ଆଶା ଓ ଆକାଂକ୍ଷାର ବିଜୟ

ରବି ଶଙ୍କର ପ୍ରସାଦ

୧୫ବର୍ଷ ପରେ ମଧ୍ୟ ବିହାରର ମତଦାତାମାନେ ପୁଣି ଏନ୍‌ଡିଏ ସରକାର ଉପରେ ନିଜର ଆସ୍ଥା ବ୍ୟକ୍ତ କରିଛନ୍ତି। ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ନେଇ ଯେତେ ଯୁକ୍ତିତର୍କ ହେଲେ ମଧ୍ୟ ଗୋଟିଏ କଥା ସତ୍ୟ ଯେ, ଏନ୍‌ଡିଏ, ଏହାର ୪ ସହଯୋଗୀ ଭାଜପା, ଜେଡିୟୁ, ଜିତନରାମ ମାଂଝିଙ୍କର ଏଚ୍‌ଏଏମ୍‌ ଏବଂ ମୁକେଶ ସାହାଣୀଙ୍କ ଭିଆଇପି ଦଳ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିବା ସହ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛନ୍ତି। ଯଦି କେତେକ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତାମୂଳକ ବିଧାନସଭା ନିର୍ବାଚନମଣ୍ଡଳୀ ଯେଉଁଥିରେ କି ଏନ୍‌ଡିଏ ପ୍ରାର୍ଥୀମାନେ ଖୁବ୍‌ କମ୍‌ ବ୍ୟବଧାନରେ ପରାସ୍ତ ହୋଇଛନ୍ତି, ସେଗୁଡ଼ିକୁ ଜିତିଥିଲେ ଏନ୍‌ଡିଏ ୧୩୫ରୁ ଅଧିକ ଆସନ ପାଇପାରିଥା’ନ୍ତା। ଚିରାଗ ପାଶ୍ୱାନଙ୍କ ଏଲ୍‌ଜେପି ଦଳ ମଧ୍ୟ ଏହି କ୍ଷତି ପାଇଁ ଦାୟୀ। ଏ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଏନ୍‌ଡିଏ ପୂର୍ଣ୍ଣସଂଖ୍ୟାଗରିଷ୍ଠତା ହାସଲ କରିଛି। ବିହାର ମତଦାତାଙ୍କ ପରିପକ୍ୱତା ଏଥିରୁ ସୁସ୍ପଷ୍ଟ।
ନିଜର ଜାତିଗତ ଐତିହ୍ୟ, ଗୋଷ୍ଠୀବାଦ ଏବଂ ସମୟେ ସମୟେ ସାମ୍ପ୍ରଦାୟିକ ଗଣ୍ଡଗୋଳ ସତ୍ତ୍ୱେ ବିହାର ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ। ଅନେକ ସମୟରେ ଧରିନିଆଯାଇଥାଏ ଯେ, ଲୋକମାନେ ଜାତିଗତ ଭିତ୍ତିରେ ବିଭାଜିତ ହୋଇ ଭୋଟଦାନ କରିଥାଆନ୍ତି। ତଥାପି ଏନ୍‌ଡିଏ ବିଜୟ ଲାଭ କରିଛି ଓ କେଉଁ କେଉଁ ମୁଖ୍ୟ ଘଟଣା ଯୋଗୁ ଏହି ବିଜୟ ସମ୍ଭବ ହେଲା, ତାହାର ବିଶ୍ଳେଷଣ ଆବଶ୍ୟକ। ଏହି ବିଜୟ ଯେ ଏକ ଆଶା ଓ ଆକାଂକ୍ଷାର ବିଜୟ, ଏଥିରେ ମୋର ଲେଶମାତ୍ର ସନ୍ଦେହ ନାହଁି। ବେରୋଜଗାରି ଓ ବିକାଶର ଅନ୍ୟାନ୍ୟ ପ୍ରସଙ୍ଗ ପ୍ରଚାରବେଳେ କୁହାଯାଇଥିଲେ ମଧ୍ୟ ବିହାରର ଜନସାଧାରଣ ସୁଶାସନର ଭଲମନ୍ଦ ବିଚାରକୁ ନେଇ ନିଜର ମତଦାନ କରିଛନ୍ତି। ବିହାର ମୋର ନିଜ ରାଜ୍ୟ ଓ ମୋ ଛାତ୍ର ଜୀବନରୁ ଏହାର ସମସ୍ତ କାର୍ଯ୍ୟକଳାପ ସହିତ ମଁୁ ଜଡ଼ିତ ରହିଛି। ଆଗରୁ ଦୁର୍ଭିକ୍ଷ ବା ବନ୍ୟା ରିଲିଫ୍‌କୁ କେବଳ ପ୍ରାକୃତିକ ବିପର୍ଯ୍ୟୟ ଭାବେ ବିବେଚନା କରାଯାଉଥିଲା, ସେଥିପାଇଁ ବିଜୁଳି ଓ ସଡ଼କକୁ ପରେ ପ୍ରାଧାନ୍ୟ ଦିଆଗଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ନିରବଚ୍ଛିନ୍ନ ଉଦ୍ୟମ ଫଳରେ ସଡ଼କ ଓ ବିଦ୍ୟୁତ୍‌ ଶକ୍ତି ଭିତ୍ତିଭୂମିର ବିକାଶ କରାଯାଇ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାର ଜରିଆରେ ଗଁାରୁ ଗଁାକୁ ପହଞ୍ଚାଇ ଦିଆଗଲା। ଏହାର ସୁଫଳ ଲୋକେ ମର୍ମେ ମର୍ମେ ଅନୁଭବ କରିଛନ୍ତି। ମୋର ମନେଅଛି ପ୍ରଚାର କାଳରେ ମଁୁ କେତେକ ଲୋକଙ୍କୁ ପଚାରିଥିଲି, ନେପାଳ ସୀମାରୁ ପାଟ୍‌ନାରେ ପହଞ୍ଚତ୍ବାକୁ କେତେ ସମୟ ଲାଗେ। ଜନସାଧାରଣଙ୍କ ସିଧା ଉତ୍ତର ଥିଲା, ପ୍ରାୟ ୪ ରୁ ୫ ଘଣ୍ଟା। ବିହାରରେ ବର୍ତ୍ତମାନ ଦୁଇଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ପାଟ୍‌ନାରେ ଗୋଟିଏ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ପ୍ରତିଷ୍ଠା କରାଯାଇଛି, ଯାହାକି କୋଭିଡ୍‌ ସମୟରେ ଖୁବ୍‌ ପ୍ରଶଂସନୀୟ କାର୍ଯ୍ୟ କରିଛି। ଏହାକୁ ଛାଡ଼ି ଦରଭଙ୍ଗାରେ ଆଉ ଏକ ଏମ୍ସ ପ୍ରତିଷ୍ଠା ହେବାକୁ ଯାଉଛି। ୮ଟି ନୂତନ ମେଡିକାଲ କଲେଜ ଓ ଗଙ୍ଗା ନଦୀ ଉପରେ ପ୍ରାୟ ୫ଟି ନୂତନ ସେତୁ ମଧ୍ୟ ତିଆରି ହେବ। ସେଥିରୁ ୨ଟିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଲାଣି। ସ୍ବାଧୀନତା ପରଠାରୁ ରାଜ୍ୟରେ ମୋଟ ୨ଟି ସେତୁ ଥିଲା। ୧୯୩୪ରେ ଭୂମିକମ୍ପ ଯୋଗୁ ବିଚ୍ଛିନ୍ନ ହୋଇଯାଇଥିବା ମିଥିଳା ଓ କୋସି ଅଞ୍ଚଳ ଆଜି କୋସି ନଦୀର ସେତୁ ଯୋଗୁ ଉଭୟ ରେଳ ଓ ସଡ଼କ ଯୋଗେ ଯୋଡ଼ି ହୋଇପାରିଛି। ପାଟ୍‌ନାରେ ଆଜି ଚାଣକ୍ୟ ଆଇନ ପ୍ରତିଷ୍ଠାନ ଯୋଗୁ ୫ ବର୍ଷିଆ ସମନ୍ବିତ ଆଇନ ଶିକ୍ଷା ଉପାଧି ପ୍ରଦାନ କରାଯାଉଛି। ଏନ୍‌ଆଇଏଫ୍‌ଟି, ଆଇଆଇଟି ଏବଂ ବୁଦ୍ଧଗୟାରେ ଆଇଆଇଏମ୍‌ ମଧ୍ୟ ପ୍ରତିଷ୍ଠା ହୋଇଛି। ବିହାରର ଅଧିକାଂଶ ସ୍ଥାନରେ ବିପିଓ ଗଢ଼ି ଉଠିଥିବା ବେଳେ ପାଟ୍‌ନାରେ ଟିସିଏସ୍‌ର କେନ୍ଦ୍ର ମଧ୍ୟ କାର୍ଯ୍ୟ କରୁଛି। ଏହିସବୁ କେବେବି ଦେଖାଯାଇନଥିବା ପରିବର୍ତ୍ତନ ଲୋକଙ୍କ ମନରେ ଏକ ଆଶା ଓ ବିଶ୍ୱାସ ସୃଷ୍ଟି କରିପାରିଛି।
ତେବେ ସବୁଠାରୁ ବଡ଼କଥା ହେଲା ବିକାଶର ଅନ୍ତର୍ଭୁକ୍ତୀକରଣ। ଉଜ୍ଜ୍ୱଳା ଯୋଜନାରେ ବିଶେଷକରି ମହିଳାମାନେ ଗ୍ୟାସ୍‌ ସିଲିଣ୍ଡରର ସୁବିଧା ପାଇଥିବା ବେଳେ ପ୍ରତ୍ୟକ୍ଷ ପୁଞ୍ଜି ହସ୍ତାନ୍ତରଣ ଯୋଗୁ ଉଭୟ ମହିଳା ଓ ଅନ୍ୟାନ୍ୟ ହିତାଧିକାରୀ ଆର୍ଥିକ ସହାୟତା ପାଇ ନିଜକୁ ସଶକ୍ତ କରିପାରିଛନ୍ତି। ପିଏମ୍‌ କିଷାନ ଯୋଜନାରେ ଚାଷୀମାନଙ୍କ ଖାତାକୁ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଆସିଥିବା ବେଳେ ପ୍ରଧାନମନ୍ତ୍ରୀ କିଷାନ ମାନ-ଧନ ଯୋଜନା ଅଧୀନରେ ସାମାଜିକ ସୁରକ୍ଷା ପେନ୍‌ସନ ମଧ୍ୟ ସେମାନେ ପାଉଛନ୍ତି। ଏହାଛଡ଼ା ସୁକନ୍ୟା ସମୃଦ୍ଧି ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍‌, ନିରାପଦ ପାନୀୟ ଜଳ, ପ୍ରତି ଗ୍ରାମରେ ପାଇଖାନା ଏବଂ ପଞ୍ଚାୟତ ଓ ସରକାରୀ ଚାକିରିରେ ନୀତୀଶ କୁମାରଙ୍କ ଅସାଧାରଣ ପଦକ୍ଷେପ ସ୍ବରୂପ ସଂରକ୍ଷଣ ବ୍ୟବସ୍ଥା ଇତ୍ୟାଦି ଯୋଗୁ ଲୋକମାନଙ୍କ ମନରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରତି ଆଶା ଆକାଂକ୍ଷା ବୃଦ୍ଧି ପାଇଛି।
ଏହି ନିର୍ବାଚନରେ ମହିଳାଙ୍କ ଭଳି ନୀରବ ମତଦାତା ହୁଅନ୍ତୁ ବା ଅତ୍ୟନ୍ତ ଅନଗ୍ରସର ବ୍ୟକ୍ତି ହୁଅନ୍ତୁ, ସେମାନେ ସମସ୍ତେ ଏନ୍‌ଡିଏ ପ୍ରତି ନିଜର ସମର୍ଥନ ବ୍ୟକ୍ତ କରିଛନ୍ତି। ରାଜ୍ୟ ସରକାରଙ୍କ କାର୍ଯ୍ୟ, କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତା ଓ ବିହାରର ବିକାଶ ଏବଂ ସର୍ବୋପରି ପ୍ରଧାନମନ୍ତ୍ରୀଙ୍କ ବିନମ୍ର ନିବେଦନ ଯୋଗୁ ଜାତି ଓ ଗୋଷ୍ଠୀ ନିର୍ବିଶେଷରେ ଜନସାଧାରଣ ଏନ୍‌ଡିଏକୁ ଭୋଟ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସବ୍‌ କା ସାଥ୍‌, ସବ୍‌ କା ବିକାଶ, ସବ୍‌ କା ବିଶ୍ୱାସର ମନ୍ତ୍ର ସମସ୍ତ ସଂକୀର୍ଣ୍ଣତାକୁ ପଛରେ ପକାଇଦେଇଛି। ସର୍ବୋପରି ସର୍ଭେ ବା ଏକ୍‌ଜିଟ ପୋଲ କରୁଥିବା ଲୋକମାନଙ୍କ ଆଗରେ ସେମାନଙ୍କର ନୀରବତା ସମସ୍ତଙ୍କୁ ବିସ୍ମିତ କରିଦେଇଛି ଏବଂ ଏହି ସଂସ୍ଥାଗୁଡ଼ିକୁ ଏହା ଏକ ଶିକ୍ଷା ଦେଇଛି।
କୋଭିଡ୍‌-୧୯ କେବଳ ବିହାର ନୁହେଁ, ସମଗ୍ର ବିଶ୍ୱ ପାଇଁ ଏକ ବାସ୍ତବତା। ମାତ୍ର ବିହାରର ପ୍ରାୟ ୮ କୋଟି ଲୋକଙ୍କୁ ନରେନ୍ଦ୍ର ମୋଦିଙ୍କ ସରକାର ମାଗଣା ଖାଦ୍ୟ ଓ ପ୍ରବାସୀ ଶ୍ରମିକମାନଙ୍କୁ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଇଛନ୍ତି। ମଁୁ ସ୍ବୀକାର କରୁଛି ଯେ, ନୀତୀଶ ସରକାର ଲୋକମାନଙ୍କ ହୃଦୟକୁ ଛୁଇଁବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପ୍ରଧାନମନ୍ତ୍ରୀ ସ୍ପଷ୍ଟ କହିଛନ୍ତି ଯେ, ବିହାରର ବିକାଶ ବିନା ଭାରତର ବିକାଶ ସମ୍ଭବ ନୁହେଁ। ପୂର୍ବାଞ୍ଚଳର ବିକାଶ ପାଇଁ ସରକାର ଅଙ୍ଗୀକାରବଦ୍ଧ। ମଁୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଏଇଥିପାଇଁ ଜଣାଉଛି ଯେ, ଯେତେବେଳେ ସେ ଦେଶର ୬ ଲକ୍ଷ ଗ୍ରାମ ପଞ୍ଚାୟତକୁ ଅପ୍‌ଟିକାଲ ଫାଇବର ଯୋଗେ ଯୋଡ଼ିବା ପାଇଁ ନିଷ୍ପତ୍ତି ନେଲେ, ସେତେବେଳେ ବିହାରର ସମସ୍ତ ଗ୍ରାମକୁ ଅନ୍ତର୍ଭୁକ୍ତ କରିବା ପାଇଁ ମଁୁ ଅନୁମତି ମାଗିଥିଲି। ସେ ଅନୁମତି ଦେଲେ ଓ ଆମେ ସାଧାରଣ ସେବା କେନ୍ଦ୍ର ଜରିଆରେ ସମସ୍ତ ଗ୍ରାମକୁ ସଂଯୋଗ କରିବା ପାଇଁ କାର୍ଯ୍ୟ ଆରମ୍ଭ କଲୁ। ତେଣୁ ବିହାରର ବିକାଶକୁ କିଏ ତ୍ୱରାନ୍ବିତ କରିପାରିବ ବୋଲି ପ୍ରଶ୍ନ ଉଠିଲେ ବିହାରର ସାଧାରଣ ମତଦାତା ନୀତୀଶ କୁମାରଙ୍କ ନେତୃତ୍ୱରେ ଏନ୍‌ଡିଏ ଓ ପ୍ରଧାନମନ୍ତ୍ରୀଙ୍କ ସହଯୋଗ ଏ ଦିଗରେ ଏହା ଦେଇପାରିବ ବୋଲି ହୃଦ୍‌ବୋଧ କଲେ। ଲୋକ ସବୁବେଳେ ମିଥ୍ୟା ଆଶ୍ୱାସନା ନୁହେଁ ବରଂ ପ୍ରକୃତ କାର୍ଯ୍ୟ ଉପରେ ଭରସା ରଖିଥାଆନ୍ତି। ମୋ ମତରେ ବିହାର ନିର୍ବାଚନରେ ଏହା ଯଥାର୍ଥ ଭାବରେ ପ୍ରତିପାଦିତ ହୋଇଛି। ହଁ ଏକଥା ବି ସତ୍ୟ ଯେ, ଲୋକମାନେ ଜଙ୍ଗଲରାଜ୍‌ର ଦୌରାତ୍ମ୍ୟକୁ ଭୁଲି ପାରିନାହାନ୍ତି ଓ ସେମାନେ ବହୁ ବର୍ଷ ଧରି ଏହାର କୁପରିଣାମ ଭୋଗିଛନ୍ତି। ସମୟର କଷଟି ପଥରରେ ଯେଉଁମାନେ ପରୀକ୍ଷିତ, ସେମାନଙ୍କ ଉପରେ ଭରସା କରିଛନ୍ତି। ଯୁବଗୋଷ୍ଠୀଙ୍କ ସମେତ ମୋ ରାଜ୍ୟର ଜନସାଧାରଣଙ୍କ ମନରେ ବହୁତ ଆଶା ରହିଛି। ନିର୍ବାଚନ ପ୍ରଚାର ବେଳେ ମଁୁ ଲକ୍ଷ୍ୟ କରିଛି ଅନେକ ଯୁବତୀ ଯୁବକ ମୋ ଭାଷଣକୁ ସେମାନଙ୍କ ସ୍ମାର୍ଟ ଫୋନ୍‌ ଜରିଆରେ ରେକର୍ଡ କରୁଥିଲେ। ଯେତେବେଳେ ମଁୁ ସେମାନଙ୍କୁ ପଚାରିଲି, ତୁମମାନଙ୍କ ମଧ୍ୟରୁ କେତେଜଣ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହିଛ, ସେତେବେଳେ ହଜାର ହଜାର ହାତ ଉପରକୁ ଉଠିଥିଲା। ଏପରିକି ରାଜ୍ୟର ଅନେକ ଦୁର୍ଗମ ଅଞ୍ଚଳରେ ମଧ୍ୟ ଏହା ଦେଖାଦେଇଥିଲା। ଏହା ହେଉଛି ଏକ ନୂତନ ପରିବର୍ତ୍ତନ, ଯାହାକି ଲାଲୁଙ୍କ ଲାଠି ଧରି ଶାସନ କରିବାଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏବେ କମ୍ପ୍ୟୁଟର, ସାମାଜିକ ଗଣମାଧ୍ୟମ ଓ ଡିଜିଟାଲ ଇଣ୍ଡିଆ ଜରିଆରେ ସୁବିଧା ସୁଯୋଗ ପାଇବାର ବେଳ ଉପନୀତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟାପକ ପ୍ରଚାର କାର୍ଯ୍ୟକ୍ରମ ଯୋଗୁ ଆମେ ସମସ୍ତେ କୃତଜ୍ଞ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାଙ୍କ ପ୍ରଚାର ଯୋଗୁ ଭୋଟ ମଧ୍ୟ ଆମ ସପକ୍ଷରେ ଯାଇଥିଲା। ବିହାରର ମତଦାତା ଆମ ଉପରେ ବିଶ୍ୱାସ ରଖିଛନ୍ତି ଓ ଆମେ ଆମର ପ୍ରତିଶ୍ରୁତି ନିଶ୍ଚୟ ପୂରଣ କରିବୁ।
(ଲେଖକ କେନ୍ଦ୍ର ଆଇନ, ନ୍ୟାୟ, ଦୂରସଞ୍ଚାର, ଇଲେକ୍ଟ୍ରୋନିକ୍‌ ଓ ଆଇଟି ମନ୍ତ୍ରୀ ତଥା ଲୋକ ସଭାରେ ପାଟ୍‌ନା ସାହିବକୁ ପ୍ରତିନିଧିତ୍ୱ କରୁଛନ୍ତି)


Enter your email to get our daily news in your inbox.

All Right Reserved By Dharitri.Com

ବଦଳୁଛି ଶ୍ରୀକ୍ଷେତ୍ର

ବିମଳ ପ୍ରସନ୍ନ ଦାସ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ପରିଚୟ। ସେ ସମ୍ପର୍କ ଅବ୍ୟକ୍ତ, ଅନୁପମ ଏବଂ ଅକଳନ ଆନନ୍ଦର ଅଭିବ୍ୟକ୍ତି। କାରଣ ସେ ଅନନ୍ୟ, ଅମୃତମୟ,...

ମାଂସରେ ରାକ୍ଟୋପାମାଇନ୍‌ର ବିପଦ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ମୁଁ ଥରେ ‘କକ୍‌ଟେଲ ଅଫ୍‌ ଡ୍ରଗ୍ସ ଇନ୍‌ ମିଟ୍‌’ ବିଷୟରେ ଲେଖିଥିଲି। ସେଥିରେ ମୁଁ ଲେଖିଥିବା ଗୋଟିଏ ଡ୍ରଗ୍‌ ହେଉଛି...

ଅନ୍‌ଲାଇନ୍‌ ଶିକ୍ଷା

କୋଭିଡ୍‌-୧୯ ମହାମାରୀ ଯୋଗୁ ସମାଜରେ ଯେଉଁ ପରିବର୍ତ୍ତନ ଆସିଛି ତାହାକୁ ଇଂଲିଶରେ ‘ନ୍ୟୁ ନର୍ମାଲ’ କୁହାଯାଉଛି। ସାମାଜିକ, ଅର୍ଥନୈତିକ, ରାଜନୈତିକ, ଶିକ୍ଷା, ସ୍ବାସ୍ଥ୍ୟ ଆଦି ପ୍ରତି...

ଏକୁଳର ନା ସେକୁଳର

କରୋନା ଭାଇରସ୍‌ ସଂକ୍ରମଣ ଓ ତତ୍‌ଜନିତ ଲକ୍‌ଡାଉନ୍‌ ଯୋଗୁ ବିଶ୍ୱ ଅର୍ଥନୀତି ଘୋର ମାନ୍ଦାବସ୍ଥା ଦେଇ ଗତି କରୁଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଅନ୍ତର୍ଜାତୀୟ ସ୍ତରରେ...

ଏଇ ଭାରତରେ

ଗର୍ଭସ୍ଥ ଶିଶୁକୁ ସଂସ୍କାରିତ କରିବା ପାଇଁ ସବୁ ଧର୍ମରେ ଗର୍ଭବତୀମାନେ ଧର୍ମଗ୍ରନ୍ଥ ପାଠ କରିବା ସହ ବିଭିନ୍ନ ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି। କିନ୍ତୁ...

କଟକଣା କ୍ଷତି କଲା

ଆକାର ପଟେଲ ନୀତି ଆୟୋଗ କ’ଣ ଓ ଏହା କି କାମ କରେ ଏ ସମ୍ପର୍କରେ ଖୁବ୍‌ କମ୍‌ ଲୋକ ଜାଣନ୍ତି। କିନ୍ତୁ ଏହାର ମୁଖ୍ୟ...

ଜୀବନ ଏମିତି ଚାଲିବ

ଆକାର ପଟେଲ ପୂର୍ବରୁ କିଛି ସପ୍ତାହ ପର୍ଯ୍ୟନ୍ତ ଭାରତର ଗଣମାଧ୍ୟମରେ କୋଭିଡ୍‌ ପରିଚାଳନା ଘଟଣା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା। ଏପରିକି ତାହା କିଛିଦିନ ଧରି ବିଶ୍ୱ...

ପିଲା ମନ

ଅଞ୍ଜନ ଚାନ୍ଦ ଏବେ ମୁଁ ସ୍କୁଲକୁ ଯିବାକୁ ଗାଁଭିତରେ ରାସ୍ତାଟିଏ ପାଇଯାଇଛି। ମୋତେ ଆଉ ସବୁଦିନ ଚଳଚଞ୍ଚଳ ରାଜରାସ୍ତାକୁ ଯିବାକୁ ପଡୁନାହିଁ। ଯିବାଆସିବାରେ ପାଞ୍ଚ କିଲୋମିଟର...

Advertisement


Archives

Model This Week