କେତେ ଜରୁରୀ ଭିଆଇପି ସୁରକ୍ଷା

ଶରତ ଚନ୍ଦ୍ର ମିଶ୍ର
ଖଲିସ୍ଥାନ ଆନ୍ଦୋଳନ, ମାଓବାଦ, ଆତଙ୍କବାଦ ଓ ଦେଶରେ ହିଂସାର ବାତାବରଣ ହେତୁ, ନେତାମାନଙ୍କର ସୁରକ୍ଷା ବର୍ତ୍ତମାନ ଦେଶର ଏକ ବଡ଼ ଦାୟିତ୍ୱ। ଶିଳ୍ପପତି ଓ ଅଭିନେତାମାନେ ମଧ୍ୟ ସୁରକ୍ଷାର ବଳୟ ମଧ୍ୟରେ ରହିବାକୁ ଚାହୁଁଛନ୍ତି। ଶିଳ୍ପପତି ଓ ଅଭିନେତାମାନେ ସରକାରୀ ସୁରକ୍ଷାର ଖର୍ଚ୍ଚ ପ୍ରଦାନ କରନ୍ତି, କିନ୍ତୁ ରାଜନେତା, ଅମଲାତନ୍ତ୍ରୀ ଓ ବିଚାରପତିମାନଙ୍କ ସୁରକ୍ଷାର ବ୍ୟୟ ଟିକସଦାତା ବହନ କରେ।
ମହତ୍ମା ଗାନ୍ଧୀଙ୍କ ନିଧନ (ଜାନୁୟାରୀ ୧୯୪୮) ସମୟରେ ନିରାପତ୍ତା ବ୍ୟବସ୍ଥା ଓ ଗୋଇନ୍ଦା ସଂସ୍ଥା ସଙ୍ଗଠିତ ନ ଥିଲା। ମହାତ୍ମା ଗାନ୍ଧୀ ନିଜେ କୌଣସି ପୋଲିସ ସୁରକ୍ଷା ଗ୍ରହଣ କରୁ ନ ଥିଲେ। ଇନ୍ଦିରା ଗାନ୍ଧୀଙ୍କ ନିଧନ (୧୯୮୪) ପରେ ଭିଆଇପି ସୁରକ୍ଷାର ଗୁରୁତ୍ୱ ଅନୁଭୂତ ହେଲା ଏବଂ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାରର ସୁରକ୍ଷା ନିମନ୍ତେ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍‌ (ଏସ୍‌ପିଜି) ନାମକ ଏକ ସ୍ବତନ୍ତ୍ର ସଂସ୍ଥା ଗଠନ ହେଲା। ଏଥିନିମନ୍ତେ ୧୯୮୮ରେ ଏକ ଆଇନ ମଧ୍ୟ ପ୍ରଣୟନ କରାଗଲା। ପ୍ରଧାନମନ୍ତ୍ରୀ ପଦବୀରେ ନ ଥାଇ ୧୯୯୧ ମସିହାରେ ରାଜୀବ ଗାନ୍ଧୀ ନିର୍ବାଚନ ପ୍ରଚାର କରୁଥିଲେ ଓ ଅନେକ ସମୟରେ ସେ ପୋଲିସର କର୍ଡନ ମାନୁ ନ ଥିଲେ ବୋଲି ଅଭିଯୋଗ ହେଉଥିଲା। ତାଙ୍କ ପାଖରେ ଏସ୍‌ପିଜିର କଡା ସୁରକ୍ଷା ନ ଥିଲା ଓ ଏଲ୍‌ଟିଟିଇ ଆତତାୟୀଙ୍କ ହାତରେ ସେ ଓ ତାଙ୍କର ଦେହରକ୍ଷୀ ପ୍ରାଣ ହରାଇଲେ। ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ନରସିଂହ ରାଓ ଏସ୍‌ପିଜି ଆଇନକୁ ସଂଶୋଧନ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାର ଦଶବର୍ଷ ପର୍ଯ୍ୟନ୍ତ ଏସ୍‌ପିଜି ସୁରକ୍ଷାପ୍ରାପ୍ତ ହେବେ ବୋଲି ବ୍ୟବସ୍ଥା କଲେ। ତତ୍କାଳୀନ ପୂର୍ବତନ ପ୍ରଧାନମନ୍ତ୍ରୀ ଭି.ପି. ସିଂହ ଏ ସୁରକ୍ଷା ଚାହାନ୍ତି ନାହିଁ ବୋଲି ପ୍ରସ୍ତାବ ଦେଲେ ମଧ୍ୟ ତାହା ଗ୍ରହଣ କରାଗଲା ନାହିଁ। ନରସିଂହ ରାଓ ପ୍ରଧାନମନ୍ତ୍ରୀ ପଦରୁ ଯିବାର ପାଞ୍ଚ ମାସ ପରେ ମାଲିମକଦ୍ଦମାରେ ଛନ୍ଦି ହେଲେ ଓ ତାଙ୍କର ନିରାପତ୍ତା ବ୍ୟବସ୍ଥା କୋର୍ଟ ପରିସରରେ ସଚଳ ରଖିବା ସମ୍ଭବପର ନୁହେଁ ବୋଲି ଦିଲ୍ଲୀ ପୋଲିସ ଆବେଦନ କଲେ। କୋର୍ଟ ନରସିଂହ ରାଓଙ୍କ ବିଚାର ବିଜ୍ଞାନ ଭବନକୁ ସ୍ଥାନାନ୍ତର କରିବାକୁ ଆଦେଶ ଦେଲେ।
ଅଟଳବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ଏସ୍‌ପିଜି ଆଇନର ପୁନଃ ସଂଶୋଧନ ହେଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାର ଏସ୍‌ପିଜି ସୁରକ୍ଷା ମାତ୍ର ଏକବର୍ଷ ନିମନ୍ତେ ପାଇବେ ଓ ଆବଶ୍ୟକ ସ୍ଥଳେ ଏହା ପ୍ରତିବର୍ଷ ନବୀକରଣ ହେବାର ବ୍ୟବସ୍ଥା ରହିଲା। ଏହି ନୂତନ ବ୍ୟବସ୍ଥା ଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଆଇ.କେ. ଗୁଜରାଲ ଓ ଦେବେଗୌଡାଙ୍କ ଏସ୍‌ପିଜି ସୁରକ୍ଷା ପ୍ରତ୍ୟାହାର କରି ନିଆଗଲା। ଅଳ୍ପଦିନ ତଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଏସ୍‌ପିଜି ସୁରକ୍ଷାକୁ ଜେଡ୍‌ ପ୍ଲସକୁ ହ୍ରାସ କରାହୋଇଛି। ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ କେବଳ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଏସ୍‌ପିଜି ସୁରକ୍ଷା ଉପଭୋଗ କରୁଛନ୍ତି।
ଏସ୍‌ପିଜି ସୁରକ୍ଷା ପରେ ଜେଡ୍‌ ପ୍ଲସ ସୁରକ୍ଷା ବ୍ୟବସ୍ଥା, ଯେଉଁମାନଙ୍କ ଜୀବନ ଅତ୍ୟନ୍ତ ବିପଦସଙ୍କୁଳ, ସେଇମାନଙ୍କୁ ପ୍ରଦାନ କରାଯାଏ। ଏଥିରେ ମାୟାବତୀ ଓ ଅନିଲ ଅମ୍ବାନୀଙ୍କ ସମେତ ୧୭ ଜଣ ବ୍ୟକ୍ତି ଅଛନ୍ତି। ଏ ପ୍ରକାର ବ୍ୟକ୍ତିଙ୍କ ସୁରକ୍ଷା ନିମନ୍ତେ ୫୫ ଜଣ ସୁରକ୍ଷା କର୍ମୀ ନିୟୋଜିତ ହୁଅନ୍ତି। ସେମାନଙ୍କ ମଧ୍ୟରେ ବିଶେଷ ତାଲିମପ୍ରାପ୍ତ ୧୦ ଜଣ ବ୍ଲାକ୍‌ କ୍ୟାଟ୍‌ ଅନ୍ତର୍ଭୁକ୍ତ। ତା’ ପର ହେଲା ଜେଡ୍‌ ସୁରକ୍ଷା। ଏ ପ୍ରକାର ବ୍ୟକ୍ତିଙ୍କ ସୁରକ୍ଷା ନିମନ୍ତେ ପାଞ୍ଚ ଜଣ ବ୍ଲାକ୍‌ କ୍ୟାଟ୍‌ଙ୍କ ସମେତ ୨୨ ଜଣ ସୁରକ୍ଷା କର୍ମୀ ନିୟୋଜିତ ହୁଅନ୍ତି। ଓ୍ବାଇ ପର୍ଯ୍ୟାୟ ସୁରକ୍ଷାରେ ଦୁଇଜଣ ବ୍ଲାକ୍‌ କ୍ୟାଟ୍‌ଙ୍କ ସମେତ ୧୧ ଜଣ ସୁରକ୍ଷା କର୍ମୀ ନିୟୋଜିତ ହୁଅନ୍ତି। ସବୁଠାରୁ କମ୍‌ ସୁରକ୍ଷା ବ୍ୟବସ୍ଥା ହେଲା ଏକ୍ସ ପର୍ଯ୍ୟାୟ। ଏଥିରେ ମାତ୍ର ଦୁଇଜଣ ଅସ୍ତ୍ରଧାରୀ ସୁରକ୍ଷା କର୍ମୀ ନିୟୋଜିତ ହୁଅନ୍ତି।
ଅଧୁନା ଏଇ ସୁରକ୍ଷାଧାରୀଙ୍କ ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ପାଇଛି। ଏକ ଆକଳନ (୨୦୧୭) ଅନୁସାରେ ୨୦,୮୨୮ ବ୍ୟକ୍ତି ଏହି ସ୍ବତନ୍ତ୍ର ସୁବିଧା ଉପଭୋଗ କରୁଛନ୍ତି। ସେମାନଙ୍କ ସେବାରେ ୫୬,୯୯୪ ପୋଲିସ କର୍ମୀ ନିୟୋଜିତ ଅଛନ୍ତି। ଏତଦ୍‌ବ୍ୟତୀତ ଦିଲ୍ଲୀ ପୋଲିସର ଶତକଡା ୪୦ ଭାଗ କର୍ମୀ ଭିଆଇପି ସୁରକ୍ଷାରେ ନିୟୋଜିତ। ଦେଶରେ ପ୍ରତି ୬୬୩ ଜଣ ନାଗରିକଙ୍କ ନିମନ୍ତେ ଜଣେ ପୋଲିସ କର୍ମୀର ବ୍ୟବସ୍ଥା ଥିଲାବେଳେ ପ୍ରତି ସୁରକ୍ଷାଧାରୀଙ୍କ ନିମନ୍ତେ ହାରାହାରି ୩ ଜଣ ପୋଲିସ କର୍ମୀଙ୍କ ବ୍ୟବସ୍ଥା ଟିକସଦାତାଙ୍କ ଅର୍ଥରେ କରାହୋଇଛି। ସୁରକ୍ଷାଧାରୀଙ୍କ ସଂଖ୍ୟା ଆନୁମାନିକ ଭାବରେ ପଞ୍ଜାବରେ ସବୁଠାରୁ ଅଧିକ। ଜିଲା ସ୍ତରରେ ବିଚାରପତିମାନଙ୍କ ନିମନ୍ତେ ମଧ୍ୟ ସୁରକ୍ଷା କର୍ମୀଙ୍କ ବ୍ୟବସ୍ଥା ପଞ୍ଜାବରେ ଅଛି।
ଅନେକ ଅମଲାତନ୍ତ୍ରୀ ଅବସର ଗ୍ରହଣର ଅବ୍ୟବହିତ ପୂର୍ବରୁ ନିଜ ଜୀବନକୁ ବିପଦ ଥିବା ଦର୍ଶାଇ ଏକ୍ସ ବର୍ଗର ସୁରକ୍ଷାପ୍ରାପ୍ତ ହେଉଛନ୍ତି। ଫଳତଃ ଅବସର ପରେ ମଧ୍ୟ ଦୁଇଜଣ ସରକାରୀ ଲୋକର ସେବାପ୍ରାପ୍ତ ହେଉଛନ୍ତି। ଅନେକ ସୁରକ୍ଷାଧାରୀ ସେମାନଙ୍କ ସୁରକ୍ଷା କର୍ମୀଙ୍କର ଅସଦ୍‌ ଉପଯୋଗ କରନ୍ତି ଓ ସେମାନଙ୍କୁ ଗୃହଭୃତ୍ୟ ଭଳି ବ୍ୟବହାର କରନ୍ତି ବୋଲି ଅଭିଯୋଗ ହୁଏ। ଉତ୍ତରପ୍ରଦେଶ ଓ ପଞ୍ଜାବରେ କେତେକ ଏମ୍‌ଏଲ୍‌ଏ ସାଙ୍ଗରେ ଦୁଇଜଣ ଶସ୍ତ୍ରଧାରୀ ପୋଲିସ ଧରି ଗ୍ରାମାଞ୍ଚଳରେ ନିଜର ବିରୋଧୀମାନଙ୍କୁ ଡରାଇବାର ମଧ୍ୟ ଅଭିଯୋଗ ହୁଏ।
ଅଯଥାରେ ନିଜକୁ ବିପଦଗ୍ରସ୍ତ ବୋଲି ପ୍ରତିପାଦିତ କରି ସୁରକ୍ଷାବାହିନୀର ବଳୟ ମଧ୍ୟରେ ରହିବା ଏକ ସାମନ୍ତବାଦୀ ଚିନ୍ତାଧାରାର ପରିପ୍ରକାଶ। ଏ ଲେଖକ ୧୯୬୪ ମସିହାରେ ଓଡ଼ିଶା ରାଜ୍ୟପାଳଙ୍କ ଏଡିସି ଥିବା ସମୟରେ କେବଳ ରାଜ୍ୟପାଳଙ୍କ ଗାଡ଼ିକୁ ପାଇଲଟ ଗାଡ଼ି ଦିଆଯାଉଥିଲା। ଦିଲ୍ଲୀରେ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ନିଜ ଗାଡ଼ିରେ ଘରୁ ଅଫିସକୁ ବିନା କୌଣସି ସୁରକ୍ଷାରେ ଯିବାଆସିବା କରୁଥିଲେ। ଗତ ଶତାବ୍ଦୀର ନବେ ଦଶକ ବେଳକୁ ଅବସ୍ଥା ବଦଳିବା ଆରମ୍ଭ ହେଲା। ଏ ଲେଖକ ୧୯୯୩ ମସିହାରେ ପୋଲିସ ମହାନିର୍ଦ୍ଦେଶକ ଥିବା ସମୟରେ ତତ୍କାଳୀନ ମୁଖ୍ୟ ନିର୍ବାଚନ କମିଶନର ଟି.ଏନ୍‌. ଶେଷାନ ଭୁବନେଶ୍ୱର ଗସ୍ତରେ ଆସିଲେ। ବିମାନବନ୍ଦରଠାରୁ ରାଜ୍ୟ ଅତିଥିନିବାସକୁ ସେ ଆସିଲା ବେଳେ ତାଙ୍କ ନିମନ୍ତେ ବୁଲେଟ ପ୍ରୁଫ୍‌ ଗାଡିର ବ୍ୟବସ୍ଥା ହୋଇ ନ ଥିଲା ବୋଲି ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ପାଖରେ ଅଭିଯୋଗ କଲେ। ବିଜୁବାବୁ ମୋତେ ପଚାରିବାରୁ, ଶେଷାନଙ୍କ ପ୍ରତି ଓଡ଼ିଶାରେ କୌଣସି ବିପଦ ନାହିଁ, ତେଣୁ ଦିଲ୍ଲୀର ବିମାନରେ ବୁଲେଟ୍‌ ପ୍ରୁଫ୍‌ ଗାଡି ନବାଆଣିବାରେ ଅଯଥା ଖର୍ଚ୍ଚ କରିବାର ଆବଶ୍ୟକତା ନ ଥିଲା ବୋଲି ମୁଁ ବୁଝାଇଲି। ତାଙ୍କ ଜୀବନ ପ୍ରତି କୌଣସି ବିପଦ ନାହିଁ ବୋଲି ତୁମେ କିପରି ନିଶ୍ଚିତ ହେଲ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କଲେ। ମୁଁ ଉତ୍ତର ଦେଲି ଯେ, କେବଳ ଓଡ଼ିଶା ପୋଲିସ ନୁହେଁ, ଶେଷାନ ନିଜେ ମଧ୍ୟ ବିପଦ ନ ଥିବା କଥା ଜାଣନ୍ତି। କାରଣ ବିନା ସୁରକ୍ଷାରେ ସେ ଫରେଷ୍ଟ ପାର୍କର ଏକ ଘରକୁ ନିଜ ବନ୍ଧୁ ଦର୍ଶନ ନିମନ୍ତେ ଯାଇଥିଲେ। ଏହା କେବଳ ଏକ ମାନସିକତାର ପ୍ରଶ୍ନ ବୋଲି ମୁଖ୍ୟମନ୍ତ୍ରୀ ମୋ ସଙ୍ଗରେ ରାଜି ହେଲେ।
ଦେଶର ବହୁ ପୋଲିସ ଶକ୍ତି ଭିଆଇପିଙ୍କ ସୁରକ୍ଷାରେ ଅଯଥା ବ୍ୟୟିତ ହେଉଛି। ବର୍ତ୍ତମାନର ମୋଦି ସରକାର ଅବଶ୍ୟ ଏହାକୁ ହ୍ରାସ କରିବା ନିମନ୍ତେ ଉଦ୍ୟମ କରୁଛନ୍ତି। କିନ୍ତୁ କୌଣସି ରାଜନୈତିକ ନେତା ସୁରକ୍ଷା ହ୍ରାସକୁ ସହଜରେ ଗ୍ରହଣ କରୁନାହାନ୍ତି। ଏ ଭିଆଇପି ସଂସ୍କୃତି ଓ ସାମନ୍ତବାଦୀ ଚିନ୍ତାଧାରାକୁ ସରକାର କଠିନ ହସ୍ତରେ ଲୋପ କରିବାକୁ ଉଦ୍ୟମ କରିବା ଆବଶ୍ୟକ ଓ ସେଥିରେ ଜନସାଧାରଣ ସରକାରଙ୍କୁ ସହଯୋଗ କରିବା ନିତାନ୍ତ ଜରୁରୀ।
ମୋ-୯୯୩୭୪୨୨୫୨୧


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଲଢ଼େଇର ମହାନାୟକମାନେ

ଅନିଲ କୁମାର ବିଶ୍ୱାଳ କରୋନାର ପ୍ରଭାବରେ ଏବେ ସାରା ବିଶ୍ୱ ତ୍ରସ୍ତ, ଆତଙ୍କିତ ଓ ବିଷାଦଗ୍ରସ୍ତ ା ସାରା ବିଶ୍ୱରେ ଏକ କଳାବାଦଲ ଛାଇ ଯାଇଛି...

ଏଇ ଭାରତରେ

ପରିବେଶକୁ ଭଲ ପାଇ ସାରା ଜୀବନ ତା’ ସୁରକ୍ଷାରେ ନିଜକୁ ସମର୍ପିତ କରୁଥିବା ବ୍ୟକ୍ତି ଖୁବ୍‌ କମ୍‌ ଦେଖିବାକୁ ମିଳନ୍ତି। ଏମାନଙ୍କ ମଧ୍ୟରେ ଉତ୍ତରାଖଣ୍ଡର ସେଜା...

ଏଇ ଭାରତରେ

ମନୋଜ ପଟେଲ ପେସାରେ ଜଣେ କୃଷକ। ମଧ୍ୟପ୍ରଦେଶର ଦେବାସରେ ରହନ୍ତି। କୃଷି ସହ ଜଡ଼ିତ ରହି ମଧ୍ୟ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ୧୫୦ରୁ ଊର୍ଦ୍ଧ୍ୱ...

ଏଇ ଭାରତରେ

୧୩୫ ବହି ଲେଖି ସାରିଲେଣି ୧୨ ବର୍ଷର ବାଳକ। ଏ କଥା ଆଶ୍ଚର୍ଯ୍ୟ ଲାଗିଲେ ବି ସତ୍ୟ। କଳା, ସଂସ୍କୃତି ଓ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କୁ ନେଇ...

ଇତିହାସ କଥା କହେ

ରବିନାରାୟଣ ସାମଲ   ବାହାର ବାନୁ ବେଗମ୍‌ ଥିଲେ ସମ୍ରାଟ୍‌ ଜାହାଙ୍ଗୀରଙ୍କ କନିଷ୍ଠା କନ୍ୟା। ଏକଦା ସେ ଅସୁସ୍ଥ ହୋଇପଡ଼ିଲେ। ଭାରତୀୟ ଚିକିତ୍ସା ତାଙ୍କୁ ଆରୋଗ୍ୟ...

ଆଶ୍ରମ ସ୍କୁଲର ଅବସ୍ଥା

ଅନ୍ନପୂର୍ଣ୍ଣା ପାଣ୍ଡେ ଦୀର୍ଘଦିନ ହେଲା ବିଦେଶରେ ରହି ମଧ୍ୟ ମୁଁ ଦେଶମାଟିକୁ ଭୁଲିପାରିନାହିଁ। ବରଂ କିଛି ଅଘଟଣ ଘଟିବା ଖବର ପାଇ ବେଶି ବେଶି ଘାରି...

ଏଇ ଭାରତରେ

ମହାଭାରତରେ ଏକଲବ୍ୟଙ୍କ ଗୁରୁଦକ୍ଷିଣା ସମ୍ପର୍କରେ ଆମେ ଜାଣିଛେ। ଏବେ ପଞ୍ଜାବରେ ଏହାର ଏକ ଉଦାହରଣ ସୃଷ୍ଟି କରିଛନ୍ତି କେତେଜଣ ଖେଳାଳି। କ୍ରୀଡ଼ାକୁ ଜୀବନ୍ତ ରଖିବା ପାଇଁ...

ଏଇ ଭାରତରେ

ଜଙ୍ଗଲ ସୃଷ୍ଟି କରିବାରେ ସାରା ଜୀବନ ଉତ୍ସର୍ଗ କରିଆସିଥିବା ତେଲଙ୍ଗାନାର ଦୁସର୍ଲା ସତ୍ୟନାରାୟଣଙ୍କ କାହାଣୀ ପ୍ରେରଣାଦାୟକ। ସତ୍ୟପୁରା ଜିଲା ରାଘବପୁରାରେ ୭୦ ଏକର ଜମିରେ ସେ...

Advertisement
Archives

Model This Week