ଚାଷ କାହିଁକି କରିବା

ଡି ଶୁଭମ୍‌

ଓଡ଼ିଶା ଏବେ ଅଭିବୃଦ୍ଧିର ଧାରାରେ ଯାଉଥିବା ବେଳେ କୃଷିର କଥାକୁ ଯଦି ଆମେ ଟିକେ ନିରିଖେଇ ଦେଖିବା, ଏହା ସ୍ପଷ୍ଟ ଭାବରେ ବାରିହୋଇ ପଡ଼ିବ ଯେ କୃଷିକୁ ନେଇ ଲୋକଙ୍କର ପରିଭାଷା ବଦଳିଛି। ସମୟ ଥିଲା ଆମେ ଚାଷକୁ ନେଇ ଜିଉଁଥିଲେ। ଚାଷକୁ ନେଇ ବଞ୍ଚିବାର ସ୍ବପ୍ନ ଦେଖୁଥିଲେ। କିନ୍ତୁ ଶିଳ୍ପଭିତ୍ତିକ ସଭ୍ୟତା ଯେବେ ଚରମ ସୀମା ଆଡ଼କୁ ଗତି କଲା କୃଷି କ୍ଷେତ୍ରରେ ଆସିଲା ବିରାଟ ପରିବର୍ତ୍ତନ। ତଥାପି ଚାଷକୁ ନେଇ ସଂଜ୍ଞା ଏବେ ବଦଳିଛି। ତବେ କଥା ହେଉଛି ଆମେ ଚାଷ କାହିଁକି କରିବା? ସମାଜରେ କୃଷିର ଆବଶ୍ୟକତା କ’ଣ? ଚାଷ ବିନା କ’ଣ ଆମେ ବଞ୍ଚିପାରିବାନି?
ଓଡ଼ିଶାର ମୋଟ ଜନସଂଖ୍ୟର ୭୬ ପ୍ରତିଶତ ଏବେ କୃଷି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପାଖାପାଖି ୮୭,୪୬,୦୦୦ ହେକ୍ଟର ଜମିରେ ଚାଷ କାର୍ଯ୍ୟ ହେଉଛି। ଓଡ଼ିଶା କୃଷିର ଏକ ବଡ଼ ହବ୍‌ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆମ ରାଜ୍ୟର ଚାଷୀ ଧାନ ସହ ତୈଳବୀଜ, ଅର୍ଥକରୀ ଓ ଡାଲି ଜାତୀୟ ଫସଲ ମଧ୍ୟ ଉପତ୍ାଦନ କରି ଏକ ବଡ଼ ଭୂମିକା ନିଭାଉଛନ୍ତିି। ଜଳବାୟୁର ଅନିଶ୍ଚିତତା ଓ ଅଦିନିଆ ବର୍ଷାକୁ ପାଥେୟକରି ଓଡ଼ିଶା ୨୦୨୨-୨୩ ମସିହାରେ ୧୩.୬୦୬ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉପତ୍ାଦନ କରିଛି। ଏଇ ତିନିବର୍ଷ ତଳକୁ ଯଦି ଆମେ ଫେରିଯିବା ଯେବେ କରୋନା ଦେଶକୁ ଗ୍ରାସ କରିଥିଲା ସେବେ ଖାଦ୍ୟର ମହତ୍ତ୍ୱକୁ ଆମେ ଉପଲବ୍ଧି କରିପାରିଥିଲେ। ତାଲାବନ୍ଦ ହୋଇ ଘରେ ବସିବା ବେଳେ ଆମେ ସଂକଟକୁ ପାଖରୁ ଅନୁଭବ କରିଥିଲେ। ଏମିତି ଦୁଇବର୍ଷରୁ ଅଧିକ ସମୟ ଯେବେ ଲୋକ ବାହାରକୁ ଚାକିରି କରିବାକୁ ନ ଯାଇ ଘରର ଚାରି କାନ୍ଥ ଭିତରେ ବନ୍ଦ ହୋଇ ରହିଲେ ସେବେ ନିଜ ଗାଁ ମାଟି କଥା ମନରେ ଆସିଲା। ପ୍ରକୃତରେ କ୍ଷେତରେ ଚାଷ କରିବା ଆଉ ମଞ୍ଚ ଉପରେ ଚାଷୀ ବିଷୟରେ କହି ବାହାବା ନେବା ଭିତରେ ଢେର ଫରକ। ଆମେ କାଦୁଅ କ୍ଷେତରେ ଗୋଡ଼ ପଶେଇବାକୁ ଚାହୁଁନାହୁଁ କିନ୍ତୁ ଚାଷୀ ବିଷୟରେ ଅନେକ କଥା କହି ପ୍ରଶଂସା ସାଉଁଟୁଛୁ। ଏହାଦ୍ୱାରା କ’ଣ ପ୍ରକୃତ କ୍ଷେତ୍ରରେ ଚାଷୀର ସମସ୍ୟାକୁ ଜାଣିହେବ? ନିଜେ ତୃଣମୂଳ ସ୍ତରରୁ ଚାଷୀଙ୍କ ସହ ମିଶିଲେ ହେଁ ସେମାନଙ୍କ ମାୈଳିକ ସମସ୍ୟାର ସମାଧାନ କରିହେବ। ଚାଷୀ କେବେ ସହାନୁଭୂତି ଲୋଡେନି କି କାହାର ସାହାଯ୍ୟକୁ ଅପେକ୍ଷା କରେନି।
ଫନୀ ହେଉ କି କରୋନା- ଅନେକ ସମୟରେ ଏହା ଚାଷୀଙ୍କ ପାଇଁ ବାଧକ ହୋଇଥିଲେ ହେଁ ପୁଣି ଥରେ ଚାଷୀ ମୁଣ୍ଡ ଟେକି ଉଠିଛି। ଏ ତ ପାରିବାପଣିଆର ସଂଜ୍ଞାକୁ ବୁଝାଏ। ଚାଷୀ ପାଖରେ ଯାଇ ଦି ପଦ ସହାନୁଭୂତିର ପଦ କହିଦେଇଆସିଲେ ତା’ର ପେଟ ପୂରେ ନାହିଁ। ବରଂ ପ୍ରକୃତ ପକ୍ଷରେ ଚାଷୀ ସହ ଯୋଡ଼ିହୋଇ ତାଙ୍କର ସମସ୍ୟା ଉପରେ ଗୁରୁତ୍ୱ ଦେଇ କାମ କଲେ ହିଁ ଚାଷୀଟି ଖୁସି ହୁଏ। ସେ ତ ପଲଉ ବିରିୟାନୀକୁ ଲୋଭ କରେନି। ପଖାଳ ଶାଗରେ ସେ ମନଭରି ଶାନ୍ତି ଅନୁଭବ କରେ। ସେ ଚଷାଘର ପୁଅ। ଚାଷୀକୁ ଲୋକେ ମଜୁରିଆ କହନ୍ତି। ସେ ହିଁ ରାଷ୍ଟ୍ର ଗଠନର ମଙ୍ଗ ଧରେ। କିନ୍ତୁ ସମୟ ଆସି ଏପରି ସ୍ଥାନରେ ଉପନୀତ ଯେ ଆଉ କୃଷି ବୋଲି ଶବ୍ଦ ପିଲାଙ୍କୁ ପଚାରିଲେ ବି ଏହାର ସଂଜ୍ଞା କହିପାରିବେନି। କାରଣ ସବୁ ତ ଏବେ ପାଠପଢ଼ା ପରେ ଚାକିରି ନିଶାରେ ଘୂରିବୁଲିଲେ। ଆଉ ଶେଷରେ କିଛି ନ ହେଲେ ବାହାର ରାଜ୍ୟରେ ଦାଦନ ଖଟିବା ଥୟ। ଏଇଟା ତ ନିରାଟ ସତ କଥା। ଆପଣ ଦେଖିଥିବେ ସେ ସମୟରେ ଚାଷୀ କେବେ ବସିନି। ଚାଷୀ ଚାଷର କଥା କହିବାକୁ କେବେ ବନ୍ଦ କରିନି। କର୍ମମୟ ଜୀବନରେ ନା ଥକାପଣକୁ ଚାଷୀ କେବେ ଅନୁଭବ କରିନି। କାରଣ ସେ ମାଟିର ସନ୍ତାନ। ମାଟି ପାଇଁ କାମ କରିବାକୁ ସଂକଳ୍ପ ନେଇ ଚାଷୀ ଦେଶର ଅର୍ଥନୀତିକୁ ବିକାଶ ଆଡ଼କୁ ନିଏ। ସାରଥି ସାଜି ସେ ରାଜ୍ୟ ତଥା ଦେଶର ପ୍ରଗତିରେ ମୁଖ୍ୟ ଭୂମିକା ନିଭାଏ।
ଚାକିରିର ନିଶାରେ ଏବେ ସମସ୍ତେ ମତୁଆଲା। ସେଥିପାଇଁ ଆଜି ଚାଷ ଜମି ସବୁ ପଡ଼ିଆ ହୋଇ ପଡ଼ୁଛି। ସବୁଜିମା ନାହିଁ ବରଂ କଳକାରଖାନାର ଦୂଷିତ ଆବରଣରେ ବନ୍ଧା ହୋଇପଡ଼ିଛି। ପରିବେଶ ସନ୍ତୁଳନ ଠିକ୍‌ ଭାବେ ରହୁନାହିଁ। ଆଉ ଯେତିକି ବି ଚାଷ ଜମି ରହିଲା ସେସବୁ ରାସାୟନିକ ବିଷ ସାରରେ ଭରପୂର। ଆଜିର ଯୁବଗୋଷ୍ଠୀ ଚାଷ ପାଇଁ ବିମୁଖ। କ୍ଷେତକାମ ପାଇଁ ଆଉ ଆଗପରି ଆଗ୍ରହ ସୃଷ୍ଟି ହେଉନାହିଁ। କିନ୍ତୁ ଆଜି ବି ଚାଷ ଜମିରେ ନୂଆ ପଦ୍ଧତିରେ ଚାଷକରି ଲକ୍ଷଲକ୍ଷ ଟଙ୍କା କମେଇହେଉଛି। କେବଳ ଟଙ୍କା ନୁହେଁ ବରଂ ପରିବେଶ ସୁସ୍ଥ ରହିବା ସହ ମନ ବି ପ୍ରଫୁଲ୍ଲ ରହେ। ଏବେ ବି ଯୁବଗୋଷ୍ଠୀ ଜୈବିକ ଉପାୟରେ ଚାଷ କରି ଅନେକ ଟଙ୍କା ରୋଜଗାର କରୁଛନ୍ତିି। ହାଇଡ୍ରୋପନିକ୍ସ, ସମନ୍ବିତ ଚାଷ ପଦ୍ଧତି, ଜୈବିକ ଚାଷ ପରି ବିଭିନ୍ନ ପ୍ରଣାଳୀକୁ ଆପଣେଇ ଆଜିର ଯୁଗରେ ବେଶ୍‌ ନାଁ ଅର୍ଜନ କରିପାରିଛନ୍ତି।
ସାଧାରଣତଃ ଆମେ ମାଟିରେ ଗଛ ବଢୁଥିବା ଦେଖିଛେ, କିନ୍ତୁ ହାଇଡ୍ରୋପୋନିକ୍ସ ସେ ସବୁରୁ ଟିକିଏ ଭିନ୍ନ। କୃଷି କ୍ଷେତ୍ରରେ ଏହା ଏକ ଆଧୁନିକୀକରଣ ପଦ୍ଧତି। ବିନା ମୃତ୍ତିକା ସାହାଯ୍ୟରେ ଗଛକୁ ବଢ଼ାଇବା ପଦ୍ଧତିକୁ ହାଇଡ୍ରୋପୋନିକ୍ସ କୁହାଯାଏ। ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ। ଏହି ପ୍ରଣାଳୀରେ କେବଳ ପାଣିରେ ଗଛ ବଢ଼ିପାରିବ। ମୋଟ ଉପରେ କହିବାକୁ ଗଲେ ମୃତ୍ତିକାର ବିନା ସାହାଯ୍ୟରେ ପାଣିରେ ସମସ୍ତ ଆବଶ୍ୟକ ପୋଷକ ପଦାର୍ଥ ମିଶାଇ ଯେ କାୈଣସି ଗଛ ବଢ଼ାଇବାକୁ ହାଇଡ୍ରୋପୋନିକ୍ସ କୁହାଯାଏ। ମୁଖ୍ୟ ଉପକାରିତା ମଧ୍ୟରେ ହାଇଡ୍ରୋପୋନିକ୍ସ ଦ୍ୱାରା ବର୍ଷର ଯେ କୌଣସି ସମୟରେ ମଧ୍ୟ ଫସଲ ଚାଷ ଏବଂ ଅମଳ କରାଯାଇ ଖାଦ୍ୟ ସମସ୍ୟାକୁ ଦୂର କରାଯାଇପାରିବ। ଏହି ଉପାୟରେ ୯୦ ପ୍ରତିଶତ ଜଳ ସଂରକ୍ଷଣ ହୋଇପାରିବ। ସ୍ବଳ୍ପ ସ୍ଥାନ ଏବଂ ଖୁବ କମ୍‌ ସମୟରେ ଅଧିକ ଫସଲ ଅମଳ କରାଯାଇପାରିବ। ଏହାଦ୍ୱାରା ଜୈବିକ ଫସଲ ଉପତ୍ାଦନ ହେବ। ପରିବାରର ପାକଶାଳା ପାଇଁ ଏହା ଏକ ବରଦାନ ସଦୃଶ, ଯାହାକି ସମସ୍ତ ପନିପରିବାର ଚାହିଦା ପୂରଣ କରିପାରିବ।
ଏହାରି ଭିତରେ ଆସେ ସମନ୍ବିତ ଚାଷର କଥା। ଏହା ହେଉଛି ଏକ ପ୍ରକାରର ମିଶ୍ରିତ ଚାଷ। ଏହି ପଦ୍ଧତିରେ ସମସ୍ତ ପ୍ରକାର ଚାଷର ମିଶ୍ରଣରେ ଏକ ସନ୍ତୁଳିତ ପରିବେଶ ସୃଷ୍ଟି କରାଯାଇପାରିବ। ସମନ୍ବିତ ଚାଷର ମୌଳିକ ତଥ୍ୟ ହେଉଛି ଏକ ସୀମିତ ଜାଗାରେ ସମସ୍ତ ପ୍ରକାର ଚାଷ, ଯେଉଁଭଳି ଗୋଟିଏ ଚାଷର ଅତିରିକ୍ତ ଉପାଦାନ ଅନ୍ୟ ଏକ ଚାଷର ମୁଖ୍ୟ ଉପତ୍ାଦନ ଭାବରେ ବ୍ୟବହାର କରାଯାଇ ପାରିବ। ବିଭିନ୍ନ ପ୍ରକାର ଫସଲ ଉପତ୍ାଦନ ସହିତ ନିୟମିତ ଭାବରେ ରୋଜଗାର ପ୍ରଦାନ ଓ ଅର୍ଥ ଉପାର୍ଜନ କରିହେବ। ସମନ୍ବିତ ଚାଷ ପଦ୍ଧତି ଦ୍ୱାରା କ୍ଷୁଦ୍ର ବା ମଧ୍ୟମ ଧରଣର ଚାଷୀଙ୍କ ରୋଜଗାର ବୃଦ୍ଧି ପାଇଥାଏ। ଅଳ୍ପ ବିନିଯୋଗରେ ପ୍ରତିବର୍ଷ ଲାଭ ବଢ଼ିଥାଏ। ଏହା ସହିତ ପରିବେଶ ସୁରକ୍ଷା ମଧ୍ୟ ହୋଇଥାଏ। ଏସବୁ କେତେକ ଉଦାହରଣ ମାତ୍ର। ଜଣେ ଯୁବ ଉଦ୍ୟୋଗୀ କୃଷିକୁ ନେଇ ଅନେକ ଆଗକୁ ଯାଇପାରିବ, ଏଥିରେ ସନ୍ଦେହ ନାହିଁ।
ଆମେ ଚାଷ କରିବି ଟଙ୍କା ରୋଜଗାର କରିପାରିବା। ଚାଷ ଆମକୁ ଉଦ୍ୟୋଗୀ ବନାଇପାରେ। ଏ ଉଦ୍ୟୋଗ ଆମକୁ ରୋଜଗାର ଦେବା ସହ ଅନ୍ୟମାନଙ୍କୁ କର୍ମସଂସ୍ଥାନ ଯୋଗାଇପାରେ। ତେବେ ଏଥିପାଇଁ ଇଚ୍ଛାଶକ୍ତିର ଗୁରୁତ୍ୱ ଅନେକ। ଜଣେ ଯଦି ସ୍ବଇଚ୍ଛାରେ ଏସବୁ କରିବାକୁ ଆଗ୍ରହ କରିବ, ତେବେ ଏଥିରୁ ସୁଫଳ ମିଳିବାଟା ଥୟ। ଏଥିରେ ଦ୍ୱିମତ ନାହିଁ। ସୁତରାଂ ଆଉ ଅନାଦର ନୁହେଁ ବରଂ ଏହାକୁ ସୁଦୂରପ୍ରସାରୀ କରିବା ଦିଗରେ କାର୍ଯ୍ୟକରିବା।
ଜୈବ ନିରୀକ୍ଷକ, ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା, ଭୁବନେଶ୍ୱର, ମୋ:୯୪୩୮୪୬୭୦୭୯


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri