Posted inଫୁରସତ

ଉଡୁପୀ ଶ୍ରୀକୃଷ୍ଣ ମଠ: କେବେ ଓ କେମିତି ଯିବେ

କର୍ନାଟକ ରାଜ୍ୟର ଉଡୁପୀ ସହରରେ ଭଗବାନ ଶ୍ରୀକୃଷ୍ଣଙ୍କୁ ସମର୍ପିତ ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିର ରହିଛି, ଯାହାର ନାମ ହେଉଛି ଉଡୁପୀ ଶ୍ରୀକୃଷ୍ଣ ମଠ(ମନ୍ଦିର)। ଏହି ମଠର ପରିସର ଦେଖିବା ପାଇଁ ଏକ ଆଶ୍ରମ ସଦୃଶ। ଫଳରେ ଏଭଳି ଏକ ପବିତ୍ର ସ୍ଥଳରେ କିଛି ସମୟ ବସି ପ୍ରଭୁଙ୍କୁ ଉପାସନା କରିବାକୁ ଭକ୍ତଙ୍କର ଯା’ଆସ ଏଠାରେ ଲାଗି ରହିଥାଏ। ତା’ଛଡ଼ା ଶ୍ରୀକଷ୍ଣଙ୍କର ଏହି ପବିତ୍ର ମଠ ବ୍ୟତୀତ ଏଠାରେ ଆହୁରି ଅନେକ ପ୍ରାଚୀନ ମଠ, ମନ୍ଦିର ମଧ୍ୟ ଦେଖିବାକୁ ମିଳିଥାଏ। ତନ୍ମଧ୍ୟରୁ ପ୍ରାୟ ହଜାରେ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ଉଡୁପୀ ଅନନ୍ତେଶ୍ୱର ମନ୍ଦିର ଅନ୍ୟତମ।

ଇତିହାସ
ବୈଷ୍ଣବ ସନ୍ଥ ଜଗଦ୍‌ଗୁରୁ ଶ୍ରୀ ମାଧଓ୍ବାଚାର୍ଯ୍ୟଙ୍କ ଦ୍ୱାରା ତ୍ରୟୋଦଶ ଶତାବ୍ଦୀ ସମୟରେ ଏହି ମନ୍ଦିରଟି ନିର୍ମିତ ହୋଇଥିଲା। କିମ୍ବଦନ୍ତୀରୁ ଯାହା ଜଣାଯାଏ, ଏକଦା ପ୍ରଭୁ ଶ୍ରୀକୃଷ୍ଣଙ୍କର ଜଣେ ପରମ ଭକ୍ତଙ୍କୁ କୌଣସି କାରଣ ପାଇଁ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। ପ୍ରଭୁଙ୍କୁ ନ ଦେଖି ଭକ୍ତ ଜଣଙ୍କ ଦୁଃଖ ମନରେ ଭଗବାନଙ୍କୁ ସ୍ମରଣ କରିବାକୁ ଲାଗିଲେ। ଭକ୍ତିଭାବରେ ବନ୍ଧା ପ୍ରଭୁ ଶ୍ରୀକୃଷ୍ଣ ତାଙ୍କର ଏହି ପରମ ଭକ୍ତଙ୍କର ଗୁହାରିକୁ ଶୁଣି ତାଙ୍କୁ ନିଜର ସ୍ବର୍ଗୀୟ ରୂପ ଦେଖାଇବା ପାଇଁ ମଠରେ ଥିବା ଝରକା ସଦୃଶ ଏକ କାନ୍ଥରେ ଛୋଟ ଛୋଟ ନଅଟି କଣା କରିଦେଲେ। ଆଶ୍ଚର୍ଯ୍ୟର ବିଷୟ ସେବେଠାରୁ ସେହି ନଅଟି କଣାଦେଇ ପ୍ରଭୁଙ୍କୁ ଏଠାରେ ଉପାସନା କରାଯାଉଛି। ଆଉ ସେହି ନଅଟି କଣାକୁ ନବଗ୍ରହଙ୍କ ସହ ତୁଳନା କରି ନବଗ୍ରହ କିଣ୍ଡି ନାମରେ ନାମିତ କରାଯାଇଛି।

ମନ୍ଦିର ସମ୍ପର୍କରେ
ଉଡୁପୀ ଶ୍ରୀକୃଷ୍ଣ ମଠର ଧାର୍ମିକ ରୀତିନୀତି, ପରମ୍ପରା ତଥା ମହିମା ସମଗ୍ର ଭାରତ ବର୍ଷରେ ବେଶ୍‌ ପରିଚିତ। ସୂଚନାନୁଯାୟୀ, ଏହି ମଠ(ମନ୍ଦିର)ର ପରିଚାଳନା ତଥା ପ୍ରଭୁଙ୍କ ସେବାକାର୍ଯ୍ୟର ସମସ୍ତ ଦାୟିତ୍ୱ ଏଠାରେ ଥିବା ଅନ୍ୟ ଆଠଟି ମଠ (ମନ୍ଦିର)ଉପରେ ନ୍ୟସ୍ତ କରାଯାଇଛି। ସେହି ଆଠଟି ମଠ ହେଉଛି ପିଜାଭରା, ପୁଟ୍ଟିଗେ, ପଲିମାରୁ, ଅଡାମାରୁ, ସୋଢେ, କନିୟୁରୁ, ଶିରୁର ଏବଂ କ୍ରିଷ୍ଣାପୁରା। ପ୍ରତି ମଠ ଚକ୍ରିୟ କ୍ରମରେ ଦୁଇ ବର୍ଷ ଲେଖାଏଁ ଶ୍ରୀକୃଷ୍ଣ ମଠର ସମସ୍ତ ଦାୟିତ୍ୱ ସମ୍ପାଦନ କରିଥାନ୍ତି। ଆଉ ପ୍ରତି ମଠରେ ଜଣେ ଜଣେ ସ୍ବାମୀଜୀ ରହି ଏହି ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇଥାନ୍ତି।

ପର୍ବପର୍ବାଣି
ପ୍ରତି ଦୁଇ ବର୍ଷକୁ ଥରେ ଏଠାରେ ପାଳିତ ହେଉଥିବା ପର୍ଯ୍ୟାୟା ନାମକ ଉତ୍ସବ ସମୟରେ, ଉଡୁପୀ ଶ୍ରୀକୃଷ୍ଣ ମନ୍ଦିରର ପରିଚାଳନା ଦାୟିତ୍ୱକୁ ଗୋଟିଏ ମଠରୁ ଆଉ ଏକ ମଠକୁ ହସ୍ତାନ୍ତର କରାଯାଇଥାଏ। ଏହି ଉତ୍ସବ ଏଠାକାର ଏକ ପ୍ରମୁଖ ଉତ୍ସବ। ସେହିପରି ମକର ସଂକ୍ରାନ୍ତି, ରଥ ସପ୍ତମୀ, ମାଧବ ନବମୀ, ହନୁମାନ ଜୟନ୍ତୀ, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ନବରାତ୍ର ମହୋତ୍ସବ, ବିଜୟା ଦଶମୀ, ନରକ ଚତୁଃଦର୍ଶୀ, ଦୀପାବଳି, ଗୀତା ଜୟନ୍ତୀ ଇତ୍ୟାଦିକୁ ମଧ୍ୟ ଏଠାରେ ବେଶ୍‌ ଧୂମ୍‌ଧାମ୍‌ରେ ପାଳନ କରାଯାଇଥାଏ।

କେବେ ଓ କେମିତି ଯିବେ
ବର୍ଷର ଯେତେବେଳେ ଚାହିଁବେ, ସେତେବେଳେ ଏହି ମନ୍ଦିରକୁ ବୁଲିବାକୁ ଯାଇପାରିବେ। ତେବେ ବିଶେଷ ପର୍ବପର୍ବାଣି ସମୟରେ ଏଠାକୁ ଗଲେ, ଭଗବାନଙ୍କର ଅନେକ ନିଆରା ରୀତିନୀତି ଦେଖିବା ସହ ପ୍ରସାଦ ସେବନ କରିବାର ସୁଯୋଗ ମିଳିଥାଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ମଧ୍ୟ ବେଶ୍‌ ଭଲ ବ୍ୟବସ୍ଥା ରହିଛି। ଉଡୁପୀ ରେଲଓ୍ବେ ଷ୍ଟେଶନ ହେଉଛି ଏହାର ନିକଟତମ ରେଳଷ୍ଟେଶନ। ସେଠାରୁ ଟ୍ୟାକ୍ସି ସାହାଯ୍ୟରେ ମନ୍ଦିର ନିକଟକୁ ଯାଇହେବ। ଅନ୍ୟପକ୍ଷେ ମାଙ୍ଗାଲୋର୍‌ ଇଣ୍ଟର ନ୍ୟାଶନାଲ୍‌ ଏୟାର୍‌ପୋର୍ଟ ହେଉଛି ଏହାର ନିକଟତମ ବିମାନବନ୍ଦର। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?