ଆମ ଚଳଣିର ମହକ

ଡା. ବାସୁଦେବ ପ୍ରଧାନ
କରୋନା ଏବେ ସାରା ପୃଥିବୀରେ ଏକ ପ୍ରକାର ଆତଙ୍କ ଖେଳାଇଦେଇଛି। ତା’ ପାଇଁ ସ୍କୁଲ୍‌, କଲେଜ, ପରୀକ୍ଷା ବନ୍ଦ। ବିମାନଯାତ୍ରା, ରେଳଯାତ୍ରା ବନ୍ଦ। ବିଦେଶୀମାନଙ୍କୁ ଓ ପର୍ଯ୍ୟଟକମାନଙ୍କୁ ଆସିବାକୁ ବାରଣ କରାଯାଉଛି। ବଡ଼ ବଡ଼ ମଲ୍‌ରେ ବେପାରବଣିଜ ବନ୍ଦ। କେତେକ ଦେଶ ସହ ଆମଦାନି, ରପ୍ତାନି କାରବାର ବି ବନ୍ଦ। ମୋଟାମୋଟି ଭାବେ ବେପାରବଣିଜ ଓ ଅର୍ଥନୀତି ଏକପ୍ରକାର ଠପ୍‌ ହୋଇଯାଇଛି। ଅର୍ଥନୀତି ଭୁଶୁଡ଼ି ପଡ଼ିଲାଣି। ବିଭିନ୍ନ ଧାର୍ମିକ ପର୍ବପର୍ବାଣି, ମେଳାମଉଚ୍ଛବ ଓ ମନ୍ଦିରରେ ଦିଅଁଦର୍ଶନ ବି ବନ୍ଦ ହୋଇଯାଇଛି। କେତେ ଶକ୍ତିଶାଳୀ ଏ କରୋନା ଭୂତାଣୁ ସତେ! ଏହାର କ’ଣ କିଛି ପ୍ରତିକାର ନାହିଁ? ବିଜ୍ଞାନାଗାରରେ ପରୀକ୍ଷିତ ଓ ପ୍ରମାଣିତ ପ୍ରତିକାର କିଛି ନ ଥିବାରୁ ଆମେ ସେ ବିଷୟରେ ଲେଖୁନାହୁଁ। କିନ୍ତୁ ପ୍ରତିକାର ଅପେକ୍ଷା ପ୍ରତିଷେଧକ ବ୍ୟବସ୍ଥା ହେଉଛି ଅଧିକ ଗୁରୁତ୍ୱପୂର୍ଣ୍ଣ। ବିଜ୍ଞାନ ଏବେ ତାହାହିଁ କରିବାକୁ କହୁଛି। ଯେଉଁ ବିଜ୍ଞାନ ଦିନେ ଧାର୍ମିକ ରୀତିନୀତିକୁ ଅନ୍ଧବିଶ୍ୱାସ ବୋଲି କହୁଥିଲା, ସେ ଏବେ କହୁଛି ଧର୍ମ ପାଳନ କର- ହାତ ଧୋଇବ, ସଫାସୁତୁରା ରହିବ, ଛୁଆଁଛୁଇଁ କରିବନି, ଯୋଉଠି ଇଚ୍ଛା ସେଠି ଖାଇବନି, କାହା ଲୁଗା କେହି ପିନ୍ଧିବନି ଇତ୍ୟାଦି। ଏଗୁଡ଼ାକ ଆମ ଧର୍ମରେ ଅଛି ନା? ଆଚାରପ୍ରଭବୋ ଧର୍ମଃ- ସଦାଚାର ବା ସୁସ୍ଥ ରହିବାର ଆଚରଣକୁ ହିଁ ଧର୍ମ କହନ୍ତି। ଆଚରଣ ଠିକ୍‌ ନ ହେଲେ କରୋନା ପରି ବିପତ୍ତି ଆମକୁ କୋରଣା ପରି କୋରିପକେଇବ।
ଆମେ ଆମ ପୁରୁଣା ଆଚାର ଆଚରଣକୁ ଭୁଲିଯାଉଛେ। ଆଗରୁ ଗାଁଗହଳରେ ବାହାରୁ ଘରକୁ ଆସିଲେ ପୋଖରୀରେ ବା ଦାଣ୍ଡଦୁଆରେ ରଖାଯାଇଥିବା ପାଣିକୁଣ୍ଡରେ ପ୍ରଥମେ ଗୋଡ଼ ଧୋଇ ଲୋକମାନେ ଘରକୁ ଆସୁଥିଲେ। ଘରକୁ କୁଣିଆ ଆସିଲେ ସେମାନଙ୍କୁ ପାଣିଢାଳ ବଢ଼େଇ ଦିଆଯାଉଥିଲା। ଗୋଡ଼ ଧୋଇ ଗାମୁଛାରେ ଗୋଡ଼ ପୋଛି ଘରକୁ ଆସୁଥିଲେ। ଅବଶ୍ୟ ଏବେ ଗାଡ଼ି ମୋଟର ସଂଖ୍ୟା ବଢ଼ିଛି। ପାଦରେ ସମସ୍ତଙ୍କର ଜୋତା, ଚପଲ। ତେଣୁ ଧୂଳି ଲାଗିବା କମିଯାଇଛି। ତଥାପି ଉଡ଼ା ଧୂଳି ନିଶ୍ଚୟ ଲାଗିବ। ଚପଲ ବାହାର କରି ପାଦ ଧୋଇ ଘରକୁ ଗଲେ ପାଦରେ ଲାଗିଥିବା ଧୂଳି ଓ ଝାଳ ପ୍ରଭୃତି ସଫା ହୋଇପାରିବ। ଅତୀତରେ ବାହାରୁ ଆସିବା ପରେ ପିନ୍ଧା ଲୁଗା ଦାଣ୍ଡ ଘରେ ରଖାଯାଉଥିଲା। ଘର ଲୁଗା ଅଲଗା, ବାହାର ଲୁଗା ଅଲଗା। ସେହିପରି ଝାଡ଼ା ଯିବା ଲୁଗା ମଧ୍ୟ ଅଲଗା ଥିଲା। ବାଡ଼ିପଟେ ସେହି ଲୁଗା ଥାଏ। ସ୍ତ୍ରୀଲୋକମାନେ ସେହି ଲୁଗା ପିନ୍ଧି ବାହାରକୁ ଯାଉଥିଲେ (ସେତେବେଳେ ଆଜିକାଲି ଭଳି ପାଇଖାନା ନ ଥିଲା)। ଶୌଚ ହୋଇ ଲୁଗା ଧୋଇ ଘରକୁ ଆସୁଥିଲେ। ପୁରୁଷ ଲୋକମାନେ ସେମାନଙ୍କର ରାତି ପିନ୍ଧା ଲୁଗା ପିନ୍ଧି କ୍ଷେତବାଡ଼ିକୁ ଯାଉଥିଲେ। କ୍ଷେତରୁ ଫେରିବା ସମୟରେ ଗାଁ ପୋଖରୀ କିମ୍ବା ନଦୀରେ ଗାଧୋଇ ଲୁଗାଧୋଇ ଘରକୁ ଆସୁଥିଲେ। ଆମେ ଛିଙ୍କିଲେ ବା କାଶିଲେ ମୁହଁରେ ରୁମାଲ ବା ଗାମୁଛା ଦେଇଥାଉ। କାହା ଆଗରେ ବସିବା ବେଳେ କାନ, ନାକ ପାଟିରେ ହାତ ମାରିଲେ ଏହା ଖରାପ ଅଭ୍ୟାସ ବୋଲି ଗୁରୁଜନମାନେ ଆମକୁ ବାରଣ କରୁଥିଲେ।
ଗାଧୋଇସାରି ତୁଳସୀଗଛରେ ପାଣିଦେବା ଓ ଦୁଇଚାରିଟା ତୁଳସୀପତ୍ର ଖାଇବା ଆମର ଅଭ୍ୟାସ ଥିଲା। ପ୍ରତ୍ୟେକ ଘରେ ତୁଳସୀଗଛ ଓ ବେଲଗଛ ରହୁଥିଲା। ତୁଳସୀ ଥଣ୍ଡା, ସର୍ଦ୍ଦି ପାଇଁ କାମ କରୁଥିବା ବେଳେ ବେଲପତ୍ର ଏବଂ କଞ୍ଚା ଓ ପାଚିଲା ବେଲ ପେଟରୋଗର ଅମୋଘ ଔଷଧ। ଆମ ପୂଜାପୂଜି କାମରେ ପଞ୍ଚାମୃତ ବ୍ୟବହାର କରାଯାଏ, ଯାହା ପାଞ୍ଚଟି ଅମୃତର ସମାହାର- କ୍ଷୀର, ଘିଅ, ଦହି, ଗୁଡ଼ ଓ ମହୁ। ଏଗୁଡ଼ିକର ସ୍ବାସ୍ଥ୍ୟବର୍ଦ୍ଧକ ଗୁଣ ବିଷୟରେ କାହାକୁ ବୁଝାଇବା ଦରକାର ନାହିଁ। ଏହି ପଞ୍ଚାମୃତ ପ୍ରତିଦିନ ଅଳ୍ପ ଅଳ୍ପ ଖାଇଲେ ବଜାରରେ ମିଳୁଥିବା ଯେକୌଣସି ଟନିକ୍‌ଠାରୁ ମଧ୍ୟ ଭଲ କାମ କରେ।
ଅନ୍ୟ କାହାର ପୋଷାକପତ୍ର, ବିଛଣାଚଦର, ତକିଆ ଆଦି ବ୍ୟବହାର କରିବା ଆମ ଚଳଣିରେ ନାହିଁ। ପରିବାରର ସଦସ୍ୟ ହେଲେ ବି କାହା ଦେହରେ କେଉଁ ରୋଗ ଥିବ! ସେହିପରି ଏକା ସାଥୀରେ ଖାଇବା କିନ୍ତୁ ଏକ ପାତ୍ରରେ ନ ଖାଇବା, ସୁସ୍ଥ ଗୁରୁଜନଙ୍କ ବ୍ୟତୀତ ଅନ୍ୟ କାହାର ଅଇଁଠା ନ ଖାଇବା ହେଉଛି ଆମର ପ୍ରାଚୀନ ପରମ୍ପରା। ଏସବୁକୁ ପାଳନ କଲେ ଆମର ରୋଗ ହୋବାର ସମ୍ଭାବନା କମ୍‌ ରହିବ। ଆଗରୁ ଘରେ ଘରେ ଘୋରଣା, ପେଷଣା, ଢିଙ୍କି ଥିଲା। ସେସବୁ ବ୍ୟବହାର କରିବା ଫଳରେ ଶାରୀରିକ ଶ୍ରମ ହେଉଥିଲା। ତେଣୁ ଶରୀର ନୀରୋଗ ରହୁଥିଲା। ସମସ୍ତଙ୍କ ବାଡ଼ିରେ କଦଳୀ, ଅମୃତଭଣ୍ଡା, ସଜନା ଗଛ ଥିଲା। ଶାଗ ପଟାଳି, କଲରା, ପୋଟଳ ମନ୍ଦା ଥିଲା। ସାରୁ, ଖମ୍ବଆଳୁ, ଓଲୁଅ, ଶିମ୍ବ, ଜହ୍ନି, ଭେଣ୍ଡି, କାକୁଡି ଆଦି ପନିପରିବା ମିଳୁଥିଲା। ସେଥିରେ କେବଳ ଗୋବର ଖତ ଦିଆଯାଉଥିଲା। ଫଳରେ ସେସବୁ ସ୍ବାସ୍ଥ୍ୟ ପାଇଁ ନିରାପଦ ଥିଲା।
ଅତୀତରେ ଶାରୀରିକ ଶ୍ରମ, ବାଡ଼ିବଗିଚାର ପନିପରିବା, ଢିଙ୍କିକୁଟା ଚାଉଳ, କାଠଚୁଲି, ମାଟିହାଣ୍ଡି ଭାତ, ବାସି ତୋରାଣି ମଣିଷକୁ ନୀରୋଗ ରଖୁଥିଲା। ସେହିଭଳି ଢିଙ୍କିକୁଟା ଚୁଡା, ମୁଢ଼ି, ହୁଡୁମ, ଛତୁଆ, ଗୁଡ଼, ନଡ଼ିଆ, ବାରି କଦଳୀ ମଣିଷକୁ ନୀରୋଗ ରଖୁଥିଲା। ଡାକ୍ତରଖାନା ଯିବାକୁ କ୍ୱଚିତ୍‌ ଦରକାର ପଡ଼ୁଥିଲା। ଏବେ ରୋଗ ବଢ଼ିଛି। ଡାକ୍ତରଖାନା ବଢ଼ିଛି। ବେଳକୁ ବେଳ କରୋନା ପରି ନୂଆ ନୂଆ ରୋଗ ଆସି ମଣିଷର ଆର୍ଥିକ ସ୍ଥିତିକୁ ଦୁର୍ବଳ କରୁଛି। ଧନଜୀବନ ନଷ୍ଟ କରୁଛି। ପ୍ରଗତିରେ ବାଧକ ହେଉଛି। ଅତୀତ ଏବଂ ଆଜି ଭିତରେ ଆକାଶପାତାଳ ଫରକ। ତେବେ ନିମ୍ନଲିଖିତ କଥାଗୁଡ଼ିକୁ ମାନି ଚଳିଲେ ଆମେ ସୁସ୍ଥସବଳ ରହିପାରିବା- ରୋଷେଇ ଘରକୁ ସଫାସୁତୁରା ରଖିବା। ଖାଇବା ବାସନକୁସନ ସମସ୍ତଙ୍କର ପୃଥକ୍‌ ହେବା ଉଚିତ। ଏକ ପାତ୍ରରେ ଖାଇବା ଅନୁଚିତ। ଘରେ ମୁକ୍ତ ବାୟୁ ଚଳାଚଳ ଏବଂ ସୂର୍ଯ୍ୟକିରଣ ପଡ଼ିବା ଆବଶ୍ୟକ।
ଅତୀତରେ କୁକୁରକୁ ଛୁଇଁଲେ ଏବଂ ମଳକୁ ମାଡ଼ିଲେ ଗାଧୋଇବାକୁ ପଡୁଥିଲା। ଏହାକୁ କୁକୁରଛୁଆଁ କୁହାଯାଉଥିଲା। କୁକୁର ମଳରେ ଅନେକ ପ୍ରକାର ଜୀବାଣୁ ଥାଆନ୍ତି। ଏବେ ଘରେ ଘରେ ପରିବାରର ସଦସ୍ୟ ପାଲଟିଛନ୍ତି କୁକୁର। ସେମାନେ ଘର ସାରା ବୁଲୁଛନ୍ତି। ଶେଯରେ ଶୋଉଛନ୍ତି। କାରରେ ଭ୍ରମଣ କରୁଛନ୍ତି। ଅତୀତରେ ଛୁଆଁଛୁତିକୁ ଅଧିକ ଗୁରୁତ୍ୱ ଦିଆଯାଉଥିଲା। ଝିଅ ହେଉ କି ବୋହୂ ଋତୁସ୍ରାବ ସମୟରେ ରୋଷେଇଘରେ ପଶୁ ନ ଥିଲେ। ଏହା ଅତ୍ୟନ୍ତ ସୁସ୍ଥ ବ୍ୟବସ୍ଥା ଥିଲା। ପାଣି ପବନକୁ ନିର୍ମଳ ରଖିବା ଦରକାର। କାରଣ ପାଣି ପବନ ମାଧ୍ୟମରେ ଅନେକ ରୋଗ ବ୍ୟାପିଥାଏ। ପାଣି ମାଧ୍ୟମରେ ତରଳ ଝାଡ଼ା, କାମଳ, ଆମାଶୟ ଏବଂ ପବନ ମାଧ୍ୟମରେ ଭୂତାଣୁ ସଂକ୍ରମଣଜନିତ ଥଣ୍ଡା, କାଶ, ଜ୍ୱର ବ୍ୟାପିଥାଏ। ଏହିସବୁ ସଦାଚାର ହେଉଛି ଆମ ଚଳଣିର ମହକ, ଏସବୁକୁ ପାଳନ କଲେ ଆମେ ନୀରୋଗ ରହିପାରିବା।
ସରକାରୀ ଆୟୁର୍ବେଦ ହସ୍ପିଟାଲ, ମାଉସୀମା ଛକ, ଭୁବନେଶ୍ୱର, ମୋ-୯୪୩୭୩୦୫୦୪୫


Enter your email to get our daily news in your inbox.

All Right Reserved By Dharitri.Com

ଆଇସିସି ଓ ପରିବେଶଗତ ଅପରାଧ

କାଟେ ମ୍ୟାକିନ୍‌ଟୋସ, ଜୋଜୋ ମେହେଟା ବନ୍ୟା, ବନାଗ୍ନି, ଅତ୍ୟଧିକ ତାପମାତ୍ରା ବୃଦ୍ଧି ଏବଂ ଜୀବବାହିତ ସଂକ୍ରାମକ ରୋଗ ମୁଖ୍ୟତଃ ଜଳବାୟୁ ଏବଂ ଜୈବମଣ୍ଡଳୀୟ ସଙ୍କଟ ସୃଷ୍ଟି...

ପାତିବା ନାହିଁ ହାତ

ଶ୍ରୀ ସନ୍ନ୍ୟାସୀ ଚାରିଆଡ଼େ ମରୁଡ଼ି। ସବୁଠି ହା ଅନ୍ନ ଚିତ୍କାର। ଗାଁଟିର ନାଁ ହେଉଛି ସିରେଇ। ସେଇଠି ଖୋଲା ହୋଇଛି ରିଲିଫ୍‌ କେନ୍ଦ୍ର। ଦାସେ ଆପଣେ...

ଏଇ ଭାରତରେ

ଭାରତର ଉତ୍ତରପୂର୍ବାଞ୍ଚଳରେ ଭୂସ୍ଖଳନ ଜନିତ ଧନ ଜୀବନ ହାନିକୁ ରୋକିବାକୁ ଆଇଆଇଟି(ମଣ୍ଡି)ର ଦୁଇ ଗବେଷକ ଡ. ବରୁଣ ଦତ୍ତ ଏବଂ ଡ.କେ.ଭି.ଉଦୟ ଏକ ଡିଭାଇସ୍‌ ବା...

ମହାତ୍ମା ସାଧନ, ମହାତ୍ମା କଷଣ…

ତୁଷାରକାନ୍ତ ଆଜନ୍ମ ବିପ୍ଳବୀ ଭଗବତୀ ଚରଣ ପାଣିଗ୍ରାହୀ ସେତେବେଳକୁ ଚାହିଁ ଏକ ଥିଲାବାଲା ପରିବାରରେ ଜନ୍ମଗ୍ରହଣ କରି ନିଜ ପରିବାରର ସମ୍ପତ୍ତି ବଢ଼େଇବାରେ ବ୍ରତୀ ନ...

ସ୍କୁଲ ରୂପାନ୍ତରଣ

ଡ. ସୁବାସ ଚନ୍ଦ୍ର ପାତ୍ର ବେ ଓଡ଼ିଶାରେ ଶିକ୍ଷା କହିଲେ ଗଣଶିକ୍ଷାକୁ ବା ସ୍କୁଲ ଶିକ୍ଷାକୁ ଲୋକେ ବୁଝୁଛନ୍ତି। କାରଣ ଯାହା କିଛି ରୂପାନ୍ତରଣ, ପଦବୀ...

ସୂଚନା ମୁଖ୍ୟ

ଭାରତରେ ଏକବିଂଶ ଶତାବ୍ଦୀର ପ୍ରାରମ୍ଭରୁ ପ୍ରତ୍ୟେକ କ୍ଷେତ୍ରରେ ସ୍ବଚ୍ଛତା ବଜାୟ ରଖିବା ଲାଗି ସୂଚନା ଏକ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରାଯାଇଆସୁଛି। ବିଧିବଦ୍ଧ ଭାବେ...

ମାଂସ ଉପରେ ଟିକସ ଲଗାଅ

ମାନେକା ଗାନ୍ଧୀ ଲୋକମାନଙ୍କୁ ଗରିବ ଓ ଅସୁସ୍ଥ କରିବା ପାଇଁ ସରକାର କାହିଁକି ଏଭଳି ନୀତିମାନ ପ୍ରସ୍ତୁତ କରନ୍ତି? ସ୍ବାସ୍ଥ୍ୟ ଓ ଅର୍ଥନୀତି ଉପରେ ଏହି...

ଏଇ ଭାରତରେ

ଅନେକ ହଜାର ଦୃଷ୍ଟିିବାଧିତଙ୍କ ଆଶାବାଡ଼ି ପାଲଟିଛନ୍ତି କର୍ନାଟକର ବିଦ୍ୟା ଓ୍ବାଇ। ବିଦ୍ୟା ଜଣେ ଏଣ୍ଟରପ୍ରିନ୍ୟୁୟର ଓ ଜନ୍ମରୁ ଦୃଷ୍ଟିବାଧିତ। ସେ ‘ଭିଜନ ଏମ୍ପ୍‌ପାଓ୍ବାର’ ସଂସ୍ଥା ଗଠନ...

Advertisement
Archives

Model This Week