
ବ୍ରହ୍ମପୁର ଅଫିସ ,୨।୫- ସମଗ୍ର ବିଶ୍ୱ ଏବେ କରୋନା କବଳରେ। ଏହି ଘାତକ ମହାମାରୀ କବଳରୁ ରକ୍ଷା ପାଇବା ଲାଗି ସମ୍ପ୍ରତି ଲକ୍ଡାଉନ୍ ଜାରି ରହିଛି। ରାଜ୍ୟର ୩ଟି ଜିଲା ବିଶେଷ ଭାବେ କରୋନା ପ୍ରଭାବିତ ହୋଇଥିବା ବେଳେ ଗଞ୍ଜାମ ଗ୍ରୀନ୍ ଜୋନ୍ରେ ରହିଛି। ହେଲେ ବାହାର ରାଜ୍ୟରୁ ପ୍ରବାସୀମାନେ ଫରୁଥିବା ଯୋଗୁ ଆଗାମୀ ସମ୍ଭାବ୍ୟ ସ୍ଥିତି ଉପରେ ଜିଲା ପ୍ରଶାସନ ନଜର ରଖିଛି। ତେବେ ଶନିବାର ଜିଲାରେ କୋଭିଡ଼ – ୧୯ ଲକ୍ଷଣ ଥିବା ୪ଜଣ ସନ୍ଦିଗ୍ଧଙ୍କୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍କେସିଜି ) ମେଡିକାଲରେ କୋଭିଡ଼ -୧୯ ୱାର୍ଡରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ କାଶ ଓ ଜ୍ୱର ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ କବିସୂର୍ଯ୍ୟନଗର ଅଞ୍ଚଳର ୨ ଜଣ, ଗଞ୍ଜାମ ଓ ଚିକିଟି କେ .ନୂଆଗାଁ ଅଞ୍ଚଳର ଜଣେ ଲେଖାଏ ସନ୍ଦିଗ୍ଧ ରହିଛନ୍ତି। ମଧ୍ୟାହ୍ନରେ ତାଙ୍କର ସ୍ବାବ ସଂଗ୍ରହ କରାଯାଇଛି। ସେଗୁଡ଼ିକୁ ଉଭୟ ଏମ୍କେସିଜି ମେଡିକାଲ ପରୀକ୍ଷା କେନ୍ଦ୍ର ଓ ଭୁବନେଶ୍ୱର ଆର୍ଏମ୍ଆର୍ସିକୁ ପଠାଯାଇଛି ବୋଲି ମେଡିକାଲ ଅଧିକ୍ଷକ ପ୍ରଫେସର ଡ଼.ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି।
ଅନ୍ୟପଟେ ବୁଧବାର ବିଳମ୍ବିତ ରାତ୍ରରେ ଗୁଜରାଟର ସୁରତରୁ ୪ଟି ବସ୍ରେ ୨୧୭ ପ୍ରବାସୀ ଶ୍ରମିକଙ୍କୁ ଗଞ୍ଜାମ ଜିଲାର ଶେରଗଡ ଓ ଧରାକୋଟରେ ପହଞ୍ଚିଥିଲେ। ସେମାନଙ୍କୁ ଉଭୟ ବ୍ଲକର ଆଦର୍ଶ ବିଦ୍ୟାଳୟର ସଂଗରୋଧ ଗୃହରେ ରଖାଯାଇଥିଲା । ଗୁରୁବାର ସାରେ ୧୭୬ ଜଣଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଇଥିବା ବେଳେ ଶୁକ୍ରବାର ସକାଳେ ପରୀକ୍ଷା ପାଇଁ ଉଭୟ ଏମ୍କେସିଜିର ମାଇକ୍ରୋ ବାୟୋଲୋଜିରେ ଥିବା ପରୀକ୍ଷା କେନ୍ଦ୍ର ଓ ଆର୍ଏମ୍ଆର୍ସିକୁ ପଠାଯାଇଥିଲା। ସେହିପରି ଶୁକ୍ରବାର ସାରେ ଉଭୟ ବ୍ଲକର ସଂଘରୋଧ ଗୃହରୁ ୪୧ ଜଣ ଓ ଶନିବାର ଆସ୍କା ଅଞ୍ଚଳରୁ ୧୨୧ ଜଣ ଏଭଳି ୧୬୨ ଜଣଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଆର୍ଏମ୍ଆର୍ସିକୁ ଶନିବାର ପଠାଯାଇଛି ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଉମା ମିଶ୍ର ସୂଚନା ଦେଇଛନ୍ତି ।