ଖାଦ୍ୟ ନଷ୍ଟ ଏକ ବୈଶ୍ବିକ ବିପର୍ଯ୍ୟୟ

ଡ. ମନୋରଞ୍ଜନ ପ୍ରଧାନ

ଖାଦ୍ୟ ନଷ୍ଟ ଭଳି ଏକ ସାଂଘାତିକ ବିପର୍ଯ୍ୟୟ ସମ୍ବନ୍ଧରେ ଆଲୋକପାତ ପୂର୍ବରୁ ଛୋଟ ଘଟଣାଟି ଅବତାରଣା କରୁଛି। ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ହଜାର ହଜାର ଲୋକଙ୍କ ସହ ପଂକ୍ତି ଭୋଜନରେ ବସିଥାଏ। ସେବିକା ସେବକମାନେ ଶୃଙ୍ଖଳା ଓ ନିଷ୍ଠାର ସହ ପ୍ରସାଦ ପରଷୁଥାନ୍ତି। ମୋ ପାଖକୁ ଲାଗି ବସିଥିବା ଜଣେ ବୟୋବୃଦ୍ଧ (ଅବସରପ୍ରାପ୍ତ ସରକାରୀ ଅଧିକାରୀ) ଭକ୍ତ ଜଣକ ଖାଇସାରି କେବଳ ଗୋଟିଏ ବୋଇତାଳୁ (ବୋଇତି କଖାରୁ) ଫଳ ନ ଖାଇ ଥାଳି ସହ ଉଠିଗଲେ। ଭକ୍ତମାନଙ୍କ ଶୃଙ୍ଖଳିତ ପ୍ରସାଦ ସେବନ ବ୍ୟବସ୍ଥାରେ ଥିବା ଜଣେ ଅଧିକାରୀ ତୁରନ୍ତ ଆସି ଖାଇବାକୁ ନିର୍ଦ୍ଦେଶ ଦେଇ କହିଲେ, ଏତିକି ଖାଦ୍ୟ ପ୍ରସ୍ତୁତି (ପରିବା) ପାଇଁ ଜଣେ କୃଷକଙ୍କୁ କେତେ ପରିଶ୍ରମ କରିବାକୁ ପଡ଼େ ଆପଣ ଚିନ୍ତା କରିଛନ୍ତି! ଗୁରୁଦେବ ପ୍ରବଚନରେ କ’ଣ କହନ୍ତି ଅନ୍ନ ହିଁ ବ୍ରହ୍ମ । କି ଗହିରିଆ ଭାବ ଓ ତତ୍ତ୍ବ। ଆମ ସଂସ୍କୃତି ଓ ପରମ୍ପରାରେ ଅନ୍ନ ବ୍ରହ୍ମ ଓ ତାହାକୁ ନଷ୍ଟ କରିବା ପାପ ବୋଲି ବାଲ୍ୟକାଳରୁ ପରିବାରର ବଡ଼ମାନେ ପରାମର୍ଶ ଦେଇଥାନ୍ତି। ମୋର ମନେଅଛି ମୋ ଜେଜେମା’ ଓ ଆଈ ଭାତର ଗୋଟିଏ ଦାନା ଫିଙ୍ଗିବାକୁ ବରଦାସ୍ତ କରନ୍ତି ନାହିଁ। କହନ୍ତି ଖାଦ୍ୟ ଫିଙ୍ଗିଲେ ଲକ୍ଷ୍ମୀ ଛାଡିଯିବ, ଗଡଗଡା(ଦରିଦ୍ର) ହୋଇଯିବ। କିନ୍ତୁ ଆଜି ଅଧା ଖାଇ ଅଧା ଫିଙ୍ଗିବା ଏକ ଫେଶନ ହୋଇଗଲାଣି। ଗୋଟିଏ ପଟେ ଅନାହାର ଅନ୍ୟପଟେ ଖାଦ୍ୟ ପଦାର୍ଥର ଅନାଦର ଓ ଅପଚୟ ଆଜିର ବିଶ୍ୱବାସୀଙ୍କ ପାଇଁ ଏକ ବଡ଼ ସମସ୍ୟା ତଥା ଆହ୍ବାନ।
ଜାତିସଂଘ ଖାଦ୍ୟ ନଷ୍ଟ କରିବାକୁ ଏକ ବୈଶ୍ବିକ ବିପର୍ଯ୍ୟୟ (ଗ୍ଲୋବାଲ ଟ୍ରାଜେଡି) ବୋଲି ଅଭିହିତ କରିଛି। ସଦ୍ୟ ପ୍ରକାଶିତ ଖାଦ୍ୟ ନଷ୍ଟ ସୂଚକାଙ୍କ(ଫୁଡ୍‌ ଓ୍ବେଷ୍ଟ୍‌ ଇଣ୍ଡେକ୍ସ) ରିପୋର୍ଟରେ ଜାତିସଂଘ ପ୍ରକାଶ କରିଛି କି ବିଜ୍‌ନେସ ହାଉସ ଓ ଘରମାନଙ୍କୁ ମିଶାଇ ବର୍ଷ ୨୦୨୨ରେ ସାରା ବିଶ୍ବରେ ଦିନକୁ ପ୍ରାୟ ଏକ ଟ୍ରିଲିଅନ ଡଲାର ମୂଲ୍ୟର ଖାଦ୍ୟ ନଷ୍ଟ କରାଯାଇଛି। ରିପୋର୍ଟରେ ପୁଣି କୁହାଯାଇଛି ଯେ ବର୍ଷ ୨୦୨୨ରେ ବିଶ୍ବରେ ଦିନକୁ ୧୦୫ କୋଟି ଟନ ଖାଦ୍ୟ ନଷ୍ଟ କରାଯାଇଛି। ଅର୍ଥାତ୍‌ ମୁଣ୍ଡ ପିଛା ୧୩୨ କିଲୋଗ୍ରାମ ଖାଦ୍ୟ ନଷ୍ଟ କରିଛନ୍ତି ବିଶ୍ବବାସୀ। ବିଶ୍ବରେ ୮୦ କୋଟି ଲୋକ ଭୋକ ତଥା ଅନାହାରରେ ଶୋଉଥିବା ବେଳେ ଏତେ ପରିମାଣରେ ଖାଦ୍ୟ ନଷ୍ଟ ହେବା ଚିନ୍ତାର ବିଷୟ। ରିପୋର୍ଟ ଅନୁଯାୟୀ, ସବୁଠାରୁ ଉଦ୍‌ବେଗଜନକ ଖବର ହେଉଛି ଯେ ସମୁଦାୟ ଖାଦ୍ୟ ନଷ୍ଟର ସିଂହଭାଗ (୬୩%) ଘରେ ନଷ୍ଟ ହୋଇଥାଏ। ଅର୍ଥାତ୍‌ ଘର ବା ପରିବାରଗୁଡିକ ବାର୍ଷିକ ୬୩.୧ ଟନ୍‌ ଖାଦ୍ୟ ନଷ୍ଟ କରିଥାନ୍ତି। ଜାତିସଂଘର ପରିବେଶ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଅନୁସାରେ ଖାଦ୍ୟ ନଷ୍ଟ ଏକ ବୈଶ୍ବିକ ବିପର୍ଯ୍ୟୟ । ଏହା ପରିବେଶ ପାଇଁ ବିପଦ ବୋଲି କହିଛନ୍ତି। ତେବେ ଖାଦ୍ୟ ନଷ୍ଟ କ’ଣ ଓ କାହିଁକି?
ଖାଦ୍ୟ ନଷ୍ଟକୁ ଦୁଇ ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ। ଯଥା ରନ୍ଧା ବା ପ୍ରସ୍ତୁତ ଖାଦ୍ୟ ଅପଚୟ ଓ ଅଣରନ୍ଧା ତଥା ଖାଦ୍ୟଶସ୍ୟ ଅପଚୟ। ରାନ୍ଧିଥିବା ଖାଦ୍ୟ ବା ପ୍ରସ୍ତୁତ ହୋଇ ସାରିଥିବା ଖାଦ୍ୟ ଅପଚୟ ପ୍ରଥମ ପର୍ଯ୍ୟାୟର। ରନ୍ଧା ଖାଦ୍ୟ ନଷ୍ଟ ହେବାର ମୁଖ୍ୟ କାରଣ ଆବଶ୍ୟକତାଠାରୁ ଅଧିକ ରାନ୍ଧିବା ଏବଂ ଉପଯୋଗ ନ ହୋଇ ନଷ୍ଟ କରିବା ବା ଫୋପାଡିବା। ଏଭଳି ଦୃଶ୍ୟ ସବୁଆଡେ ଦେଖିପାରିବା। ବିଶେଷ ଭାବରେ ଭୋଜିଭାତରେ ଖାଇବାଠାରୁ ଫୋପାଡିବା ଖାଦ୍ୟ ବେଶି। ପେଟକୁ କମ, ଖଲି ବା ପ୍ଲେଟରେ ବେଶି ଫିଙ୍ଗି ଥାଆନ୍ତି ଲୋକମାନେ। ଏହାର କାରଣ ପୂର୍ବାନୁମାନର ଅଭାବ ହେତୁ ବେଶି ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି। ଅଧିକ ଖାଇବାର ଲୋଭ ବା ବାଢୁଥିବା ଲୋକଙ୍କ ବେପରୁଆ ବଣ୍ଟନ ଏବଂ ଖାଦ୍ୟ ପଦାର୍ଥ ନଷ୍ଟର କୁପରିଣାମ ସମ୍ବନ୍ଧରେ ଅଜ୍ଞ କିମ୍ବା ବେଖାତିର ମନୋବୃତ୍ତି। ବିଶେଷକରି ବଫେ ସିଷ୍ଟମ ବ୍ୟବସ୍ଥାରେ ଖାଦ୍ୟ ନଷ୍ଟର ସମ୍ଭାବନା ବେଶି। କିନ୍ତୁ ପଂକ୍ତି ଭୋଜନରେ ଏହାର ସମ୍ଭାବନା ବହୁତ କମ। ପ୍ରଥମ ବ୍ୟବସ୍ଥାରେ ଦେବାନେବାରେ କଟକଣା ନ ଥାଏ। କିନ୍ତୁ ଦ୍ବିତୀୟ ବ୍ୟବସ୍ଥାରେ ସମାଜ ତଥା ଜଣାଶୁଣା ଅନେକ ଲୋକଙ୍କ ସହ ଧାଡ଼ିରେ ବସି ଥିବା ହେତୁ ଖାଦ୍ୟ ନଷ୍ଟ ପାଇଁ ସଙ୍କୋଚ ଆସେ ଏବଂ ବଣ୍ଟନ କରୁଥିବା ଲୋକମାନେ ସଚେତନ ଭାବରେ ଆବଶ୍ୟକ ପରିମାଣରେ ଖାଦ୍ୟ ପରିବେଷଣ କରିଥାନ୍ତି। ସେହିପରି ହୋଟେଲ ବା ରେସ୍ତୋରାଁରେ ପ୍ଲେଟ ବ୍ୟବସ୍ଥା ଥାଏ। ଆପଣ ଖାଇବାକୁ ଚାହିଁଲେ ପୂରା ବା ଅଧା ପ୍ଲେଟ ମାଗିବାକୁ ପଡ଼େ। ଏ କ୍ଷେତ୍ରରେ ଉପଭୋକ୍ତା ଅକଳରେ ପଡିଯାଏ। ଅଧା ପ୍ଲେଟ ପେଟାପୂରା ନୁହେଁ ପୂରା ପ୍ଲେଟ ଭାଗକୁ ବଳକା। ବାଧ୍ୟ ହୋଇ ପୂରା ପ୍ଲେଟ ମାଗିବାକୁ ପଡ଼େ। ଫଳତଃ ଖାଦ୍ୟ ନଷ୍ଟ ହୋଇଥାଏ। ଅବଶ୍ୟ ବଳକା ଖାଦ୍ୟ ପ୍ୟାକ କରି ଆଣିହେବ। ହେଲେ ଆମ୍ଭମାନଙ୍କର ବୃଥା ଅହଙ୍କାର,ବଡ଼ଲୋକି ପଣିଆ ଓ ସଙ୍କୋଚ ମନୋଭାବ ଖାଦ୍ୟ ଛାଡି ଚାଲିଆସିବାକୁ ବାଧ୍ୟ କରେ।
ପ୍ରସ୍ତୁତ ଖାଦ୍ୟ (ରେଡି ମେଡ୍‌) ମଧ୍ୟ ବହୁ ପରିମାଣରେ ନଷ୍ଟ ହୋଇଥାଏ। ଶୁଖିଲା ଖାଦ୍ୟ ବା ବହୁଦିନ ସଂରକ୍ଷିତ ହୋଇପାରୁଥିବା ରନ୍ଧା ଖାଦ୍ୟ ଲୋକମାନେ ବହୁପରିମାଣରେ ନଷ୍ଟ କରିଥାନ୍ତି। ଏଭଳି ଖାଦ୍ୟ ଲୋକମାନେ ଆବଶ୍ୟକତାଠାରୁ ଅଧିକ କିଣିଥାନ୍ତି। ସମୟ ଅଭାବ, କାର୍ଯ୍ୟ ବ୍ୟସ୍ତ, ଭୁଲାପଣ ବା ବେଖାତିର ମନୋବୃତ୍ତି ହେତୁ ଏଭଳି ଖାଦ୍ୟର ଏକ୍ସପାଏରି ଡେଟ ଚାଲିଯାଏ। ଫଳରେ ଖାଦ୍ୟ ପଦାର୍ଥ ନଷ୍ଟହୁଏ। ରନ୍ଧା ଖାଦ୍ୟକୁ ଛାଡ଼ିଦେଲେ ବହୁ ପରିମାଣରେ ଖାଦ୍ୟଶସ୍ୟ ଶଢି ଯିବା ମଧ୍ୟ ଖାଦ୍ୟ ନଷ୍ଟର ଏକ ପ୍ରମୁଖ କାରଣ। ବିଶେଷକରି ବିକାଶଶୀଳ ରାଷ୍ଟ୍ରମାନଙ୍କରେ ବିଭିନ୍ନ ଋତୁରେ ଚାଷୀ ଖାଦ୍ୟଶସ୍ୟ ବା ଖାଦ୍ୟ ପଦାର୍ଥ ଉତ୍ପାଦନ କରୁଛି। କିନ୍ତୁ ଶୀତଳଭଣ୍ଡାର ବା ଉପଯୁକ୍ତ ପରିବହନ ସୁବିଧା ନ ଥିବା ହେତୁ ସେଗୁଡିକ ନଷ୍ଟ ହୁଏ। ଉଦାହରଣ ସ୍ବରୂପ ଆମ ଦେଶ ଓ ରାଜ୍ୟରେ ପିଆଜ,ଟମାଟୋ(ବିଲାତି) ଭଳି ଅନେକ ଖାଦ୍ୟଶସ୍ୟ ତଥା ପନିପରିବା ଚାଷୀ ଉତ୍ପାଦନ କରୁଛି । କିନ୍ତୁ ଶୀତଳଭଣ୍ଡାର ଅଭାବରୁ ସେଗୁଡିକର ଅଭାବୀ ବିକ୍ରି ହେଉଛି ବା ଅନେକ ସମୟରେ ଚାଷୀମାନେ ରାସ୍ତାକଡ଼ରେ ବା ନିଜ ଜମିରେ ନଷ୍ଟ କରିବାକୁ ବାଧ୍ୟ ହୁଅନ୍ତି। ଏପରି କି ଦୁଗ୍ଧ ବିଭିନ୍ନ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣରେ ଉତ୍ପାଦିତ ହେଇଥାଏ କିନ୍ତୁ ପରିବହନ ଅଭାବରୁ ଅଭାବୀ ବା ଆବଶ୍ୟକ ଥିବା ଉପଭୋକ୍ତାଙ୍କ ପାଖରେ ପହଞ୍ଚି ପାରିନାହିଁ। ଯାହାଫଳରେ ନଷ୍ଟ ହୁଏ। ଏଥିସହ ଖାଦ୍ୟ ନଷ୍ଟର କାରଣ ସମୟ, ପରିସ୍ଥିତି ଓ ସ୍ଥାନ ବିଶେଷରେ ଭିନ୍ନ ଭିନ୍ନ ହୋଇଥାଏ। କିନ୍ତୁ ଏହାର କୁପ୍ରଭାବ ସମଗ୍ର ମାନବ ସମାଜ ତଥା ଜୀବଜଗତ ଉପରେ ପଡିଥାଏ। ଅବଶ୍ୟ ଆଜିକାଲି କେତେକ ସଙ୍ଗଠନ ବଳକା ଖାଦ୍ୟ ସଂଗ୍ରହ କରି ଅଭାବୀ ଅସହାୟ ଲୋକଙ୍କ ପାଖକୁ ପହଞ୍ଚାଇବାକୁ ପ୍ରୟାସ କରୁଛନ୍ତି। କେତେକ ଜାଗାରେ ଫୁଡ୍‌ ବ୍ୟାଙ୍କ ମଧ୍ୟ ଚାଲୁ କରାଗଲାଣି। କିନ୍ତୁ ସବୁ ସ୍ଥାନରେ ବା ପର୍ଯ୍ୟାପ୍ତ ସଂଖ୍ୟାରେ ନାହିଁ। କିନ୍ତୁ ଏହାକୁ ବ୍ୟାପକ ଜନ ଆନ୍ଦୋଳନରେ ପରିଣତ କରିବାର ସମୟ ଉପନୀତ। ପରିବାରର ବରିଷ୍ଠ ସଦସ୍ୟଗଣ ନିଜ ପିଲାମାନଙ୍କୁ ଏ ସମ୍ବନ୍ଧରେ ସଚେତନ ଓ ସତର୍କ କରେଇବା ଦରକାର। ଏଥିସହ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସାଙ୍ଗକୁ ବିଦ୍ୟାଳୟ ସ୍ତରରୁ ପାଠ୍ୟକ୍ରମରେ ଖାଦ୍ୟ ସୁରକ୍ଷା ଓ ଖାଦ୍ୟ ନଷ୍ଟର କୁପ୍ରଭାବ ସମ୍ବନ୍ଧରେ ଯୁବ ପିଢ଼ିଙ୍କୁ ସଚେତନ କରାଇବା ଉଚିତ। ନଚେତ ପରିସ୍ଥିତି ଶୋଚନୀୟ ହୋଇପଡିବ। ଅପରପକ୍ଷରେ ଆବଶ୍ୟକ ପଡିଲେ ସରକାରୀ ସ୍ତରରେ ଆଇନ ତିଆରି କରାଯିବା ଉଚିତ।
ସହକାରୀ ପ୍ରଫେସର, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ, ଜୟପୁର, କୋରାପୁଟ
ମୋ:୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri