Posted inଖେଳ

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌: ଶୁଟ୍‌ ଆଉଟରେ ଜିତିଲା ଭାରତ

ଭୁବନେଶ୍ୱର, ୨୦।୧(କ୍ରୀଡ଼ା ପ୍ରତିନିଧି)- ନିର୍ଦ୍ଧାରିତ ସମୟ ଖେଳ ୩-୩ରେ ସମାନ ରହିଲା। ଫଳାଫଳ ନିର୍ଣ୍ଣୟ ପାଇଁ ଶୁଟ୍‌ ଆଉଟର ସହାୟତା ନିଆଗଲା। ଏହି ପର୍ଯ୍ୟାୟରେ ଚାପର ବଶବର୍ତ୍ତୀ ନ ହୋଇ ଭାରତ ୩-୧ ଗୋଲରେ ବିଜୟୀ ହେଲା। ଭାଗ୍ୟ ସହାୟ ନ ହେବାରୁ ନେଦରଲାଣ୍ଡ୍ସ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କଲା। ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ର ଏପରି ଏକ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଶୁଟ୍‌ ଆଉଟରେ ଫଳାଫଳ ନିର୍ଣ୍ଣିତ ହୋଇଥିବାରୁ ନିୟମ ଅନୁସାରେ ଭାରତ ୨ ଓ ନେଦରଲାଣ୍ଡ୍ସ ୧ ପଏଣ୍ଟ ହାସଲ କରିଛି। ଶନିବାର ଏହି ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ଭାରତ ୫-୨ ଗୋଲରେ ବିଜୟୀ ହୋଇ ୩ ପଏଣ୍ଟ ପାଇଥିଲା। ତେଣୁ ପ୍ରୋ ଲିଗ୍‌ର ପ୍ରଥମ ଦୁଇ ମ୍ୟାଚ୍‌ ଶେଷରେ ଭାରତ ୫ ଓ ନେଦରଲାଣ୍ଡ୍ସ ୧ ପଏଣ୍ଟ ପାଇଛି।

କଡ଼ା ଟକ୍କର
ପ୍ରୋ ଲିଗ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ସହଜ ବିଜୟ ହାସଲ କରିଥିଲା। ତ୍ରୁଟିରୁ ଶିକ୍ଷାଲାଭ କରିଥିବା ନେଦରଲାଣ୍ଡ୍ସ ଦ୍ୱିତୀୟ ମ୍ୟାଚ୍‌ରେ କଡ଼ା ଟକ୍କର ଦେଇଥିଲା। ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ଅନେକ ସୁଯୋଗ ସୃଷ୍ଟି କରିଥିଲେ ହେଁ କୌଣସି ଦଳ ଗୋଲ ଦେଇପାରି ନ ଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଚମତ୍କାର ଖେଳିଥିଲା ନେଦରଲାଣ୍ଡ୍ସ। ୨୩ତମ ମିନିଟ୍‌ରେ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ଭାନ୍‌ ଡର ଓ୍ବିର୍ଡେନ ମିଙ୍କ୍‌ ମ୍ୟାଚ୍‌ରେ ଗୋଲ ସ୍କୋରିଂ ଖାତା ଖୋଲିଥିଲେ। ଏହାର ୨ ମିନିଟ୍‌ ପରେ ଲଳିତ ଉପାଧ୍ୟାୟ ଗୋଲ୍‌ଟି ପରିଶୋଧ କରିବାରୁ ମ୍ୟାଚ୍‌ ରୋମାଞ୍ଚକ ହୋଇଥିଲା। ତେବେ ୨୬ତମ ମିନିଟରେ ଜେରୋନ ହର୍ଜବର୍ଜର ଓ ୨୭ତମ ମିନିଟରେ ଜର୍ନ କିଲରମ୍ୟାନ ଗୋଟିଏ ଲେଖାଏ ଗୋଲ ଦେବାରୁ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ନେଦରଲାଣ୍ଡ୍ସ ୩-୧ ଗୋଲରେ ଅଗ୍ରଣୀ ଲାଭ କରିଥିଲା। ତୃତୀୟ କ୍ୱାର୍ଟରରେ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଭାରତ ଜୋର୍‌ଦାର ଉଦ୍ୟମ କରିଥିଲା। ତେବେ ୪୧ତମ ମିନିଟ୍‌ରେ ଭାରତୀୟ ଦଳର ଅଧିନାୟକ ମନପ୍ରୀତ ସିଂ ବିପଜ୍ଜନକ ଖେଳ ପାଇଁ ହଳଦିଆ କାର୍ଡ ପାଇବାରୁ ତୃତୀୟ କ୍ୱାର୍ଟରର ଶେଷ ୧୦ ମିନିଟ୍‌ ଭାରତ ୧୦ ଜଣିଆରେ ଖେଳିଥିଲା। ତେବେ ନେଦରଲାଣ୍ଡ୍ସ ଏଥିରୁ ଫାଇଦା ନେଇପାରି ନ ଥିଲା। ୪ର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଅସଲ ଖେଳ ହୋଇଥିଲା। ଘରୋଇ ପରିବେଶ ଓ ଦର୍ଶକଙ୍କ ସମର୍ଥନରେ ଉତ୍ସାହିତ ହୋଇ ଭାରତୀୟ ଖେଳାଳିମାନେ ଜୋସ୍‌ ଦେଖାଇଥିଲେ। ୫୧ତମ ମିନିଟ୍‌ରେ ଭାରତ ଏକ ପେନାଲ୍ଟି କର୍ନର ହାସଲ କରିଥିଲା। ଏସ୍‌.ଭି. ସୁନୀଲଙ୍କ ପୁସ୍‌ରେ ରୂପିନ୍ଦରପାଲ ସିଂଙ୍କ ଶଟ୍‌ ନେଦରଲାଣ୍ଡ୍ସ ଗୋଲକିପରଙ୍କ ପ୍ୟାଡ୍‌ରେ ବାଜି ଫେରି ଆସୁଥିବାବେଳେ ବନଦୀପ ସିଂଙ୍କ ରିବାଉଣ୍ଡ ଶଟ୍‌ ଗୋଲରେ ପରିଣତ ହୋଇଥିଲା। ୫୫ତମ ମିନିଟରେ ଦଳକୁ ଆଉ ଏକ ପେନାଲ୍ଟି କର୍ନର ମିଳିଥିଲା। ଏଥର କିନ୍ତୁ ରୂପିନ୍ଦରପାଲ ଭୁଲ କରି ନ ଥିଲେ। ଡ୍ରାଗ୍‌ ଫ୍ଲିକ୍‌ ଶଟ୍‌ ଜରିଆରେ ସେ ଗୋଲ ଦେବାରୁ ମ୍ୟାଚ୍‌ ସମାନ ସ୍ତରକୁ ଚାଲିଆସିଥିଲା। ଶେଷ ୫ ମିନିଟ୍‌ର ଲଢ଼େଇ ଉତ୍ତେଜନାପୂର୍ଣ୍ଣ ରହିଥିଲା। ୫୯ତମ ମିନିଟ୍‌ରେ ନେଦରଲାଣ୍ଡ୍ସ ପାଇଁ ମ୍ୟାଚ୍‌ ଜିତିବାକୁ ସୁବର୍ଣ୍ଣ ସୁଯୋଗ ଆସିଥିଲା। ମାତ୍ର ଭାରତୀୟ ଦ୍ୱିତୀୟ ପସନ୍ଦ ଗୋଲକିପର କ୍ରିଷ୍ଣନ ପାଠକ ଚମତ୍କାର ସେଭ୍‌ କରି ମ୍ୟାଚ୍‌କୁ ଶୁଟ୍‌ ଆଉଟକୁ ପଠାଇ ଦେଇଥିଲେ।

ଶୁଟ୍‌ ଆଉଟର ରୋମାଞ୍ଚ
ଶୁଟ୍‌ ଆଉଟ ପର୍ଯ୍ୟାୟରେ ପ୍ରଥମେ ଆସିଥିଲେ ଭାରତର ହରମନପ୍ରୀତ ସିଂ। ମାତ୍ର ସେ ନେଦରଲାଣ୍ଡ୍ସ ଗୋଲକିପର ଭାନ ଡର ଭେନ୍‌ ସାମ୍‌ଙ୍କୁ ଅତିକ୍ରମ କରିବାକୁ ସକ୍ଷମ ହୋଇ ନ ଥିଲେ। ନେଦରଲାଣ୍ଡ୍ସର ଜେରୋନ ହର୍ଜବର୍ଜର ମଧ୍ୟ ଭାରତୀୟ ଗୋଲକିପର ପି.ଆର. ଶ୍ରୀଜେଶଙ୍କୁ ଚକ୍‌ମା ଦେବାରେ ବିଫଳ ହୋଇଥିଲେ। ଦ୍ୱିତୀୟରେ ଆସିଥିବା ବିବେକ ସାଗର ପ୍ରସାଦ କିନ୍ତୁ ଗୋଲ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ନେଦରଲାଣ୍ଡ୍ସର ଗ୍ଲେନ ସ୍କୃରମ୍ୟାନ ବିଫଳ ହେବାରୁ ଭାରତର ଅଗ୍ରଣୀ ବଳବତ୍ତର ରହିଥିଲା। ଭାରତର ରୂପିନ୍ଦରପାଲ ବିଫଳ ହେବାରୁ ନେଦରଲାଣ୍ଡ ଆଶା ଉଜ୍ଜୀବିତ ରହିଥିଲା। ମାତ୍ର ଦଳକୁ ଭାଗ୍ୟଦେବୀ ସହାୟ ହୋଇ ନ ଥିଲେ। ଥିଏରୀ ବ୍ରିଙ୍କମ୍ୟାନ ମଧ୍ୟ ଗୋଲ ଦେବାରେ ବିଫଳ ହୋଇଥିଲେ। ଭାରତର ୪ର୍ଥ ଷ୍ଟ୍ରାଇକର ଗୁରଜାନ୍ତ ସିଂ ଗୋଲ ଦେବାରୁ ଘରୋଇ ଦଳର ପଲା ଭାରି ହୋଇଯାଇଥିଲା। ନେଦରଲାଣ୍ଡ୍ସର ମିର୍କୋ ପ୍ରୁଜ୍‌ସେର ଦଳ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ। ତେବେ ଆକାଶଦୀପ ସିଂ ଗୋଲ ଦେବା ପରେ ଭାରତୀୟ ଦଳର ବିଜୟ ଉତ୍ସବ ଆରମ୍ଭ ହୋଇଯାଇଥିଲା। ଭାରତ ୩-୧ରେ ଅଗ୍ରଣୀ ହୋଇଥିବାରୁ ଆଉ ନେଦରଲାଣ୍ଡ୍ସ ଖେଳାଳି ଶୁଟ୍‌ ଆଉଟ ମାରିବା ଆବଶ୍ୟକ ହୋଇ ନ ଥିଲା। ମ୍ୟାଚ୍‌ ଓ ଶୁଟ୍‌ ଆଉଟରେ ଗୋଲ ଦେଇଥିବା ରୂପିନ୍ଦରପାଲ ସିଂ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତାଙ୍କ ପରିଶ୍ରମର ଫଳ ଆଜି ଆମେ ଖାଉଛୁ: କାହିଁକି ଏମିତି କହିଲେ ପାଣ୍ଡ୍ୟା

ମୁମ୍ବାଇ,୭।୪: ଆଇପିଏଲ୍‌ ୨୦୨୧ ଆରମ୍ଭ ପାଇଁ ଆଉ ୨ ଦିନ ବାକି ଅଛି । ଏଥର ଉଦଘାଟନୀ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ...

ମ୍ୟାଚ୍‌ ହାରିବା ପରେ ରାଗିଯାଇ ଗାଙ୍ଗୁଲିଙ୍କୁ ଏପରି କହିଥିଲେ ସଚିନ: ଶୋଇଥିବା ରୁମ୍‌ରେ ଭର୍ତ୍ତି କରିଦେଇଥିଲେ ପାଣି

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଓ ସଚିନ ତେନ୍ଦୁଲକର ଶହେରୁ ଅଧିକ ମ୍ୟାଚ୍‌ ଏକାସଙ୍ଗେ ଖେଳିଛନ୍ତି। ଏଥିପାଇଁ ସଚିନଙ୍କ ସହ...

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ଓଡ଼ିଶାକୁ ୧୩ ପଦକ

ଭୁବନେଶ୍ୱର, ୩।୩(କ୍ରୀଡ଼ା ପ୍ରତିନିଧି)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣ ଭୁବନେଶ୍ୱର ଓ କଟକରେ ସଫଳତାର ସହ ସମ୍ପନ୍ନ ହୋଇଛି। ଦେଶର ୧୫୯ଟି ବିଶ୍ୱବିଦ୍ୟାଳୟର...

ମନ୍ଥର ବୋଲିଂ: ଭାରତ ଦଣ୍ଡିତ

ହାମିଲଟନ,୬।୨(ପି.ଟି.)- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ମନ୍ଥର ବୋଲିଂ କାରଣରୁ ଭାରତୀୟ କ୍ରିକେଟରମାନେ ଅର୍ଥଦଣ୍ଡର ସମ୍ମୁଖୀନ ହୋଇଛନ୍ତି। ଖେଳାଳିମାନଙ୍କ ମ୍ୟାଚ୍‌ ପାଉଣାର ୮୦ ପ୍ରତିଶତ...

‘କୋହଲି ଦିନେ ନା ଦିନେ ସନ୍ନ୍ୟାସ ନେବେ, ତାଙ୍କ ଉପରେ ନିର୍ଭର କରିବା ଉଚିତ ନୁହେଁ ’

ନୂଆଦିଲ୍ଲୀ,୨୪।୧୨: ଅଷ୍ଟ୍ରେଲିଆ ବିପକ୍ଷ ଦିବାରାତ୍ର ଟେଷ୍ଟର ପ୍ରଥମ ପାଳିରେ ଇଂନିସ ଅଗ୍ରଣୀ ହାସଲ କରିବା ପରେ ମଧ୍ୟ ଅତ୍ୟନ୍ତ ଶୋଚନୀୟ ପରାଜୟ ବରଣ କରିଥିଲା ଟିମ୍‌...

କେପିଏଲ୍‌ ଫିକ୍ସିଂ: ନିଜ ଆଡ଼ୁ ତଦନ୍ତ କରୁଛି ବିସିସିଆଇ

ମୁମ୍ବାଇ,୯।୧୧-କର୍ନାଟକ ଉଇକେଟ କିପର ସି.ଏମ୍‌. ଗୌତମ ଓ ମିଜୋରାମ ଅଧିନାୟକ ଆବରାର କାଜି ନିକଟରେ କ୍ରାଇମ ବ୍ରାଞ୍ଚ ଦ୍ୱାରା ଗିରଫ ହେବା ପରେ ବିସିସିଆଇର ଚିନ୍ତା...

ସେମାନେ ଚାହିଁଲେ ଏକାଥରକେ ପାଞ୍ଚଟି ଟିମ୍‌ ମଇଦାନକୁ ଓହ୍ଲାଇପାରିବେ; ଟିମ୍‌ ଇଣ୍ଡିଆକୁ ନେଇ କିଛି ଏଭଳି କହିଲେ…

ରାଞ୍ଚି,୮।୧୦: ଟିମ ଇଣ୍ଡିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ରବିବାର(ଅକ୍ଟୋବର ୯)ରେ ଖେଳାଯିବ। ଏହି ମୁକାବିଲା ପୂର୍ବରୁ ଦକ୍ଷିଣ ଆଫ୍ରିକା ସ୍ପିନର କେଶବ...

କୋପା ଆମେରିକା ଫୁଟ୍‌ବଲ: ବ୍ରାଜିଲ- ଆର୍ଜେଣ୍ଟିନା ଫାଇନାଲ

ବ୍ରାସିଲିଆ,୮।୭: କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଦକ୍ଷିଣ ଆମେରିକାର ଦୁଇ ଫୁଟବଲ ପାଓ୍ବାର ହାଉସ୍‌ ତଥା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ନେମାରଙ୍କ...

Advertisement
Archives

Model This Week