ଚନ୍ଦ୍ର ଓ ରାତ୍ରିଚର ଜୀବ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ଜୀବନ ଉପରେ ଚନ୍ଦ୍ରାଲୋକର ପ୍ରଭାବ ରହିଛି। ଏହା ପ୍ରଜନନ, ଶିକାର, ଯାତାୟାତ, ଯୋଗାଯୋଗ ଓ ପ୍ରାଣିଜଗତର ଅନ୍ୟ କେତେକ କ୍ରିୟାକୁ ପ୍ରଭାବିତ କରେ। ରାତ୍ରିଚର ପ୍ରାଣୀମାନେ ଚନ୍ଦ୍ରାଲୋକରେ ଭଲଭାବେ ଶିକାର କରିପାରନ୍ତି, ଯଦିଓ ଶିକାର କରିବାକୁ ବାହାରକୁ ଆସିବା ଦ୍ୱାରା ନିଜେ ମଧ୍ୟ ଶିକାର ହେବାର ଆଶଙ୍କା ରହିଥାଏ। ଶିକାରଜନିତ ବ୍ୟବହାରଠାରୁ ପକ୍ଷୀଙ୍କ ସଙ୍ଗୀତ, ସବୁକୁ ପ୍ରଭାବିତ କରେ ଚନ୍ଦ୍ରାଲୋକ।
ତାଞ୍ଜାନିଆର ସେରେଙ୍ଗେଟିରେ ରହୁଥିବା ସିଂହ ରାତିରେ ଶିକାର କରନ୍ତି ଏବଂ ଅନ୍ଧାରପକ୍ଷ/ଅମାବାସ୍ୟାରେ ବି ସେମାନେ ସହଜରେ ଶିକାର କରିପାରନ୍ତି। କିନ୍ତୁ ସେମାନେ ଶିକାର କରୁଥିବା ଜୀବଗୁଡିକ ବିଭିନ୍ନ ଚନ୍ଦ୍ରକଳାରେ ବା ଶୁକ୍ଳ ବା କୃଷ୍ଣପକ୍ଷର ବିଭିନ୍ନ ତିଥିରେ କିଭଳି ପ୍ରତିକ୍ରିୟା ପ୍ରକାଶ କରନ୍ତି? ବିଭିନ୍ନ ଚନ୍ଦ୍ରକଳାରେ ସିଂହ ଶିକାର କରିବାକୁ ଭଲ ପାଉଥିବା ପ୍ରଜାତିର ଜୀବମାନେ କିଭଳି ପ୍ରତିକ୍ରିୟା ପ୍ରକାଶ କରନ୍ତି ତାହା ଜାଣିବା ଲାଗି ପ୍ରିନ୍ସଟନ୍‌ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଗୁପ୍ତ କ୍ୟାମେରା ଲଗାଇଥିଲେ। ଚନ୍ଦ୍ରକଳା କ୍ରମଶଃ ହ୍ରାସ ପାଇବା ସମୟରେ ଆଫ୍ରିକୀୟ ବଣୁଆ ମଇଁଷିମାନେ ନିଜର ସୁରକ୍ଷା ପାଇଁ ଦଳବାନ୍ଧି ରହନ୍ତି। ଆଫ୍ରିକୀୟ ଜଙ୍ଗଲୀ ଆଣ୍ଟିଲୋପ୍‌ ବିଭିନ୍ନ ଚନ୍ଦ୍ରକଳାରେ ରାତିସାରା କ’ଣ କରିବେ ସେଥିଲାଗି ଯୋଜନା କରିବା ଲକ୍ଷ୍ୟକରାଯାଏ। କିନ୍ତୁ ମାସର ଅନ୍ଧାରତମ ପକ୍ଷରେ ସେମାନେ ସୁରକ୍ଷିତ ଜାଗାରେ ରୁହନ୍ତି ଯେଉଁଠିକୁ ସିଂହମାନେ ଯିବାର ସମ୍ଭାବନା ବି ନ ଥାଏ। ଧୀରେ ଧୀରେ ଚନ୍ଦ୍ରାଲୋକ ବଢିଚାଲିଲେ ସେମାନେ ଦୌଡି ନିଜକୁ ସିଂହଠାରୁ ବଞ୍ଚାଇପାରିବା ଭଳି ବିପଦସଙ୍କୁଳ ସ୍ଥାନକୁ ଯିବାକୁ ଉଦ୍ୟମ କରନ୍ତି। ଚନ୍ଦ୍ରର ତିଥିଚକ୍ର ସହ ଜେବ୍ରା ଓ ଟମ୍‌ସନ୍ସ ଗ୍ୟାଜେଲ (ଏକ ପ୍ରକାର ହରିଣ) ସେମାନଙ୍କ କାର୍ଯ୍ୟଧାରାରେ ପରିବର୍ତ୍ତନ କରିଥାଆନ୍ତି।
ରାତ୍ରିଚର ଆଫ୍ରିକୀୟ ଗୋବର ପୋକ ପାଇଁ ଚନ୍ଦ୍ରାଲୋକ ଏକ କମ୍ପାସ ଭଳି କାମ କରେ। ଏହି ପୋକ କିଭଳି ଠିକ୍‌ ପଥରେ ଗତି କରିପାରିବ ତାହା ଚନ୍ଦ୍ରକଳା ଉପରେ ନିର୍ଭର କରେ। ସଜ ଗୋବର ଦେଖିଲେ ଏହି ପୋକ ସେଥିରୁ ଟେଳାଏ ଗୋବରକୁ ଗୁଳା କରି ଗଡ଼ାଇ ଗଡ଼ାଇ ସମ୍ଭାବିତ ଶତ୍ରୁ ଓ ଅନ୍ୟ ପୋକମାନଙ୍କ ସହ ପ୍ରତିଯୋଗିତାକୁ ଏଡ଼ାଇବା ପାଇଁ ଯେତେ ଶୀଘ୍ର ସମ୍ଭବ ସୁରକ୍ଷିତ ଗାତକୁ ଚାଲିଯିବାକୁ ଲକ୍ଷ୍ୟ ରଖିଥାଏ। ଗୋବରରୁ ସୁରକ୍ଷିତ ଜାଗାକୁ କ୍ଷୁଦ୍ରତମ ରାସ୍ତା ହେଉଛି ସିଧା ରାସ୍ତା। ଚନ୍ଦ୍ରାଲୋକରେ ଏହା ଗୋବରଲଣ୍ଡା ଉପରୁ ଓହ୍ଲାଇ ସିଧା ସୁରକ୍ଷିତ ଗାତକୁ ଯାଇଥାଏ। କିନ୍ତୁ ଚନ୍ଦ୍ରାଲୋକ ନ ଥିଲେ ଏହି ପୋକ କେଉଁଆଡ଼େ ଯିବ ବୋଲି ଦ୍ୱନ୍ଦ୍ୱରେ ପଡ଼ି ଗୋବର ଗୁଳାକୁ ଏଣେତେଣେ ଗଡାଇଥାନ୍ତି, ବହୁ ସମୟରେ ଅପ୍ରତ୍ୟାଶିତ ଭାବେ ତା’ ଉପରୁ ଓହ୍ଲାଇ ଆସି ଗୋବରଲଣ୍ଡା ଆଡ଼କୁ ଫେରିବା ଲକ୍ଷ୍ୟ କରାଯାଏ।
ସାମୁଦ୍ରିକ ପରିବେଶବିତ୍‌ମାନେ ଜାଣିପାରିଛନ୍ତି ଯେ, ସମୁଦ୍ରରେ ମାଛ ଯାଆଁଳକୁ ଚନ୍ଦ୍ରାଲୋକ ବଢିବାରେ ସାହାଯ୍ୟ କରେ। ମାଛର ଭିତରପାଖରେ କ୍ୟାଲସିୟମ୍‌ କାର୍ବୋନେଟରେ ଗଠିତ କାନ ଆକୃତିର ଅଟୋଲିଥ୍‌ ରହିଛି। ଏହାର ରିଙ୍ଗ୍‌ରୁ ମାଛର ବୟସ ନିର୍ଦ୍ଧାରଣ କରାଯାଇଥାଏ। ନ୍ୟୁଜିିଲାଣ୍ଡର ପ୍ରବାଳ ପ୍ରାଚୀରରେ ପହଁରୁଥିବା ୩୦୦ଟି ଟ୍ରିପଲଫିନ୍‌ (ଏକ ପ୍ରକାର ସାମୁଦ୍ରିକ ମାଛ)ଙ୍କ ଅଟୋଲିଥ୍‌ ମାପ କରାଯାଇ ତାହାକୁ ଏକ କ୍ୟାଲେଣ୍ଡର ସହ ତୁଳନା କରି ବୈଜ୍ଞାନିକମାନେ ଜାଣିପାରିଛନ୍ତି ଯେ, ଏହି ମାଛ ଅନ୍ଧାର ପକ୍ଷ ତୁଳନାରେ ଚନ୍ଦ୍ରାଲୋକରେ ଶୀଘ୍ର ବଢିଥାନ୍ତି। ଯଦି ରାତିରେ ଚନ୍ଦ୍ର ବାଦଲରେ ଢାଙ୍ଗି ହୋଇରହିଯାଏ ତେବେ ତାହାକୁ ଅନ୍ଧାର ରାତି ବୋଲି ଗଣାଯାଏ। ମାଛ ଯାଆଁଳ ତା’ ଖାଦ୍ୟ ପ୍ଲାଙ୍କଟନ୍‌ (ପ୍ଲବକ)କୁ ସହଜରେ ଚନ୍ଦ୍ରାଲୋକରେ ପାଇପାରିବାର କାରଣ କ’ଣ ହୋଇପାରେ? ଉଜ୍ଜ୍ୱଳ ଚନ୍ଦ୍ରାଲୋକରେ ଶତ୍ରୁ ମାଛ ଲାଣ୍ଟିନଫିଶ୍‌ ବି ନିଜେ ବଡ଼ମାଛର ଶିକାର ନ ହେବା ଲାଗି ମାଛ ଯାଆଁଳକୁ ଶିକାର କରି ନ ଥାଏ। ଏଣୁ ମାଛ ଯାଆଁଳ ଏହି ସମୟରେ ଖାଦ୍ୟ ଅନ୍ବେଷଣରେ ଲାଗିଯାଆନ୍ତି। କିନ୍ତୁ ଯୁବମାଛ ପ୍ରବାଳ ପ୍ରାଚୀରକୁ ଅନ୍ଧାରପକ୍ଷରେ ଫେରିଥାନ୍ତି। ଏଣୁ ପ୍ରବାଳରେ ଲୁଚିଥିବା ଶତ୍ରୁମାନଙ୍କ ଦ୍ୱାରା ସେମାନେ ସହଜରେ ଧରାପଡ଼ନ୍ତି ନାହିଁ। ତେବେ ପୂର୍ଣ୍ଣମୀ ପକ୍ଷରେ ବାସସ୍ଥଳୀକୁ ନ ଫେରିବା ଲାଗି ଏହି ମାଛମାନେ ସମୁଦ୍ରରେ ସ୍ବାଭାବିକଠାରୁ ଅଧିକ ଦିନ ରହିଥାନ୍ତି ବୋଲି ବୈଜ୍ଞାନିକମାନେ ଜାଣିପାରିଛନ୍ତି।
ଡୁଡ୍‌ଲବଗ୍‌ (କଙ୍କି ଭଳି ପତଙ୍ଗ ଆଣ୍ଟିଲିଅନ୍‌ଙ୍କ ଶୂକ) ବାଲିଆ ପରିବେଶରେ ଶିକାର ସ୍ଥାନ ସନ୍ଧାନରେ ଘୂରିବୁଲନ୍ତି। ସେମାନେ ବାଲିରେ କାହାଳୀ ଭଳି ଗାତ କରି ସେଥିରେ ଶିକାର ପଡିବା ଯାଏ ଅପେକ୍ଷାରେ ବସିରୁହନ୍ତି। ପୂର୍ଣ୍ଣମୀ ପକ୍ଷରେ ଡୁଡୁଲବଗ୍‌ ବଡ ବଡ ଗାତ ଖୋଳିଥାନ୍ତି। ରାତିରେ ଉଜ୍ଜ୍ୱଳ ଚନ୍ଦ୍ରାଲୋକ ଶିକାର କରିବା ଲାଗି ଏକ ସୁଯୋଗ ସୃଷ୍ଟି କରିଥାଏ।
କଙ୍କଡ଼ାବିଛା ପୂର୍ଣ୍ଣମୀ ପକ୍ଷରେ ବିଶେଷ ପ୍ରତିକ୍ରିୟା ଦେଖାଇିଥାଆନ୍ତି। ଚନ୍ଦ୍ରାଲୋକରେ ଥିବା ଅତିବାଇଗଣୀ ରଶ୍ମି କଙ୍କଡ଼ାବିଛାରେ ଥିବା ଏକ ପ୍ରକାର ପ୍ରୋଟିନ ସହ ପ୍ରତିକ୍ରିୟା କରିବା ଦ୍ୱାରା କଙ୍କଡ଼ାବିଛା ରାତିରେ ଉଜ୍ଜ୍ୱଳ ଦେଖାଯାଇଥାନ୍ତି। ସେମାନେ ପୂର୍ଣ୍ଣମୀ ପକ୍ଷରେ ଲୁଚିରହନ୍ତି ଏବଂ ଅମାବାସ୍ୟା ପକ୍ଷର ଅନ୍ଧାର ରାତିରେ ଶିକାର କରିଥାନ୍ତି। ପୂର୍ଣ୍ଣମୀ ପକ୍ଷରେ ଅନେକ ରାତ୍ରିଚର ପ୍ରାଣୀ କମ୍‌ ସକ୍ରିୟ ରହିଥାନ୍ତି। ବୋଡ଼ାସାପ ଶତ୍ରୁଙ୍କ ହାବୁଡ଼ରେ ନ ପଡିବା ଲାଗି ପୂର୍ଣ୍ଣମୀରେ ଗାତରୁ କ୍ୱଚିତ୍‌ ବାହାରିଥାନ୍ତି। ବ୍ୟାଜର (ଉଭୟ ମାଂସାଶୀ ଓ ତୃଣଭୋଜୀ ସ୍ତନ୍ୟପାୟୀ ପ୍ରାଣୀ ବିଶେଷ)ର ପ୍ରଜନନ କ୍ରିୟା ଉପରେ ଚନ୍ଦ୍ରାଲୋକର ପ୍ରଭାବ ରହିଛି। ସେମାନେ ଯେତେବେଳେ ସଙ୍ଗମ କରିବାକୁ ପ୍ରସ୍ତୁତ ହୁଅନ୍ତି ସେତେବେଳେ ସ୍ଥାନ ଚିହ୍ନିତ କରିବାକୁ ପରିସ୍ରା କରିଥାନ୍ତି। ସେମାନେ ଅମାବାସ୍ୟାରେ ଶତ୍ରୁ ନଜରରୁ ଦୂରେଇ ରହି ଅଧିକ ସମୟ ସୁରକ୍ଷିତ ପ୍ରଜନନ କ୍ରିୟା ପାଇଁ ସମ୍ଭବତଃ ଏହା କରିଥାନ୍ତି। ବ୍ୟାଜର ଶୁକ୍ଳପକ୍ଷରେ ଖୁବ୍‌ କମ୍‌ ପରିସ୍ରା କରିଥାଏ। ଶୁକ୍ଳପକ୍ଷରେ କେତେକ ନିର୍ଦ୍ଦିଷ୍ଟ ପ୍ରଜାତିର ପେଚା ସମ୍ଭାବିତ ପ୍ରଜନନ ପାଇଁ ରାବିବା ସହ ଡେଣା ମେଲାଇବାରେ ସକ୍ରିୟତା ପ୍ରକାଶ କରିଥାନ୍ତି। ପେଚା ପର ଉଜ୍ଜ୍ୱଳ ଚନ୍ଦ୍ରାଲୋକରେ ସ୍ପଷ୍ଟ ଦେଖାଯାଉଥିବାରୁ ସେମାନେ ଏହା କରିଥାନ୍ତି। ଅନ୍ୟପକ୍ଷରେ ଚନ୍ଦ୍ରାଲୋକରେ ରାତ୍ରିଚର ସାମୁଦ୍ରିକ ପକ୍ଷୀମାନେ କମ୍‌ ରାବନ୍ତି ଏବଂ ବାଦଲରେ ଚନ୍ଦ୍ର ଯେତେ ଯେତେ ଢାଙ୍କି ହେଉଥାଏ ସେମାନଙ୍କର ରାବିବା ସେତେ ବଢିଥାଏ। ନଦର୍ନ ସ-ହ୍ବେଟ୍‌ ନାମକ କ୍ଷୁଦ୍ରକାୟ ପେଚା ବଡ଼ ପେଚାମାନଙ୍କ ଶିକାର ନ ହେବା ଲାଗି ଚନ୍ଦ୍ରାଲୋକରେ କମ୍‌ ସକ୍ରିୟ ରହିଥାନ୍ତି।
ଦିନରେ ସକ୍ରିୟ ପ୍ରାଣୀମାନଙ୍କୁ ମଧ୍ୟ ଚନ୍ଦ୍ରାଲୋକ ପ୍ରଭାବିତ କରେ। ଦକ୍ଷିଣ ଆଫ୍ରିକାର କାଲାହାରି ମରୁଭୂମିରେ ଦେଖାଯାଉଥିବା ହ୍ବାଇଟ୍‌ ବ୍ରୋଓ୍ବେଡ୍‌ ସ୍ପାରୋ ଓ୍ବିଭର (ଧଳା ଆଖିପତା ଥିବା ବାଇଚଢେଇ) ସେମାନଙ୍କ ବାସସ୍ଥଳୀର ସୁରକ୍ଷା ଲାଗି ଏକାଠି ରୁହନ୍ତି ଓ ଏକାଠି ରାବନ୍ତି/ଗାଆନ୍ତି। କିନ୍ତୁ ପ୍ରଜନନ ଋତୁରେ ପୂର୍ଣ୍ଣମୀ ଚନ୍ଦ୍ର ଯେତେବେଳେ ଦୃଶ୍ୟମାନ ହୁଏ ସେମାନେ ଶୀଘ୍ର ଉଠିଯାନ୍ତି ଓ ଅଧିକ ସମୟ ଧରି ରାବନ୍ତି। ଚନ୍ଦ୍ର କ୍ଷୀଣ ହେଲେ ଏହା କମିଯାଏ। ଅନେକ ପ୍ରାଣୀ ମୁଖ୍ୟତଃ ପକ୍ଷୀମାନଙ୍କ ପ୍ରବ୍ରାଜନ ଓ ସ୍ଥାନ ପରିବର୍ତ୍ତନ ଲାଗି ଚନ୍ଦ୍ରର ଆବଶ୍ୟତା ରହିଛି।
ସ୍ବିଡେନ୍‌ର ଲଣ୍ଡ୍‌ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ବ୍ରାଜକ ପକ୍ଷୀମାନେ ଦୂରଯାତ୍ରାରେ ବାହାରିବାବେଳେ ଚନ୍ଦ୍ରାଲୋକ ଥାଉ କି ନ ଥାଉ ତା’ର ଅନେକ ପ୍ରଭାବ ରହିଛି। ୟୁରୋପୀୟ ନାଇଟ୍‌ଜାରଙ୍କ ସାହାରାର ଦକ୍ଷିଣାଞ୍ଚଳ ଅଭିମୁଖେ ତିନିମାସିଆ ଯାତ୍ରା ଆରମ୍ଭ ସମୟକୁ କିଭଳି ଚନ୍ଦ୍ରର ତିଥିଚକ୍ର ଓ ଚନ୍ଦ୍ରାଲୋକ ପ୍ରଭାବିତ କରେ ବୈଜ୍ଞାନିକମାନେ ତା’ ଉପରେ ଅନୁଧ୍ୟାନ କରିଥିଲେ। ଅନ୍ଧାର ରାତି ତୁଳନାରେ ଚନ୍ଦ୍ରାଲୋକିତ ରାତିରେ ଏମାନେ ପୋକଜୋକ ଶିକାର କରିବାରେ ଦୁଇଗୁଣ ଅଧିକ ସକ୍ରିୟତା ପ୍ରକାଶ କରୁଥିବା ଦେଖାଯାଇଥିଲା। ସେମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପୂର୍ଣ୍ଣମୀର ୧୦ ଦିନ ପରେ ଦକ୍ଷିଣଆଡ଼କୁ ସେମାନଙ୍କ ଯାତ୍ରା ଆରମ୍ଭ କରିଥାନ୍ତି। ସାମୁଦ୍ରିକ ପକ୍ଷୀ ଷ୍ଟ୍ରେକ୍‌ଡ ଶିୟରଓ୍ବାଟର ଦୀର୍ଘସମୟ ଉଡନ୍ତି ଏବଂ ବହୁ ସମୟରେ ପୂର୍ଣ୍ଣମୀରେ ପାଣିକୁ ଓହ୍ଲାନ୍ତି ବୋଲି ଜାପାନରେ କରାଯାଇଥିବା ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି। ତେବେ ସ୍ପଷ୍ଟ ଚନ୍ଦ୍ରାଲୋକରେ ଶାର୍କମାନେ ଏହାର ଫାଇଦା ଉଠାଇଥାନ୍ତି। ଏଣୁ ଶାର୍କର ଶିକାର ନ ହେବା ଲାଗି ଏହି ପକ୍ଷୀ ପାଣିରେ ବେଶି ସମୟ ରହି ନ ଥାନ୍ତି।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?