ଆରୋ ପ୍ୟୁରିଫାଇର ନା ସାଧାରଣ ଫିଲ୍ଟର

ଡ. ନରେନ୍ଦ୍ର କୁମାର ସେଠୀ

ଯଦିଓ ପୃଥିବୀରେ ଜଳ ଯଥେଷ୍ଟ ମାତ୍ରାରେ ଅଛି, ସେଥିରୁ ମାତ୍ର ୩% ମଧୁର ଜଳ ଓ ତାହା ମଧ୍ୟରୁ ଦୁଇ ତୃତୀୟାଂଶ ଗ୍ଲେସିୟରରେ ବରଫ ଆକାରରେ ଅଛି। ଯାହା ଫଳରେ ବିଶ୍ୱର ଶହେ ଦଶ କୋଟିରୁ ଅଧିକ ଲୋକ ଜଳ ସଙ୍କଟରେ ଅଛନ୍ତି।
ଜାତିସଙ୍ଘର ଏକ ଅନୁମାନ ଅନୁସାରେ ଆଗାମୀ ପଚାଶରୁ ଶହେ ବର୍ଷ ଭିତରେ ବିଶ୍ୱରେ ଜଳଯୁଦ୍ଧ ହେବା ନିଶ୍ଚିତ। ପାଣି ବିଶ୍ୱରେ ମିଳୁଥିବା ସବୁଠୁ ମୂଲ୍ୟବାନ ପ୍ରାକୃତିକ ସମ୍ପଦ । ପୃଥିବୀର ସବୁ ଜୀବଜଗତ ପାଇଁ ଜଳର ଆବଶ୍ୟକତା ଅଛି ଓ ସେଥିପାଇଁ କୁହାଯାଏ ଜଳ ହିଁ ଜୀବନ। ତେବେ ଶିଳ୍ପ ବିପ୍ଳବ ଓ ବିକାଶ ସାଙ୍ଗକୁ ଆମେ ପ୍ରକୃତି ପ୍ରଦତ୍ତ ଶୁଦ୍ଧ ଜଳକୁ ଧୀରେ ଧୀରେ ଦୂଷିତ କରି ଚାଲିଛୁ। ଯୋଉ ଜଳ ଦିନେ ନିର୍ମଳ କାଚ କେନ୍ଦୁ ପରି ଥିଲା, ତାହା ଅନେକ ଜାଗାରେ ପିଇବା ଅନୁପଯୋଗୀ ହୋଇପଡ଼ିଛି ଓ ଅନେକ ରୋଗ ଦୂଷିତ ଜଳ ପାନ ଯୋଗୁଁ ହେଉଛି। ତେଣୁ କଥାରେ ଅଛି ପାଣି ପିଇବ ଛାଣି। ଏହାର ଅର୍ଥ କଦାପି ନୁହେଁ ଯେ ପାଣିକୁ ଲବଣ ଓ ଜୀବନଶୂନ୍ୟ କରି ପିଇବା। ପ୍ରାଚୀନ ଭାରତୀୟ ବୈଦିକ ଶାସ୍ତ୍ରରେ ମଧ୍ୟ ଶୁଦ୍ଧଜଳର ବର୍ଣ୍ଣନା ଅଛି। ପିଇବା ପାଣି କେମିତି ହେବା ଦରକାର; ତାହା ଋଗ୍‌ ବେଦର ଏକ ଶ୍ଳୋକରେ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ଏହି ଶ୍ଳୋକ ଅନୁଯାୟୀ ପିଇବା ପାଣି ଶୀତଳ, ସ୍ବଚ୍ଛ, ଦରକାରୀ ଖଣିଜଯୁକ୍ତ, ନିର୍ମଳ ଓ ଅମ୍ଳ ସନ୍ତୁଳିତ ହୋଇଥିବା ଦରକାର।
ଦୁଇ ଦଶନ୍ଧି ପୂର୍ବରୁ ମଣିଷ ଯେ ଦିନେ ବୋତଲ ବନ୍ଦ ପାଣି କିଣି ପିଇବ ଏକଥା କଳ୍ପନା ବାହାରେ ଥିଲା। ବଢ଼ୁଥିବା ଜଳ ପ୍ରଦୂଷଣ ଓ ଲୋକମାନଙ୍କ ମଧ୍ୟରେ ବଢ଼ିଥିବା ଜାଗରୁକତା ଏଥିପାଇଁ ଦାୟୀ। ଗଁା ଗହଳିରେ ଆଉ ଲୋକମାନେ ନଳକୂଅ ପାଣିକୁ ସିଧା ନପିଇ ଆରୋ ଫିଲ୍ଟର କରି ପିଇଲେଣି। ଫିଲ୍ଟର ବିକୁଥିବା ବ୍ୟକ୍ତି ଜଣକ ଘରକୁ ଆସି ଜଣେ ସାଧରଣ ଲୋକକୁ ଅତି ସହଜରେ ପ୍ରଭାବିତ କରିନେଉଛି। ହାତରେ କଲମ ପରି ଧରିଥିବା ଏକ ଉପକରଣ ସାହାଯ୍ୟରେ ସେ ଆମ ଘର ପାଣିର ଦ୍ରବିଭୂତ କଠିନ ପଦାର୍ଥ (ଟିଡିଏସ୍‌)ମାପି ବୁଝାଇ କହେ- ଆମ ପାଣି ଖରାପ। ଯୋଉ କୂଅରୁ ଆମ ବାପ ଅଜା ଅମଳରୁ ଆମେ ପାଣି ପିଉଥିଲେ ଓ ଆମ ଦେହ ଭଲ ଥିଲା ଅଚାନକ ଆମେ ତା’ କଥାରେ ବିଶ୍ୱାସ କରି ଫିଲ୍ଟର କିଣି ପାଣି ପିଉ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର କହିବା ଅନୁଯାୟୀ ପାଣି ଯଦି ଟିଡିଏସ୍‌ ମାତ୍ରା ୫୦ ମିଲିଗ୍ରାମ ପ୍ରତି ଲିଟରରୁ କମ୍‌ ଅଛି, ତା’ହାଲେ ସେ ପାଣି ସ୍ବାଦହୀନ ଓ ପିଇବା ପାଇଁ ଅଯୋଗ୍ୟ। କାରଣ ସେଥିରେ କୌଣସି ଲବଣ ନଥାଏ। ଏହି ପାଣି ପିଇବା ଦ୍ୱାରା ଶରୀରରୁ ଓଲଟା ଜରୁରୀ ଖଣିଜ କ୍ଷୟ ହୋଇ ବାହାରିଯାଏ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ ଅତିକମ୍‌ରେ ପିଇବା ପାଣିରେ ଟିଡିଏସ୍‌ ର ମାତ୍ରା ୧୦୦ ମିଲିଗ୍ରାମ ପ୍ରତି ଲିଟର ହେବା ଦରକାର। ଏହି ରିପୋର୍ଟ ଅନୁସାରେ ପିଇବା ପାଣିରେ ୨୦୦ରୁ ୩୦୦ ଭିତରେ ହେବା ଜରୁରୀ । ତାହାଲେ ଆମେ ଘରେ ଘରେ ଫିଲ୍ଟର ଲଗେଇ କ’ଣ ଭୁଲ୍‌ କରୁଛେ? ଏ ପ୍ରଶ୍ନର ଉତ୍ତର ସିଧା ହଁ କି ନଁାରେ ଦେଇ ହେବନି। ଆରୋ ଫିଲ୍ଟର ପାଣିରୁ ଟିଡିଏସ୍‌ର ମାତ୍ରା କମ୍‌ କରିବା ସଙ୍ଗେ ସଙ୍ଗେ ଅତି ଦରକାରୀ ଖଣିଜ ଯଥା କ୍ୟାଲ୍‌ସିୟମ, ମ୍ୟାଗ୍‌ନେସିୟମ, ଆଇରନ୍‌ ଇତ୍ୟାଦି ବାହାର କରିଦିଏ। ଆରୋ ପ୍ରକ୍ରିୟା ପାଣିକୁ ସଫା କରିବା ପାଇଁ ଏକ ସର୍ବୋତ୍ତମ ଉପାୟ ଏଥିରେ ଦ୍ୱିମତ ନାହିଁ। କିନ୍ତୁ ପାଣିରୁ ସମ୍ପୂର୍ଣ୍ଣ ଖଣିଜ ବାହାର କରିଦେଇ ଏହାକୁ ପିଇବା ଅନୁପଯୋଗୀ କରିଦେଇଥାଏ। ଏହା ପାଣିକୁ ଏମିତି ଭାବରେ ଖଣିଜମୁକ୍ତ କରିଦିଏ ଯେ, ପାଣିର ସ୍ବାଦ ପରିବର୍ତ୍ତନ ହେଇଯାଏ ଓ ସେଥିପାଇଁ ସଫା ପାଣିକୁ ପିଇବା ପୂର୍ବରୁ ଲାଇମ୍‌ ଦେଇ ଆସିବାକୁ ଦିଆଯାଇଥାଏ। ଲାଇମ୍‌ ଦେଇ ପାଣି ପ୍ରବାହିତ ହେଲେ ସେଥିରେ କ୍ୟାଲ୍‌ସିୟମ ଓ ମ୍ୟାଗ୍‌ନେସିୟମ ପ୍ରଭୃତି ଲବଣ ପୁଣି ପାଣିରେ କିଛି ମାତ୍ରାରେ ମିଶିଥାଏ। ଆରୋ ଫିଲ୍ଟର ପାଣିର ପିଏଚ୍‌ କମ୍‌ ଥିବାରୁ ଏହା ଅମ୍ଳଯୁକ୍ତ ହେଇଥାଏ। ମାତ୍ର ଆମ ଶରୀରର ପିଏଚ ସନ୍ତୁଳିତ ହେଇଥିବାରୁ ଏହା ଶରୀର ଭିତରେ ଅସୁବିଧା ସୃଷ୍ଟି କରିବାର ସମ୍ଭାବନାଥାଏ। କ୍ୟାଲ୍‌ସିୟମ, ମ୍ୟାଗ୍‌ନେସିୟମ, ପୋଟାସିୟମ ଇତ୍ୟାଦି ଲବଣ ପାଣିରେ ଦରକାରୀ ମାତ୍ରାରେ ନଥିଲେ ଏହା ହୃଦ୍‌ରୋଗ, ଗର୍ଭ ଧାରଣରେ ଜଟିଳତା ଓ ଛୋଟ ପିଲାମାନଙ୍କର ହାଡ଼ଜନିତ ରୋଗ ହେବାର ସମ୍ବାବନା ଥାଏ ବୋଲି ଅନେକ ଗବେଷଣାରେ ଜଣାପଡ଼ିଛି।
ଏଠାରେ ସୂଚନାଯୋଗ୍ୟ, ଆରୋ ପାଣିର ହାନିକାରକ ପ୍ରଭାବ ଶୀର୍ଷକ ଏକ ରିପୋର୍ଟ ବୋତଲ ବନ୍ଦ ଶୁଦ୍ଧ ଜଳ ବିକ୍ରି କରୁଥିବା ବିଖ୍ୟାତ ବିସ୍‌ଲେରି କମ୍ପାନୀର ଓ୍ବେବ୍‌ସାଇଟରେ ଉପଲବ୍ଧ। ଏହି ରିପୋର୍ଟ ଅନୁଯାୟୀ କମ୍‌ ଖଣିଜ ପଦାର୍ଥ ଓ ସ୍ବଳ୍ପ ଦ୍ରବିଭୂତ କଠିନ ପଦାର୍ଥ (ଟିଡିଏସ୍‌) ଯୁକ୍ତ ଜଳ ଆମ ଶରୀରର ଲବଣ ସନ୍ତୁଳନତା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଯାହା ଫଳରେ ଶରୀର ଭିତରେ ଖଣିଜ ଲବଣର ସନ୍ତୁଳନ ବିଗିଡ଼ି ଯାଇ ପରିସ୍ରା ବାଟ ଦେଇ ଖଣିଜ କ୍ଷୟ କରେ; ଯାହା ହରମୋନ କ୍ଷରଣ, କିଡ୍‌ନୀ କ୍ଷମତା ଏବଂ ହାଡ଼ର ଖଣିଜ ସାନ୍ଧ୍ରତା ଉପରେ କ୍ଷତିକାରକ ପ୍ରଭାବ ପକାଇଥାଏ। ଯଦି ପାଣିରେ କ୍ଷତିକାରକ ଖଣିଜ ଯେମିତି ଆର୍‌ସେନିକ, କ୍ରୋମିୟମ ଓ ଫ୍ଲୋରାଇଡ୍‌ ଓ ଅନ୍ୟ ଭାରି ଧାତୁ ଥାଏ, ସେ ସମୟରେ ଆରୋ ଫିଲ୍ଟର ଉପଯୋଗୀ ହେଇଥାଏ। ଯଦି ଏସବୁ ସମସ୍ୟା ନ ଥାଏ, ତାହାଲେ ଆରୋ ବଦଳରେ ସାଧରଣ ଫିଲ୍ଟର ବ୍ୟବହାର କରିବା ଉଚିତ।
ସାଧାରଣତଃ ଟ୍ୟୁବ୍‌ୱେଲ ବା ନଳକୂଅର ପାଣି ଶୁଦ୍ଧ ଓ କୀଟାଣୁମୁକ୍ତ ଭାବେ ବିବେଚନା କରାଯାଇଥାଏ। ଯଦି ଆରୋ ଫିଲ୍ଟର କିଣିବା ନିହାତି ଜରୁରୀ ବୋଲି ଭାବୁଛନ୍ତି, ତାହାଲେ ସେଥିରେ ଲବଣ ମିଶ୍ରଣ କରିବା, ଦ୍ରବିଭୂତ କଠିନ ପଦାର୍ଥ ନିୟନ୍ତ୍ରକ ସୁବିଧା ଥିବା ନିଶ୍ଚିତ ଦେଖିନେବେ। ତେବେ ଆମେ କୋଉ ଫିଲ୍ଟର କିଣିବା ଏହା ପୂର୍ବରୁ ଆମ ଘରେ ଉପଲବ୍ଧ ପାଣି ବିଷୟରେ ଆମର ସମ୍ୟକ୍‌ ଧାରଣା ରହିବା ଉଚିତ। ଆମେ ଜାଣିରଖିବା ଉଚିତ ଆମ ପାଣିରେ ଦ୍ରବିଭୂତ କଠିନ ପଦାର୍ଥର ମାତ୍ରା (ଟିଡିଏସ୍‌), ଲବଣତା ଓ କଠୋରତା କେତେ ଅଛି। ଦ୍ରବିଭୂତ କଠିନ ପଦାର୍ଥ ସବୁ ଜଳରେ ଥିବା କ୍ୟାଲ୍‌ସିୟମ, ମ୍ୟାଗ୍‌ନେସିୟମ ସୋଡିୟମ ଓ ପୋଟାସିୟମ ଭଳି ଅତି ଆବଶ୍ୟକ ଖଣିଜ ଲବଣ ଏବଂ ସଲ୍‌ଫେଟ, ନାଇଟ୍ରେଟ୍‌ ଓ କାର୍ବୋନେଟ ଇତ୍ୟାଦି ଯୋଗୁ ହୋଇଥାଏ। ତେଣୁ ଆମେ ଏପରି ଫିଲ୍ଟର କିଣିବା ଅନୁଚିତ, ଯାହା ଦ୍ରବିଭୂତ କଠିନ ପଦାର୍ଥର ମାତ୍ରାକୁ ବେଶି କମେଇଦେଇ ପାଣିକୁ ପିଇବା ଅନୁପଯୋଗୀ କରିଦେବ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁସାରେ ଏହାର ମାତ୍ରା ପିଇବା ପାଣିରେ ୩୦୦ ପର୍ଯ୍ୟନ୍ତ ଥିଲେ କିଛି ଚିନ୍ତା କରିବାର ଆବଶ୍ୟକତା ନାହିଁ। ତେଣୁ ପାଣିରେ ଦ୍ରବିଭୂତ କଠିନ ପଦାର୍ଥର ମାତ୍ରା ୩୦୦ ତଳକୁ ଥିଲେ ଆମେ ସାଧାରଣ ଫିଲ୍ଟର ବ୍ୟବହାର କରିପାରିବା।
ଯାଦୁଗୁଡ଼ା, ପୂର୍ବ ସିଂହଭୂମି
ଝାଡଖଣ୍ଡ, ମୋ: ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri