ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥିତ୍ୱ: ଅସମାହିତ ପ୍ରଶ୍ନର ସମାହାର

ଭୁବନେଶ୍ୱର, ୨୩ା୬(ବ୍ୟୁରୋ): ରାଜନୀତିରେ ସବୁକିଛି ସମ୍ଭବ। ଏଠି କେହି କାହାର ଚିର ଶତ୍ରୁ କିମ୍ବା ମିତ୍ର ନୁହନ୍ତି। ରାଜ୍ୟରେ ଖାଲିଥିବା ୩ଟି ରାଜ୍ୟ ସଭା ଆସନ ପ୍ରାର୍ଥୀ ଘୋଷଣା ପରେ ଏହା ପ୍ରମାଣିତ ହୋଇଥିବା କୁହାଗଲାଣି । ସଂଖ୍ୟାଗରିଷ୍ଠ ଥାଇ ବିଜେଡି ଯେଉଁଭଳି ଭାବେ ଭାଜପା ରାଜ୍ୟ ସଭା ପ୍ରାର୍ଥୀଙ୍କୁ ସମର୍ଥନ କଲା, ତାହା ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚାର କାରଣ ହୋଇଛି। ସଦ୍ୟ ସମାପ୍ତ ନିର୍ବାଚନରେ ପରସ୍ପର ବିରୋଧରେ ସର୍ବାଧିକ ରାଜନୈତିକ ଆକ୍ରମଣ କରିଥିବା ଦୁଇ ଦଳ ନିର୍ଦ୍ଦିଷ୍ଟ ପ୍ରଶାସନିକ ଅଧିକାରୀଙ୍କୁ ରାଜ୍ୟ ସଭା ପଠାଇବା ପାଇଁ ସହମତ ହେଲେ। ଏହା ଶାସକ ବିଜେଡି ମଧ୍ୟରେ ଥିବା ନେତା, କର୍ମୀ ଓ ରାଜ୍ୟ ସଭା ଆଶାୟୀଙ୍କୁ ହତୋତ୍ସାହିତ କରିଛି। ଅନୁରୂପ ଭାବେ ଏବେ ମଧ୍ୟ ମିଶନ୍‌-୧୨୦ ଆସନର ଲକ୍ଷ୍ୟ ରଖୁଥିବା ଭାଜପାର ତୃଣମୂଳ କର୍ମୀଙ୍କୁ ଅଶ୍ୱିନୀଙ୍କ ପ୍ରାର୍ଥୀତ୍ୱ ଅଡୁଆରେ ପକାଇଛି। ବିଜେଡିର ୧୯ ବର୍ଷର ଶାସନକୁ ସମାଲୋଚନା କରିଆସୁଥିବା ଭାଜପା ଶେଷରେ ସେହି ଦଳର ସାହାଯ୍ୟ ନେଇ ରାଜ୍ୟ ସଭା ସିଟ୍‌ ହାତକୁ ନେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଯଦି ଜଣେ ପୂର୍ବ ପ୍ରଶାସକକୁ ରାଜ୍ୟ ସଭା ପଠାଯାଇପାରୁଛି। ତେବେ ଦୀର୍ଘଦିନ ଧରି ବିତର୍କରେ ରହିଥିବା ସ୍ବତନ୍ତ୍ର ରାଜ୍ୟପାହ୍ୟା, କୋଇଲା ରୟାଲ୍‌ଟି ସଂଶୋଧନ, ମହାନଦୀ ଏବଂ ପୋଲାଭରମ୍‌ ପ୍ରସଙ୍ଗ ସମାଧାନ ରାସ୍ତା କାହଁିକି ବାହାରି ପାରୁନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଲାଣି। ଏଭଳି ସ୍ଥଳେ ପାଟକୁରା ଓ ବିଜେପୁର ବିଧାନସଭା ରାଜନୈତିକ ଗୁରୁତ୍ୱ ହରାଇଥିବା ରାଜନୈତିକ ବିଶ୍ଳେଷକମାନେ ମତ ଦେଲେଣି, ଏସବୁ ପରେ ରାଜ୍ୟ ସଭା ପାଇଁ ମନୋନୀତ କରାଯାଇଥିବା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥିତ୍ୱ ପଛରେ କର୍ପୋରେଟ ଲବି ଥିବା କୁହାଯାଉଛି।

ଅଶ୍ୱିନୀ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ରହିଥିଲେ। ହେଲେ ସେହି ପରିଚୟ ଯେ କେବଳ ତାଙ୍କୁ ରାଜ୍ୟ ସଭା ପର୍ଯ୍ୟନ୍ତ ପହଞ୍ଚାଇଦେଲା, ଏ କଥା ସାଧାରଣ ବୁଦ୍ଧିରେ ହଜମ ହେଉନାହିଁ। ପ୍ରଶାସନିକ ଅଧିକାରୀ ଭାବେ ପରିଚୟକୁ ବାଦ୍‌ ଦେଲା ପରେ ଅଶ୍ୱିନୀ ବୃହତ୍‌ କମ୍ପାନୀ ସହ ଜଡ଼ିତ ଥିବା ଆଲୋଚନା ହେଉଛି। ଏହି କମ୍ପାନୀ ଓଡ଼ିଶାରେ ଖଣି କାରବାର କରି ସର୍ବୋଚ୍ଚ ମୁନାଫା ଅର୍ଜନ କରୁଛି। ରାଜ୍ୟର ଖଣି ନୀତି କ’ଣ ହେବ, ତାହା ନିର୍ଦ୍ଧାରଣ କରୁଛି। ସେହିପରି ଚଳିତ ନିର୍ବାଚନରେ ଏହି କମ୍ପାନୀ ରାଜ୍ୟର ସବୁ ପ୍ରମୁଖ ରାଜନୈତିକ ଦଳକୁ ବୃହତ୍‌ ଆକାରର ଚାନ୍ଦା ପ୍ରଦାନ କରିଛି। ସାଧାରଣତଃ କୌଣସି ସରକାର କ୍ଷମତାକୁ ଆସିଲେ ଜନମଙ୍ଗଳକାରୀ ଯୋଜନା ଘୋଷଣା କରିଥାନ୍ତି, ଅଥବା ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି
ପାଳନ କରିଥାଆନ୍ତି। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଶପଥ ନେବାର ଦିନ କେଇଟା ପରେ ୪୦ଟି ଖଣି ନିଲାମ ନେଇ ତତ୍ପରତା ପ୍ରକାଶ କରିଥିଲେ। ତନ୍ମଧ୍ୟରୁ ୪ଟିର ନିଲାମ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ଉଲ୍ଲେଖ କରିଥିଲେ। ଏପରିକି ପୂର୍ବରୁ ବେଆଇନ ଭାବେ ଖଣି ଉତ୍ତୋଳନ କରି ଜରିମାନା ଦେଇଥିବା କମ୍ପାନୀଙ୍କୁ ନିଲାମରୁ ଦୂରେଇ ରଖାଯାଉ ବୋଲି କଥା ଉଠିଥିଲା। ସର୍ବୋପରି ଓଡ଼ିଶା ଖଣି ନିଗମ(ଓଏମ୍‌ସି)କୁ ସମସ୍ତ ଖଣିର ପରିଚାଳନା ଦିଆଯାଉ ବୋଲି କେତେକ ବ୍ୟକ୍ତିବିଶେଷ ମତ ରଖିଥିଲେ। ହେଲେ ତାହାକୁ ଅଣଦେଖା କରାଯାଇଥିଲା। ଏହି ଘଟଣାକୁ ରାଜ୍ୟ ସଭା ନିର୍ବାଚନ ସହ ଯୋଡ଼ିଲେ ସବୁ କିଛି ପୂର୍ବ ରଣନୀତି ଥିଲା ବୋଲି ସ୍ପଷ୍ଟ ହେଉଛି।

ସେହିପରି ରାଜ୍ୟକୁ ସର୍ବାଧିକ ସୁବିଧା ଦେବାକୁ ପ୍ରତିଶ୍ରୁତି ଦେବା ଦଳକୁ କେନ୍ଦ୍ରରେ ସମର୍ଥନ କରାଯିବ ବୋଲି ବିଜେଡି ସଭାପତି ଏକାଧିକ ରାଜନୈତିକ ସାକ୍ଷାତ୍‌କାରରେ ମତ ରଖିଥିଲେ। ତେବେ କେନ୍ଦ୍ର-ରାଜ୍ୟ ମଧ୍ୟରେ ସେମିତି କିଛି ହେଲା କି ବୋଲି ପ୍ରଶ୍ନ ଉଠୁଛି। କେନ୍ଦ୍ରୀୟ ଅବହେଳା, ସ୍ବତନ୍ତ୍ର ରାଜ୍ୟପାହ୍ୟା, କୋଇଲା ରୟାଲ୍‌ଟି ବୃଦ୍ଧି ଏବଂ ସ୍ବତନ୍ତ୍ର ଧ୍ୟାନକୈନ୍ଦ୍ରିକ ରାଜ୍ୟ(ସ୍ପେଶାଲ ଫୋକସ୍‌ ଷ୍ଟେଟ୍‌) ମାନ୍ୟତା ନେଇ କେନ୍ଦ୍ର ନିଜ ଆଭିମୁଖ୍ୟ କିଛି ସ୍ପଷ୍ଟ କରିନାହିଁ। ତେବେ କେଉଁ ରାଜନୈତିକ ଡିଲ୍‌ ବିଜେଡି-ଭାଜପାକୁ ସହମତି ସ୍ତରକୁ ନେଇଆସିଲା ବୋଲି ଆଲୋଚନା ହେଉଛି। ରାଜ୍ୟର କେତେଜଣ ରାଜନୈତିକ ସମୀକ୍ଷକଙ୍କ କହିବାନୁଯାୟୀ, ବିଜେଡିରେ ବହୁତ ନେତା ଟିକେଟ୍‌ ଆଶାୟୀ ରହିଥିଲେ। ସମସ୍ତଙ୍କୁ ଟିକେଟ୍‌ ମିଳିନାହିଁ, ଅନେକେ ନିର୍ବାଚନ ଲଢ଼ିବାର ସୁଯୋଗ ପାଇ ମଧ୍ୟ ପରାସ୍ତ ହୋଇଛନ୍ତି। କେତେକ ଛାମୁଆ କର୍ମୀ ଦଳ ପ୍ରତି ବିମୁଖ ହେଲେଣି। ତେଣୁ ସେମାନଙ୍କୁ ବିଧାନ ପରିଷଦରେ ଥଇଥାନ କରାଯିବ। ଓଡ଼ିଶା ବିଧାନସଭାରେ ଏନେଇ ସଂକଳ୍ପ ଗୃହୀତ ହୋଇଥିଲେ ମଧ୍ୟ କେନ୍ଦ୍ରର ମଞ୍ଜୁରୀ ଆବଶ୍ୟକତା ରହିଛି। ତେଣୁ ଏହିସବୁ କାରଣରୁ ବିଜେଡି ପକ୍ଷରୁ ଭାଜପା ରାଜ୍ୟ ସଭା ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥିବା କଥା କୁହାଯାଉଛି। ଅପରପକ୍ଷରେ ବିଜେଡିର ଅଧଡଜନରୁ ଅଧିକ ନେତା ଚିଟ୍‌ଫଣ୍ଡ ମାମଲା ନେଇ ସିବିଆଇ ନଜରରେ ରହିଛନ୍ତି । ଏମାନେ ସମସ୍ତେ ବିଜେଡି ଶୀର୍ଷ ନେତୃତ୍ୱଙ୍କ ନିକଟତର ବ୍ୟକ୍ତିବିଶେଷ। ୩ ଦିନ ତଳେ ଆନ୍ଧ୍ରପ୍ରଦେଶର ଟିଡିପିର ୪ ରାଜ୍ୟ ସଭା ସଦସ୍ୟଙ୍କୁ ଭାଜପା ନିଜ ସପକ୍ଷକୁ ନେଇସାରିଛି। ସେମାନଙ୍କ ମଧ୍ୟରେ ୨ ଜଣ ଏପରି ବ୍ୟକ୍ତିବିଶେଷ ଅଛନ୍ତି, ଯେଉଁମାନଙ୍କୁ ଭାଜପା ପୂର୍ବରୁ ଆନ୍ଧ୍ରପ୍ରଦେଶର ବିଜୟ ମାଲ୍ୟା ବୋଲି ଅଭିହିତ କରିଥିଲା। ହେଲେ ସେମାନେ ଏବେ ଭାଜପାରେ । ତେଣୁ ସାମ, ଦାନ, ଦଣ୍ଡ, ଭେଦ ରଣନୀତି ଆପଣାଇଥିବା ଭାଜପାର ଆଭିମୁଖ୍ୟକୁ ଅପେକ୍ଷାକୃତ ରକ୍ଷଣାତ୍ମକ କରିବା ପାଇଁ ବିଜେଡି ଏହି ରଣନୀତି ଆପଣାଇଥିବା କୁହାଯାଉଛି। ଅପରପକ୍ଷରେ ଭାଜପା ରାଜ୍ୟରେ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିଛି। ସଂସଦୀୟ ଜନମତରେ ବିଜେଡିଠାରୁ ମାତ୍ର ୪ ପ୍ରତିଶତ ଭୋଟ କମ୍‌ ପାଇଛି। ସେହିପରି ଯେ ପର୍ଯ୍ୟନ୍ତ କେରଳ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ଭାଜପା ଶାସନ କରିନାହିଁ, ସେ ଯାଏ ଦଳର ସ୍ବର୍ଣ୍ଣିମ ସମୟ ଆସି ନ ଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହି ଆସୁଛନ୍ତିି। ତେଣୁ ବିଜେଡି ରଣନୀତି ଦଳକୁ କେତେ ଫାଇଦାରେ ରଖିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କାଶ୍ମୀରର ବଡ଼ ଆତଙ୍କବାଦୀ ଆକ୍ରମଣ: ଶହୀଦ ହୋଇଗଲେ…

ଶ୍ରୀନଗର,୨୨।୭: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ ଚୌକ ନିକଟରେ ଆତଙ୍କବାଦୀ ଆକ୍ରମଣରେ ଜଣେ କନଷ୍ଟେବଳ ଶହୀଦ ହୋଇଛନ୍ତି। ଆକ୍ରମଣକାରୀ…

ଦିଲ୍ଲୀରୁ ଆସି ବିସ୍ଫୋରକ ବୟାନ ଦେଲେ ନବୀନ: ସବୁଠି ଚାଲିଲା ଚର୍ଚ୍ଚା

ଭୁବନେଶ୍ୱର, ୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ପୁଣିଥରେ ଦୋହରାଇଛନ୍ତି ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

୬୩ ବର୍ଷ ବୟସରେ ୪୫ ବର୍ଷର ପୂରୁଣା ସ୍ବପ୍ନ ପୂରଣ କଲେ ସୁଶୀଳା ଦେବୀ

ଚଣ୍ଡିଗଡ,୨୨।୭:ଶିକ୍ଷା ପାଇଁ କୌଣସି ବୟସ ସୀମା ନାହିଁ ବୋଲି ଆପଣ ହୁଏତ ଏହି କଥାଟି ଶୁଣିଥିବେ। ହରିୟାଣାର ଜଣେ ୬୩ ବର୍ଷୀୟା ଜେଜେମା ଏହାକୁ ସତ୍ୟ ପ୍ରମାଣିତ…

ସୋନମ ୱାଙ୍ଗଚୁକଙ୍କୁ ଭାବୁକ ନିବେଦନ କଲେ ଅଭିଜିତ୍‌ ଦୀପକେ, କହିଲେ-ଆପଣଙ୍କ ଜୀବନ…

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

CJPକୁ ନବୀନଙ୍କ ସମର୍ଥନ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ…

ଭୁବନେଶ୍ୱର,୨୨ା୭: ସିଜେପିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ମନ୍ତବ୍ୟକୁ ନାପସନ୍ଦ କରିଛି ଭାଜପା। ଏକ ପ୍ରେସମିଟ୍‌ କରି କଡ଼ା ଜବାବ ଦେଇଛନ୍ତି ଭାଜପାର ବରିଷ୍ଠ ଏମ୍‌ପି…

CJP ଆଗରେ ନଇଁଲେ ମୋଦି ସରକାର! କହିଲେ ଯାହା ଚାହିଁବେ…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ CJP (କକରୋଚ୍ ଜନତା ପାର୍ଟି) ତରଫରୁ ଜାରି ରହିଥିବା ପ୍ରତିବାଦ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ସରକାର ଆଲୋଚନା ପାଇଁ ନିଜର ପ୍ରସ୍ତୁତି ଦେଖାଇଛନ୍ତି। ସରକାରୀ…

ପଞ୍ଚସଖା ସ୍ମୃତି ପାଠାଗାର ଅସୁରକ୍ଷିତ: ଉପରୁ ଖସିଲା ସିଲିଂ, କର୍ମଚାରୀ କହିଲେ…

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri