ଗାନ୍ଧୀ ବିଚାରକୁ ହତ୍ୟା

ଅକ୍ଷୟ କୁମାର ମିଶ୍ର

ଗାନ୍ଧିଜୀଙ୍କ ମୃତ୍ୟୁ ୭୫ ବର୍ଷ ଅତିକ୍ରାନ୍ତ ହେଲାଣି। ତାହା ପୁଣି ସ୍ବାଭାବିକ ମୃତ୍ୟୁ ନୁହେଁ, ନିର୍ମମ ହତ୍ୟା। ଏହା ସତ୍ତ୍ୱେ ଏ ଦେଶର କୋଟି କୋଟି ଜନତା ଗାନ୍ଧିଜୀଙ୍କୁ ଭୁଲିନାହାନ୍ତି। ଆଜି ଆବାଳ ବୃଦ୍ଧ ବନିତାଙ୍କ ହୃଦୟରେ ସେ ବାପୁଜୀ ଭାବରେ ପୂଜା ପାଉଛନ୍ତି। କେବଳ ନିଜ ଦେଶରେ ନୁହେଁ, ସମଗ୍ର ବିଶ୍ୱରେ ଶ୍ରେଷ୍ଠ ଜନନାୟକ ଭାବରେ ତାଙ୍କର ସ୍ଥାନ ଆଜି ବି ଅପରିବର୍ତ୍ତିତ। ସାରା ବିଶ୍ୱରେ ୨ ଜଣ ମଣିଷ କେବେ କୌଣସି ପଦ ପଦବୀରେ ନ ଥାଇ କ୍ଷମତାର ଦ୍ୱାରଦେଶକୁ ସ୍ପର୍ଶ ନ କରି ମଧ୍ୟ ମାନବ ଜାତିର ହୃଦୟକୁ ଜିଣିପାରିଥିଲେ। ଜଣେ ୧୮୬୯ ଅକ୍ଟୋବର ୨ରେ ଭାରତରେ ଭୂମିଷ୍ଠ ହୋଇଥିବା ବେଳେ ଆଉ ଜଣେ ୧୮୧୮ ମାର୍ଚ୍ଚ ୫ରେ ଜର୍ମାନୀରେ ଜନ୍ମଗ୍ରହଣ କରିଥିଲେ। ଜଣେ ହେଲେ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ଯିଏକି ମହାତ୍ମା ନାମରେ ପରିଚିତ। ଅନ୍ୟ ଜଣକ ହେଲେ କାର୍ଲ ମାକର୍‌ସ ଯାହାଙ୍କର ଜନ୍ମଭୂମି ଜର୍ମାନୀ, କିନ୍ତୁ ସମଗ୍ର ବିଶ୍ୱ ଥିଲା କର୍ମଭୂମି। ଜୀବନବ୍ୟାପୀ ତାଙ୍କୁ ଶାସକ ଓ ଶୋଷକ ଶ୍ରେଣୀର ରୋଷର ଶିକାର ହେବାକୁ ପଡ଼ିଛି। ଯେଉଁ ଦେଶକୁ ଯାଇଛନ୍ତି ସେଠାରୁ ବିତାଡ଼ିତ ହୋଇଛନ୍ତି, ମାତ୍ର ତାଙ୍କ ଦର୍ଶନ ଅର୍ଥନୀତିକୁ ଏକ ନୂତନ ଦିଶା ଦେଇଛି। ସେମିତି ଗାନ୍ଧିଜୀଙ୍କୁ ମଧ୍ୟ ହତ୍ୟା କରାଯାଇଛି। ସେହିଦିନଠାରୁ ଆମ ଦେଶରେ କେତେଜଣ ଲୋକ ଗାନ୍ଧିଜୀଙ୍କ ଉପରେ ମରଣୋତ୍ତର ଆକ୍ରମଣ ଚଳାଇ ରଖିଛନ୍ତି। କେତେବେଳେ ଗାନ୍ଧିଜୀଙ୍କ ଉପରେ କଟୁ ମନ୍ତବ୍ୟ ଦେଉଛନ୍ତି, କେତେବେଳେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗୁଛନ୍ତି। ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ଗାନ୍ଧୀ ବିଚାରକୁ ଶେଷ କରିବା ପାଇଁ ଷଡ଼ଯନ୍ତ୍ର ଚାଲିଛି। କିନ୍ତୁ ଅଜବ କଥା ହେଲା ଯେଉଁମାନେ ଗାନ୍ଧିଜୀଙ୍କ ବିଚାରକୁ ବିନାଶ କରିବାକୁ ଅପପ୍ରୟାସ କରୁଛନ୍ତି ସେମାନେ ସଭା ସମିତିରେ ଗାନ୍ଧିଜୀଙ୍କ ଗୁଣଗାନ କରୁଛନ୍ତି। ସର୍ବସମ୍ମୁଖରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରୁଛନ୍ତି। ଜନ୍ମଦିନ ଓ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। କାରଣ ଏମାନେ ଜାଣିଛନ୍ତି ମହାତ୍ମା ସମସ୍ତଙ୍କ ଆତ୍ମାରେ ବିରାଜମାନ। ସମସ୍ତଙ୍କ ଆବେଗ ସହ ସେ ଜଡ଼ିତ।
ଗାନ୍ଧିଜୀ ଥିଲେ ସତ୍ୟ ଓ ଅହିଂସାର ପୂଜାରୀ। ଗାନ୍ଧିଜୀ ଓକିଲାତିକୁ ଏକଦା ବୃତ୍ତି ଭାବରେ ଗ୍ରହଣ କରିଥିଲେ ମଧ୍ୟ ସେ ଏହାର ବ୍ୟତିକ୍ରମ ଥିଲେ। ତାଙ୍କ ମତରେ ଏମିତି କିଛି ଯାଦୁକରୀ ଶକ୍ତି ନାହିଁ ଯାହାଫଳରେ ଏକାଧିକ ଅସତ୍ୟର ମିଶ୍ରଣରେ ସତ୍ୟର ସୃଷ୍ଟି ହେବ। ବିଚାର, ବଚନ ଓ କର୍ମରେ ସର୍ବଦା ସତ୍ୟାନୁଗାମୀ ହେଲେ ହିଁ ସତ୍ୟ ସଂସ୍ଥାପନ ସମ୍ଭବ। ଆଉ ରହିଲା ଅହିଂସା। ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ‘ସତ୍ୟ ଓ ଅହିଂସା’। ସତ୍ୟ ବିନା ଅହିଂସାର ସ୍ଥିତି ନାହିଁ କି ହିଂସାରେ ସତ୍ୟର ସ୍ଥାନ ନାହିଁ। ଗୋଟିଏ ମିଥ୍ୟାକୁ ଲୁଚାଇବା ପାଇଁ ଯେମିତି ଏକାଧିକ ମିଥ୍ୟା କହିବାକୁ ପଡ଼ିଥାଏ ସେମିତି ଥରେ ହିଂସା ଆଚରିଲେ ପଛକୁ ପଛ ଖାଲି ହିଂସାର ଆଗମନ ଘଟିଥାଏ। ହିଂସାର ପରାଭବ ହିଂସାରେ ନୁହେଁ, ବରଂ ଅହିଂସାର ମାର୍ଗରେ ସମ୍ଭବ ହୋଇଥାଏ। କିନ୍ତୁ ସମ୍ପ୍ରତି ଜୀବନଚର୍ଯ୍ୟାରେ ହେଉ ଅଥବା କ୍ଷମତା ଯୁଦ୍ଧରେ ସତ୍ୟ ପରାହତ, ଅହିଂସା କ୍ଳାନ୍ତ। ବିଡ଼ମ୍ବନା ହେଉଛି ସୁଦୂର ଆମେରିକାର ନିଗ୍ରୋ ନେତା ମାର୍ଟିନ୍‌ ଲୁଥର କିଙ୍ଗ୍‌ ଗାନ୍ଧୀ ବିଚାରକୁ ଆଦର୍ଶ ରୂପେ ଗ୍ରହଣ କରିବାକୁ ଯାଇ ଆତତାୟୀ ଗୁଳିରେ ନିଜ ଜୀବନ ଦେବାକୁ କୁଣ୍ଠାବୋଧ କରି ନ ଥିବା ବେଳେ ଗାନ୍ଧୀ ଭୂମିରେ ଗାନ୍ଧୀ ଦର୍ଶନର ହତ୍ୟା ପାଇଁ ଗାନ୍ଧୀଙ୍କ ଜୀବନ ନେବାକୁ ଆମେ ପଛାଇଲୁ ନାହିଁ।
ଲୋକମାନ୍ୟ ବାଲ୍‌ ଗଙ୍ଗାଧର ତିଲକ୍‌ ସିନା ସେଦିନ ଘୋଷଣା କରିଥିଲେ, ସ୍ବରାଜ ମୋର ଜନ୍ମଗତ ଅଧିକାର। ମୁଁ ଏହାକୁ ନିଶ୍ଚୟ ହାସଲ କରିବି। କିନ୍ତୁ ଗାନ୍ଧିଜୀଙ୍କ ମତରେ ସ୍ବରାଜ କେବଳ ସ୍ବାଧୀନତା ପ୍ରାପ୍ତିରେ ସୀମିତ ନୁହେଁ। ଯେପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ଜାତି, ଧର୍ମ, ବର୍ଣ୍ଣ, ଧନୀ, ଦରିଦ୍ର ନିର୍ବିଶେଷରେ ସାମାଜିକ ଓ ଅର୍ଥନୈତିକ ଭାବେ ସ୍ବାବଲମ୍ବୀ ହୋଇପାରିନାହାନ୍ତି ସେପର୍ଯ୍ୟନ୍ତ ସ୍ବରାଜର ପ୍ରକୃତ ଅର୍ଥ ସାଧିତ ହେବ ନାହିଁ। ଶାସକ ଓ ଶାସିତ ସମସ୍କନ୍ଧ ହେବା ବାଞ୍ଛନୀୟ। ଦେଶର ଅର୍ଥନୀତିକୁ ଗ୍ରାମାଭିମୁଖୀ କରିବାକୁ ପଡ଼ିବ। କୁଟୀରଶିଳ୍ପ ଉପରେ ଅଧିକ ପ୍ରାଧାନ୍ୟ ଜରୁରୀ। ଏଥିପାଇଁ ପ୍ରତ୍ୟେକ ଆତ୍ମ ନିୟନ୍ତ୍ରକ ଅର୍ଥାତ୍‌ ଆତ୍ମସଂଯମ, ଆତ୍ମନିରୀକ୍ଷକ ହେବା ସହିତ ଶୋଷଣ କଷଣ ନିପୀଡ଼ନରୁ ଜନସାଧାରଣଙ୍କୁ ମୁକ୍ତିଦେବାକୁ ପଡ଼ିବ। କିନ୍ତୁ ଗାନ୍ଧିଜୀଙ୍କ ସ୍ବପ୍ନର ସ୍ବରାଜ ସମ୍ପ୍ରତି ବଞ୍ଚି ରହିଛି ପାଠାଗାରରେ ସାଇତା ପୁସ୍ତକର ପୃଷ୍ଠାରେ, ନେତାଙ୍କ ଭାଷଣରେ ଅବା କିଛି ଗାନ୍ଧିବାଦୀଙ୍କ ହୃଦୟରେ।
ଗାନ୍ଧିଜୀଙ୍କ ବିଚାର ଓ ବିଶ୍ୱାସ ଧର୍ମ ନିରପେକ୍ଷତା ଉପରେ ଆଧାରିତ ଥିଲା। କୌଣସି ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଉଚ୍ଚାସନ ଦେଇ ଅନ୍ୟକୁ ନୂ୍ୟନ କରିବା ତାଙ୍କ ଦର୍ଶନର ପରିପନ୍ଥୀ ଥିଲା। ସେ ଈଶ୍ୱର ବିଶ୍ୱାସୀ ଥିଲେ। ପ୍ରତିଦିନ ଗୀତା ଓ ରାମାୟଣ ପଠନ କରୁଥିଲେ। କିନ୍ତୁ ନିତ୍ୟ ପ୍ରାର୍ଥନା ସଭାରେ ‘ଈଶ୍ୱର ଆଲ୍ଲା ତେରେ ନାମ୍‌ ସବ୍‌କୋ ସନ୍‌ ମତି ଦେ ଭଗବାନ୍‌’ ଗାନ କରୁଥିଲେ। ସ୍ବାଧୀନତାର ଅବ୍ୟବହିତ ପୂର୍ବରୁ ଏବଂ ସ୍ବାଧୀନତା ପ୍ରାପ୍ତି ପରେ ବଙ୍ଗ ବିଭାଜନ ଓ ଭାରତ ବିଭାଜନକୁ ନେଇ ଯେଉଁ ସାମ୍ପ୍ରଦାୟିକ ଦଙ୍ଗା ଉପୁଜିଥିଲା ସେଥିରେ ତାଙ୍କ ଆଭିମୁଖ୍ୟ ଥିଲା ସ୍ପଷ୍ଟ। ୧୯୪୬ ଅଗଷ୍ଟ ୧୬ କଲିକତାର ହିନ୍ଦୁ ବହୁଳ ଅଞ୍ଚଳ ନୋଆଖାଲିରେ ଲୋମହର୍ଷଣ ହତ୍ୟାକାଣ୍ଡ ସମୟରେ, ୧୯୪୭ ଅଗଷ୍ଟ ୧୩ ଅପରାହ୍ନରେ କଲିକତା ସ୍ଥିତ ଆବର୍ଜନା ବେଷ୍ଟିତ ଏକ ପରିତ୍ୟକ୍ତ ଗୃହ ହାଇଦରୀ ଭବନରେ ଉପସ୍ଥିତ ହୋଇ ପ୍ରତିଶୋଧର ଦାବାନଳରେ ଜଳୁଥିବା ଉତ୍ତ୍ୟକ୍ତ ଜନତାଙ୍କୁ ସମ୍ମୁଖୀନ ହେବା ସମୟରେ ଏବଂ ୧୯୪୮ ଜାନୁଆରୀ ୧୩ଠାରୁ ବିରଳା ଭବନରେ କରିଥିବା ଆମରଣ ଅନଶନ ଗାନ୍ଧିଜୀଙ୍କ ଧର୍ମ ନିରପେକ୍ଷତାର ବିଶୁଦ୍ଧ ପରିଚୟ। ବ୍ୟକ୍ତିଗତ ଜୀବନଚର୍ଯ୍ୟାରେ ସେ ଏକ ନିର୍ଦ୍ଦିଷ୍ଟ ଧର୍ମର ଉପାସକ ହୋଇଥିବା ବେଳେ ଜାତୀୟ ଜୀବନ ଥିଲା ସର୍ବଧର୍ମ ସମନ୍ବୟର ଏକ ଶୁଦ୍ଧ ଶାନ୍ତିସ୍ତୂପ। କିନ୍ତୁ ଏହି ବିଚାରକୁ ଆମେ ପ୍ରତ୍ୟାଖ୍ୟାନ କରି ରାଷ୍ଟ୍ରକୁ ଧର୍ମ ସହ ସମ୍ପୃକ୍ତ କରିବାକୁ ଆମେ ଏବେ ଅଣ୍ଟା ଭିଡ଼ିଛୁ।
ସତ୍ୟ, ଧର୍ମ, ଅହିଂସା, ସ୍ବରାଜକୁ ନେଇ ବାପୁଜୀଙ୍କର ଥିବା ବିଚାରବୋଧକୁ କେବଳ ଆମେ ବର୍ଜନ କରିନାହୁଁ ତାଙ୍କର ଅବକାରୀ ନୀତି, ‘ନଇ ତାଲିମ’ ଶିକ୍ଷାନୀତିକୁ ଆମେ ଗ୍ରହଣ କରିପାରିଲୁ ନାହିଁ। ସେ କହୁଥିଲେ, ”ମଦରୁ ଆୟ କରିବା ପାପ ବୋଲି ବିଚାର କରିବା ଉଚିତ।“ କିନ୍ତୁ ମଦରୁ ଅଧିକ ଆୟ କରିବା ପାଇଁ ଆମେ ପ୍ରତି ପଞ୍ଚାୟତରେ ମଦଦୋକାନ ଖୋଲିବାକୁ ଅନୁମତି ଦେଉଛୁ। ଏ ସବୁକୁ ଅନୁଧ୍ୟାନକଲେ ସ୍ପଷ୍ଟ ଭାବରେ କହିପାରିବା ଯେ ମହାତ୍ମା ଗାନ୍ଧୀଙ୍କ ବିଚାରଧାରା, ତାଙ୍କ ଦର୍ଶନକୁ ମାନି ଆମେ ରାସ୍ତା ଚାଲିବାକୁ ନାରାଜ ହେଲୁଣି। ଅପ୍ରାସଙ୍ଗିକ ମନେକଲୁଣି ଗାନ୍ଧୀ ନୀତି ଓ ଆଦର୍ଶ। ଗାନ୍ଧୀ ଆସନ୍ତି କେବଳ ସ୍ମୃତିଚାରଣରେ ଓ ସଭାସମିତିରେ ପ୍ରଦତ୍ତ ଭାଷଣରେ। କିନ୍ତୁ ଏହା ସତ୍ୟ ଯେ ହିଂସା, ସନ୍ତ୍ରାସ, ଦଙ୍ଗା ଉପୁଜିଲେ ଗାନ୍ଧିଜୀଙ୍କ ବିଚାର ପ୍ରୟୋଜନୀୟ ମନେହୁଏ। ଅନ୍ୟାୟ, ଅନୀତି, ଦୁର୍ନୀତି ଯେତେବେଳେ ଲଗାମହୀନ ହେଉଛି ଗାନ୍ଧିଜୀଙ୍କ ପ୍ରଦର୍ଶିତ ଆତ୍ମ ସଂଯମର ପଥ ଅପରିହାର୍ଯ୍ୟ ବୋଲି ମନେହେଉଛି। ଏଣୁ ଉପସଂହାରରେ ଏତିକି କୁହାଯାଇପାରେ ଭାରତୀୟ ସମାଜ, ସଭ୍ୟତା ଓ ସଂସ୍କୃତିର ଚିର ଉତ୍ଥାନ ପାଇଁ ଗାନ୍ଧିଜୀଙ୍କ ବିଚାର ଥିଲା, ଅଛି, ଭବିଷ୍ୟତରେ ରହିବ ମଧ୍ୟ ଯିଏ ଯେତେ ଅସ୍ବୀକାର କଲେ ବି।
ସଭାପତି, ଓଷ୍ଟା
ମୋ:୯୯୩୮୭୬୩୨୩୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri