କୃପା ବୃକ୍ଷ

ଦ୍ୱିତୀ ଚନ୍ଦ୍ର ସାହୁ

ନୂଆ ଘର ହେଲା। ରଙ୍ଗ କାମ ହେଲା। ପ୍ରତିଷ୍ଠା ବି ସରିଲା। ପୁରୁଣା ଅଟୁଜଟୁ ଜିନିଷ ପାଇଁ ଘର ଶେଷରେ ଗୋଟିଏ ଟିଣଘର ହୋଇଥିଲା। ସେଠିକୁ ସବୁ ଜିନିଷ ଗଲା। ଶେଷରେ ରହିଲା କଳା ରଙ୍ଗର କାଠ ଚୌକି। ହାତ ଭାଙ୍ଗି ଯାଇଛି। ବାଁ ପଟ ଗୋଡ଼ରୁ ଉପରକୁ ଲମ୍ବିଥିବା କାଠଟା ଆଁ କରି ଉପରକୁ ଚାହିଁଛି କିଛି ପାଇବା ଆଶାରେ ଯେମିତି। ତାକୁ ଟେକି ନେଇ ସେଇ ଏକୁଟିଆ ଅନ୍ଧାର ଘର ଭିତରେ ରଖି ଦେବାକୁ ଘରର ଅନ୍ୟମାନେ ପ୍ରସ୍ତାବ ଦେଲେ। ତୁରନ୍ତ ମନା କଲି। କହିଲି ସେଟା ମୋ ରୁମ୍‌ରେ ରହିବ। ପାଠ ପଢୁଆ ପିଲାମାନେ ହସିଲେ ଓ କହିଲେ – ‘ଏଇ ପୁରୁଣା ହାତ ଭଙ୍ଗା ଚେୟାରଟା ନୂଆ ଘରେ କି କାମ। ସୁନ୍ଦର ଦିଶିବନି। ସେଠି ଗୋଟେ ନୂଆ ଘୂରୁଥିବା ସ୍ପଞ୍ଜବାଲା ଚୌକି ଆଣିଦେବା। ଆରାମରେ ବସି ଲେଖାଲେଖି ଓ ପଢାପଢି କରିବ।’ ନୂଆରେ ଚାକିରି କରିଥିବା ପୁତୁରାର କଥାରେ ସିଧା ମନା କଲି। ସବୁ ନୂଆ ଜିନିଷ କ’ଣ ପୁରୁଣାର ସ୍ଥାନ ନେଇପାରେ ସତରେ ! ନୂଆରେ ଚମକ ଥାଏ, କିନ୍ତୁ ପୁରୁଣାରେ ଭରି ରହିଥାଏ ମହକ। ସେ ମହକ ମନପ୍ରାଣକୁ ଆହ୍ଲାଦିତ କରେ। ସ୍ମୃତିକୁ ସତେଜ କରେ। ଅନେକ ଅକୁହା କଥା କହିଦିଏ। ନିମିଷକରେ ଫେରାଇ ଦିଏ ପଛକୁ। ଏକଥା ସେମାନଙ୍କୁ କହିପାରିଲି ନାହିଁ। ପଛକୁ ଫେରିଗଲି ଆପେ ଆପେ।
ଦାଣ୍ଡ ଘର ଅଗଣା କାନ୍ଥକୁ ଲାଗି ପଡିଥିଲା କାଠ ଚୌକି। ମୁଣ୍ଡ ଲାଗି ପଛ କାନ୍ଥଟା ତେଲ ଚିକିଟାରେ କଳା ପଡିଯାଉଥିଲା। ଚୂନ ଲଗେଇଲାବେଳେ କାନ୍ଥରେ ଚୂନ ଧରୁ ନ ଥିବାରୁ ମାଆ ବିରକ୍ତ ହେଉଥିଲା ସବୁବେଳେ। ଚୌକିରେ ବସୁଥିଲେ ବାପା। ଆସୁଥିଲେ ଗାଁ ଲୋକ। ଚାଲୁଥିଲା ବିଭିନ୍ନ ଚର୍ଚ୍ଚା। ଚାଷବାସ, ପାଣିପାଗ, ପର୍ବପର୍ବାଣିର ପ୍ରସ୍ତୁତିର ଚିଠା ତିଆରି ହେଉଥିଲା। ଅନେକଥର ତିଆରି ହୋଇଛି ଗାଁର ବିକାଶର ନକ୍ସା ଏହି ଚୌକିରେ ବସି। ଏହା ଖାଲି ଚୌକି ନୁହେଁ, ପିଢି ପିଢିର ଅସ୍ତିତ୍ୱ ଓ ଅସ୍ମିତାର ସ୍ମାରକୀ। ବାପା ଭଳି ସ୍ବାଭିମାନୀ ମଣିଷକୁ ଯୋଗାଇଛି ପ୍ରେରଣା। ଖୁନ୍ଦାଖୁନ୍ଦି କରି ଯୋଗାଇଛି ବଳ ଲଢିବାକୁ ଓ ସମସ୍ୟାକୁ ସୁଧାରିବାକୁ। ତଳେ ଓ ମସିଣାରେ ବସି ଗପସପ ହେଉଥିବା ଯୁଗରେ କାଠ ଚୌକିର ତିଆରି। ଗୁରୁଜନ ଓ ଲଘୁଜନଙ୍କ ଭିତରେ ଯଥେଷ୍ଟ ସମ୍ମାନ ଓ ଭକ୍ତି ଥିଲା। ଚୌକିରେ ବସି ଆଲୋଚନା କରିବା ଗୋଟେ ସମ୍ମାନ ଓ ଆଭିଜାତ୍ୟର ପ୍ରତୀକ ଥିଲା। ବାସ୍ତବରେ ବାପାମାନେ ସ୍ବୟଂ ଆଭିଜାତ୍ୟ ଓ ସମ୍ମାନର ମୂର୍ତ୍ତିମନ୍ତ ପ୍ରତିମା ମନେ ହେଉଥିଲେ। କାନ୍ଧରେ ଗାମୁଛା ଧରି ଆତଯାତ ମଣିଷ ପ୍ରତି ପରିବାର ସଦସ୍ୟଙ୍କ ଯେତିକି ଭକ୍ତି ଥିଲା ସେତିକି ଭୟ ଥିଲା। ବାପାମାନଙ୍କ ଅନୁମତି ବିନା ଗଛରେ ଯେମିତି ପତ୍ର ହଲୁ ନ ଥିଲା। ନାଲି ଆଖି ଓ କଡା ଚାହାଣିରୁ ଜାଣିହେଉଥିଲା ସେମାନଙ୍କ ନିଷ୍ପତ୍ତି। କହିବାର ଅବକାଶ ନ ଥିଲା। ତଥାପି କଠିନ ହୃଦୟର ମଣିଷ ବୋଲି ମନେହେଉଥିବା ବାପାମାନେ ବେଳେବେଳେ ପିଲା ହୋଇଯାନ୍ତି। ପିଲାଙ୍କ ମନ ଜାଣି ବାପାମାନେ ବି କେବେ ଝରଣା ଭଳି ଛଳଛଳ ହୋଇ ଯାଉଥିଲେ। ସ୍ନେହରେ ବତୁରି ଯାଉଥିଲେ। କାନ୍ଧରେ ଧରି ମେଳା ଯାତରା ନେଉଥିଲେ। ଗାମୁଛାରେ ଲୁହ ଓ ରକ୍ତ ପୋଛି ଦେଉଥିଲେ। ବାପାମାନେ କାଳେ ଥିଲେ ଦୂରଦର୍ଶୀ। ଭଲମନ୍ଦର ବିଚାର ଥିଲା। ମନ ଚିହ୍ନୁଥିବା ଗୋଟେ ମନ ଥିଲା। ପିଲାଙ୍କ ହୃଦୟକୁ ଜୟ କଲା ଭଳି ଗୋଟେ ବିଶାଳ ହୃଦୟ ଥିଲା। ସେଥିପାଇଁ ଗାମୁଛାରେ ବନ୍ଧା ହୋଇ ଘରକୁ ଆସୁଥିଲା ଭଳିକି ଭଳି ଜିନିଷ। ବାପାଙ୍କ ବଙ୍କୁଲି ବାଡି, ଛତା, କାଠ ଚୌକି, ପଲଙ୍କ, କାଠ କଲମ, ମୋଟା ଫ୍ରେମର ଚଷମା, ପୁରୁଣା ମଡେଲ ସାଇକେଲ, ଘରେ ଥିବା ପୁରାଣ ସର୍ବୋପରି କାନ୍ଧର ଗାମୁଛା ବାପାମାନଙ୍କ ଗରିମାକୁ ବହୁଗୁଣିତ କରୁଥିଲା।
ଏବେ ଅନେକ କିଛି ବଦଳିଛି। ନଡାଛପର ଘର ବଦଳରେ ଠିଆ ହେଉଛି ବହୁତଳ କୋଠା। ସାଇକେଲ ଜାଗାରେ ଆଭିଜାତ୍ୟ ବହନ କରୁଥିବା ଗାଡି ଆସିଛି। ଘର ଭିତରର ପରିପାଟୀ ବି ବଦଳି ଯାଉଛି। ପୁରୁଣା ସ୍ଥାନ ସବୁ ନୂଆ ମାଡ଼ି ବସିଛି। ତା’ ସହିତ ବାପାମାନେ ବି ଯେମିତି ବଦଳି ଯାଇଛନ୍ତି ପିଲାମାନଙ୍କ ନଜରରେ। ହୁଏତ ଆଜିକାର ବାପାମାନେ ପିଲାମାନଙ୍କ ପାଇଁ ପୁଳା ପୁଳା ରୋଜଗାର କରୁଥିବା ଅନ୍ୟ ମଣିଷମାନଙ୍କ ପରି ମଣିଷଟିଏ ମାତ୍ର। କିଛି ସ୍ବାତନ୍ତ୍ର୍ୟ ନାହିଁ କାଳେ। ସବୁ ସୁଖ ଖଞ୍ଜି ପିଲାଙ୍କୁ ସମୟ ଦେଇପାରୁ ନ ଥିବା ମଣିଷଟିଏ। ଅତୀତରେ ସବୁ ଜାଣିଥିବା ବାପାଠାରୁ ଆଜିକା ପିଲାମାନେ ହୁଏତ ଗୁଗଲ ଓ ୟୁଟ୍ୟୁବକୁୁ ଅଧିକ ପସନ୍ଦ କରୁଛନ୍ତି। କାରଣ ସବୁ ପ୍ରଶ୍ନର ଉତ୍ତର ଦେଇପାରୁଛି ସେ। ସବୁ କିଛି ଦେଖି ଶିଖେଇ ପାରୁଛି। ଯାନ୍ତ୍ରିକ ଓ ବୈଷୟିକ କୌଶଳକୁ ପିଲାମାନେ ବାପାମାନଙ୍କ ପ୍ରତ୍ୟୟଠାରୁ ଅଧିକ ବୋଲି ବିବେଚନା କରୁଥିବାରୁ ବାପାମାନଙ୍କ ଚରିତ୍ରର ମହତ୍ତ୍ୱ ଓ ଗୁରୁତ୍ୱ ବୋଧହୁଏ କମିଯାଇଛି। ଭାବଗତ ସମ୍ପର୍କ କ୍ରମଶଃ କମି ଆସୁଥିବାରୁ ବାପାମାନେ ଯେମିତି ଘର ପାଇଁ ସ୍ଥାୟୀ ଅଲୋଡା ଜିନିଷ ବୋଲି ମନେକରୁଛନ୍ତି ସେମାନେ। ଏଇ ମାନସିକତା ବାପାମାନଙ୍କୁ ଆଜିକା ସାମାଜିକସ୍ତରରେ ଭିନ୍ନ ସ୍ତରକୁ ନେଇଯାଇଛି। ଶେଷ ସମୟରେ ହୁଏତ ପିଲାଙ୍କଠାରୁ ହତାଦର ହେଉଛନ୍ତି ଅବା ଜରା ନିବାସକୁ ପଠାଇବାକୁ କୁଣ୍ଠାବୋଧ କରୁ ନାହାନ୍ତି। କିନ୍ତୁ ଯେତେ ଦୁନିଆ ଆଗେଇଲେ ବି ଜନ୍ମଦାତା ବାପା ଭିତରେ ଗୋଟେ କୋମଳ ହୃଦୟ ଅଛି। ଆବେଗକୁ ବ୍ୟକ୍ତ କରିପାରୁଥିବା ସୁନ୍ଦର ମନଟିଏ ଅଛି। ଆଉ ସନ୍ତାନ ଦେହରେ ସାମାନ୍ୟ ଆଞ୍ଚୁଡା ବସିଲେ ଆହା ବୋଲି କଷ୍ଟ ହେଉଥିବା ଦରଦ ପ୍ରାଣଟିଏ ଅଛି, ଯାହା ପିଲାଟି ଅନ୍ୟ କାହାଠାରୁ ପାଇବା ଅସମ୍ଭବ।
ବାପାମାନେ ସଦାକାଳେ ପିଲାଙ୍କ ପାଇଁ କୃପା ବୃକ୍ଷ। ହାତ ଭଙ୍ଗା ଚୌକି ପରି ବୟସର ଭାରରେ ବାପାମାନେ ନଇଁ ଯାଇଥିବେ ସତ। କିନ୍ତୁ ଅଭିଜ୍ଞତା, ଅନୁଭୂତି, ଅନୁଶୀଳନ, ଅନୁଭବ ତଥା ଅନୁରାଗ ଦୃଷ୍ଟିରୁ ସବୁବେଳେ ସନ୍ତାନ ପାଇଁ ସ୍ବତନ୍ତ୍ର। ଖସି ଯାଇଥିବା ହାତକୁ କାଠ ଚୌକି ଦେହରେ ସଜେଇ ଦାଣ୍ଡ ରୁମର କାନ୍ଥକୁ ଲଗାଇ ପକାଇଲି। କାନ୍ଧରେ ଗୋଟେ ଗାମୁଛା ପକାଇ ବସିଲି ଚୌକିରେ। ଆଖି ବୁଜି ଅନୁଭବ କଲି ପିତୃତ୍ୱକୁ। କିନ୍ତୁ ଦିଶୁ ନ ଥିଲି ମୁଁ ନିଜେ। ମୁଦି ହୋଇଯାଇଥିବା ଆଖିର ଅନ୍ଧାର ଭିତରେ ଆଲୋକିତ ହୋଇ ଦିଶୁଥିଲେ କେବଳ ଜଣେ। କାଠ ଚୌକି ଉପରେ ବସିଥିବା ବାପା ସିଏ!
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
ମୋ-୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri