣିଷ ଶରୀରରେ ରୋଗ କାହିଁକି ହୁଏ- ଏ ପ୍ରଶ୍ନକୁ ନେଇ ତାଙ୍କର ବିଚାର ଓ ତାଙ୍କର ସମସାମୟିକ ବୈଜ୍ଞାନିକ ରବର୍ଟ କୋଚ୍‌ଙ୍କର ଏକା ସିଦ୍ଧାନ୍ତ ଚିକିତ୍ସା ବିଜ୍ଞାନକୁ ନୂତନ ଦିଗନ୍ତ ଦେଇପାରିଲା। ଅନେକ ରୋଗର କାରଣ ଜୀବାଣୁ ବୋଲି ଜଣାପଡ଼ିବା ପରେ ରୋଗଗୁଡିକର ଚିକିତ୍ସା ପାଇଁ ବହୁ ଗବେଷଣା ହେଲା ଓ ଏହାର ନିଦାନ ପାଇଁ ଔଷଧ ବାହାରି ପାରିଲା। ପ୍ରଥମ ବିଶ୍ୱଯୁଦ୍ଧ ପରେ ପରେ ଆଲେକ୍‌ଜାଣ୍ଡର ଫ୍ଲେମିଂ ପେନ୍‌ସିଲିନ୍‌ ଉଦ୍ଭାବନ କଲେ। ଯୁଦ୍ଧରେ ଆକ୍ରାନ୍ତ ସୈନ୍ୟମାନଙ୍କୁ ରକ୍ଷା କରିବାରେ ଏହା ଅମୋଘ ଔଷଧ ଭାବରେ ବ୍ୟବହୃତ ହେଲା। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଆଣ୍ଟିବାୟୋଟିକ୍ସର ବହୁଳ ବ୍ୟବହାର ହେଉଛି। ତେବେ ଏହି ଜ୍ଞାନ ଆସିବା ଦ୍ୱାରା ମାତ୍ର ସତୁରି ଅଶୀ ବର୍ଷ ଭିତରେ ଚିକିତ୍ସା ବିଜ୍ଞାନରେ ବହୁ ସଫଳତା ଆସିପାରିଲା। ଅସ୍ତ୍ରୋପଚାର ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ସବୁଠାରୁ ବଡ଼ ସଫଳତା ଆଣି ପାରିଛି। ଏ କ୍ଷେତ୍ରରେ ନିଶ୍ଚେତକ ବା ଆନେସ୍ଥେସିଆର ବ୍ୟବହାର ସହିତ ବହୁ ଉନ୍ନତମାନର ଯନ୍ତ୍ରପାତି ଚିକିତ୍ସାକୁ ସୁଗମ କରିପାରୁଛି। ତେବେ ନିଶ୍ଚେତକ ପ୍ରଥମେ ଯେତେବେଳେ ଜେମ୍‌ସ ସିମ୍ପନ୍‌ ବାହାର କରି ମହିଳାମାନଙ୍କ ଉପରେ ପ୍ରସବ ଯନ୍ତ୍ରଣା ଲାଘବ ପାଇଁ ପ୍ରୟୋଗ କଲେ, ସେତେବେଳେ ଏହାକୁ ଧର୍ମଯାଜକମାନେ ବିରୋଧ କରିଥିଲେ। ମହିଳାମାନଙ୍କର ଯନ୍ତ୍ରଣା ସହିବା ଏକ ଈଶ୍ୱରୀୟ ବିଧାନ ଓ ଏହାକୁ ଲାଘବ କରିବା ଈଶ୍ୱରୀୟ ନିୟମର ପରିପନ୍ଥୀ ବୋଲି ସ୍ବର ଉଠିଥିଲା। ତେବେ ବିଜ୍ଞାନର ଅଗ୍ରଗତି ସବୁ ପ୍ରତିବନ୍ଧକ ସତ୍ତ୍ୱେ ଆଗକୁ ଚାଲିଲା। ଜଣେ ବ୍ୟକ୍ତିଠାରୁ ରକ୍ତ ନେଇ ଅନ୍ୟ ଜଣଙ୍କୁ ଦେବା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆରମ୍ଭ ହେଲା। ବର୍ଣ୍ଣବୈଷମ୍ୟ ଥିବା ସମାଜରେ ସେଥିପାଇଁ ତୀବ୍ର ସ୍ବର ଉଠିଲା, କାରଣ ତଥାକଥିତ ନୀଚ ଜାତିର ଲୋକଙ୍କର ରକ୍ତକୁ କିପରି ଉଚ୍ଚଜାତିର ଲୋକଙ୍କୁ ଦିଆଯିବ, ତାହା ଆଲୋଡ଼ନ ଆଣିଲା। ତେବେ ମଣିଷ ରକ୍ତରେ ଯେ ଭେଦଭାବ ନାହିଁ ଓ ବିଜ୍ଞାନସମ୍ମତ ଧାରାରେ ଏକା ଗ୍ରୁପ୍‌ର ରକ୍ତ ଜଣେ ନେଇପାରିବ, ଏହା କାଳକ୍ରମେ ଗୃହୀତ ହେବାକୁ ଲାଗିଲା। ବୃକ୍କ ଏବଂ ହୃଦ୍‌ଯନ୍ତ୍ର ପ୍ରତିରୋପଣ ମଧ୍ୟ ଏକ ସାଧାରଣ କଥା ହୋଇଯାଇଛି। ସେହିପରି ରକ୍ତକର୍କଟରେ ସୁସ୍ଥ ଲୋକର ବୋନ୍‌ମାରୋ ରୋଗଗ୍ରସ୍ତ ବ୍ୟକ୍ତିର ଦେହରେ ରୋପଣ କରି ତାକୁ ରକ୍ତକର୍କଟ ରୋଗରୁ ମୁକ୍ତ କରି ଦିଆଯାଇ ପାରୁଛି। ଯଦିଓ ଏସବୁ ଚିକିତ୍ସା ଏବେ ମଧ୍ୟ ବ୍ୟୟବହୁଳ ହୋଇରହିଛି ଓ ଆବଶ୍ୟକ ଭିତ୍ତିଭୂମି ଅଭାବରେ ଏହା କରାଯାଇପାରୁନାହିଁ, ତଥାପି ଏହା ଯେ ସମ୍ଭବ ହୋଇଛି, ତାହା ଚିକିତ୍ସା ବିଜ୍ଞାନର ସାଫଲ୍ୟ।
ମୃତ ବ୍ୟକ୍ତିର ଅନେକ ଅଙ୍ଗକୁ ମଧ୍ୟ ବ୍ୟବହାର କରାଯାଇ ପାରୁଛି। ସଦ୍ୟ ମୃତ ଲୋକର ଚକ୍ଷୁର ସ୍ବଚ୍ଛ ପଟଳ ବା କର୍ନିଆ ନେଇ ଦୃଷ୍ଟିହୀନ ବ୍ୟକ୍ତିକୁ ଦେଖିବାର ସାମର୍ଥ୍ୟ ଦିଆଯାଇ ପାରୁଛି। ସେହିପରି ସଦ୍ୟ ମୃତ ବ୍ୟକ୍ତିଠାରୁ ହାଡ କାଟି ଆଣି ଉନ୍ନତ ଡାକ୍ତରଖାନା ଆଦିରେ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ କରାଯାଇ ପାରୁଛି। ରକ୍ତଭଣ୍ଡାର, ଚକ୍ଷୁଭଣ୍ଡାର ଭଳି ଅସ୍ଥିଭଣ୍ଡାର ପୃଥିବୀର ବିଭିନ୍ନ ଡାକ୍ତରଖାନାରେ ସ୍ଥାପନ କରାଯାଇଛି। ଏହାଦ୍ୱାରା ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ବା ବିକଳାଙ୍ଗ ବ୍ୟକ୍ତିଙ୍କ ପାଖରେ ହାଡ଼ ପ୍ରତିରୋପଣ କରାଯିବା ସମ୍ଭବ ହୋଇପାରୁଛି। ମୃତବ୍ୟକ୍ତିର ସ୍ନାୟୁ ଆଣି ଅନ୍ୟଠାରେ ପ୍ରତିରୋପଣ କରିବାର ଜ୍ଞାନ ଚିକିତ୍ସା ବିଜ୍ଞାନ ବାହାର କରିପାରିଛି। ଚିକିତ୍ସା ବିଜ୍ଞାନର ବିକାଶ ପାଇଁ ଡାକ୍ତରୀ ଛାତ୍ର ଓ ଗବେଷକମାନେ ଶରୀରକୁ ବ୍ୟବଚ୍ଛେଦ କରି ସେଥିରେ ଥିବା ବିଭିନ୍ନ ଅଙ୍ଗ ବିଷୟରେ ବାସ୍ତବ ଜ୍ଞାନ ହାସଲ କରିବା ଜରୁରୀ। ହେଲେ ରକ୍ଷଣଶୀଳ ମାନସିକତା ମୃତ ଦେହ ପାଇବା କ୍ଷେତ୍ରରେ ବଡ଼ ପ୍ରତିବନ୍ଧକ ସୃଷ୍ଟି କରୁଛି। କୌଣସି ମୃତ ବ୍ୟକ୍ତିର କେହି ଦାବିଦାର ନ ଥିବା ଜାଣିଲେ ସେହି ପ୍ରକାରର ଶବକୁ ବିଦ୍ୟାର୍ଥୀମାନଙ୍କ ପ୍ରାକ୍ଟିକାଲ ପାଇଁ ବଡ଼ କଷ୍ଟରେ ସଂଗ୍ରହ କରାଯାଉଛି। ଏ ସଂକ୍ରାନ୍ତ ଆଇନକୁ ସରଳ କରାଯାଉ ଓ ନିଜର ଶରୀର ଦାନ ପାଇଁ ଘୋଷଣା କରିଥିବା ବ୍ୟକ୍ତିର ପରିବାରଠାରୁ ମେଡ଼ିକାଲ କଲେଜ ଫୋନ୍‌ କଲ ପାଇଲେ ନିଜର ଆମ୍ବୁଲାନ୍ସ ଯୋଗେ ତାହା ସଂଗ୍ରହ କରନ୍ତୁ। ସରକାର ଏଥିପାଇଁ ମେଡ଼ିକାଲ କଲେଜମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଅନ୍ତୁ। ଚକ୍ଷୁଦାନ ଓ ରକ୍ତଦାନ କ୍ଷେତ୍ରରେ ଯେପରି ହୋଇଛି, ଶରୀର ଦାନ କ୍ଷେତ୍ରରେ ସେହିପରି ଆଗ୍ରହୀ ବ୍ୟକ୍ତିଙ୍କ ପରିବାରକୁ ସହଯୋଗ କରାଯାଇ ମୃତ ବ୍ୟକ୍ତିର ଶରୀରକୁ ସଂଗ୍ରହ କରାଯାଉ। ଏହାଦ୍ୱାରା ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅଧିକ ଗବେଷଣା ସହ ସମାଜ ସଂସ୍କାର କ୍ଷେତ୍ରରେ ଏକ ନୂତନ ଦିଗନ୍ତ ସୃଷ୍ଟି ହୋଇପାରିବ।
ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ ମୋ:୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri